Unknown

 

 

 

 

 

 

 

 

 

 

 

ଉପସଂହାର

ଭାଗୀରଥି ନେପାକ

 

ବନ୍ଧୁଶ୍ରୀ ଟଙ୍କଧର ସାହୁ (ସୋନପୁର)ଙ୍କୁ–

 

ପ୍ରିୟବନ୍ଧୁ,

 

ସୁଦୀର୍ଘ ଅଠର ବର୍ଷ ତଳେ ଆମର ପ୍ରଥମ ସାକ୍ଷାତ ଓ ବନ୍ଧୁତାର ପ୍ରଥମ ସୂତ୍ରପାତ ହେଲା ।

 

ସେ ଆଜିକୁ ଅନେକ ଦିନ ହୋଇ ଗଲାଣି, ନୁହେଁ ?

 

ତା’ପରେ ଅନେକ ପରିବର୍ତ୍ତନ ଆସିଛି ।

 

ମୋର ଜନ୍ମସ୍ଥାନ ବିନିକାରେ ହାଇସ୍କୁଲ ହୋଇଛି ।

 

ସୋନପୁର ଜନସାଧାରଣ ତୁମକୁ କର୍ମୀ ଓ ନେତା ରୂପରେ ଦେଖିବାକୁ ଆରମ୍ଭ କଲେଣି ।

 

କିନ୍ତୁ ବନ୍ଧୁ-

 

ତୁମକୁ ମୁଁ ନୂତନ ରୂପରେ ଆବିଷ୍କାର କରିଛି ।

 

ତୁମ ଭିତରେ ଯେଉଁ ପ୍ରାଣପୂର୍ଣ୍ଣ କବିତାର ସୂଚନା ପାଇଲି, ତାହା ପଢ଼ି ଯେଉଁ ଅଭୁଲା ଆମୋଦ ଲାଭ କଲି, ତାହାହିଁ ସେହି ନୂତନ ରୂପରେ ଭୂମିକା ଗ୍ରହଣ କରିଛି ।

 

ଆଉ ସେଇଥିପାଇଁ ମୋର ଏହି କଳ୍ପନା ପ୍ରସୂତ ‘ଉପସଂହାର’ର ଉପହାର-

 

ନୂଆ ରାଜଧାନୀ

ବିନୀତ

୧୪ । ୧୦ । ୧୯୬୩

-ଲେଖକ-

Image

 

ପ୍ରଜାପତି ନୂତନ ଡେଣା ପାଇ ଆଲୋକିତ ପୃଥିବୀ ପୃଷ୍ଠରେ ଘୂରିବାକୁ ଲାଗିଲା ।

 

ପୁଷ୍ପିତା ‘ସ୍ୱର୍ଣ୍ଣପ୍ରଭା’ ନୂଆ ଦେହ, ନୂଆ ମନ ନେଇ ସୋନପୁର ସହର ଦେଖୁଥିଲା ।

 

ପୃଥିବୀରେ କେତେ ଆଲୋକ, କେତେ ସ୍ୱପ୍ନ । କେତେ ପୁଷ୍ପ, କେତେ ସୌରଭ ! କିଏ କହେ ଏଇଠି ଆନନ୍ଦ ନାହିଁ, ଆମୋଦ ନାହିଁ ?

 

ସ୍ୱର୍ଣ୍ଣପ୍ରଭାର ମନ ଭିତରେ ଉଚ୍ଛାଟ ପଶିଛି । ପୃଥିବୀର ଆଲୋକ ଉପରେ ସନ୍ତରଣ କରୁ କରୁ ସ୍ୱପ୍ନର ସମସ୍ତ ରଙ୍ଗ, ସମସ୍ତ ବିକାଶକୁ ନିଜ ଭିତରେ ଅନୁଭବ କରିବାରେ ଆଶ୍ଚର୍ଯ୍ୟ ଇଚ୍ଛା-। ଏ ପୃଥିବୀଟା ଯେମିତି ତା’ ନିଜର, କେବଳ ମାତ୍ର ନିଜର ! ଏଇଠି ଆଉ କାହାରିର ଆଧିପତ୍ୟ ନାହିଁ ।

 

ପ୍ରଥମ ସକାଳର ସ୍ୱର୍ଣ୍ଣାଭ କିରଣରେ ‘ସ୍ୱର୍ଣ୍ଣପ୍ରଭା’ ନିଜର ରସାଣିତ ଦେହଟାକୁ ଦେଖୁ ଦେଖୁ କୁରୁଳି ଉଠୁଥିଲା । ୟାରି ଭିତରେ ଏ ଦେହରେ କେତେ ପରିବର୍ତ୍ତନ ହୋଇଛି ସତରେ ! ଏମିତି ହେବ ବୋଲି କଣ କେବେହେଲେ ସେ ପରିକଳ୍ପନା କରିଥିଲା ? କେତେ ମସୃଣ, କେତେ ଲୋହିତ ।

 

ନବଯୌବନ ପାଇ, ଯୁବତୀ ଜୀବନର ପ୍ରଥମ ସକାଳରେ ଆତ୍ମପ୍ରେମର ପ୍ରଥମ ପାହାଚରେ ଛିଡ଼ାହୋଇ ନବଯୁବତୀ ସ୍ୱର୍ଣ୍ଣପ୍ରଭା କୁଢ଼ କୁଢ଼ ସ୍ୱପ୍ନ ଦେଖୁଥିଲା । ରାଜବାଳା ସିଂହ ଅଗଣାରେ ଛିଡ଼ା ହୋଇ ଝିଅର ମନ ଫୁଲାଣିଆ ମନୋଭାବକୁ ଲକ୍ଷ୍ୟ କରୁଥିଲେ ।

 

ସେ ବି ଦିନେ ଯୁବତୀ ଥିଲେ । ସ୍ୱର୍ଣ୍ଣପ୍ରଭାଠାରୁ ଆହୁରି ସତେଜ ଯୌବନ ଥିଲା । ଆଃ, ସେଦିନର ସେ ଯୌବନ, ସେ ଜୀବନ ! ରାଜବାଳା ଦୀର୍ଘନିଃଶ୍ୱାସ ନେଲେ ।

 

ଅତୀତ କଥା ମନେ ପକାଇ ଆଉ ଲାଭ ନାହିଁ । ଜୀବନରେ ସବୁଠୁଁ ବଡ଼ ଜିନିଷ ହେଲା, ବର୍ତ୍ତମାନ । ସେ ଯଦି ସ୍ୱଚ୍ଛନ୍ଦ, ସରସ ତାହାହେଲେ ଭାବିବାର ଆଉ କିଛି ନାହିଁ । ଭବିଷ୍ୟତ ଅନାଗତ, ଅପରିଚିତ ।

 

ସ୍ୱର୍ଣ୍ଣପ୍ରଭା ଟିକିଏ ଦୂରକୁ ଖରାରେ ଛିଡ଼ାହୋଇ ନିଜକୁ ନିଜେ ଚାହିଁଛି । ଦେହଟାକୁ ଜାଣି ଶୁଣି ଖୋଲି ଦେଇଛି ବୋଧହୁଏ ! ଖୋଲା ଦେହରେ ନରମ ଖରା ଯେଉଁ ଚମକ ଲଗାଇଦିଏ, ତାକୁହିଁ ଅନୁଭବ କରୁଛି ।

 

ରାଜବାଳା ନିଜ ରକ୍ତମାଂସର ପ୍ରତୀକ ସ୍ୱର୍ଣ୍ଣପ୍ରଭାକୁ ଘଡ଼ିଏକାଳ ଚାହିଁ ରହିଲେ ।

 

ସ୍ୱର୍ଣ୍ଣପ୍ରଭା ଆଉ ସାନ ହୋଇନାହିଁ । କୋଳରେ ବସି ଅଳି କରିବା ବୟସ ଉତ୍ତୀର୍ଣ୍ଣ ହୋଇଯାଇଛନ୍ତି । ଦାଣ୍ଡରେ ଚାଲି ଗଲାବେଳେ ନୂଆ ଖେଳନା ଦେଖି ହାତ ବଢ଼ାଇବ ନାହିଁ, ଟିକକ କଥାରେ ଅଝଟ କରି ରୁଷି ବସିବ ନାହିଁ । ଏଣିକି ପ୍ରତ୍ୟେକ ମୁହୂର୍ତ୍ତରେ ସେ ନିଜକୁ ନୂଆମଣିଷ ରୂପେ ପରିଚୟ ଦେବ । ନୂତନ କିଛି ଭାବିବ, ନୂତନ କିଛି କହିବ ।

 

ହଁ, ହଁ, ସ୍ୱର୍ଣ୍ଣପ୍ରଭା ଜୀବନରେ ନୂତନତା ଆସିଛି । ସେ ନୂତନତାରେ ଶୀତର ଶୀତଳତା ନାହିଁ କି ଜଡ଼ତା ନାହିଁ । ସେ ନୂତନତା ନବବସନ୍ତର ! ନବ ବସନ୍ତ ସଙ୍ଗରେ ନୂତନପତ୍ର, ନୂତନ ପୁଷ୍ପର ! ତାକୁ ଅସ୍ୱୀକାର କରି ହେବ ନାହିଁ । ସେ ଯେ ଜୀବନ ବିକାଶର ଏକମାତ୍ର ସୂଚନା ! ଶରୀର ଥାଇ ଶରୀରରେ ପ୍ରାଣ ନ ଥିଲେ, ଦୀପଥାଇ ଜ୍ୱଳନ୍ତ ସଳିତା ନ ଥିଲେ, ଫୁଲହୋଇ ସୁରଭି ନ ଥିଲେ, ସେହି ଶରୀର, ଦୀପ ବା ଫୁଲର ଅସ୍ତିତ୍ୱକୁ କ’ଣ ଅନୁଭବ କରିହୁଏ ?

 

ସ୍ୱର୍ଣ୍ଣପ୍ରଭା ତା’ ଜୀବନର ଅସ୍ତିତ୍ୱକୁ ଜାହିର୍‌ କରିବାକୁ ଚାହେଁ । ସେ ତାର ଉପସ୍ଥିତିକୁ ଅପର ଭିତରେ ଅନୁଭୂତ କରାଇବାକୁ ଚାହେଁ । ସେଇଥିପାଇଁ ତାର ଏ ନୂତନ ପ୍ରସ୍ତୁତ । ପ୍ରଥମେ ନିଜକୁ ନିଜେ ଅନୁଭବ କରୁଛି । ନିଜକୁ ନିଜେ ଅଧ୍ୟୟନ କରୁଛି । ସେ ଅନୁଭୂତି ଓ ଅଧ୍ୟାୟନରେ ସନ୍ତୁଷ୍ଟ ହେଲେ ବାହାର ଦୁନିଆକୁ ବାହାରିବ । ନିଜ ଭିତରୁ ନୂତନ କିଛି ଆବିଷ୍କାର କରିଥିଲେ, କହିବୁଲିବ, ହେଇଟି ମୋର ଅମୁକ ଜିନିଷ ଅଛି, ଯାହା ଆଉ କାହାରି ନାହିଁ !’

 

ସ୍ୱର୍ଣ୍ଣପ୍ରଭା ପ୍ରଥମ ସକାଳର ନରମ ଖରାରେ ନିଜକୁ ସମ୍ପୂର୍ଣ୍ଣ ରୂପେ ବୁଡ଼ାଇ ଦେବାକୁ ଚାହିଁଲା । ଜାଣିଶୁଣି କାନ୍ଧଉପରର ଲୁଗା ଖସାଇ ଚୌକି ଉପରେ ବସିପଡ଼ିଲା । ତାର ସମୁଚ୍ଚ ଶୁଭ୍ର ବକ୍ଷୋଜ ଖୋଲା କିରଣରେ ଗାଧୋଇପଡ଼ି ଅଚାନକ ଶିହରି ଉଠୁଥିଲା ।

 

ସ୍ୱର୍ଣ୍ଣପ୍ରଭା ଏମିତି ଖୋଲାଖୋଲି ହୋଇ ଅଗଣାରେ ବସିରହିବା କଣ ଉଚିତ ହେଲା ? ରାଜବାଳା ସିଂହ ନୀରବ ପ୍ରତିବାଦ କଲେ । ମନହେଲା, ସ୍ୱର୍ଣ୍ଣପ୍ରଭା ପାଖକୁ ଦୁମ୍‌ ଦୁମ୍‌ ହୋଇ ଚାଲିଯାଇ ତାର ଦେହର ଲୁଗାଟାକୁ ସଜାଡ଼ି ଆସନ୍ତେ । କହନ୍ତେ, ‘ଏ କଣ କରୁଛୁ ସ୍ୱର୍ଣ୍ଣ ? ନିଜ ଦେହଟାକୁ ସଜାଡ଼ି ରଖିପାରୁନୁ ? କିଏ ଦେଖିଲେ କଣ କହିବେ ? ଆଜିଠୁ ସତର୍କ ହେବୁ ।’

 

କିନ୍ତୁ ସେ କଣ ସର୍ବଦା ସ୍ୱର୍ଣ୍ଣପ୍ରଭା ପ୍ରତି ସତର୍କ ଓ ସଜାଗ ହୋଇ ଚଳିପାରିବେ ? ସଜାଗ ହେଲେ ବି ଚଳିବ ନାହିଁ । ତାକୁ ବୁଝାଇବାକୁ ପଡ଼ିବ ।

 

ରାଜାବାଳା ସୁଯୋଗ ଅପେକ୍ଷାରେ ରହିଲେ । ସମୟ ଦେଖି କହିବେ, ‘ଜାଣିଛୁ ସ୍ୱର୍ଣ୍ଣ ! ଯୁବତୀ ଝିଅର ଯୌବନଟା ବଡ଼ ଦାୟିତ୍ୱପୂର୍ଣ୍ଣ ଲୋ ! ପୃଥିବୀର ଏ ମହାକାଳ ପୃଷ୍ଠାଉପରେ ତାର ସ୍ୱାକ୍ଷର ଅତି ଅସ୍ପଷ୍ଟ, ଇତର ଓ କ୍ଷଣିକ । ସ୍ୱଳ୍ପଦିନର ରହଣି ପରେ ସେ କ୍ଷୟ ହୋଇଯାଏ । ଶରୀରର ଅଜାଣତରେ ସେ ମୃତ୍ୟୁ ବରଣ କରେ ।’

 

‘ସେହି କ୍ଷୟ ଭିତରୁ ଅକ୍ଷୟ, ମୃତ୍ୟୁ ଭିତରୁ ଅମରତ୍ୱକୁ ମୁଁ ଆବିଷ୍କାର କରିବି । ଜୀବନର ଜୟଗାନ, ସୃଷ୍ଟିର ସ୍ତୃତି କରିବାକୁ ପ୍ରତିଜ୍ଞାବଦ୍ଧ ହେବି । କ୍ଷୀଣ ଯୌବନକାଳ ଭିତରେ, ଜୀବନର ଅନୁଭୂତିକୁ, ଯୌବନର ସାର୍ଥକତାକୁ ବର୍ଣ୍ଣନା କରୁ କରୁ ଯଦି ମୋର ମୃତ୍ୟୁ ହୁଏ, ତାହାହିଁ ହେବ ଏ ଜିବନର ଅପୂର୍ବ ପ୍ରାପ୍ତି ।’ ଯଦି ସ୍ୱର୍ଣ୍ଣପ୍ରଭା ଉକ୍ତ ମନ୍ତବ୍ୟ ବାଢ଼ି ପ୍ରତିବାଦ କରେ ?

 

ରାଜବାଳା ସିଂହ ମନସ୍ଥ କଲେ, ସେ କଣ କହିବେ ନ କହିବେ ସେଇଆକୁ ଭାବି କାଳକ୍ଷେପ କରିବେ ନାହିଁ । ପ୍ରଥମ ସୁଯୋଗ ପାଇଲା ମାତ୍ରେହିଁ ସ୍ୱର୍ଣ୍ଣପ୍ରଭାକୁ ସାମନାରେ ବସାଇ, ମାତୃସୁଲଭ କଣ୍ଠରେ କହିବେ, ଆମର ନାରୀ ଜନମଟା ଖାଲି ଫୁଲଟିଏ ଲୋ ! ରୂପ, ସୌରଭ ସବୁ ଅଛି । କିନ୍ତୁ ତହିଁରେ ନାହିଁ ସ୍ଥାୟିତ୍ୱ, ଅମରତ୍ୱ- ଦି’ଦିନପାଇଁ ସେ ଫୁଟେ, ବାସେ । ତା’ପରେ କିରଣ ବାଜି ମଉଳିଯାଏ ଝଡ଼ିଯାଏ । ତା’ ଦେହରେ ସୁରଭି ଆଉ ରହେ ନାହିଁ । ମାଟିଉପରେ ଝଡ଼ିପଡ଼ି ମାଟି ହୋଇଯାଏ । ଫୁଟିଲା ଅବସ୍ଥାରେ କେତେ ଭଅଁର ଆସନ୍ତି । ମନଇଚ୍ଛା ସୁବାସ ଆହରଣ କରି ଚାଲି ଯାଆନ୍ତି । ଫୁଲ କାହାରିକୁ ମନା କରେ ନାହିଁ । ନିଜକୁ ତିଳେ ତିଳେ ଦାନ କରିବାରେହିଁ ତାର ଆନନ୍ଦ ! ପ୍ରତିଦାନକୁ ଅପେକ୍ଷା ନ କରି ନିଜକୁ ପଳେ ପଳେ ବିତରଣ କରିଦେବାରେହିଁ ସାର୍ଥକତା । ଏତେବଡ଼ ଆଦର୍ଶ ନେଇ ଫଳ କ’ଣ ହୁଏ ଜାଣୁ ସ୍ୱର୍ଣ୍ଣ ? ଫୁଲର ମୃତ୍ୟୁ ହୁଏ । ତା’ ସାଙ୍ଗରେ ସେ ଆଦର୍ଶର ବି ମୃତ୍ୟୁ ହୁଏ ।

 

ରାଜବାଳା ସିଂହ ପରେ ଏ କଥାକୁ ନିଜ ମନ ଭିତରେ ରାଶିହେଲେ । ଏତେକଥା, ଏଡ଼ିକି ବକଟେ ଝିଅ ଆଗରେ କେମିତି କହିବେ ଯେ ? ଜିଭ ଲେଉଟିବ ? ସ୍ୱର୍ଣ୍ଣ ଟିକିଏ ବଡ଼ ହେଲେ ଦୁନିଆଁ କଥା ଆପେ ବୁଝିବ, ଆପେ ଜାଣିବ, ଶିଖାଇବାକୁ ପଡ଼ିବ ନାହିଁ ! ଏତେ ପାଠପଢ଼ି ଜୀବନର ଏଡ଼େବଡ଼ ପ୍ରଧାନ କଥା ଟିକକ ଯଦି ଦେଖିଶୁଣି ମନେ ରଖିପାରିଲା ନାହିଁ, ତାହାହେଲେ ସେ ପାଠ ପଢ଼ାଇ କି ବା ମୂଲ୍ୟ !

 

ହଁ, ହଁ, ଅପେକ୍ଷା କରିବାକୁ ହେବ !

 

ରାଜବାଳା ସିଂହ ଦୂରକୁ ଘୁଞ୍ଚିଗଲେ । ଝିଅର ବଢ଼ିଲା ଦେହକୁ ଅନାଇବାକୁ ଇଚ୍ଛା ନାହିଁ-। ଏ କଣ ସତରେ ତାଙ୍କରି ଝିଅ ? ଏଇଆକୁ କୋଳରେ ଧରି କ’ଣ ଆକାଶର ଚନ୍ଦ୍ରକୁ ଡାକୁଥିଲେ-? ଶୋଇଲା ବେଳେ ଅଝଟ ଭାଙ୍ଗିବାକୁ ହାତୀ ମଉସା, ବାଘମାମୁଁ ଗପ ଶୁଣାଉ ଥିଲେ-? ସ୍ୱର୍ଣ୍ଣର ପିଲା ଦିନର ଛୋଟ ଛୋଟ କଥାସବୁ ଗୋଟି ଗୋଟି ହୋଇ ମନେ ପଡ଼ୁଥିଲା-। ଗୋଟାଳିଆ, ନିଦା ଦେହଟିଏ । କୁନ୍ଦିଲାପରି ଗୋଡ଼ହାତ । ସାବୁନ ଫେଣପରି ଗୋରା ତକ ତକ ରଙ୍ଗ । ମୁଣ୍ଡରେ ଗାଢ଼ କଳା ଚୂନା ଚୂନା ଭାଙ୍ଗପକା କେଶ । ମିଟି ମିଟି ଆଖିରେ ଆଖି ମିଶିଗଲେ, କିର୍‌ କିର୍‌ ହୋଇ ହସି ଉଠେ । ଘଡ଼ିକେ କାନ୍ଦ, ଘଡ଼ିକେ ହସ । ଏଇ କଣ ସେଇ ଶିଶୁ ସ୍ୱର୍ଣ୍ଣ ! ତା’ କଥା ସବୁବେଳେ ଆଖିରେ ଭାସି ଉଠୁଥିଲା । ଏଇନେ ବି ପିଲାଦିନର ସ୍ୱର୍ଣ୍ଣ ମନେ ପଡ଼େ । ସେ ସ୍ମୃତି କେତେ ମିଠା ଲାଗେ ନାହିଁ ସତରେ !

 

ରାଜବାଳାଙ୍କର ଅଜବ ଧରଣର ଖିଆଲ ଉଠିଲା । ସେଦିନର ସେହି ଛୋଟ ଶିଶୁ ସ୍ୱର୍ଣ୍ଣ ଆଉ କେବେହେଲେ ବଢ଼ି ଉଠି ନ ଥାନ୍ତା କି ? ସେ ଏଇ ବଢ଼ିଲା ଝିଅଟିକୁ ସର୍ବାନ୍ତଃକରଣରେ ଗ୍ରହଣ କରିପାରୁ ନ ଥିଲେ । ବୟସ ଯେତିକି ବଢ଼ୁଛି, ସେତିକି ଅମାନିଆ ହେଉଛି । ବସ କହିଲେ ଉଠି ପଡ଼ୁଛି । ଯାହା କରିବାକୁ କହିଲେ, ସୁବିଧା ପାଇବା ମାତ୍ରକେ ଏଡ଼ି ଦେଉଛି । ପଚାରିଲେ, ଏଣୁ ତେଣୁ କହି କଥା ବୁଲାଇବାର ଚେଷ୍ଟା । ସତେ ଅବା ସତ କଥାଟା ତା’ ବ୍ୟତୀତ ଆଉ କେହି ହେଲେ ଜାଣନ୍ତି ନାହିଁ ।

 

ସବୁ ବଡ଼ ହୋଇ ଆସୁଥିବା ଝିଅଙ୍କର ସେହି ଏକାପ୍ରକାରର ମନସ୍ତତ୍ତ୍ୱ । ପାଠୁଆ ଅପାଠୁଆ, ଧନୀ ଗରିବ ସବୁ ଝିଅ ସମାନ । ସମସ୍ତଙ୍କ ମନ ଭିତରେ ଗୋଟିଏ ପ୍ରକାର ଭାବନା କାର୍ଯ୍ୟକରେ । ଆଗତ ଭବିଷ୍ୟତର ଦାୟିତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ପୂର୍ବରୁ ସେମାନେ ଟିକିଏ ଚପଳ, କିଛିଟା ପ୍ରଗଳ୍‌ଭ ହୋଇ ଉଠନ୍ତି । କୌଣସି କାର୍ଯ୍ୟରେ ମନ ଲାଗେନା, ଛାତି ଭିତରଟା ଖାଲି ଖାଲି ଲାଗେ । ସବୁଥାଇ ନ ଥିଲା ଭାବ ଜାଗି ଉଠେ । ସବୁ ଜିନିଷ ପାଇବାକୁ ହାତ ବଢ଼ାନ୍ତି-

 

ଗୋଟିଏ ଝିଅ ଅନ୍ୟମନସ୍କ ଭାବ ଦେଖାଇଲେ, କଥା କହୁ କହୁ ଅଧାରେ ଝୁଣ୍ଟିଲେ, ଅବେଳରେ ଶୋଇବାକୁ ଆରମ୍ଭ କଲେ, କିମ୍ବା ଏକାଟିଆ ଭାବି ବସିବାକୁ ଇଚ୍ଛା ପୋଷଣ କଲେ, ସହଜରେ କଳନା କରିହୁଏ ଯେ, ଝିଅଟା ପ୍ରେମରେ ପଡ଼ିବାକୁ ଆରମ୍ଭ କରିଛି । ଘର ଭିତରର ଦୂରସମ୍ପର୍କୀୟ ଯୁବକକୁ ଦେଖି, ଅଥବା ଘର ବାହାରେ ସୁଦର୍ଶନ, ରୂପମୁଗ୍‌ଧ ଯୁବକକୁ ପାଇ ପାଖକୁ ଟାଣି ଆଣିବାକୁ ତାର ଅକ୍ଳାନ୍ତ ଚେଷ୍ଟା । ସେଇଥିପାଇଁ ଖାଲି ନୂତନ ବେଶ, ନୂତନ ହସ । ଉତ୍ତରଗୁଡ଼ିକ ମନରଖା, ରସାଣିଆ । କଥା କଥାକେ ହସ ଆଖି ନଚା, ଓଠ କାମୁଡ଼ାରେ ଅପୂର୍ବ କୌଶଳ ।

 

ଏଇ ବୟସରେ ତରୁଣୀ କନ୍ୟା, କଳ୍ପନା-ରଥରେ ଚଢ଼ି ଉଡ଼ି ବୁଲୁଥାଏ । ପୃଥିବୀର ପାଣି ପବନରେ ପର ବାଜେ ନାହିଁ । ତାର ନିଧକ, ନିଛକ ଭଲ ପାଇବାଟା ହିଁ ଯେମିତି ଏ ପୃଥିବୀର ସାରାଂଶ । ଏଇଠି ମଣିଷ ଭଲ ପାଇବାକୁ ବଞ୍ଚେ; ପୁଣି ଭଲପାଇବାକୁ ଉପାୟ ଅବଲମ୍ବନ କରେ । ୟା’ ବ୍ୟତୀତ ବଞ୍ଚିବାର କିଛି ମାନେ ହୁଏନା ।

 

ପ୍ରେମିକାର ପୃଥିବୀରେ ଜଞ୍ଜାଳ ନାହିଁ କି ମୃତ୍ୟୁ ନାହିଁ । ଜୀବନମୟ ଜଗତଟା, ଖାଲି ହସ ହସ ହରଷ । ଜୀବନ ସଂଗ୍ରାମର ରୁକ୍ଷ ବାସ୍ତବ ଶୈଳୀ ଏକାନ୍ତ ବିରଳ । ସେଇଠି ସାମାନ୍ୟ ଆଧାର ପାଇଁ କିମ୍ବା ଜରା ବିରୁଦ୍ଧରେ ବିପ୍ଳବ କରିବାପାଇଁ କେହି ଇଚ୍ଛା ପୋଷଣ କରନ୍ତି ନାହିଁ । ସମସ୍ତଙ୍କର ଦେହି ଏକମାତ୍ର ଲକ୍ଷ୍ୟ ପ୍ରେମ ଓ କେବଳ ମାତ୍ର ପ୍ରେମ । କିଏ ବୁଝୁ ବା ନ ବୁଝୁ, କିଏ ଜାଣୁ ବା ନ ଜାଣୁ, ସେ ଖାଲି ପ୍ରେମ କରିବାକୁ ଚାହେଁ । କୁମୁଦର ଇଚ୍ଛା ନେଇ, ଅନଳର ଅଭିଳାଷ ନେଇ, ଜ୍ୟୋତ୍ସ୍ନା ଓ ପତଙ୍ଗ ସ୍ୱରୂପ ନବଯୁବକକୁ ସେ ଚାହିଁ ରହେ ।

 

ସ୍ୱର୍ଣ୍ଣପ୍ରଭା ନିଜ ଭିତରେ ନିଜ ଭାବନା ଭିତରେ ବୁଡ଼ି ଯାଇଥିଲା ଯେମିତି ।

 

ସ୍ୱର୍ଣ୍ଣପ୍ରଭା ଶିହରି ଉଠିଲା ମନେ ମନେ ।

 

ଏ ଦେହଟା କି ସୁନ୍ଦର ହୋଇ ଉଠିଛି ମ ସତରେ ! କେଉଁଠି ଥିଲା ଏରୂପ, ଏ ରୂପର ବର୍ଣ୍ଣ ! ! କିଏ ତାକୁ ଏ ଅପୂର୍ବ ଦାନ ଦେଇଗଲା ।

 

ଭେଲ୍‌ଭେଟ୍‌ପରି ଚିକ୍‌କଣ ଦେହରେ ହାତ ବୁଲାଉ ବୁଲାଉ ସେ ଆକାଶପାତାଳ ଭାବୁଥିଲା । ଏଇଆ ବି ସେ ଭାବୁଥିଲା ଯେ, ତାର ବାଲ୍ୟଜୀବନ ଆଉ ନାହିଁ । ସେ ଯୁବତୀ ହୋଇ ଉଠିଛି, ସେଥିପାଇଁ ସୋନପୁର ସହରର ରାଜପଥ ଉପରେ ଚାଲିଗଲାବେଳେ ଜଣା ଅଜଣା ପୁରୁଷମାନେ ତାକୁ କିମ୍ଭୂତ୍‌କିମାକାର ଚାହାଣୀରେ ଅନାଇ ରହୁଛନ୍ତି । ସେ ଆଖିର ଭାଷା ନିଗୂଢ଼, ତାର ଭଙ୍ଗୀଟା ବି ସ୍ୱତନ୍ତ୍ର । କ’ଣ ପାଆନ୍ତି ସେମାନେ ଚାହାଣୀରୁ ? ଟିକକ ପାଇଁ ଲତାର ହେଲାପରି ଅଟକି ଯାଆନ୍ତି । ସତେ ଅବା ନିର୍ମୂଳୀ ଲତାଟିମାନ ! ସୁବିଧା ଦେଖି ଛାଏଁ ମାଡ଼ିଗଲେ ।

 

ବୟସ୍କ ଲୋକଙ୍କୁ ସିନା ଭଲ ଲାଗେ ନାହିଁ, ଅଳ୍ପ ବୟସ୍କ ବା ସମବୟସ୍କ ପୁଅପିଲାଙ୍କ ସେମିତି ରୂପମୁଗ୍‌ଧ ହୋଇ ଚାହିଁବା, ବିସ୍ମୃତ ହୋଇ ନିଜକୁ ସମର୍ପଣ କରିଦେବା ଭଙ୍ଗୀରେ ଛିଡ଼ା ହୋଇ ଥିବାର ଦେଖିଲେ ମନ ଭିତରଟା ଅଜଣା ପୁଲକରେ ଭରି ଉଠେ । ଇଚ୍ଛା ହୁଏ, ସେ ପୁଅଟାକୁ ପାଖରେ ବସାଇ, ଦିନରାତି ସେଇଭଳି ଭାବରେ ଅନାଇ ରହିବାକୁ ଅନୁରୋଧ କଲେ ବି’ ଚଳନ୍ତା । ତା’ ପରେ ତା’ର ବିମୁଗ୍‌ଧ ମୁହଁରେ ମୁହଁ ମିଶାଇ କିଛିକ୍ଷଣ ମିଶାଣର ଉତ୍ତାପକୁ ଅନୁଭବ କରାଯାନ୍ତା ।

 

ଆଃ, କି ସୁନ୍ଦର ଲାଗେ ଭାବନା ।

 

ଯୁବକମାନଙ୍କ ଆଖିରେ ନବଯୁବତୀ ସବୁଦିନ ନୂଆ, ସବୁଦିନ ଆଶ୍ଚର୍ଯ୍ୟ ସୃଷ୍ଟିଟିଏ । କିନ୍ତୁ କେତେ ପୁରୁଣା ସେମାନେ ନୁହନ୍ତି । ମାତା ଭଗ୍ନୀ ଓ ଜାୟା ରୂପରେ ସବୁଦିନ ତ’ ସେମାନେ ପୁରୁଷ ପାଖରେ ଥିଲେ । ଏ ସୃଷ୍ଟିର ସାର୍ଥକତା ପାଇଁ ସବୁଦିନ ସେମିତି ରହିବେ ।

 

ତଥାପି ଯୁବକ ଯୁବତୀମାନେ ସନ୍ଦେହ ପ୍ରକାଶ କରନ୍ତି । ଭାବନ୍ତି, ଜଣେ ଆଉ ଜଣକ ପାଖରେ ସବୁବେଳେ ରହିବ ନାହିଁ । କେଉଁ ଦେବତାର ତନ୍ତ୍ର ବଳରୁ ସେ ଆକସ୍ମାତ୍‌ ଆସି ହାବୁଡ଼ି ଯାଇଛି । ସେହି ସୁବିଧା ଓ ସୁଯୋଗ ହରାଇଲେ, ଚିରଦିନ ସକାଶେ ସୁମଧୁର ସାନ୍ନିଧ୍ୟରୁ ବଞ୍ଚିତ ହେବାକୁ ପଡ଼ିବ ।

 

ସ୍ୱର୍ଣ୍ଣପ୍ରଭା ଏମିତି କେତୋଟି ଯୁବକଙ୍କ କଥା ମନେ ପକାଇଲା । ତା’ ପ୍ରତି ସେ ଯୁବକମାନଙ୍କର କେତେ ସ୍ନେହ, କେତେ ସହାନୁଭୂତି ! ସତେ ଅବା କେବେ ଦିନେ ଶରୀରର ଏକ ଅଂଶ ଥିଲେ । ମନର ଏକ ଭାବନା ଥିଲେ । ନ ହେଲେ ଏତେ ସହାନୁଭୂତି ସମ୍ଭବହୁଅନ୍ତା କେଉଁଠୁ-?

 

ଭିତର ଘରେ ଠନ୍‌ ଠାନ୍‌ ଆବାଜ ଶୁଭୁଛି । ମା ଆସିଯିବେ ନାଁ କଣ ? ଏମିତି ରୂପରେ ଦେଖିଲେ କଣ ଭାବିବେ ? କଣ କହିବେ ?

 

ସ୍ୱର୍ଣ୍ଣପ୍ରଭା ଅସଜଡ଼ା ଦେହଟାକୁ ସଜାଡ଼ି ନେଲା । ଦେହର ପିନ୍‌ ପିନ୍‌ ପତଳା ଶାଢ଼ୀକୁ ଭେଦ କରି, ତା’ ଛାତିର ଯୌବନ ଆତ୍ମପ୍ରକାଶ କରୁଛି । କଣ କରିବ ସେ ? କେମିତି ଆକଟିବ ? ଏ ଦେହତ ଆଉ କଥା ଶୁଣିବା ଅବସ୍ଥାରେ ନାହିଁ । ସେ ଘୁଞ୍ଚାଘୁଞ୍ଚି ହୋଇ ସାବଧାନରେ ବସିଲା । ତା’ପରେ କଣ ଭାବି କେଜାଣି ଛିଡ଼ା ହୋଇ ଜୁଡ଼ା ଦେହରୁ ରେଶମୀ ରିବନ୍‌ ଖଣ୍ଡକ ଫିଟାଇ ମୁକୁଳା କେଶକୁ ପଛପଟୁ ଦି’ଥର ଛାଟି ପକାଇଲା ।

 

ମନେ ହେଲା, ‘ସ୍ୱର୍ଣ୍ଣ’ କାଳିନ୍ଦୀ କଳାକେଶ-ହ୍ରଦରେ ବୁଡ଼ି ଯାଇଛି ଯେମିତି ।

 

ତାର ସୁଗଭୀର, ଚିକ୍‌କଣ ଓ କୁଟିଳ କେଶବିଥି ସକାଳର କିରଣ ବାଜି ଝଟକି ଉଠୁଥାଏ-

 

ରନ୍ଧାଘରୁ ବାପା ଡାକ ପକାଉଛନ୍ତି । ଚା’ ଏଥର ପ୍ରସ୍ତୁତ ହୋଇ ଯାଇଛି । ନ ଗଲେ ବାପାଙ୍କ ପ୍ରତି ଅବିଚାର ହେବ । ସେ ଖରା ପୁହାଁ ଛାଡ଼ି ଭିତର ଘରକୁ ଉଠିଗଲା ।

 

ବୁଦ୍ଧି ଆସିଲା ଦିନୁ ସ୍ୱର୍ଣ୍ଣପ୍ରଭା ଦେଖି ଆସୁଛି, ପରିବାରର ଭଲମନ୍ଦ ବୁଝିବାକୁ, ପ୍ରତ୍ୟେକଙ୍କର ହେପାଜତ୍‌ କରିବାକୁ ସେ ମନପ୍ରାଣ ଢାଳି ଦିଅନ୍ତି । ଶକ୍ତି ମୁତାବକ ପରିଶ୍ରମ କରି ପରିବାରର ସ୍ୱାଚ୍ଛନ୍ଦ୍ୟ ରକ୍ଷା କରିବା ସକାଶେ ବଦ୍ଧପରିକର ଯେମିତି ।

 

ବାପାଙ୍କ ପ୍ରତି ସ୍ୱର୍ଣ୍ଣପ୍ରଭାର ସହାନୁଭୂତି ଜାଗି ଉଠିଲା । ପୁଣି ମା ଉପରେ ଅକସ୍ମାତ୍‌ ଅସହିଷ୍ଣୁ ହୋଇ ଉଠିଲା । ମା’ ତାର କେମିତି ହୃଦୟ ପାଇଛନ୍ତି କେଜାଣି, ବାପାଙ୍କ ପ୍ରତି ଏତିକି ଟିକିଏ ଦୟା ନାହିଁ । ଘରୋଇ କାମରେ ସାମାନ୍ୟ ସହଯୋଗ କଲେ କଣ ଖରାପ ହୁଅନ୍ତା ? ବାପା ଅଯଥା ଜଞ୍ଜାଳରୁ ମୁକ୍ତିଲାଭ କରନ୍ତେ । ସେ କଥା କିନ୍ତୁ କେବେ ହେଲେ ଘଟିନାହିଁ । ଓଲଟି କଥା କଥାକେ ଅଭିଯୋଗ ଓ ଅସମ୍ମାନ ।

 

ସ୍ୱର୍ଣ୍ଣପ୍ରଭା ମନେ ମନେ ଠିକଣା କଲା, ଏଥର ସେ ଘରୋଇ କାମରେ ବାପାଙ୍କୁ ସାହାଯ୍ୟ କରିବ । ବେଶ ଭୂଷଣରୁ ସାମାନ୍ୟ କାମରେ ବାପାଙ୍କୁ ସାହାଯ୍ୟ କରିବ । ବେଶ ଭୂଷଣରୁ ସାମାନ୍ୟ ସମୟ ସଞ୍ଚୟ କରି, ତାକୁ ଗୃହକର୍ମରେ ବିନିଯୋଗ କରିବ । ଏତେ ସମୟ ଧରି ଗୀତ ଶିଖିଲେ, ସିଲାଇ କଲେ, ମନ ଭିତରେ ବି ବିରକ୍ତି ଆସୁଛି । ଧରାବନ୍ଧା କାର୍ଯ୍ୟ ସୂଚିରେ କିଛିଟା ପରିବର୍ତ୍ତନ ଆବଶ୍ୟକ । ନ ହେଲେ ଏ ନିଃସଙ୍ଗ, ଗତାନୂଗତିକ ଜୀବନଟା ଆକର୍ଷଣୀୟ ମନେ ହେଉନି ।

 

ଜୀବନଟା ଆକର୍ଷଣୀୟ ମନେ ହେଉନି’ ସତରେ !

 

ରାଜେନ୍ଦ୍ର ବାବୁ ଟେବୁଲ ଉପରେ ଜଳଖିଆ ପ୍ଲେଟ୍‌ ଓ କପ୍‌ ପିଆଲା ସଜାଇ ରାଜବାଳା ଓ ସ୍ୱର୍ଣ୍ଣପ୍ରଭାକୁ ଅପେକ୍ଷା କରିଥିଲେ ।

 

ରାଜବାଳା ସିଂହ ପ୍ରାତଃକାଳର ପ୍ରସାଧନ କାର୍ଯ୍ୟଟା ସମାପନ କରି ଦେବା ସକାଶେ, ମୁଣ୍ଡରେ ପାନିଆ ବୁଲାଇ ନେଲେ ।

 

ତେଣେ ରାଜେନ୍ଦ୍ରବାବୁ ଜଳଖିଆ ପାଇଁ ଡାକ ପକାଇଲେଣି । ଆଉ ଟିକକ ପରେ ହୁଏତ ହୁରି ଛାଡ଼ିବେ । କାନ ନ ଦେଲେ ଚିଡ଼୍‌ ଚିଡ଼୍‌ ହୋଇ ଉଠିବେ । ବୟସ ଯେତିକି ଆଗେଇ ଯାଉଛି, ସେତିକି ସେ ସ୍ୱଭାବରେ ଉଗ୍ର ହୋଇ ଉଠୁଛନ୍ତି ।

 

ଅଥଚ ବର୍ଷ କେଇଟା ପୂର୍ବରୁ ସେ କେତେ ସୁନ୍ଦର ଓ ସରଳ ସ୍ୱଭାବର ନ ଥିଲେ । ତାଙ୍କୁ ଚିଡ଼ାଇବାକୁ ଚେଷ୍ଟା କରି ବି ରାଜବାଳା ପରାସ୍ତ ହୋଇଛନ୍ତି । ବେଶି ଦିକ୍‌କାର କଲେ କହନ୍ତି, ମୁଁ ଜାଣେ ବାଳା ! ଏହା ତୁମର ଚପଳତା । ତୁମର ଚପଳ ମନଟାକୁ ଅନୁଭବ କରି ଦେଖିବାକୁ ମୁଁ ଏକାନ୍ତ ଆଗ୍ରହୀ । ରାଗହେଲେ ତୁମର ନାଲିଆ ମୁହଁଟା କେତେ ସୁନ୍ଦର ଦେଖାଯାଏ । ତୁମର କୌଣସି ବ୍ୟବହାରରେ ମୁଁ କ୍ଷୁର୍ଣ୍ଣ ହେବି ନାହିଁ ।

 

ସେହି ରାଜେନ୍ଦ୍ର ବାବୁ ଆଜି ଆଉ ଗୋଟିଏ ମଣିଷ ପାଲଟି ଯାଇଛନ୍ତି । ମୁହଁ ଫିଟାଇ ପ୍ରତିବାଦ ନ କଲେ ବି ତାଙ୍କ ହାବଭାବରୁ ସ୍ପଷ୍ଟ ଅନୁମାନ କରି ହେଉଛି ଯେ ସେ ଆଉ ଆଗରେ ମନକୁ ଧରି ରଖି ନାହାନ୍ତି ।

 

ପୁରୁଷ ପୁଅର ମନଟା କେତେ ବିଷମ ସତରେ ! ତାକୁ ଜାଣି ବି’ ଜାଣି ହୁଏ ନାହିଁ । ବୁଝିବି’ ବୁଝି ହୁଏ ନାହିଁ । କେତେବେଳେ ସେ କଣ କରି ବସନ୍ତି ତାର ଠିକଣା ନ ଥାଏ, ପ୍ରଥମେ, ପ୍ରଥମେ ସେମାନେ ତରୁଣୀ ସ୍ତ୍ରୀ ଆଗରେ ନଇଁ ଯାଆନ୍ତି । ଆଦେଶ ଦେଲେ ଆପ୍ୟାୟିତ ହୁଅନ୍ତି; ପ୍ରତିଟି ପରୀକ୍ଷାରେ ପ୍ରମାଣ କରି ଦେବାକୁ ଚାହାନ୍ତି ଯେ, ସେମାନେ ଏକାନ୍ତ ଅନୁରକ୍ତ । ସାମାନ୍ୟ ସାନ୍ନିଧ୍ୟଲାଭର ଇସାରା ପାଇ ଅନୁଗତ, ପ୍ରଭୁଭକ୍ତ ଶ୍ୱାନପରି ଅନୁଗମନ କରନ୍ତି । ସମ୍ମାନ, ଆଭିଜାତ୍ୟକୁ ଜଳାଞ୍ଜଳୀ ଦେବା ସକାଶେ କୃପଣତା ପ୍ରକାଶ କରନ୍ତି ନାହିଁ । ନାରୀ ସାବଧାନ ଥିଲେ ଏଇ ଅବକାଶରେ ତାର ସମସ୍ତ ଇଚ୍ଛା ପୂରଣ କରେ । ପୁରୁଷ ତାର ନିଜତ୍ୱ, ତାର ପୌରଷ ସବୁକିଛିର ବିନିମୟରେ ନାରୀର ସମସ୍ତ ପ୍ରକାର ସମ୍ଭବ, ଅସମ୍ଭବ କଳ୍ପନାକୁ ପରିପୂରଣ କରିବାକୁ କରିବାକୁ ଅଣ୍ଟା ଭିଡ଼େ । କିନ୍ତୁ ତାପରେ ଦିନେ ହଟାତ୍‌ ଜଣା ପଡ଼େ, ନାରୀପ୍ରତି ପୁରୁଷର ସେ ଅପୂର୍ବ ମମତା ନାହିଁ । ତାର ସ୍ନେହ, ସୋହାଗରେ ଯେମିତି ଏକ ଶୂନ୍ୟସ୍ଥାନ ରହି ଯାଇଛି । ରାଜବାଳା ସିଂହ ରାଜେନ୍ଦ୍ରବାବୁଙ୍କର ପୂର୍ବର ଓ ବର୍ତ୍ତମାନ ସ୍ନେହ, ସୋହାଗ କଥା ମନେ ପକାଇ ସାମାନ୍ୟ କ୍ଷୁବ୍‌ଧ ହେଲେ ।

 

ରାଜେନ୍ଦ୍ର ସିଂହଙ୍କୁ ଜବତ୍‌ କରିବାକୁ ହେବ । ତାଙ୍କୁ ସ୍ମରଣ କରାଇ ଦେବାକୁ ହେବ ଯେ, ଆଜି ଯାହାକିଛି ସେ ପାଇଛନ୍ତି, ସେ ସବୁ ତାଙ୍କରି ପାଇଁ ! ରାଜବାଳା ବ୍ୟତୀତ ରାଜେନ୍ଦ୍ର ସିଂହଙ୍କ ଜୀବନର କିଛି ଅର୍ଥ ନାହିଁ ।

 

ଆଃ, ସେ ଯଦି ଆଉ କିଛି ଦିନ ପୂର୍ବରୁ ଏଭଳି ମତିଗତି ଦେଖାଇ ଥାଆନ୍ତେ ।

 

ନା ସେ କଥା ଥାଉ । ଅତୀତକୁ ନେଇ ଚିନ୍ତା କଲେ କିଛି ଲାଭ ହୁଏନା । ଅତୀତକୁ ଭୁଲି ଯିବାକୁ ହେବ । ବର୍ତ୍ତମାନ ପନ୍ଥା ଖୋଜି ତାକୁ କାର୍ଯ୍ୟକାରୀ କରିବାକୁ ହେବ ।

 

ରାଜବାଳାଙ୍କ ଆଖି ଦି’ଟା ଦର୍ପଣ ଉପରେ ସ୍ଥିର ହୋଇଗଲା । ଏ ମୁହଁ ଏମିତି ବିବର୍ଣ୍ଣ ହୋଇ ଉଠିଲା କେଉଁ ଦିନରୁ ? ଆଖି ଦି’ଟାରେ ଆଗର ପରି ଛଳ ଛଳ ଭାଷା ନାହିଁ । ଓଷ୍ଠ ଯୁଗଳର ସମସ୍ତ ଲୋହିତ ବର୍ଣ୍ଣ ଅଦୃଶ୍ୟ ହୋଇ ଆସୁଛି, ଗଣ୍ଡରେ ସେ ଜୀବନ୍ତ-ରଙ୍ଗ ନାହିଁ । ସମଗ୍ର ମୁହଁଟା କେମିତି ପାଣ୍ଡୁର ଓ ନିଷ୍ପ୍ରଭ ଦେଖା ଯାଉଛି ।

 

ରାଜାବାଳା ସିଂହ ଅନେକ ଦିନ ପରେ ଦର୍ପଣରେ ନିଜର ପ୍ରତିବିମ୍ବିତ ରୂପକୁ ଦେଖୁ ଦେଖୁ ଯୌବନର ଇତିହାସ ଓ ଭୂଗୋଳକୁ ଅଧ୍ୟୟନ କରି ନେଲେ । ଏ ମୁହଁରେ ଦିନେ ଜ୍ଜ୍ୱଳନ୍ତ ତେଜ ଥିଲା । ଗଣ୍ଡର ନିବୁଜ, ମାଂସଳ ଅଂଶଟା ଜବାରଙ୍ଗରେ ଟଳ ଟଳ ହେଉଥିଲା । କବରୀ ଜୂଡ଼ାରେ ଦିନେ ସେ ରୂପ ଯୌବନର ସଫଳ ଶୈଳୀ ଫୁଟାଇ ପାରୁଥିଲେ । ତାଙ୍କ ଦେହର ସେମିଜ୍‌ ଓ ବ୍ଲାଉଜ୍‌ ସମବୟସୀମାନଙ୍କର ଅନୁକରଣର ହେତୁ ହୋଇ ଉଠିଥିଲା । ଦେହକୁ ସଜାଇବାରେ, ରୂପକୁ ଫୁଟାଇବାରେ ସେ ରଙ୍ଗମଞ୍ଚର କୁଶଳୀ ଅଭିନେତ୍ରୀକୁ ବି ପଛରେ ପକାଇ ଦେଉଥିଲେ ।

 

ସମୁଦାୟ ସହରଟା ତାଙ୍କୁ ଦେଖି ବିସ୍ମୟ ପ୍ରକାଶ କରୁଥିଲା ।

 

ସମଗ୍ର ଯୁବକଗୋଷ୍ଠୀ ତାଙ୍କୁ ଦେଖି ତଟସ୍ଥ ହୋଇ ଯାଉଥିଲେ ।

 

ସେ ଥିଲା ଜୀବନ ଯୌବନର ଏକ ସୁସ୍ଥ, ସୁନ୍ଦର ଅଧ୍ୟାୟ । ଜୀବନଟାଯାକ ମନେ ରଖିବା ଭଳି ଏକ ସ୍ମୃତିବିଜଡ଼ିତ ପରିଚ୍ଛେଦ । ଇଚ୍ଛାହେଲେ, ଜୀବନ-କାବ୍ୟର ସେହି ବହୁସ୍ମୃତି ସମ୍ମିଳିତ ସରସପୃଷ୍ଠାଗୁଡ଼ିକ ସେ ଅଧ୍ୟୟନ କରନ୍ତି । ଜୀବନର ନୀରସତା ସାମୟିକ ଭାବରେ ଭୁଲି ହୋଇଯାଏ । ଘାତ ପ୍ରତିଘାତ କଥା ଆଉ ମନେ ପଡ଼େ ନାଁ । ଅତୀତକୁ ଜୀବନ୍ତ ଭାବରେ ଓ ନିବିଡ଼ ଭାବରେ ଅନୁଭବ କରୁ କରୁ ନିଜକୁ ନିଜେ ଭୁଲି ଯାଆନ୍ତି ।

 

ସେ ଅତୀତ ରହିଲା ନାହିଁ ।

 

ଅତୀତର ସେହି ଲୋଭନୀୟ ଘଟଣାର ଆଉ କଣ ପୁନରାବୃତ୍ତି ହେବ ନାହିଁ ।

 

ରାଜାବାଳା ସିଂହ ସତର୍କତା ସହକାରେ ନିଜକୁ ସଜାଡ଼ିବାକୁ ଲାଗିଲେ । ବେଶ ଭୂଷଣରେ କେଉଁଠି କେତେ ପରିମାଣରେ ଶିଥିଳତା ବା ଅନ୍ୟ ମନସ୍କତା ଆବଶ୍ୟକ, ତାକୁ ଅତୀତର ଅନୁଭୂତି ସଙ୍ଗେ ମିଳାଇ ରୂପ ଦେବାକୁ ଆରମ୍ଭ କଲେ ।

 

ସ୍ନୋ, ପାଉଧର ଚର୍ଚ୍ଚିତ ଅବୟବ ଦେଇ ସତେ ଅବା ସେ ଦଶବର୍ଶ ତଳକୁ ପଛେଇ ଗଲେ । ଆଖିର କଜ୍ଜ୍ୱଳ ଓ ଓଠର ଲିପ୍‌ଷ୍ଟିକ୍‌ ସାହାଯ୍ୟରେ ସେ ପରମ ରୂପବତୀ ହୋଇ ଉଠିଲ । ଆତ୍ମ ସନ୍ତୋଷରେ ତାଙ୍କର ମନ ଓ ପ୍ରାଣ ପୂରି ଉଠିଲା ।

 

ରାଜବାଳା ସିଂହ ଭାବିଲେ, ଏଇ ବୟସରେ, ଏଇ ପ୍ରସାଧନରେ ରାଜେନ୍ଦ୍ରଙ୍କୁ ତାଗିଦ୍‌ କରିବାକୁ ଏବେ ବି’ ସମୟ ଅଛି । ସେ ଆଉ କେତେ ସହିବେ ?

 

କପାଳ ଉପରେ ଦି’ଟା ଭାଙ୍ଗ କରିବାକୁ ରାଜବାଳା ସିଂହ ପାନିଆରେ ସୁନ୍ଥା ପାଖର କେଶବିଥିକୁ ଆକର୍ଷଣ କଲେ ।

 

କିନ୍ତୁ ଏ କଣ ? ରାଜବାଳାଙ୍କର ମନେ ହେଲା, ସମଗ୍ର ପୃଥିବୀଟା ଘିରି ଘିରି ହୋଇ ବୁଲୁଛି । ତା ସଙ୍ଗେ ସଙ୍ଗେ ସେ ନିଜେ, ତାଙ୍କର ରୂପ ଯୌବନ ସବୁ କିଛି ବୁଲୁଛି । ସେ ବଡ଼ ପାଟିରେ କାନ୍ଦିବାକୁ ଇଚ୍ଛା କଲେ । ସମୁଦାୟ ସହରଟାକୁ ତାଙ୍କୁ କ୍ରନ୍ଦନରେ ବୁଡ଼ାଇ ଦେବାକୁ ଚାହିଁଲେ । ବୋଧହୁଏ, ଜୀବନରେ ଏତେ ବଡ଼ ଅଘଟନ ଦେଖିବାକୁ ସେ ପ୍ରସ୍ତୁତ ହୋଇ ନ ଥିଲେ । ସେଇଥି ପାଇଁ ଏ ବେଦନା, ଏ ଅପ୍ରତିଭ ମନୋଭାବ ।

 

ସୁନ୍ଥା ମଝିରୁ ଗୋଟିଏ ଧଳା କେଶ ବାହାରିଲା !

 

ତାକୁ ପ୍ରାଣ ବିକଳରେ ଛିଣ୍ଡାଇ ପକାଇ ସେ ଆହୁରି ଖୋଜି ହେଲେ । କାନ ମୂଳେ ବି’ ସୁନା ରଙ୍ଗର ଆଉ ଦୁଇ ତିନିଟା ଧଳା କେଶ ଥିଲା । ସନ୍ତର୍ପଣ ସହକାରେ ତାକୁ ବାଛି ନେଇ ଉପାଡ଼ି ଦେଲେ !

 

ଆଃ, ତାହାହେଲେ ସେ ବୁଢ଼ୀ ହୋଇ ଗଲେଣି !

 

ତାଙ୍କ ଛାତି ଭିତରଟା କରୁଣ ହୋଇ ଉଠିଲା । ହାହାକାର ମିଶା ଦୀର୍ଘ ନିଃଶ୍ୱାସଟିଏ ନାସା ଭିତରୁ ବହିର୍ଗତ ହୋଇଗଲା । ତା’ ସଙ୍ଗରେ ନାରୀ ଜୀବନର ସବୁ ଚପଳତା ସବୁ ପ୍ରଗଲ୍‍ଭତା ନିଃଶେଷ ହୋଇଗଲା ।

 

ରାଜେନ୍ଦ୍ର ସିଂହ ପୁଣି ଥରେ ଚା’ ଟେବୁଲ୍‌ରୁ ଡାକ ପକାଉଛନ୍ତି । ଏଥର ସେ ବିରକ୍ତ ହେଲେ ନାହିଁ କି କାଳକ୍ଷେପଣ କଲେ ନାହିଁ । ରାଜେନ୍ଦ୍ର ସିଂହଙ୍କ କଣ୍ଠରୁ ସେ ଏକ ଅବ୍ୟକ୍ତ କୋମଳତା ଆବିଷ୍କାର କଲେ । ତାଙ୍କୁ ଲାଗିଲା, ଏଇ ରାଜେନ୍ଦ୍ର ସିଂହହିଁ ଜୀବନ ଆକାଶର ଏକମାତ୍ର ଧ୍ରୁବତାରା । ତିମିରକୁ ଘୁଞ୍ଚାଇ ଦେଇ ଜୀବନକୁ ଆଲୋକିତ କରିବାକୁ ସେହି ଏକମାତ୍ର ଅବଲମ୍ବନ-

 

ସେ ମୁଣ୍ଡକୁ ସେମିତି ଖୋଲା ରଖି ଚା’ ଟେବୁଲ୍‌କୁ ଆଗେଇ ଗଲେ । ଆଲୁଳାୟିତ୍ୱ କେଶବିଥିରେ ସେ ଆଉ ପ୍ରକାରେ ଦେଖା ଯାଉଥିଲେ ।

 

ସ୍ୱର୍ଣ୍ଣପ୍ରଭା ଓ ରାଜେନ୍ଦ୍ରସିଂହ ରାଜବାଳାଙ୍କ ବେଶ ଭୂଷଣରେ ଆଜି ଏକ ଉଲ୍ଲେଖଯୋଗ୍ୟ ବ୍ୟତିକ୍ରମ ଦେଖିବାକୁ ପାଇଲେ । କଣ ହୋଇଛି ରାଜବାଳାଙ୍କର ?

 

ତୁମେ ବିରକ୍ତ ହେଲକି ? ଯାଅ, ମୁଣ୍ଡ କୁଣ୍ଡାଇ ଚାଲି ଆସ ! ଆମେ ଟେବୁଲ ଉପରେ ଅପେକ୍ଷା କରିଥିବୁ ! ରାଜେନ୍ଦ୍ର ଆଗରୁ ପରାମର୍ଶ ଦେଲେ ।

 

ରାଜବାଳା ସିଂହ ରାଜେନ୍ଦ୍ରଙ୍କୁ ଦେଖି ଅଳ୍ପ ହସି ଦେଲେ । କି ସରଳ ଓ ନିରୀହ ଲୋକଟା-। ତାଙ୍କ ପ୍ରତି ବିରୁଦ୍ଧାଚରଣ କରିବା ଅନ୍ୟାୟ ହେବ । ପୁରୁଷ ପୁଅ ହିସାବରେ ତାଙ୍କର ତ’ ପୁଣି ସ୍ୱତନ୍ତ୍ରତା ଅଛି ! ତାକୁ ଅସ୍ୱୀକାର କରିବା ଅନ୍ୟାୟ ହେବ । ତା’ ବ୍ୟତୀତ, ରାଜେନ୍ଦ୍ରକୁ ଛାଡ଼ି ଦେଲେ ଏବୟସରେ ସଖ୍ୟଲାଭ କରିବାକୁ ସେ ଆଉ କାହାର ସମ୍ମୁଖୀନ ହୋଇ ପାରିବେ ?

 

କାହିଁକି, କେଶ ମୁକୁଳା ଥିଲେ ମୁଁ କଣ ଅସୁନ୍ଦର ଦେଖାଯାଏଁ ? ରାଜବାଳା ପ୍ରଶ୍ନ କରୁ କରୁ ତାଙ୍କର ପାଇଁ ପକାହୋଇ ଥିବା ଖାଲି ଚୌକିଟିରେ ବସିଲେ ।

 

ସ୍ୱର୍ଣ୍ଣପ୍ରଭା ଜଳଖିଆ ଖାଇବା’ରେ ମନ ଦେଲା ।

 

ରାଜେନ୍ଦ୍ର ରାଜାବାଳାଙ୍କୁ ଆଉ ପ୍ରକାରେ ଚାହିଁ ସେ ପ୍ରଶ୍ନର ଉତ୍ତର ଦେଲେ । ତାଙ୍କର ନୀରବ ଚକ୍ଷୁରେ ରାଜବାଳାଙ୍କ ପ୍ରତି ଅଗାଧ ସ୍ନେହ ଥିଲା । କହୁଥିଲେ, ତୁମେ ସବୁବେଳେ, ସବୁ ଅବସ୍ଥାରେ ମୋ’ ଆଖିରେ ସୁନ୍ଦର ଦେଖାଯାଅ ରାଜବାଳା ! ଏ ଖୋଲା କେଶରେ ତୁମେ ଚମତ୍କାର ଦେଖା ଯାଉଛ ! ତୁମକୁ ମୁଁ ଭଲପାଏଁ ।

 

ତିନିଜଣ ଯାକ ଖାଇବାରେ ବ୍ୟସ୍ତ ଅଛନ୍ତି, କାଳିନ୍ଦୀ ବିଛଣାରୁ ଉଠି ସିଧା ଲାଗି ଆସିଲା ରାଜେନ୍ଦ୍ରଙ୍କ କୋଳକୁ ।

 

ରାଜବାଳା କାଳିନ୍ଦୀକୁ ଆଦର କରି କହିଲେ–

 

ଆରେ କାଳି, ମୋ’ କୋଳକୁ ଆ । ତୁ ମୁଁ ଆଜି ସଙ୍ଗ ହୋଇ ଖାଇବା !

 

କାଳିନ୍ଦୀ ପ୍ରଥମେ ସେ ସ୍ନେହକୁ ପ୍ରତ୍ୟାଖ୍ୟାନ କଲା । ତା’ପରେ ବଳାବଳି ଦେଖି ବାଧ୍ୟ ହୋଇ ପାଖରେ ବସିଲା ।

 

ସ୍ୱର୍ଣ୍ଣପ୍ରଭା ପ୍ଲେଟରୁ ମୁହଁ ଉଠାଇ ମାଆ ମୁହଁକୁ ଚାହିଁଲା । ଭାବିଲା, ଆଜି ମା’ଙ୍କର କଣ ହୋଇଛି ? ସେ ଯେ ନୂଆ ମଣିଷ ପାଲଟି ଯାଇଛନ୍ତି ! କାଳିକୁ ତ’ ସଙ୍ଗରେ ଧରି କେବେ ହେଲେ ଖୁଆଇ ନାହାନ୍ତି ! ଏ ଅପୂର୍ବ ସ୍ନେହର ଉତ୍ସ କେଉଁଠି ?

 

ରାଜେନ୍ଦ୍ରଙ୍କ ମନ ଭିତରେ ବିସ୍ମୟ ଦେଖା ଯଉଥିଲେ ବି’ ସେ ତାକୁ ପ୍ରକାଶ କଲେ ନାହିଁ-। କିନ୍ତୁ ପରମ ତୃପ୍ତିରେ ଛାତି ଭିତରଟା ଫୁଲି ଉଠୁଥିଲା । ରାଜବାଳାଙ୍କ ଠାରୁ ଏଇ ପ୍ରକାର ବ୍ୟବହାର ପାଇବାକୁ କେତେ ସେ ଚେଷ୍ଟା କରି ନାହାନ୍ତି । ସବୁ ଚେଷ୍ଟା ବ୍ୟର୍ଥ ହୋଇଛି । ଆଜି କିନ୍ତୁ ବିନା ଚେଷ୍ଟାରେ ତାଙ୍କ ଅଭିଳାଷ ସାର୍ଥକ ହୋଇଛି ।

 

ସମସ୍ତଙ୍କ ଅଲକ୍ଷ୍ୟରେ ବିଶ୍ୱନିୟନ୍ତାଙ୍କୁ ସେ କୃତଜ୍ଞତା ଜ୍ଞାପନ କଲେ ।

 

ସେ ଦିନର ଚା’ ପର୍ବଟା ସାର୍ଥକତାର ସ୍ୱାକ୍ଷର ବହନ କରିଥିଲା ।

 

କାଳିନ୍ଦୀ ନୂଆକରି ପାଠ ପଢୁଛି ।

 

ବିଚିତ୍ର ତାର ପାଠ ପଢ଼ା । କଣ ଲେଖେ ବା କଣ ପଢ଼େ ସେଇ କେବଳ ଜାଣେ । କିନ୍ତୁ ରାତି ପହିଲେ ମନକୁ ମନ ଗୁଣୁ ଗୁଣୁ ହୁଏ । ବୟସରୁ ବଡ଼ କାହାକୁ ଦେଖିଲେ ଗମ୍ଭୀର ହୋଇଯାଏ-

 

କାଳିନ୍ଦୀ ନ ଦେଖିଲା ପରି ସ୍ଥାନରେ ଛପି ରହେ, ଚୁପ୍‌ ଚୁପ୍‌ କରି ତାର ପାଠ ପଢ଼ା ଶୁଣିଲେ ବଡ଼ ମଜା ଲାଗେ । ମନେ ମନେ ସେ ଏମିତି କେତେକ ଶବ୍ଦ, କେତେକ ବାକ୍ୟ ଉଚ୍ଚାରଣ କରେ, ଯାହା ଓଡ଼ିଆ ଭାଷାକୋଷ ବା ବ୍ୟବହାରିକ କଥାବାର୍ତ୍ତାରେ ପାଇବା ଏକାନ୍ତ ଦୁର୍ଲ୍ଲଭ । ସେ ବାକ୍ୟ, ସେ ଶବ୍ଦ ସବୁ ତାର ନିଜସ୍ୱ ଆବିଷ୍କାର ! ତାକୁ କେହି କେବେ ଉଚ୍ଚାରଣ କରି ନ ଥିଲେ କି ପ୍ରୟୋଗ କରି ନ ଥିଲେ ।

 

ରାଜେନ୍ଦ୍ର ବାବୁ କାଳିନ୍ଦୀକୁ ଦେଖିଲେ ମୁଗ୍‌ଧ ହୋଇ ଉଠନ୍ତି । ତାର ଏ ଅସମ୍ଭବ ପାଠ ପଢ଼ା, ଅଜ୍ଞାତ ଆବିଷ୍କାର ତଥା ପ୍ରତ୍ୟେକଟି କଥା ଭାଷା ତାଙ୍କ ହୃଦୟରେ ବିପୁଳ ଉତ୍ତେଜନା ବାଢ଼ିଦିଏ । ତାର ସାମାନ୍ୟ ଉପସ୍ଥିତି ରାଜେନ୍ଦ୍ରଙ୍କ ସୁପ୍ତ ପୌରୁଷ ଓ ବ୍ୟକ୍ତ ପିତୃତ୍ୱକ ଜାହିର୍‌ କରେ ।

 

ରାଜେନ୍ଦ୍ର ପରମ ଆନନ୍ଦରେ କାଳିନ୍ଦୀକୁ କୋଳକୁ ନିଅନ୍ତି । ତାର କୋମଳ, ସୁନ୍ଦର ଅବୟବରେ ସ୍ପନ୍ଦିତ ଓଷ୍ଠ ଯୁଗଳକୁ ସ୍ପର୍ଶ କରି ଭାବନ୍ତି, ଏଇ କାଳିନ୍ଦୀହିଁ ତାଙ୍କ ଜୀବନ ଯୌବନର ଅଭିବ୍ୟକ୍ତି । କାଳିନ୍ଦୀ ମୁହଁରେ ତାଙ୍କ ପ୍ରାଣର ଭାଷା ନିନାଦିତ ହୁଏ ।

 

କାଳିନ୍ଦୀ ପିତାଙ୍କୁ ଦେଖି ଖୁବ୍‌ ଆନନ୍ଦ ହୁଏ । ସେ ତାଙ୍କର ଗଳାବେଷ୍ଟନ କରି ଆନନ୍ଦରେ ନାଚିବାକୁ ଲାଗେ । କହେ, ମୋତେ ଚଞ୍ଚଳ ପାଠ ଶିଖାଇ ଦିଅତ ବାପା !

 

କଅଣ କରିବୁ କହିଲୁ ? ରାଜେନ୍ଦ୍ର ନିଜ ମନର ଉତ୍ସୁକତା ଭାଙ୍ଗିବାକୁ ପଚାରନ୍ତି ।

 

ଏତିକ ବୁଝୁ ନାଁ ? ମୁଁ ବଡ଼ ହେବି । କାଳିନ୍ଦୀ ଉତ୍ତର ଦିଏ ।

 

ରାଜେନ୍ଦ୍ର ବାବୁ ନ ଜାଣିଲା ପରି କହନ୍ତି, ପାଠ ନ ପଢ଼ିଲେ କଣ ବଡ଼ ହୋଇ ପାରିବୁ ନାହିଁ ?

 

ଉଁ ହୁଁ......କାଳିନ୍ଦୀ ଗମ୍ଭୀର ହୋଇଯାଏ । କହେ, ପାଠ ନ ପଢ଼ି କଣ କିଏ ବଡ଼ ହୋଇଛି-?

 

ରାଜେନ୍ଦ୍ର ଟିକିପୁଅର ବିରାଟ ଚେତାବନୀ ଶୁଣି ଚମକି ଉଠନ୍ତି । ଅପାଠୁଆ ବଢ଼ିଯାଏ ସତ, କିନ୍ତୁ ବଡ଼ଲୋକ ହୋଇ ପାରେ ନାହିଁ ।

 

ନିଜ ପୁଅକୁ କୋଳାଗ୍ରତ କରି କହିବାକୁ ଆରମ୍ଭ କରନ୍ତି, ହଁରେ କାଳି, ତୁ ପାଠ ପଢ଼ିବୁ । ପାଠ ପଢ଼ି ବିରାଟ ଲୋକଟିଏ ହେବୁ । ସେଇ ଦିନଯାଏ ମୁଁ ଅପେକ୍ଷା କରିବି । ବିଶ୍ୱର ସବୁ ଘାତ ପ୍ରତିଘାତ ସହ୍ୟ କରି ତୋତେ ବଡ଼ କରିବି ।

 

ଏ କଥା ପ୍ରକାଶ କଲାବେବଳେ ସମଗ୍ର ଶରୀରଟା ତାଙ୍କର ପୁଲକିତ ହୋଇ ଉଠେ । ସେ ନିଜ ମଧ୍ୟରେ ଅଦମ୍ୟ ଉତ୍ସାହ ଓ ଅବଦମିତ ପ୍ରେରଣା ଲାଭ କରନ୍ତି । ଆଖି ଦୁଇଟିରେ ପୁଲକର ଅଶ୍ରୁ ନିର୍ଗତ ହୁଏ ।

 

କାଳିନ୍ଦୀ ନିଜ ହାତରେ ସେ ଲୁହକୁ ପୋଛି ପକାଇ କହେ, ଛି ବାପା ! ତୁମେ ପୁଣି କାନ୍ଦୁଛ ? ମୁଁ କାନ୍ଦିଲେ ପରା ମନା କର ।

 

ଆରେ, ନାଁରେ ନାଁ । ମୁଁ କାନ୍ଦୁ ନାହିଁ । ଆଖିରେ କଣଟିଏ ପଡ଼ିଗଲା ଯେ......ରାଜେନ୍ଦ୍ର ମିଛ କହନ୍ତି ।

 

ତେବେ ହସିଲ ? ହଁ, ହସ ! କାହିଁ ? ଏକ....ଦୁଇ...ତି....

 

ରାଜନ୍ଦ୍ର ବାବୁ ଆଖିରେ ଲୁହ ପୋଛି କାଳିନ୍ଦୀ ଦେଖିବ ବୋଲି ହସି ଉଠନ୍ତି ।

 

କାଳିନ୍ଦୀ ବାପା ସଙ୍ଗରେ ସ୍ୱର ମିଶାଇ ହସେ !

 

ଉଭୟଙ୍କ ହସରେ ବସା ଘରଟା ଦୋହଲି ଉଠେ ।

 

ସ୍ୱର୍ଣ୍ଣପ୍ରଭା ବସାରେ ଥିଲେ ସେ ଉଭୟେଙ୍କ ହସରେ ସହଯୋଗ କରେ । ହସିଲା ବେଳେ ନିଜ କଥା, ନିଜର ବୟସ କଥା ଭୁଲିଯାଏ । କାଳିନ୍ଦୀ ପରି ସେ ପିଲାଟିଏ ହୋଇଯାଏ । ରାଜେନ୍ଦ୍ରବାବୁଙ୍କ କୋଳ ଉପରେ ଲୋଟିପଡ଼ି ସେ ଖାଲି ହସେ ।

 

ରାଜେନ୍ଦ୍ରବାବୁ ମୁଗ୍‌ଧ ହୁଅନ୍ତି ! କାଳିନ୍ଦୀକୁ ଓ ସ୍ୱର୍ଣ୍ଣପ୍ରଭାକୁ ଦୁଇ ବାହୁରେ କୁଣ୍ଢେଇ ଧରି କହନ୍ତି, ଏଇତ ମୋର ସ୍ୱପ୍ନର ସଂସାର । ୟାରି ସ୍ୱପ୍ନ ଦେଖି ମୁଁ ଆନନ୍ଦିତ ହୁଏ । ୟାରି ପରିକଳ୍ପନା କରୁ କରୁ ନିଜକୁ ନିଜେ ହଜାଇ ଦିଏ । ମୋର ଇଚ୍ଛା; ଏହି କ୍ଷୁଦ୍ର ଓ ସୀମିତ ସଂସାରଟି ଭିତରେ ସମସ୍ତେ, ସବୁବେଳେ ହସୁ ଥାଆନ୍ତେ । ଏ ସଂସାରକୁ ବାହାରର ଝଡ଼ଝଞ୍ଜା କେବେ ହେଲେ ସ୍ପର୍ଶ କରନ୍ତା ନାହିଁ ।

 

ତୁମର ସେ ମହାନ୍‌ ଇଚ୍ଛା ପୂରଣ ହେବ ବାପା ! ସ୍ୱର୍ଣ୍ଣପ୍ରଭା ଉତ୍ତର ଦେଉ ଦେଉ ସଂଯୋଗ କରେ, ଆମେ ତ କାହାରି କିଛି ଅନିଷ୍ଟ ଇଚ୍ଛା କରୁ ନାହୁଁ ! ଆମ୍ଭର କିଏ କାହିଁକି ଅମଙ୍ଗଳ କରିବ ଯେ ?

 

ସ୍ୱର୍ଣ୍ଣପ୍ରଭା ଝିଅଟି ବାସ୍ତବିକ ପ୍ରଶଂସନୀୟ ! ତାର ଟିକି ମନ ଭିତରେ ସଂସାରର କୌଣସି ଆବିଳତା ପ୍ରବେଶ କରି ନାହିଁ । ସ୍ୱର୍ଣ୍ଣର ସ୍ନେହ, ମଧୁର ଭାଷା ରାଜେନ୍ଦ୍ର ବାବୁଙ୍କୁ ଅଶେଷ ଆନନ୍ଦ ଦିଏ । ସେ ତାର ମଥାରେ ସ୍ନେହୀ ହାତଟାକୁ ବୁଲାଉ ବୁଲାଉ ପ୍ରକାଶ କରନ୍ତି, ଏ ସଂସାରଟା ଅଦ୍ଭୁତ ସଂସାରଟିଏ ଲୋ ମା ! ଏହାର ବାସିନ୍ଦାମାନେ ସଂସାରଠୁ ବଳି ବିଚିତ୍ର । ସେମାନେ ସନ୍ତୋଷରେ ଚଳି ପାରନ୍ତି ନାହିଁ ଯେମିତି, ପରର ଶିରୀ ସହ୍ୟ କରି ପାରନ୍ତି ନାହିଁ ସେମିତି । ବିନା କାରଣରେ ପର ଘରେ ନିଆଁ ଜାଳି, ଜଳନ୍ତା ଅଗ୍ନିକୁ ଉପଭୋଗ କରନ୍ତି । ତା’ପରେ ଭଲଲୋକି ଦେଖାଇ କହି ହୁଅନ୍ତି, ଏତେ ସୁନ୍ଦର ଘରଟା ଜଳିଗଲା । ଆମକୁ ଟିକିଏ କହିଲ ନାହିଁ-?

 

ରାଜେନ୍ଦ୍ର ଅଳ୍ପ ଦମ୍‌ ନେଇ ପୁଣି କହିବାକୁ ଲାଗିଲେ, ମଣିଷ ଭିତରେ ବେଳେ ବେଳେ ଅଦ୍ଭୁତ ଖିଆଲ ମଥା ଟେକେ । ନାଗ ସାପର ମଥା ସିଏ । ମଣିଷକୁ ବିକ୍ଷତ ନ କରି ଛାଡ଼େ ନାହିଁ । କାହାକୁ ଆନନ୍ଦ ଦେବାର ଶାନ୍ତି ନାହିଁ, ଅଥଚ ଦୁଃଖ ଦେବାର ପ୍ରବୃତ୍ତିରୁ କ୍ଷାନ୍ତ ହେବେ ନାହିଁ । ଲାଭ କରାଇବାର ଶକ୍ତି ନ ପାଇ, କ୍ଷତି ଘଟାଇବାରେ ଆଗଭର ହୁଅନ୍ତି । ସେ ଲୋକଙ୍କୁ ଦେଖିଲେ ମୋର ଅନେକ ଭୟହୁଏ ସ୍ୱର୍ଣ୍ଣ !

 

ସ୍ୱର୍ଣ୍ଣ ସବୁକଥା ଶୁଣେ, ଅଥଚ ବୁଝିପାରେ ନାଁ । ଏ କଥାର ନିଗୂଢ଼ତଥ୍ୟ ଉପଲବ୍‌ଧି କରିବାର ବୟସ ତାର ଆସିନାହିଁ । ଜୀବନର ଏଇ ସ୍ୱଳ୍ପବୟସ ଭିତରେ ଏତେଗୁଡ଼ିଏ ଅନୁଭୂତି ସଂଗ୍ରହ କରିବ କେଉଁଠୁ ?

 

ସେ ଭାବେ, ରାଜେନ୍ଦ୍ରବାବୁ ବାଉଳାରେ କିଛିକହି ପକାଉଛନ୍ତି । ନ ହେଲେ, ବିନାକାରଣରେ ଲୋକେ ଶତ୍ରୁ ହୋଇଯିବେ କାହିଁକି ? କ୍ଷତି ନ ପାଇଲେ ବି’ ଜଣକ ପାଖକୁ କ୍ଷତି କରିବାର ମନୋବୃତ୍ତି ନେଇ ଆଗେଇ ଆସିବେ କାହିଁକି ? ଦୁଇହାତ ଯୋଡ଼ି ନ ହେଲେ କଣ ତାଳି ବାଜେ ?

 

ଦୁଇହାତ ଯୋଡ଼ି ନ ହୋଇ ଯେଉଁ ନୀରବ ତାଳିଟା ବେଳେ ବେଳେ ବାଜିଉଠେ, ସ୍ୱର୍ଣ୍ଣପ୍ରଭା ସେ ଶବ୍ଦ ଆହୁରି ଶୁଣିନାହିଁ । ସେଇଥିପାଇଁ ତାର ଏ କୌତୁହଳ ।

 

ବସା ଘରେ କାଳିନ୍ଦୀହିଁ ସର୍ବ କନିଷ୍ଠ ସନ୍ତାନ ।

 

ଅନ୍ୟ କୌଣସି ଗୃହ ହୋଇଥିଲେ ସର୍ବାଧିକ ସ୍ନେହ ପାଇବାର ହକ୍‌ଦାର ହୁଅନ୍ତା କାଳିନ୍ଦୀ । ତାରି ହସଖୁସୀରେ ଘର ଗୋଟାକ ଉଛୁଳି ଉଠନ୍ତା । ତାର କାରଣହୀନ କାର୍ଯ୍ୟକଳାପକୁ ଉତ୍ସୁକ ଆଖିରେ ଅନାଉ ଅନାଉ ସମସ୍ତେ ଆନନ୍ଦ ପ୍ରକାଶ କରନ୍ତେ । ଦୈନନ୍ଦିନ ବ୍ୟବହାରକୁ କେନ୍ଦ୍ରକରି ଆଳାପ ଆଲୋଚନାରେ ନିମଗ୍ନ ହୁଅନ୍ତେ । ଅଭ୍ୟାସଗତ ଓ ନିତ୍ୟପ୍ରବୃତ୍ତ ଘଟଣା ହେଲେ ବି’ ତହିଁରେ ଉତ୍ସୁକତାର ରଙ୍ଗବୋଳି ପରସ୍ପର ମଧ୍ୟରେ କୁହାକୁହି ହୁଅନ୍ତେ ।

 

କାଳିନ୍ଦୀ ହୋଇଥାନ୍ତା ସେ ଗୃହର କେନ୍ଦ୍ରବିନ୍ଦୁ । ତାରି ସମ୍ବନ୍ଧୀୟ ଆଲୋଚନାରେ ଏ ଗୃହର ହୃତକମ୍ପନକୁ ଉପଲବଧି କରି ହୁଅନ୍ତା !

 

କିନ୍ତୁ ରାଜେନ୍ଦ୍ର ଓ ରାଜବାଳାର ସମ୍ମିଳିତ ପରିବାର ଭିତରେ ବ୍ୟତିକ୍ରମ ରହିଛି । ସେ ଏକ ସୃଷ୍ଟିଛଡ଼ା ବ୍ୟତିକ୍ରମ । ପୃଥିବୀର ପରିବାର-ଇତିହାସରେ ଏ ଭଳି ଘଟଣାର ପୁନରାବୃତ୍ତି ଦେଖିବା ଏକାନ୍ତ ଦୁର୍ଲ୍ଲଭ । କାରଣ ସେ ଏକ ବିଚିତ୍ର ସଂସାର । ପାରିବାରିକ ସମ୍ବନ୍ଧ ଅଛି ସତ, କିନ୍ତୁ ପରିବାରର ବନ୍ଧନରେ ଶିଥିଳତା ଆସି ଯାଇଛି ।

 

ନୂତନ ଅତିଥି କେହି ସେହି ବିଚିତ୍ର ସଂସାରରେ ପ୍ରବେଶ କଲେ, ପ୍ରଥମ ଦୁଇଦିନର ଅଭିଜ୍ଞତାରେ ବୁଝିପାରିବ, ଦୁଇଟି ଉଡ଼ା ଚଢ଼େଇ ପରସ୍ପରକୁ ବିପରୀତ ଦିଗକୁ ଉଡ଼ିଆସିଲା ପରେ, ଅବସନ୍ନତା ହେତୁ କୌଣସି ଏକ ଅଚିହ୍ନାସ୍ଥାନରେ ଏକତ୍ର ବିଶ୍ରାମ କରିବାକୁ ଲାଗିଲେ । କିଛିକ୍ଷଣ ବିଶ୍ରାମ ନେଲାପରେ ସେମାନଙ୍କ ପକ୍ଷରେ ଯନ୍ତ୍ରଣା ଦେଖାଗଲା । ସେମାନେ ବୁଝିଲେ, ଅଙ୍ଗର ଅବସନ୍ନତା ଓ କ୍ଳାନ୍ତି ନେଇ ଆଉ ଆଗେଇ ପାରିବେ ନାହିଁ । ଅନିଚ୍ଛାସତ୍ତ୍ୱେ ପାଖାପାଖି ବସି ସେମାନେ ପାଣିପବନରୁ ନୂତନ ଶକ୍ତିଆହରଣ କରିବାକୁ ଲାଗିଲେ ।

 

ଏତେ ପାଖରେ ବସି ମଧ୍ୟ, କେହି କାହାରି ମୁହଁକୁ ଚାହିଁଲେ ନାହିଁ । କଣ ବା ଆବଶ୍ୟକ-? ଟିକିଏ ସୁସ୍ଥ ଲାଗିଲେ, ଯିଏ ଯାହା ମାର୍ଗରେ ଉଡ଼ିଯିବ । ତା’ପରେ ଜଣେ ଜଣକ ଆଖିରୁ ନିମିଷକ ମଧ୍ୟରେ ଅଦୃଶ୍ୟ ହୋଇଯିବ । ସ୍ୱଳ୍ପ ସମୟର ଅବସ୍ଥିତି ଭିତରେ ପରିଚୟର ବା କି’ ପ୍ରୟୋଜନ ?

 

ସେମାନେ ପରିଚୟ ନ ହେବାର ଅନ୍ୟ ଗୋଟିଏ କାରଣ ଥିଲା । ନିଜେ ନିଜର ଆତ୍ମମର୍ଯ୍ୟାଦା ନେଇ ନିମଗ୍ନ । ନିଜ ଚାହାଣିରେ ନିଜେ ବଡ଼ । ଅନ୍ୟର ପରିଚୟ ନେଇ ତାର ସଦ୍‌ଗୁଣ ବିଚାର କରିବାର ଆବଶ୍ୟକ କଣ ? ନିଜେ ଭଲଥିଲେ ଦୁନିଆ ଭଲ । ହୃଦୟ ଭିତରେ ଏତେ ଅହଂଭାବ ରଖି କଣ କାହାରି ସଙ୍ଗେ ପରିଚୟ ବା ସୌହାର୍ଦ୍ଦ୍ୟ ସ୍ଥାପନ କରିହୁଏ । ବନ୍ଧୁତାରେ କିଛିଟା ତ୍ୟାଗ କିଛିଟା ସ୍ୱୀକୃତି ଆବଶ୍ୟକ । ଖାଲି ବକ୍ତାହେଲେ ଚଳିବ ନାହିଁ । ଶ୍ରୋତାର ହୃଦୟ ନେଇ ସହାନୁଭୂତି ପ୍ରକାଶ କରିବା ସର୍ବାଦୌକର୍ତ୍ତବ୍ୟ !

 

କ୍ରମେ ପଶ୍ଚିମବଳୟରୁ ମେଘ ଘନେଇ ଆସିଲା । ଭୀଷଣ ଘଡ଼ଘଡ଼ିରେ ଆକାଶ ମାର୍ଗ ପ୍ରକମ୍ପିତ ହେଲା । ତା ପରେ, ପରେ ମୁଷଳଧାରାରେ ବର୍ଷା ହେଲା । ଅନ୍ଧାର, ଆଲୁଅ ଏକାକାର ହୋଇଗଲା । ଆକାଶମାର୍ଗ ଭୟଙ୍କର ହୋଇଉଠିଲା ।

 

ପକ୍ଷୀ ଓ ପକ୍ଷିଣୀ ପ୍ରମାଦ ଗଣିଲେ । ଏ ବର୍ଷା, ଏ ବିଜୁଳୀ ଘଡ଼ଘଡ଼ିରେ କୁଆଡ଼ିକି ଯିବେ-? ଯାତ୍ରାପଥ ଦୁର୍ଗମ ହୋଇଉଠିଛି । ପକ୍ଷଉପରେ ଜଳକଣା ପଡ଼ୁଛି । ସେମାନେ ପତ୍ରଗହଳ ବୃକ୍ଷର ଶାଖା ଉପରକୁ ଉଡ଼ିଯାଇ ବସିଲେ । ପତ୍ରର ନିବୁଜ ଆଭରଣ, ମେଘର ମୁଷଳ ବାରିପାତରୁ କିୟତ୍‌ ପରିମାଣରେ ସେ ଉଭୟଙ୍କୁ ଆଶ୍ରୟ ଦେଲା । ସେମାନେ ଆଶ୍ୱସ୍ତିର ନିଃଶ୍ୱାସ ମାରିବାକୁ ଲାଗିଲେ-

 

ଉଭୟଙ୍କ ମନ ଭିତରେ ସେହି ଗୋଟିଏ ପ୍ରକାର ଭାବନା । ମେଘ କେତେବେଳେ ଛାଡ଼ିବ ? ଯାତ୍ରାପଥ କେତେବେଳେ ସୁଗମ ହେବ ? ଅନେକ ସମୟ ଦ୍ୱନ୍ଦ ଓ ସଂଶୟରେ କଟିଗଲା । କିଛି ଫଳ ହେଲାନାହିଁ । ସେମାନେ କ୍ରମେ ଅତିଷ୍ଠ ହୋଇ ପଡ଼ିଲେ । ପ୍ରଥମଥର ସକାଶେ ସେମାନଙ୍କର ଧାରଣା ହେଲା, ପୃଥିବୀରେ ସେମାନେ ଅତି ଦୁର୍ବଳ ଓ ଅକ୍ଷମ ପ୍ରାଣୀ । ଯାତ୍ରାପଥରେ ଅନେକ ଅଜ୍ଞାତ, ଅପରିଚିତ ବାଧାବନ୍ଧନ ରହିଛି, ତାହାକୁ ସେମାନେ ଅତିକ୍ରମ କରିବାକୁ ସମ୍ପୂର୍ଣ୍ଣରୂପେ ଅକ୍ଷମ, ଦୁର୍ବଳ ।

 

ଏଥର ପକ୍ଷୀ ଓ ପକ୍ଷିଣୀ ଏଭଳି ବିପଦ ଓ ତାତ୍ପର୍ଯ୍ୟପୂର୍ଣ୍ଣ ପରିସ୍ଥିତିରେ ପଡ଼ି ନିତାନ୍ତ ଅସହାୟ ଚାହାଣୀରେ ପରସ୍ପରକୁ ଚାହିଁଲେ । ସେ ଚାହାଣୀ ସାଧାରଣ ଚାହାଣୀଠାରୁ ସମ୍ପୂର୍ଣ୍ଣ ପୃଥକ୍‌ । ସେଇଠି ଆତ୍ମବଡ଼ିମାର ଅଭିବ୍ୟକ୍ତି ନାହିଁ । ଅଛି ଖାଲି, ଏତେବଡ଼ ଦୁର୍ଦ୍ଦଶାରେ ସହାନୁଭୂତି ପାଇବାର ପ୍ରାର୍ଥନା !

 

ଏଭଳି ଏକ ଅଭାବନୀୟ ପରିସ୍ଥିତି ଉଭୟଙ୍କୁ କ୍ରମେ ପରିଚିତ କଲା । ଜଣେ ଆର ଜଣକ ପାଖକୁ ଘୁଞ୍ଚି ଆସିଲା । କେହି ହେଲେ ସେ ପରିସ୍ଥିତିକୁ ନିଜକୁ ଅଲଗା କରିଦେବାକୁ ଇଚ୍ଛା କଲେ ନାହିଁ ।

 

ପକ୍ଷିଣୀ, ପକ୍ଷୀକୁ ନିଜ ପକ୍ଷତଳେ ଆଶ୍ରୟ ଦେଲା । ପକ୍ଷୀମଧ୍ୟ କୃତଘ୍ନ ହେଲାନାହିଁ । ପକ୍ଷିଣୀକୁ ଯଥାସାଧ୍ୟ ଚେଷ୍ଟା କରି ନିଜର ବଳିଷ୍ଠ ଚଞ୍ଚୁରେ ଆଉଁସୁ ଆଉଁସୁ ଆଶ୍ୱାସନା ଦେବାକୁ ଲାଗିଲା ।

 

ବାହାରର ବର୍ଷା, ବିଜୁଳୀ ସେମାନଙ୍କୁ ଆଉ ଭୟଭୀତ କରି ପାରିଲା ନାହିଁ । ଅନ୍ଧକାର, ଘଡ଼ଘଡ଼ି ଆଉ ପ୍ରତିବନ୍ଧକ ବୋଲି ମନେ ହେଲାନାହିଁ । ଏ ଦୁରବସ୍ଥା ସେମାନଙ୍କ ମିଳନର କାରଣ ହୋଇଥିବାରୁ ଉଭୟେ ମିଶି ତା’ର ବନ୍ଦନା କରିବାକୁ ଲାଗିଲେ ।

 

ବର୍ଷା ଛାଡ଼ିଗଲା । ଆକାଶ ଆଲୋକିତ ହେଲା, ତଥାପି ସେମାନଙ୍କ ସାଦରସମ୍ଭାଷଣ ଶେଷ ହେଲାନାହିଁ । ସେମାନେ ବର୍ତ୍ତମାନ ମୁକ୍ତ କଣ୍ଠରେ ସ୍ୱୀକାର କଲେ ଯେ, ଉଭୟେ ଉଭୟଙ୍କ ସାନ୍ନିଧ୍ୟ ପାଇ ତୃପ୍ତ ହୋଇଛନ୍ତି । ତା’ପରେ ଦୂର ବସାରେ ଛାଡ଼ି ଆସିଥିବା ଛୋଟ ଛୋଟ ସନ୍ତାନ ସନ୍ତତିମାନଙ୍କ ସମ୍ବନ୍ଧରେ କଥାବାର୍ତ୍ତା ହେଲେ । ପୁଣି ସମ୍ମିଳିତ ଭାବରେ ରାଜି ହେଲେ ଯେ ସେହି ଡାଳରେ ଦୀର୍ଘସ୍ଥାୟୀ ନୀଡ଼ଟିଏ ରଚନା କରିବେ ।

 

ପକ୍ଷିଣୀ ରାଜି ହେଲା, ତାର ଟିକି ଝିଅଟିକୁ ଆଣି ନୂତନ ନୀଡ଼ରେ ରଖିବ ।

 

ପକ୍ଷୀ ଇଚ୍ଛା କଲା, ତାର ପୁତ୍ରଶାବକକୁ ଆଣି ନୂତନ ନୀଡ଼ରେ ବଢ଼ାଇବ ।

 

ଦୁଇଟି ବିପରୀତ ମାର୍ଗରେ ଉଡ଼ି ଯାଇଥିବା ପକ୍ଷୀର ରାଜିନାମାରେ ନୂତନ ନୀଡ଼ଟିଏ ପ୍ରସ୍ତୁତ ହେଲା ।

 

ପକ୍ଷୀ ଓ ପକ୍ଷିଣୀର କର୍ତ୍ତୃତ୍ୱକୁ ସେଇଠି ସ୍ୱୀକାର କରିନେଲା । ପ୍ରେମମୁଗ୍‌ଧ ପକ୍ଷୀ ଆଖିରେ ଦୁନିଆ ଗୋଟାକ ନୂତନ ଦେଖା ହେଲା ।

 

ସେହି ଦିନଠୁ ରାଜେନ୍ଦ୍ର ଓ ରାଜବାଳାର ମିଳିତ ନୀଡ଼ରେ ସର୍ବକନିଷ୍ଠ କାଳିନ୍ଦୀ ପ୍ରାଧାନ୍ୟ ହରାଇଛି । ବୟସରେ ଅନେକ ବଡ଼ ହେଲେ ମଧ୍ୟ, ସ୍ୱର୍ଣ୍ଣପ୍ରଭା ଯେମିତି ସେ ନୀଡ଼ର କନିଷ୍ଠ ଶିଶୁ । ସେଇଥିପାଇଁ ପରିବାରର ମୁଖ୍ୟମାନଙ୍କ ମୁହଁରେ ତାର ସବୁ ସମୟରେ ପ୍ରଶଂସା ଓ ଆଲୋଚନା ।

 

ସ୍ୱର୍ଣ୍ଣପ୍ରଭା ହିଂସ୍ରୁକୀ ନୁହେଁ । ତାକୁ ମିଳୁଥିବା ଅପର୍ଯ୍ୟାପ୍ତ ସ୍ନେହ, ଆଦରରୁ କାଳିନ୍ଦୀକୁ ଭାଗଦିଏ । ରାଜବାଳା ବସାରେ ନଥିଲା ବେଳେ ତାକୁ କୋଳରେ ବସାଇ ବୋକ ଦିଏ । ମୁଣ୍ଡରେ ତେଲ ମାରି କୁଣ୍ଡାଇ ପକାଏ । ଆଖିରେ କଜ୍ଜ୍ୱଳ ଦେଇ ଲାଲ ଗୁଲୁ ଗୁଲୁ ଟିକି ଗାଲରେ ତା’ରି ପାଇଁ କିଣା ହୋଇଥିବା ରୁଜ ପାଉଡ଼ର ଲଗାଇ ଦିଏ । କାନ ପାଖକୁ ମୁହଁ ନେଇ ଆଦରରେ ପଚାରେ, ମୁଁ ତୋର କଣ ହେବି କହିଲୁ କାଳି ?

 

କାଳିନ୍ଦୀ ହସି ହସି କହେ, ଭଉଣୀ ।

 

ମୁଁ ପରା ତୋ’ଠୁ ବଡ଼ ? ସ୍ୱର୍ଣ୍ଣ ମନେ ପକାଇ ଦିଏ ।

 

ତାହା ହେଲେ ‘ନାନୀ’ । କାଳି ଉତ୍ତର ଦିଏ ।

 

ମୋ ସୁନା ଭାଇଟାରେ । ସ୍ୱର୍ଣ୍ଣପ୍ରଭା କାଳିନ୍ଦୀକୁ କାଖକରି ଅଗଣାସାରା ବୁଲାଏ । ତାକୁ ନିଜେ ଶିଖିଥିବା ଗୀତ ନାଚ ଶିଖାଏ ।

 

ରାଜେନ୍ଦ୍ରବାବୁ ଅବେଳରେ କେବେ ଘରକୁ ଫେରିଲେ, ଭାଇ ଭଉଣୀର ଏ ସ୍ୱର୍ଗୀୟ ସମ୍ବନ୍ଧ ଦେଖିଲେ ଆନନ୍ଦରେ ଅଶ୍ରୁମୋଚନ କରନ୍ତି । କାଳିନ୍ଦୀ ସ୍ୱର୍ଣ୍ଣପ୍ରଭାର ସ୍ନେହ ପାଇଛି । ଦୁନିଆରେ ସେ ଏକୁଟିଆ ମନେ କରିବ ନାହିଁ । ତା’ପାଇଁ ସବୁଦିନ ସକାଶେ ସ୍ୱର୍ଣ୍ଣ ସ୍ନେହ ରହିବ ।

 

ରାଜେନ୍ଦ୍ର ବାବୁଙ୍କୁ ଦେଖିଲେ ସ୍ୱର୍ଣ୍ଣପ୍ରଭା ସାମନାରେ ବସିଯାଇ କାଳିନ୍ଦୀର ପ୍ରଶଂସା କରେ । କାଳିନ୍ଦୀ କିଛି ନୂତନ କଥା ଶିଖିଥିଲେ, ତାକୁ ଦିଗୁଣ ଉତ୍ସାହରେ ବଖାଣି ଯାଏ । କାଳିନ୍ଦୀର ପ୍ରଶଂସା ଗାଇବାକୁ ସେ ଶତଜିହ୍ୱା ହୋଇ ପଡ଼େ ଯେମିତି ।

 

ରାଜେନ୍ଦ୍ରବାବୁ କାଳିନ୍ଦୀର ପ୍ରଶଂସା ଶୁଣି ମୋହିତ ହୁଅନ୍ତି । କହନ୍ତି, ସେ କାହାର ଭାଇ କହିଲୁ ଦେଖି ? ସେ କଣ କେବେହେଲେ ନିର୍ବୋଧ ହେବ ? ତୁ ଯେ’ ତାର ଶୁଭାକାଙ୍‌କ୍ଷୀ ସ୍ୱର୍ଣ୍ଣ । ନ ଜାଣିଲେ ବତାଇ ଦେବୁ । ନ ଶିଖିଲେ ଶିଖାଇ ଦେବୁ । ତୁ ତ ଖାଲି ତାର ବଡ଼ ଭଉଣୀ ନୋହୁ, ବଡ଼ ଭାଇ ବି’ । ଆଉ ତୋରି ଉପରେ ସ୍ୱର୍ଣ୍ଣ ମୋର ଅନେକ ଭରସା ।

 

ସ୍ୱର୍ଣ୍ଣପ୍ରଭା କିଛି କହେନା’ । ସେ କାଳିନ୍ଦୀକୁ କୋଳକୁ ନେଇ ପାଠ ପଢ଼ାଇବା ଆରମ୍ଭ କରିଦିଏ ।

 

ରାଜବାଳା ସିଂହ ଦିନ ଦଶଟାରେ ସ୍କୁଲକୁ ବାହାରନ୍ତି ।

 

କାନ୍ଥ ଘଣ୍ଟାର ମିନିଟ ଓ ସେକେଣ୍ଡ କଣ୍ଟା ପରି ଜୀବନ । ଦିନ ତମାମ ଟିକ୍‌ଟିକ୍‌ ହୋଇ ଚାଲେ । ଯେତେବେଳେ ଯେଉଁଠି ରହିବାକୁ ହେବ, ଯେଉଁ ସମୟରେ ଯାହା କରିବାକୁ ହେବ । ସେତିକିବେଳେ ଠିକ୍‌ ସେହି କାମ ଉପରେ ସେ ଛିଡ଼ା ହୋଇଥାନ୍ତି ।

 

ରାଜବାଳା ସିଂହ ସୋନପୁର ସହରରେ ପାଦ ପକାଇଲା ଦିନୁ ନିଜ କର୍ତ୍ତବ୍ୟରେ ଦିନେହେଲେ ଖିଲାପ କରି ନାହାନ୍ତି । ବିଶେଷ କାରଣ ନ ଥିଲେ ସେ ସ୍କୁଲଘରୁ ଅନୁପସ୍ଥିତ ରହନ୍ତି ନାହିଁ । ପୃଥିବୀର ପ୍ରକୃତିରେ ବୈଚିତ୍ର୍ୟ ଆସେ । ଶୀତ, ଖରା ବର୍ଷାର ବିଚିତ୍ରତା ଓ ବିଭିନ୍ନତା ଭିତରେ ପୃଥିବୀ ନବଜନ୍ମ ନିଏ । କିନ୍ତୁ ରାଜବାଳାସିଂହଙ୍କ କାର୍ଯ୍ୟ ନିର୍ଘଣ୍ଟରେ କୌଣସି ପରିବର୍ତ୍ତନ ପରିଲକ୍ଷିତ ହୁଏନାହିଁ । ସକାଳ ଦଶଟାରେ ସ୍କୁଲଯାଇ ଦିନ ପାଞ୍ଚୁଟା ପର୍ଯ୍ୟନ୍ତ ନିଜର କର୍ତ୍ତବ୍ୟ କରିଯିବାରେ କୌଣସି ଦିନ ତ୍ରୁଟି ହୋଇନାହିଁ ।

 

ସ୍କୁଲ ଘରର ଚଉକାନ୍ଥ ଘେରା ସାମ୍ରାଜ୍ୟରେ ସେ ମୁଖ୍ୟା ଶିକ୍ଷୟିତ୍ରୀ । ଛୋଟରୁ ବଡ଼ ପ୍ରତ୍ୟେକଟି ଛାତ୍ରୀଙ୍କର ଶିକ୍ଷାଦାତ୍ରୀ । ଏମାନଙ୍କ ମେଳରେ ଯେତେବେଳ ଯାଏ ସେ ରହିବାର ସୁଯୋଗ ପାଆନ୍ତି, ତାଙ୍କ ମନ ଓ ହୃଦୟ ଆନନ୍ଦରେ ଫାଟି ପଡ଼େ । କଳ୍ପିତ ଲୋକର ଅନିନ୍ଦ୍ୟ ମାଧୁର୍ଯ୍ୟକୁ ମନଭରି ଉପଭୋଗ କରନ୍ତି ଯେମିତି ।

 

କାନ୍ଥ ଘଣ୍ଟାର ଛୋଟ କଣ୍ଟାଟି କେତେବେଳେ ଯେ ପାଞ୍ଚୁଟାର ସଙ୍କେତ ପାଖକୁ ଚାଲି ଆସେ, ରାଜବାଳାଙ୍କର ଖିଆଲ ନ ଥାଏ । ବାରଣ୍ଡାରେ ଠନ୍‌ ଠନ୍‌ ହୋଇ ଦଶ କି ବାରଥର ଘଣ୍ଟା ବାଡ଼େଇବା ଶବ୍ଦ ଶୁଭେ । ପିଲାଏ ଆନନ୍ଦରେ ସ୍କୁଲ ଘର ଛାଡ଼ି ବାରଣ୍ଡାରେ ଆସି ଛିଡ଼ା ହୁଅନ୍ତି । ଘର ବାହୁଡ଼ା କଳରବରେ ସ୍କୁଲ ପରିସରର ମୁଖରିତ ହେଇ ଉଠେ । ପ୍ରଧାନ ଶିକ୍ଷୟିତ୍ରୀଙ୍କର ମନେ ପଡ଼େ, ସ୍କୁଲ ଛୁଟି ହେଲା । ସହକର୍ମୀମାନଙ୍କ ସଙ୍ଗରେ ଛତାଟି ଧରି ସେ ଅଳସ ଓ ଅସ୍ଥିର ପାଦ ପକାଇ ପକାଇ ଚାଲି ଆସନ୍ତି ।

 

କେବେ କେବେ ରାସ୍ତା ଧାରରେ ରାଜାଙ୍କ ସେକ୍ରେଟରୀ ଅଥବା ଶାସନ ବିଭାଗର ପରାମର୍ଶଦାତାଙ୍କ ସଙ୍ଗରେ ଦେଖା ହୁଏ । ମୋଟର ଉପରେ ଆସୁଥିଲେ ସେମାନେ ରାଜବାଳା ସିଂହ ଉଦ୍ଦେଶ୍ୟରେ ଅଳ୍ପ ମୁର୍କିହସା ଦିଅନ୍ତି । ତା ପରେ କାର୍ଯ୍ୟବ୍ୟସ୍ତ କର୍ମଚାରୀ ପରି ଆଖି ପଲକରେ ମୋଟର କଟାଇ ଚାଲିଯାନ୍ତି ।

 

ଉଚ୍ଚ ଇଂରାଜୀ ବିଦ୍ୟାଳୟର ସାମନା ରାସ୍ତାରେ ଆସୁ ଆସୁ ବରଗଛ ତଳେ ତାଙ୍କର ଆଗୁଆ ଦୁଇଟି ହଠାତ୍‌ ଅଟକି ଯାଏ । ଆଖି ଫେରିଯାଏ ସ୍କୁଲ ଫାଟକ ପାଖକୁ । କିନ୍ତୁ ପରକ୍ଷଣରେ ସେ ଆଖିରେ ଅବସନ୍ନତା ଭରିଯାଏ ।

 

କିଛିଦିନ ପୂର୍ବେ, ସ୍କୁଲରୁ ଫେରିଲାବେଳେ ସେ ପ୍ରତିଦିନ ଦୁଇଟି ପ୍ରତୀକ୍ଷାଭରା ଆଖି ଦେଖିବାକୁ ପାଉଥିଲେ । ସେ ପ୍ରତୀକ୍ଷା ମଗ୍ନ ଆଖି ଦୁଇଟି ଥିଲା, ଯୁବକ ଶିକ୍ଷକ ନୀଳମାଧବଙ୍କର ।

 

ନୀଳମାଧବ !

 

ତାଙ୍କର ଗୌର ପୁଷ୍ପିତ ଶରୀରର, ନୀଳ ସଜଳ ଚକ୍ଷୁ ଓ ଯୌବନଦୀପ୍ତ ମୁଖମଣ୍ଡଳ ଦେଖିଲେ, ଯେ କୌଣସି ତରୁଣୀ ଚପଳମନା ହେବା ସ୍ୱାଭାବିକ । ତାଙ୍କ ଓଷ୍ଠାଧାରର ତୀର୍ଯ୍ୟକ, ତୀକ୍ଷ୍‌ଣ ହସ ଧାରକ ଲୋହିତ ଶର ହୋଇ ସର୍ବାଙ୍ଗରେ ଗଳି ଗଳି ଯାଏ । ସେ କଥା କହନ୍ତି ନାହିଁ ସତ, କିନ୍ତୁ ନୀରବ ମୁହଁରେ ଅନେକ କିଛି କହିବାରେ ସକ୍ଷମ ହୁଅନ୍ତି । ହୁଏତ ଓଠ ଖୋଲି ଯାହା କହି ପାରନ୍ତେ ନାହିଁ, ସେହି ନୀରବ, ନୀଥର ମୁଖରେ ସେତକ ପ୍ରକାଶ କରନ୍ତି ।

 

ନୀଳମାଧବ ଉଚ୍ଚ ଶିକ୍ଷିତ । ତାଙ୍କ ବେଶ ଭୂଷଣରେ ଉନ୍ନତରୁଚିର ସ୍ୱାକ୍ଷର ଥିଲା । ସଂଯତ ଶିଷ୍ଟ କଥାଭାଷାରେ ତରୁଣୀ ମନ ଅପହରଣ କରିବାର ଅପୂର୍ବ କୌଶଳ ଥିଲା । ଆଉ ସେଇଥିପାଇଁ ସେ ବର୍ଷ ରଥଯାତ୍ରା ଦିନ, ସେ ତାଙ୍କର ସାନ୍ନିଧ୍ୟ ଲାଭ କରିବାରେ ସକ୍ଷମ ହୋଇ ଉଠିଲେ ।

 

ଆଷାଢ଼-ମେଘଭରା ଆକାଶଟା ସେ ବର୍ଷ ଦୁଲୁକି ଦୁଲୁକି ନାଚୁଥିଲା ! ପଞ୍ଚ ଦେଉଳ ସାମନାରେ ଜଗନ୍ନାଥ ରଥଟି ଅଟକି ଯାଇଥାଏ । ଯେତେ ଚେଷ୍ଟା କଲେ ବି’ ପାଦେ ହେଲେ ଆଗକୁ ବଢ଼ିବାର ସୂଚନା ନାହିଁ । କିନ୍ତୁ ମହାରାଜାଙ୍କ ହୁକୁମ, ରଥ ମାଉସୀ ଘରେ ନିଶ୍ଚୟ ଲାଗିବ ।

 

ଜଗନ୍ନାଥ ରଥ ନିଜ ଇଚ୍ଛାରେ ଚଳେ, ନ ହେଲେ ଅଚାନକ ବନ୍ଦ ହୋଇଯାଏ । ଦୈବିଶକ୍ତି ଆଗରେ ରାଜ-ଆଜ୍ଞାର ବା’ ଶକ୍ତି କେତେ ?

 

ତେଲ ନଦୀରେ ସେବର୍ଷ ଆଗୁଆ ବଢ଼ି ଆସି ଯାଇଥାଏ । ମନୁମୁଣ୍ଡାକୁ ସଂଯୋଗ କରୁଥିବା ସାମୟିକ ରାସ୍ତା ଭୁଷୁଡ଼ି ପଡ଼ିଥାଏ । ମହାନଦୀର ଉପର ମୁଣ୍ଡରେ ଭୀଷଣ ବର୍ଷା ! ଭାସି ଆସୁଥିବା ଫେଣ ଭିତରେ କରାଳ ବନ୍ୟାର ଲହଲହ ଜିଭ ଝଲସି ଉଠୁଥାଏ । ଲୋକେ ଦିଅଁ ଦେଖା ଛାଡ଼ି ରାମେଶ୍ୱର ଘାଟରେ ରୁଣ୍ଡ ହେଉଥାନ୍ତି । କିଏ କେମିତି ସୁବର୍ଣ୍ଣେଶ୍ୱର ମନ୍ଦିର ସାମନାରେ ପଥର ପାହାଚରେ ବସି ତେଲ ନଦୀର ଗର୍ଭିଣୀ ରୂପକୁ ଲକ୍ଷ୍ୟ ରଖିଥାନ୍ତି ।

 

ବର୍ଷେ ବର୍ଷେ, ରାଜ୍ୟରେ ଅକାଳ ପଡ଼ିବାର ଯୋଗଥିଲେ ମହାନଦୀ ଓ ତେଲ ନଦୀର ଅଚାନକ ବନ୍ୟାରେ ତାର ସ୍ୱରୂପ ପ୍ରକାଶ ପାଇଥାଏ । ଲୋକେ କହନ୍ତି, ରାସ୍ତା ମଝିରେ ନନ୍ଦିଘୋଷ ରଥ ଅଟକି ଯାଏ ।

 

ଜଗନ୍ନାଥ ରଥ ପଞ୍ଚ ଦେଉଳ ସାମନାରେ ବିନା କାରଣରେ ଅଟକି ଯିବା ଦେଖି, ଲୋକେ ସେ ଅନାଗତ, ଅବାଞ୍ଛିତ ଆଶଙ୍କା ପ୍ରକାଶ କଲେ । ଏଇ ଆଶଙ୍କା ପ୍ରକାଶ ସମୁଦାୟ ସୋନୁପର ରାଜ୍ୟକୁ ବ୍ୟାପି ବ୍ୟାପି ଯିବ । ଗାଁ ଗହଳିରେ ଅଷ୍ଟପ୍ରହରୀ, ଚବିଶ ପ୍ରହରୀର ଆୟୋଜନ କରାଯିବ । ନାମଯଜ୍ଞରେ ସୋନପୁର ରାଜ୍ୟଟା ଉଛୁଳି ଉଠିବ । ଜ୍ୟୋତିଷ ଆସି ଘରେ ଘରେ ଭାଗ୍ୟଗଣନା କରିବା ଆରମ୍ଭ କରିଦେବେ । ଭାଗ୍ୟଚକ୍ରରେ କେଉଁ ରାଶି ବା କେଉଁ ଗ୍ରହଟା ଦୁର୍ବଳ ଅଛି, ତାକୁ ସବଳ କରିବା ପାଇଁ କେଉଁ ରକମର ଦାନ, ଦକ୍ଷିଣା ବା ପ୍ରାୟଶ୍ଚିତ ଆବଶ୍ୟକ ସେତକ ସୂଚେଇ ଦେବେ । ନିଜ ନିଜକୁ ସୁଦୃଢ଼ କରି ତୋଳିବାକୁ ବ୍ୟାପକ ଚେଷ୍ଟା ଚାଲିବ । ଭୟ ଓ ଭ୍ରାନ୍ତିରେ ରାଜ୍ୟର ପ୍ରାଣପିଞ୍ଜରୀ ଆର୍ତ୍ତନାଦ କରିବ ।

 

କିନ୍ତୁ ରାଜଆଜ୍ଞା ଅଛି, ରଥ ଅଲବତ୍‌ ଚାଲିବ । ଯିଏ ଯେଉଁଠି ଯେଉଁଭଳି ଅବସ୍ଥାରେ ଥିବେ, ଆସି ରଥଟଣାରେ ସାହାଯ୍ୟ କରିବେ ।

 

ଦେବତାର ଇଚ୍ଛା ସଙ୍ଗେ ମାନବର ଇଚ୍ଛାର ସଂଘର୍ଷ । ବ୍ୟାପକ ଭାବରେ ପ୍ରସ୍ତୁତି ଓ ଜାଗରଣ । ସମ୍ଭାବନାର ସଂକେତ ପ୍ରାପ୍ତମାତ୍ରେ ଯଦି ନିର୍ବୋଧ ମାନବ ଏତେ ସତର୍କତା ଅବଲମ୍ବନ କରିପାରୁଛି, ତାହାହେଲେ ଭବିଷ୍ୟତ ପଠନର ଶକ୍ତି ଲାଭ କରିଥିଲେ ? ଯଦି ନନ୍ଦିଘୋଷ ରଥରେ ସ୍ୱୟଂ ଭଗବାନ ଅଥବା ତାଙ୍କର କୌଣସି ଶକ୍ତି ପ୍ରତିନିଧିତ୍ୱ କରୁଥାନ୍ତି, ସେ ଅବଶ୍ୟ ଏ ହାସ୍ୟାସ୍ପଦ ପ୍ରସ୍ତୁତି ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିବେ ।

 

ରାଜବାଳା ପଞ୍ଚଦେଉଳ ସାମନା ପଡ଼ିଆର ଛିଡ଼ା ହୋଇ ସୋନପୁର ସହରର ଏକତ୍ର ସମାବେଶକୁ ଉପଭୋଗ କରୁଥିଲେ ।

 

ରଥଯାତ୍ରା ଉତ୍ସବ ସହର ଭିତରେ ନୂତନ ପ୍ରାଣର ସଂଚାର କରୁଥିଲା । ସେମାନଙ୍କ ହସଖୁସି, ଆନନ୍ଦ ଆମୋଦ ଭିତରେ ସହରର ସ୍ୱାଧୀନ ମନ ସ୍ୱରୂପ ପ୍ରକାଶ କରିଥିଲା । ବଡ଼ବଜାରର ମେହେର ଝିଅ ଦୋ’ମୁହାଁ କସ୍ତାପିନ୍ଧି, ଆଖିରେ କଜଳ, ପାଦରେ ଅଳତା ଲଗାଇ ନୂତନ ପ୍ରଜାପତି ପରି କୁରୁଳି ଉଠୁଥିଲା । ଥନାପତି ପଡ଼ାର ଅବିହାଡ଼ୀ ଝିଅମାନେ ବାମାବର୍ତ୍ତ ଖୋଷାରେ ମଲ୍ଲୀମାଳ ସାଜି ମନ ଆନନ୍ଦରେ ଦଳଦଳ ହୋଇ ହସୁଥିଲେ । ମାରୱାଡ଼ୀ ପୁଅ ଝିଅମାନେ ସୁନା ଅଳଙ୍କାରରେ ଛାଇ ହୋଇ ଏପାଖ ସେପାଖ ହେଉଥିଲେ । ସହରର ବୟସ୍କ ଲୋକମାନେ ସହର ତଳିଅଞ୍ଚଳର ଉତ୍ସାହୀ ଯୁବକମାନଙ୍କ ସଙ୍ଗରେ ରଥ ଦଉଡ଼ି ଭିଡ଼ୁଥିଲେ ।

 

ସେ ଏକ ଅପୂର୍ବ ଦୃଶ୍ୟ । ସେ ଦୃଶ୍ୟ ଦେଖିଲେ, ନିଜର ଅତୀତ ଓ ବର୍ତ୍ତମାନ କଥା ଭୁଲି ହୋଇଯାଏ । ରାଜବାଳା ବହୁଦିନ ପରେ ନିଜ ମନର ଆନନ୍ଦକୁ ଏ ଜନଗହଳି ଭିତରେ ଆବିଷ୍କାର କରିଥିଲେ । ଏ ଆନନ୍ଦ, ଏ ଉତ୍ସବ ଜୀବନର ଅବଶିଷ୍ଟ ଦିନ ସକାଶେ ସବୁଦିନ ଲାଗିଥାନ୍ତା କି ?

 

ନୀଳମାଧବ ସ୍ୱର୍ଣ୍ଣପ୍ରଭାର ହାତ ଧରି ହଠାତ୍‌ ରାଜବାଳାଙ୍କ ସାମନାରେ ପହଞ୍ଚିଲେ । ସ୍ୱର୍ଣ୍ଣପ୍ରଭା କଇଁ କଇଁ ହୋଇ କାନ୍ଦୁଥାଏ । ନୀଳମାଧବଙ୍କ ପଛରେ ଆହୁରି ଅନେକ ଲୋକ ଗୋଡ଼ାଇ ଆସୁଥାନ୍ତି ।

 

ଘଟଣାଟି ବୁଝିବାକୁ ବିଶେଷ କିଛି ସମୟ ଲାଗିଲା ନାହିଁ । ସ୍ୱର୍ଣ୍ଣପ୍ରଭାକୁ ଗଡ଼ନ୍ତା ରଥଚକ ତଳୁ ଉଦ୍ଧାର କରିଥିବା ହେତୁ ରାଜବାଳା ନୀଳମାଧବଙ୍କ ଆଗରେ କୃତଜ୍ଞତା ସ୍ୱୀକାର କଲେ ।

 

ସେହି ଦିନଠୁଁ ନୀଳମାଧବଙ୍କ ସଙ୍ଗେ ରାଜବାଳାଙ୍କ ଜୀବନର ଆଦ୍ୟ ପରିଚୟ । ସେ ପରିଚୟ ନିବିଡ଼ ହୋଇ କ୍ରମେ ଆତ୍ମୀୟତାରେ ରୂପାନ୍ତରିତ ହେଲା । ସେଇଥିପାଇଁ ଦିନେ ଏକ ଦୁର୍ବଳ ମୁହୂର୍ତ୍ତରେ ନୀଳମାଧବ ଯେତେବେଳେ ନିବିଡ଼ ସାନ୍ନିଧ୍ୟ ସକାଶେ ଅନୁରୋଧ କଲେ, ରାଜବାଳା ସେ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ପାରିଲେ ନାହିଁ ।

 

ନୀଳମାଧବ ପ୍ରଥମେ କେଇଟି ଦିନ ରାଜବାଳାଙ୍କ ସାନ୍ନିଧ୍ୟ ଲାଭ କରି କୃତକୃତ୍ୟ ହେଲେ । ତାଙ୍କୁ ଦେଖିଲେ ଜଣା ପଡ଼ୁଥିଲା, ନୀଳମାଧବ ରାଜବାଳାଙ୍କୁ ପାଇ ନାହାନ୍ତି ଯେ, ସେ ପାଇଛନ୍ତି ନିଜର ବ୍ୟକ୍ତିଗତ ସୌଭାଗ୍ୟ । ସତେ ଅବା ରାଜବାଳା ତାଙ୍କ ଏକାନ୍ତ ଜୀବନର ସ୍ୱପ୍ନ ଥିଲେ !

 

ସେହି ସମୟର ଘଟଣା :–

 

ନୀଳମାଧବଙ୍କୁ ନିଜ କୋଳ ଉପରେ ଶୁଆଇ, ତାଙ୍କର କପାଳ ଉପରେ ଲମ୍ବି ପଡ଼ିଥିବା ଇତଃସ୍ତତଃ କେଶଗୁଚ୍ଛକୁ ସଜାଡ଼ି ଦେବାରେ ରାଜବାଳା ପରମଆନନ୍ଦ ଲାଭ କରୁଥିଲେ । ବୟସ ତାଙ୍କର ନିଜଠୁଁ କମ୍‌ ହେବ ନିଶ୍ଚୟ । ସେହି ବୟସରେ ନୀଳମାଧବ ଅତି ସୁନ୍ଦର ଦେଖା ଯାଉଥିଲେ-। ତାଙ୍କର ଛୋଟ, ଛୋଟ ଅନୁରୋଧ କାନକୁ ଖୁବ୍‌ ଭଲ ଲାଗୁଥିଲା । ସାମାନ୍ୟ ସ୍ପର୍ଶ ପାଇବା ମାତ୍ରେ ସମୁଦାୟ ମୁହଁଟା କେମିତି ଏକ ରକ୍ତବର୍ଣ୍ଣ ଧାରଣ କରୁଥିଲା । କଥା କହିଲାବେଳେ କଥା ଅଧରୁ ସେ ଢୋକି ନେଉଥିଲେ । ନିଜକୁ ସମ୍ପୂର୍ଣ୍ଣରୂପେ ପ୍ରକାଶ କରିବାକୁ ସେ ଅତି ସଂକୋଚ ହୋଇ ଉଠୁଥିଲେ ।

 

ହୁଏତ ରାଜାବାଳାହିଁ ଥିଲେ ନୀଳମାଧବଙ୍କ ଜୀବନର ପ୍ରଥମ ପ୍ରେମିକା । ସେଥିପାଇଁ ଏତେ ସଂକୋଚ, ଏତେ ଶୀଳନତା !

 

ସ୍କୁଲ ଫାଟକରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିବାକୁ ତାଙ୍କୁ ଟିକିଏ ହେଲେ କ୍ଳାନ୍ତ ଜଣା ପଡ଼ୁ ନ ଥିଲା । ସେମିତି ଅନ୍ୟମନସ୍କ ଭାବରେ ଦିନେ ଦିନେ ସନ୍ଧ୍ୟା ପର୍ଯ୍ୟନ୍ତ ସେ ନିର୍ବିବାଦରେ ଅପେକ୍ଷା କରି ରହୁଥିଲେ । ରାଜବାଳା ଆସିବାର ଦେଖି ତାଙ୍କ ଆଖିରେ ଆଖି ଢାଳି ମନପୁଲକରେ ହସି ଉଠୁଥିଲେ । ରାଜାବାଳା ସେ ଚାହାଣି, ସେ ହସର ସାମାନ୍ୟ ମୂଲ୍ୟ ଦେବା ସକାଶେ ଚେଷ୍ଟା କଲେ, ସେ କୃତକୃତ୍ୟ ହୋଇ ତାଙ୍କର ଅନୁଗମନ କରୁଥିଲେ ।

 

ଏମିତି ଏକାପରି ଅନେକ ଦିନ କଟିଗଲା ।

 

ଦିନେ ନୀଳମାଧବ ବିବାହ କରି ସୋନ୍‌ପୁର ସହରରେ ସସ୍ତ୍ରୀକ ପହଞ୍ଚିଲେ ।

 

ତାପରେ ଦେଖାଗଲା; ନୀଳମାଧବ ରାଜବାଳାଙ୍କୁ ପ୍ରତ୍ୟାଖ୍ୟାନ କରୁଛନ୍ତି । ତାଙ୍କ ସଙ୍ଗରେ ନ ମିଶିବା ପାଇଁ ଦେଖା ହେଲେ ବାଟ ଭାଙ୍ଗି ଚାଲିଯିବା ପାଇଁ ସେ ସତତଃ ଜାଗ୍ରତ ।

 

ଦିନେ ନୀଳମାଧବ ଚେଷ୍ଟାକରି ସୋନପୁର ସହରରୁ ବଦଳି ମାଗି ଅନ୍ୟ ସହରକୁ ଚାଲିଗଲେ ।

 

ରାଜବାଳା ବହୁଚେଷ୍ଟା ପରେ ବି ନୀଳମାଧବଙ୍କ ସାକ୍ଷାତରୁ ବଞ୍ଚିତା ହୋଇଛନ୍ତି । ସ୍କୁଲରୁ ଫେରିଲାବେଳେ ଅମାନିଆ ଆଖିଦିଟା ହାଇସ୍କୁଲ ଫାଟକ ପାଖରେ ଲାଖିଯାଏ । ପାଦ ଦୁଇଟି ଅସ୍ଥିର ହୋଇ ଉଠେ । କାହାକୁ କିଛି କହିବାକୁ, କାହାକୁ ଆଖି ଇସାରା ଦେଇ ଡାକିବାକୁ ଛାତି ତଳ ଆଉଟି ପାଉଟି ହୁଏ ।

 

ରାଜବାଳା ନିରାଶ ହୁଅନ୍ତି । ଏତେ ଦିନର ଅଭିଜ୍ଞତା ପରେ ବି ସେ ଯୌବନର ମୋହକୁ ଛାଡ଼ି ନାହାନ୍ତି । ଜୀବନର ବହୁତ ପଛରେ ପଡ଼ିଥିବା ନିଖୋଜ ସ୍ମୃତିକୁ ସେ ବାରମ୍ବାର ଖୋଜି ହୁଅନ୍ତି ।

 

ଯାହା ଖୋଜି ହୁଅନ୍ତି, ସେ ମିଳେ ନାହିଁ । ଖୋଜିବାର ଓ ନ ମିଳିବାର ବ୍ୟର୍ଥତାରେ ମନ ବିଳପି ଉଠେ ।

 

ରାଜବାଳା ଇଚ୍ଛା କରନ୍ତି, ଶରୀର ଭିତରେ ନିଆଁଲଗା ମନଟା ନ ଥାଆନ୍ତା କି ! କିନ୍ତୁ ତାହା କି ସମ୍ଭବ ?

 

ରାଜବାଳା ସିଂହ ଦିନେ ଦିନେ ଦୁଆର କିଳି ନିଜକୁ ନିଜେ ଭାବି ହୁଅନ୍ତି ।

 

ସେ ଭାବନାରେ ଆନନ୍ଦ ଥାଏ, ବିହ୍ୱଳତା ଥାଏ । ମନଆଖିରେ ଅତୀତରେ ସଂପୃକ୍ତ, ଅସଂପୃକ୍ତ ଅସଂଖ୍ୟ ସ୍ମୃତି, ଅଗଣନ ଘଟଣା ମୁହଁ ଦେଖାଏ । ସତେ ଅବା ସେ ସହସା ସେହି ସ୍ମୃତି-ସୁମଧୁର-ଅତୀତକୁ ଫେରି ଯାଆନ୍ତି ।

 

ରାଜବାଳା ନିଜ ଅଜାଣତରେ ଅସ୍ପଷ୍ଟ ଭାବରେ ହସି ଉଠନ୍ତି ।

 

ଆଃ, କେତେ ସୁନ୍ଦର ଥିଲା ସେ ଅତୀତ !

 

ସମୁଦାୟ ପୁରୁଷ ଜାତିଟା ତାଙ୍କୁ କେନ୍ଦ୍ରକରି ଆଖିବୁଜା ଚକର କାଟୁଥିଲା । ସେ ପୁଷ୍କରିଣୀର ଏକମାତ୍ର ପ୍ରସ୍ଫୁଟିତ ପଦ୍ମଭାବରେ ପ୍ରତ୍ୟେକଟି ଭ୍ରମରକୁ ଆକୃଷ୍ଟ କରି ପାରୁଥିଲେ । ତାଙ୍କ ଗୋଲାପି ହସର ସ୍ୱାଦ ଚାଖିବାକୁ ମାତାଲ ଭ୍ରମର-ପୁରୁଷମାନେ ଅଧୀର ହୋଇ ଉଠୁଥିଲେ । ତାଙ୍କ ରୂପରେ ପ୍ରଶଂସାରେ ସମୁଦାୟ ଅଞ୍ଚଳଟା ମୁଖରିତ ହୋଇ ଉଠୁଥିଲା ।

 

ରାଜବାଳାଙ୍କ ରୂପରେ ଅଗ୍ନିର ଝଲକ ମିଶିଥିଲା । ସେହି ରୂପାଗ୍ନିରେ ଝାସ ଦେବାକୁ ରୂପମୁଗ୍‌ଧ, ଅସ୍ଥିର ଯୁବକ-ପତଙ୍ଗକୁଳ ଅବାଧ୍ୟ ହୋଇ ଉଠୁଥିଲେ ।

 

ଏମିତି ସୁଯୋଗ ଜୀବନରେ ସବୁଦିନ ସକାଶେ ଘଟେ ନାହିଁ । ସେଇଥିପାଇଁ ସ୍ୱତନ୍ତ୍ର ସମୟ ରହିଛି, ସ୍ୱତନ୍ତ୍ର ସୁବିଧା ରହିଛି । ସେ ସମୟ ଓ ସୁବିଧା ଭିତରେ ଅଯାଚିତ ଭାବରେ ମାନ ସମ୍ମାନ ପାଖକୁ ଆସେ । ଲୋକେ ଆଖି ବୁଜି ପ୍ରଶଂସା କରନ୍ତି । ପ୍ରତ୍ୟେକଟି ଗୁଣ, ଦୁର୍ଗୁଣ ସୁଗୁଣ ରୂପରେ ପ୍ରତିଭାତ ହୁଏ । ସେ ସୁଯୋଗ ସବୁଦିନକୁ ରହେ ନାହିଁ । ଯୌବନ ମଉଳିବା ସଙ୍ଗେ ସଙ୍ଗେ ସେ ପ୍ରଶଂସା ମଉଳିବାକୁ ବସେ ।

 

ନାରୀ ଜନମଟା କି ଅସହାୟ ସତରେ !

 

ସବୁଥାଇ ବି’ କିଛି ନାହିଁ । ଏଇନେ ସତ, ଆର ଘଡ଼ିକି ମିଛ । ଜୀବନ ସ୍ରୋତରୁ ଯୌବନର ଜଳ ଚାହୁଁ ଚାହୁଁ ନିଃଶେଷ ହୋଇଯାଏ । ତେଣିକି ସବୁ ଶୁଷ୍କ, ସବୁ ନିଥର । ଶୁଷ୍କ ବାଲୁକା ପ୍ରାନ୍ତରରେ ଆଉ କେବେ କି ନୌକା ଚାଲେ ? ଖାଲି ଭୂଇଁରେ କି କେବେ ମାଛ ମରେ ? ଶୁଷ୍କସ୍ରୋତ ଦେହରୁ କଳଗୁଞ୍ଜନ ଆଉ ଶୁଭେ ନାହିଁ । ଜନମାନବର ଜୀବନ ଭରା ଆଳାପ ଆଲୋଚନାରେ ସ୍ରୋତ-ତୁଠ ସରସ ହୋଇ ଉଠେ ନାହିଁ । ମୌସୁମୀର ବିହ୍ୱଳତା ବସନ୍ତର ମାଦକତା ତା’ ପାଇଁ ଜ୍ୟୋତିହୀନ, ଅକାରଣ ।

 

ଏ ଦେହରେ ଦିନେ କଣ ନ ଥିଲା ? ବର୍ଣ୍ଣୋଜ୍ଜ୍ୱଳ ମାଂସ, ଲୋଭନୀୟ ରକ୍ତର ସମୁଦାୟ ଶରୀରଟା ଉଷ୍ଣ, ପ୍ଳାବିତ ହୋଇ ଉଠୁଥିଲେ । ବିନା କାରଣରେ ହସିବାକୁ, ବିନା କାରଣରେ ଗାଇବାକୁ ମନ ହେଉଥିଲା । ଲାଗୁଥିଲା, ଜୀବନଟା ହସ ଓ ଗୀତରେ ଭରା । ଫୁଲର ସୌରଭ ପରି ଜୀବନରେ ପ୍ରତି ଅଂଶରେ ସେ ବିକଶିତ । ଯେତେ ଗାଇଲେ ସରିଯାଏ ନି । ଯେତେ ହସିଲେ, ଖାଲି ପଡ଼େନି । ସେ ପାତ୍ରରେ ଅଦୃଷ୍ଟ ଅକ୍ଷୟ-ଝର ଖଞ୍ଜି ଦେଇଛି ।

 

ରାଜବାଳା ସେ ଦିନ ସବୁକଥା ଗୋଟି ଗୋଟି କରି ମନେ ପକାଇବାକୁ ଇଚ୍ଛା କଲେ ।

 

ଏ ଇଚ୍ଛା ଆଜି ନୂଆ ନୁହେ । ସ୍କୁଲ ଛୁଟି ଥିଲେ, ବାହାରେ କୌଣସି କାମ ନ ଥିଲେ, ସେ ବରାବର ଏମିତି ଭାବି ବସନ୍ତି । ତାଙ୍କ ଭାବନାଭରା ମୁହଁକୁ ଚାହିଁଲେ ରାଜେନ୍ଦ୍ରଙ୍କ ମନ ଭିତରେ ଆଲୋଡ଼ନ ସୃଷ୍ଟି ହୁଏ । ନିଜକୁ ନିଜେ ପଚାରି ହୁଅନ୍ତି; କାହିଁକି ସେ ଅଧାଜୀବନରେ ରାଜବାଳାଙ୍କୁ ଆପଣା କରି ରଖିବାର ଇଚ୍ଛା ପୋଷଣ କଲେ ? ସେ କଣ ସାଂସାରିକ ବନ୍ଧନର ସୁଖ ଦୁଃଖ ଜାଣି ନ ଥିଲେ ନାଁ ରଙ୍ଗବେରଙ୍ଗ କଳ୍ପନାର ସ୍ୱାଦ ଚାଖି ନ ଥିଲେ ? କାଳିନ୍ଦୀକୁ କୌଣସିମତେ କୂଳରେ ଲଗାଇ ଥିଲେ, ସଂସାରର ସବୁ ବନ୍ଧନ ତୁଟି ଯାଇଥାନ୍ତା । ତେଣିକି ସେ ସ୍ୱାଧୀନ ଭାବରେ ଅରଣ୍ୟର ଉଡ଼ା ଚଢେଇ ଭଳି ସୁନୀଳ ଆକାଶର ବିଭବକୁ ଅନୁଭବ କରିଥାନ୍ତେ । ବାଧା ବନ୍ଧନହୀନ ଜୀବନଟା ବେଶ୍‌ ଉପଭୋଗ୍ୟ ହୋଇ ଉଠିଥାନ୍ତେ । କାହିଁକି ଯେ ଏତେ ବଡ଼ ଭୁଲକରି ବସିଲେ ?

 

ରାଜବାଳାଙ୍କ ସମ୍ମୁଖରେ ଅପରାଧୀଟି ଭଳି ସେ ଦଣ୍ଡାୟମାନ ହୁଅନ୍ତି । ଏଣୁ ତେଣୁ ଗୁଡ଼ିଏ ପ୍ରଶ୍ନ ପଚାରି ତାଙ୍କ ଆହତମନକୁ ଅନ୍ୟମନସ୍କ କରାଇବାର ଅପଚେଷ୍ଟା କରନ୍ତି ।

 

ରାଜବାଳାଙ୍କ ମନ ଅଳ୍ପ ସମୟ ପାଇଁ ଅନ୍ୟମନସ୍କ ହୁଏ । କିନ୍ତୁ ରାଜେନ୍ଦ୍ରଙ୍କ ଅନୁପସ୍ଥିତିରେ ଯେଉଁ କଥାକୁ ସେହି କଥା ।

 

ସୌଭାଗ୍ୟକ୍ରମେ ସ୍ୱର୍ଣ୍ଣପ୍ରଭା ଆସି ପହଞ୍ଚି ଗଲେ, ରାଜବାଳା ଅତୀତର ଦାଉରୁ ଉଦ୍ଧାର ପାଇ ଯାଆନ୍ତି । ସତେ ଅବା ସ୍ୱର୍ଣ୍ଣପ୍ରଭାର ଆଗମନରେ ଅତୀତଟା ମରିଯାଇ ତା’ରି କବର ଉପରେ ଦେଖାଦିଏ, ଗୋଟିଏ ଆକର୍ଷଣୀୟ ଭବିଷ୍ୟତ ! ସେ ଭବିଷ୍ୟତଟା ରାଜବାଳାଙ୍କର ନିତାନ୍ତ ବ୍ୟକ୍ତିଗତ । କେତେ ସ୍ୱପ୍ନ, କେତେ ରୋମାଞ୍ଚକୁ ନେଇ ତା’ର ନ୍ୟହ ପଡ଼ିଛି । କେତେ ପୁଷ୍ପ, କେତେ ସୌରଭକୁ ନେଇ ତା’ର ଅଙ୍ଗ ସଜ୍ଜା ହୋଇଛି ।

 

ସ୍ୱର୍ଣ୍ଣପ୍ରଭାକୁ କେନ୍ଦ୍ରକରି ସେ ଭାବନାର ସାନ ବଡ଼ ବୃତ୍ତ ଅଙ୍କନ କରନ୍ତି । ପରିଧି ଭିତରେ ସଜାଇ ରଖନ୍ତି କାଳ୍ପନିକ ତଥ୍ୟଗୁଡ଼ିକ ।

 

ଏହି ସ୍ୱର୍ଣ୍ଣପ୍ରଭା ! ତାଙ୍କରି ରକ୍ତ, ତାଙ୍କର ମାଂସର ସୁବର୍ଣ୍ଣ ସ୍ୱାକ୍ଷର ନେଇ ତା’ର ଜନ୍ମ । ଏ ଜୀବନ, ଜୀବନର ରସାଳ ଯୌବନଟା; ସାମୟିକ ଓ ସଂକ୍ଷିପ୍ତ ହେଲେ ମଧ୍ୟ ସ୍ୱର୍ଣ୍ଣପ୍ରଭା ତାଙ୍କ ଜୀବନ ଯୌବନର ଏକମାତ୍ର ସତ୍ୟ । ସ୍ଥିତିବାନ୍‌ ଆକାଶର ସନ୍ଧ୍ୟାତାରା ପରି ସମୁଜ୍ଜ୍ୱଳ । ସେ ତାକୁ କଣ୍ଠଲଗ୍ନା କରି ଆନନ୍ଦାତିଶଯ୍ୟାରେ ବାରମ୍ବାର ଚୁମ୍ବନ କରନ୍ତି । ଦେହରେ ମୁହଁରେ ହାତ ବୋଳି ନିଜ ଅସ୍ତିତ୍ୱକୁ ଉପଲବ୍‌ଧି କରନ୍ତି । ସ୍ୱର୍ଣ୍ଣପ୍ରଭା ମନ ଆନନ୍ଦରେ ହସି ଉଠେ ।

 

ତା’ର ହସ ଦେଖି ରାଜବାଳାଙ୍କର ମନ କହେ. ଟିକିଝିଅ ସ୍ୱର୍ଣ୍ଣ ହସୁ ନାହିଁ ଯେ, ତାଙ୍କର ଅତୀତ ହସୁଛି, ତାଙ୍କର ଯୌବନ ହସୁଛି । ସଦ୍ୟ ପ୍ରସ୍ଫୁଟିତ, ରଙ୍ଗୀନ୍‌ ଗୋଲାପ ପାଖୁଡ଼ାର ହସପରି ସେ ଜୀବନ୍ତ ସତେଜ । କେତେ ନରମ, କେତେ ମୁଲୟମ୍‌ । ଉଷା ଲଗ୍ନର ସମସ୍ତ ରଙ୍ଗ, ବସନ୍ତର ସବୁ ପ୍ରଗଳ୍‌ଭତାକୁ ନେଇ ସେ ଆତ୍ମ ପ୍ରକାଶ କରେ । ରାଜବାଳା ତାକୁ ନିବିଡ଼ ଆଶ୍ଳେଷରେ ବନ୍ଦନୀ କରି ମନକୁ ମନ କହି ହୁଅନ୍ତି, ‘‘ତୁ ମୋର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ । ତୁ ଥିଲା ଯାଏ, ମୋର ସବୁ ଅଛି । ତୋର ମୁହଁ ଦେଖି ମୋ ଜୀବନର ବିପଦ ଆପଦକୁ ଅନାୟାସରେ ଅତିକ୍ରମ କରିବି । ମୋ ଜୀବନର ଅଭାବ ଅଛି ବୋଲି କାହାକୁ କିଛି କହିବି ନାହିଁ ।’’

 

ସ୍ୱର୍ଣ୍ଣପ୍ରଭା ତା’ର ସ୍ୱଭାବ ସୁଲଭ ଚପଳତା ନେଇ ଏଣୁ ତେଣୁ ପ୍ରଶ୍ନ କରେ । କେତେଟା ବାସ୍ତବ, କେତେଟା ଅବାସ୍ତବ । ରାଜବାଳା ସାଧ୍ୟମତେ ପ୍ରତ୍ୟେକଟିର ଉତ୍ତର ଦେଇ ସ୍ୱର୍ଣ୍ଣପ୍ରଭାକୁ ସନ୍ତୁଷ୍ଟ କରିବାକୁ ଚାହାନ୍ତି । ହସ ଲାଗୁ ନ ଥିଲେ ବି ତା’ କଣ୍ଠରେ କଣ୍ଠ ମିଶାଇ ହସନ୍ତି ।

 

କାଳିନ୍ଦୀ ଆସେ, ଡରି ଡରି-ଥରି ଥରି ।

 

ରାଜେନ୍ଦ୍ର କାଳିନ୍ଦୀକୁ କହିଥିଲେ, ତୋର ନୂଆ ମା’ ଆସିଲେ, ତୋତେ ଖୁବ୍‌ ଆଦର କରିବ । ତୋ ସଙ୍ଗରେ ଖେଳିବ, ହସିବ; ପୁଣି ନୂଆ ନୂଆ କାହାଣୀ ଶୁଣାଇବ । ଦେଖିବୁ ନାହିଁକି ?

 

ମୋ ନୂଆ ମା’ ମୋତେ ଆଦର କରିବ, ବାପା ? ସେ କଣ ଖୁବ୍‌ ଭଲ ମା’ଟିଏ ? ଆଗର ମା’ ପରି ମୋତେ ଖୁଆଇ ଦେବ, ଶୁଆଇ ଦେବ ?

 

ହଁ ରେ କାଳିନ୍ଦୀ । ତୋତେ ସେ ବହୁତ ଆଦର କରିବ । ମୋଠୁ ବଳି ଅଧିକ ଆଦର କରିବ ।

 

ମୁଁ ତାକୁ କଣ ବୋଲି ଡାକିବି ବାପା ? କଣ ‘ନୂଆ ମା’ ବୋଲି ? କାଳିନ୍ଦୀ ଉତ୍ସାହିତ ହୋଇ ପଚାରି ଥିଲା । ‘ନୂଆ ମା’ କାହିଁକି, ଖାଲି, ମା’ ବୋଲି ଡାକିବୁ । ରାଜେନ୍ଦ୍ର ଉପଦେଶ ଦେଇଥିଲେ ।

 

କାଳିନ୍ଦୀ ନୂତନ ମାଆର ଆଗମନକୁ ଉତ୍ସାହ ସହକାରେ ଅପେକ୍ଷା କରିଥିଲା । ଶୋଇଲା, ବସିଲା ବେଳେ ଖାଲି ଦିନ ଗଣୁଥିଲା । ନୂଆ ମା’ ଆଗରେ କଣ କରିବ, କଣ କହିବ, ସେଥିପାଇଁ ମନେ ମନେ ଏକ ଯୋଜନା ସ୍ଥିର କରିଥିଲା । ଛପି ଛପି ଯାଇ ନୂଆ ମା’ର ଆଖି ବନ୍ଦ କରି କେମିତି ଚମକାଇ ଦେବ, କବାଟ ସନ୍ଧିରେ ଛିଡ଼ା ହୋଇ କେମିତି କାହାକୁ କିଛି କହିବ ନାହିଁ, ପୁଣି ଖୋଜି ଖୋଜି ହତାଶ ହେଲେ ବଟ୍‌କିନା କବାଟ ସନ୍ଧିରୁ ବାହାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ, ସେଇ କଥା ବି ଠିକ୍‌ କରିଥିଲା ।

 

ନୂଆ ମା’ର କଥା ବହାର ପାଁଜଣକ ଆଗରେ ପ୍ରକାଶ କଲାବେଳେ, ବୟସ୍କ ଲୋକ କିଏ ତା’ ନୂଆ ମା’ କଥା ପଚାରିବା ପୂର୍ବରୁ ସେହି ସଂକ୍ରାନ୍ତରେ ଉପରେପଡ଼ି ଖବର ଦେଲାବେଳେ ସେ ଖୁବ୍‌ ଆନନ୍ଦ ଅନୁଭବ କରୁଥିଲା ।

 

ତାର ଧାରଣା ହେଲା ଜୀବନର ବଡ଼ ଧରଣର ଅଭାବଟିଏ ପୂରଣ ହେବାକୁ ଯାଉଛି । ସାଥି ସାଙ୍ଗ ସମସ୍ତଙ୍କର ମା’ ଅଛି । ସମସ୍ତେ ସେମାନଙ୍କ ମା’ମାନଙ୍କ ସମ୍ବନ୍ଧରେ ସୁନ୍ଦର ସୁନ୍ଦର କଥା କହୁଛନ୍ତି । ଅଥଚ ତାରି କେବଳ ଦୁନିଆରେ ମା’ ନାହିଁ । ମା’ ସମ୍ବନ୍ଧରେ ସମସ୍ତେ ଏକତ୍ରିତ ହୋଇ ଆଲୋଚନା କଲାବେଳେ ସେ ନୀରବ ହୋଇ ଶୁଣୁଥିଲା । ଖରାପ ଲାଗିଲେ ମନକୁ ମନ କାନ୍ଦି କାନ୍ଦିକା ଘରକୁ ଫେରି ଆସୁଥିଲା । ରାଜେନ୍ଦ୍ରବାବୁଙ୍କ ଆଗରେ ଅଭିଯୋଗ କରି କହୁଥିଲା, ତାର ମା’ଟିଏ ଆବଶ୍ୟକ । ଯେମିତି ହେଲେ ତାକୁ ତା’ ମା’ ଦେବାକୁ ହେବ । ସେତେବେଳେ ମା’ ସମ୍ବନ୍ଧରେ କେହି କିଛି ପଚାରିଲେ, ସେ ନିଜର ବାପା ବିଷୟରେ ଖାଲି କହୁଥିଲା ।

 

କିନ୍ତୁ ଛୋଟ ଛୋଟ ପିଲାଙ୍କ ପାଇଁ ବାପାର ଆକର୍ଷଣ ଅପେକ୍ଷା ମାଆର ଆକର୍ଷଣଟା ଅଧିକ । ସେମାନେ ନିଜ ଅଲକ୍ଷ୍ୟରେ ନିଜ ମା’ କଥା ଭାବି ମୋହିତ ହୋଇ ଉଠନ୍ତି । ମାଆର ମାଡ଼, ଗାଳି କିଛି ହେଲେ ମନେ ପଡ଼େନାଁ । ଖାଲି ମନେ ପଡ଼େ, ନିଜ ମାଆର ଆଦର, ସୁହାଗ ବୋଳା ଡାକ ।

 

କାଳିନ୍ଦୀ ସ୍ଥିର କଲା, ନୂଆ ମା’ ଆସିଲେ ସେ ତାରି କଥା ପ୍ରଚାର କରି ବୁଲିବ । ସମସ୍ତଙ୍କ ମେଳରେ ସେ ମଧ୍ୟ ଅନେକ ନୂଆ କଥା କହିବ । ସେତିକିବେଳେ ସାଙ୍ଗ ସାଥିମାନେ ତା’ କଥା ନ ଶୁଣି ଆଉ ଯିବେ କୁଆଡ଼େ ?

 

ରାଜବାଳା ତା’ ପ୍ରତୀକ୍ଷାକୁ ସାର୍ଥକ କରି ନୂଆ ଘରେ ପାଦ ପକାଇଲେ ।

 

କିନ୍ତୁ କାଳିନ୍ଦୀର ଆଶା ପୂରଣ ହେଲା ନାହିଁ । ଏତେ ଦିନର ଆଶା, ଆକାଙ୍‌କ୍ଷା ନିମିଷକ ଭିତରେ ପାଣି ଫୋଟକାପରି ମିଳାଇଗଲା । କାଳିନ୍ଦୀ ନୂଆ ମା’ ପାଇଲା ସତ, ନୂଆ ମା’ର ଆଦର, ସୁହାଗ ପାଇଲା ନାହିଁ ।

 

ରାଜବାଳା ପ୍ରଥମେ ପ୍ରଥମେ କାଳିନ୍ଦୀକୁ ସନ୍ତୁଷ୍ଟ ରଖିବାକୁ ଚାହିଁଲେ । କିନ୍ତୁ ତାଙ୍କ ବ୍ୟବହାରରେ କେଉଁଠି ଫାଙ୍କ ଥିଲା କେଜାଣି, କାଳିନ୍ଦୀ ତାଙ୍କୁ ଆନ୍ତରିକ ଭାବରେ ଗ୍ରହଣ କରି ପାରିଲା ନାହିଁ । ତାଙ୍କ ସ୍ନେହକୁ ସେ ସନ୍ଦେହ କରୁଥିବାର ମନେ ହେଲା ।

 

ରାଜବାଳାଙ୍କର ମନ ଫାଟିଗଲା । ଏଭଳି ବକଟେ ପିଲାହୋଇ ସେ ପୁଣି ଅବାଧ୍ୟ ହେବ-? ତାଙ୍କ ଆଦର, ସୁହାଗର ମୂଲ୍ୟ ଦେବ ନାହିଁ ?

 

ଏଇକଥା କହି ରାଜେନ୍ଦ୍ର ବାବୁଙ୍କ ଆଗରେ ଦିନେ ଫେରାଦ ବାଢ଼ିଲେ । ଭାବିଥିଲେ ରାଜେନ୍ଦ୍ର ତାଙ୍କୁ ସମର୍ଥନ କରିବେ । କିନ୍ତୁ କି ଅଦ୍ଭୁତ ମଣିଷ ରାଜେନ୍ଦ୍ର । ଛୋଟ ବାଳିକାଟିଏପରି ପାଖରେ ବସାଇ ବୁଝାଇଲେ, ତୁମେ ବ୍ୟସ୍ତ ହୁଅନ୍ତି ରାଜବାଳା । ମା’ ଛେଉଣ୍ଡ ପିଲାଟା । ସେଥିପାଇଁ ତାର ଅଧିକ ଅଭିମାନ । ମନ ମାନିନି ବୋଲି ଏମିତି ହେଉଛି । ଦିନ କେଇଟା ପରେ କଣ ବଦଳି ଯିବନି ? ତାକୁ ଆହୁରି ସ୍ନେହକର, ଆପଣାର କର । ଦେଖିବ, ସେ ନିଜକୁ ନିଜେ ଭୁଲିଯିବ ।

 

ରାଜବାଳା ବୁଝିଲେ, ରାଜେନ୍ଦ୍ର ଛୋଟପୁଅ କାଳିନ୍ଦୀର ପକ୍ଷ ସମର୍ଥନ କରୁଛନ୍ତି ।

 

ମନ ତାଙ୍କର ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଗଲା । ସେ ଆଉ ଯୋଡ଼ି ହେଲାନି କି ପ୍ରସ୍ତୁତ କରି ହେଲା ନାହିଁ । ସେହି ଦିନଠୁ ସେ କାଳିନ୍ଦୀକୁ ସ୍ନେହ କରିବା ଛାଡ଼ିଦେଲେ ।

 

କାଳିନ୍ଦୀ ରାଜବାଳାଙ୍କ ସାମନାରେ ଭରସି ଛିଡ଼ା ହେଲାନାହିଁ । ନୂଆମା’କୁ ଚମକାଇ ଦେବା, ନୂଆମା ଆଗରେ ବାହାଦୂରୀ ନେବା କଳ୍ପନା କଳ୍ପନାରେହିଁ ରହିଗଲା ।

 

ରାଜବାଳାଙ୍କର ଆଜି ସବୁ କଥା ମନେ ପଡ଼ୁଛି ।

 

କାଲି ହୁଏତ କାଳିନ୍ଦୀ ବଡ଼ ହେଲେ କହିବ, ତୁ ମୋର କେହି ନୋହୁ । କାହିଁକି ଏ ଘରେ ରହିଛୁ ?

 

ରାଜବାଳା ସତରେ କାନ୍ଦି ପକାଇଲେ । କିନ୍ତୁ ସ୍ୱର୍ଣ୍ଣପ୍ରଭାର କଣ୍ଠଶୁଣି ଆଖିରୁ ଲୁହ ପୋଛି, ମନକୁ ମନ କହିହେଲେ, କିଛି ଗୋଟା କିନରା ବାହାର କରିବାକୁ ହେବ ।

 

କିନାରା ।

 

ସେ ଏକ ବହୁ ଆକାଙ୍‌କ୍ଷିତ ସାଙ୍କେତିକ ଶବ୍ଦ; ଯାହାକୁ ଲାଭ କରିବାକୁ ହେଲେ ଅନେକ ସମସ୍ୟାର ସମାଧାନ ଆବଶ୍ୟକ ହୋଇ ପଡ଼ିବ ।

 

ସ୍ୱର୍ଣ୍ଣପ୍ରଭାର ବାହାଘର କରିବାକୁ ହେବ । ତା’ପାଇଁ ସୁଯୋଗ୍ୟ ବରପାତ୍ରଟିଏ ଖୋଜି ବାହାର କରିବାକୁ ପଡ଼ିବ । ହୁଏତ ସ୍ୱର୍ଣ୍ଣପ୍ରଭା ପରି ଝିଅପାଇଁ ବରପାତ୍ରର ଅଭାବ ପଡ଼ିବନାହିଁ । ବଧୂହେବା ସକାଶେ ଯେତିକି ଗୁଣ ଆବଶ୍ୟକ ସ୍ୱର୍ଣ୍ଣ ସବୁତକ ହାସଲ କରିଛି ।

 

ସ୍ୱର୍ଣ୍ଣର ଦେହରେ ସୁନା ରଙ୍ଗ ଝଲସି ଉଠେ । ଆଖି ଦୁଇଟିରେ କେତେ ସ୍ୱପ୍ନ । କେତେ ସିତ୍କାର । ତାର ଧୀର ନମ୍ର କଥା ଭାଷାରେ ହୃଦୟ ଉଲ୍ଲସିତ ହୋଇଯାଏ । ଏଭଳି ଝିଅକୁ ବୋହୁ କରିବାକୁ ସମସ୍ତେ ଲୋଭେଇ ଯିବେ ।

 

କିନ୍ତୁ.....

 

ରାଜବାଳା ଅଟକ ଯାଆନ୍ତି । ଯେମିତି କଥା ଆଗରେ ବିରାଟ ବିପଦଟିଏ...ତାକୁ ଲଘଂନ କରି ଆଗେଇଯିବା ଏକାନ୍ତ ଅସମ୍ଭବ ।

 

ନା,ନା....ଯୁଗ ବଦଳୁଛି । ଆଗର ପୃଥିବୀ ଆଉ ନାହିଁ । କେତେ ଅସମ୍ଭବ ସମ୍ଭବ ହେଲାଣି । କାଲି ଯାହା ଅବିଶ୍ୱାସ ଲାଗୁଥିଲା, ଆଜି ତା ଆଖି ଆଗରେ ସତକୁସତ ଘଟି ଯାଉଛି । ପୃଥିବୀର ମଣିଷ, ଚନ୍ଦ୍ରଲୋକକୁ ଯାତ୍ରା କରୁଛି । ଏଇ ଅବସରରେ, ମଣିଷ, ମଣିଷ ମଣିଷ ମଧ୍ୟରେ ଧର୍ମଗତ ବିଭେଦ କଣ ପାଚେରୀ ଠିଆ କରି ପାରିବ ?

 

ରାଜବାଳା ଯୌବନର ପ୍ରାକ୍‌କାଳରେ ହିନ୍ଦୁଥିଲେ । କରଣ ଘରର ସବୁ ନିଷ୍ଠା, ସବୁ ଆଚାରକୁ ମାନି ଚଳୁଥିଲେ । କିନ୍ତୁ ଦିନେ ତାଙ୍କୁ ନିଜ ପାଇଁ, ନିଜର ଭବିଷ୍ୟତ ପାଇଁ ହିନ୍ଦୁଧର୍ମ ପରିତ୍ୟାଗ କରିବାକୁ ପଡ଼ିଲା । ରାଜେନ୍ଦ୍ରଙ୍କୁ ସ୍ୱାମୀ ରୂପରେ ଗ୍ରହଣ କରିବା ପୂର୍ବରୁ ଖ୍ରୀଷ୍ଟୀଆନ୍‌ ହେଲେ ।

 

ଖ୍ରୀଷ୍ଟଧର୍ମ ଗ୍ରହଣ କରିବାର ଆଜିକୁ ଅନେକ ଦିନ ହୋଇ ଗଲାଣି । ସେ ସମୟରେ ମନ ଭିତରେ ଯେଉଁ ଚାଞ୍ଚଲ୍ୟ ଖେଳୁଥିଲା, ଦେହ ଭିତରେ ଯେଉଁ ଶିହରଣ ଖେଳୁଥିଲା, ସେ ଆଉ ନାହିଁ । ଆଜି ଲାଗୁଛି, ସତେ ଯେମିତି ତାହା ବହୁଦିନ ତଳେ ଘଟି ଯାଇଥିଲା । ସେ କଥା କଣ ଆଉ କେହି ମନେ ରଖିଥିବେ ?

 

କେହି ମନେ ରଖନ୍ତୁ କି ନାହିଁ, ତାହାହିଁ ତାଙ୍କ ଜୀବନର ସର୍ବପ୍ରଧାନ ଘଟଣାମାନଙ୍କରୁ ଗୋଟିଏ ।

 

ରାଜେନ୍ଦ୍ର ବାବୁଙ୍କ ପାଇଁ ଛାତି ଭିତରଟା କାଉଳି ହୋଇ ଉଠୁଥିଲା ସେତେବେଳେ ।

 

ରାଜେନ୍ଦ୍ରବାବୁ ଜନ୍ମଭୂମି ତାଳଚେରର କୋଇଲା ଖଣି ଅଫିସର କୌଣସି ଏକ ସମ୍ମାନସ୍ପଦ ଚାକିରୀରେ ଯୋଗ ଦେଇଥାନ୍ତି । ଉପରିସ୍ଥ ଇଂରାଜ ଅଫିସର ତାଙ୍କ ସୁଦକ୍ଷ କାର୍ଯ୍ୟ ପାରିଚାଳନାରେ ସନ୍ତୁଷ୍ଟ ଥାନ୍ତି । ସମଗ୍ର ତାଳଚେର ସହରଟା ତାଙ୍କ ଗୁଣକୀର୍ତ୍ତନ କରୁଥାଏ ।

 

ରାଜେନ୍ଦ୍ରବାବୁ ଇଂରେଜୀ ଅଫିସରଙ୍କ ପ୍ରରୋଚନା କ୍ରମେ ହିନ୍ଦୁଧର୍ମ ପରିତ୍ୟାଗ କରି ଖ୍ରୀଷ୍ଟଧର୍ମରେ ଦୀକ୍ଷିତ ହୋଇଥାନ୍ତି । ତାଙ୍କ ଜୀବନରେ ଏହି ସାମାନ୍ୟ ବ୍ୟତିକ୍ରମ ବ୍ୟତୀତ ଆଉ କିଛି କଳଙ୍କ ଥିଲାପରି ଜଣା ଯାଉ ନ ଥାଏ ।

 

ଭାରତ ସେତେବେଳେ ପରାଧୀନ । ପରାଧୀନ ଭାରତରେ କେବଳ ରାଜେନ୍ଦ୍ର ବାବୁ ଯେ ଧର୍ମାନ୍ତର ଗ୍ରହଣ କରିଥିଲେ, ଏଭଳି ଭାବନା କରିବା ଅନାବଶ୍ୟକ । ଧର୍ମତ୍ୟାଗର ବିରାଟ ଦୁହା ଉଠିଥାଏ । ଖ୍ରୀଷ୍ଟଧର୍ମ ଗ୍ରହଣ କଲେ ଚାକିରୀର ଉନ୍ନତି ସଙ୍ଗେ ସଙ୍ଗେ ଭବିଷ୍ୟତର ନିରାପତ୍ତା ମଧ୍ୟ ସଂରକ୍ଷିତ ହୋଇ ପାରୁଥାଏ । ଖ୍ରୀଷ୍ଟଧର୍ମ ଗ୍ରହଣ ପରେ ଅପେକ୍ଷାକୃତ ଅଶିକ୍ଷିତ ଓ ଅନୁନ୍ନତ ସମ୍ପ୍ରଦାୟର ସ୍ତ୍ରୀ ପୁରୁଷ ଗର୍ବରେ ବାଟ ଚାଲୁ ଥାନ୍ତି । ବିଭିନ୍ନ ପଦପଦବୀରେ ଆସୀନ ହୋଇ ଦେଶ ଓ ସମାଜକୁ ପ୍ରତ୍ୟକ୍ଷ ଭାବରେ ନିୟନ୍ତ୍ରଣ କରୁଥାନ୍ତି ।

 

କୌଣସି ଏକ ଦୁର୍ବଳ ମୁହୂର୍ତ୍ତରେ, ଇଂରେଜ ଅଫିସରଙ୍କ କୁମନ୍ତ୍ରଣାରେ ପଡ଼ି, ତଥାକଥିତ ଖ୍ରୀଷ୍ଟଧର୍ମ ପ୍ରଚାରକଙ୍କ ମୂଲ୍ୟହୀନ ପ୍ରଭାବରେ ପ୍ରଭାବିତ ହୋଇ, ରାଜେନ୍ଦ୍ର ଦିନେ ହିନ୍ଦୁଧର୍ମକୁ ପରିତ୍ୟାଗ କରିଥିଲେ । ସେଇଥିପାଇଁ ବିଶେଷ କିଛି ଆୟୋଜନ କରିବାକୁ ପଡ଼ି ନ ଥିଲା । ସେମିତି କିଛି ଆଡ଼ମ୍ବର ବି’ ପ୍ରକାଶ ପାଇଲା ନାହିଁ । ଧର୍ମଯାଜକଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଉପାସନା ମନ୍ଦିରରେ ଉପସ୍ଥିତ ହୋଇ ‘ନୂତନ’ ପରେ ସେ ହଠାତ୍‌ ଖ୍ରୀଷ୍ଟିଆନ୍‌ ହୋଇଗଲେ । ସମବେତ ନରନାରୀଙ୍କ ସଙ୍ଗରେ ସେ ବି’ ବାଇବେଲ ପଢ଼ିଲେ ଓ ଯୀଶୁଙ୍କର ଉପଦେଶାମୃତ ପାନ କଲେ ।

 

ଏତେ ଦିନର ସଂସ୍କୃତି ଓ ସାଧନା, ନିମିଷକ ମଧ୍ୟରେ ନାରଖାର ହୋଇଗଲା । କିନ୍ତୁ ଏତେବଡ଼ ବିଷୟ ପାଇଁ ମାତ୍ର ଗୋଟିଏ ଦିନର ଆୟୋଜନ ଯଥେଷ୍ଟ ମନେ ହେଲା ।

 

ଦେଉଳ ତୋଳିବାକୁ ଯେତେ ପରିଶ୍ରମ, ଯେତେ ଅର୍ଥ ବିନିଯୋଗ ଆବଶ୍ୟକ ହୁଏ, ଦେଉଳ ଭାଙ୍ଗିବାକୁ କଣ ସେତିକି ପରିଶ୍ରମ ଓ ଅର୍ଥ ବିନିଯୋଗ ଆବଶ୍ୟକ ପଡ଼ିଥାଏ ?

 

ଖ୍ରୀଷ୍ଟଧର୍ମ ଗ୍ରହଣ ପରେ ପରେ, ରାଜେନ୍ଦ୍ର ନିଜ ଭିତରେ ବିରାଟ ପରିବର୍ତ୍ତନ ହୋଇଥିବା ଉପଲବ୍‌ଧି କଲେ । ତାଙ୍କ ମନ ଓ ମସ୍ତିଷ୍କ ଖାଲି, ଖାଲି ମନେ ହେଲା । ସତେ ଅବା ନିଜର ବିରାଟ ନିଜିଷଟିଏ ହଜାଇ ଦେଇଛନ୍ତି । ସେ ଜିନିଷ ଖୋଜି ପାଇବାର ଆଉ ସମ୍ଭାବନା ନାହିଁ ।

 

ରାଜେନ୍ଦ୍ର ରବିବାର ଦିନ ସ୍ଥାନୀୟ ଉପାସନା ମନ୍ଦିରରେ ଅନୁପସ୍ଥିତ ରହିଲେ । ଅଫିସ ଛୁଟି ନେଇ ସେ ବାରମ୍ବାର କବାଟ କିଳି ଭାବିବାକୁ ଲାଗିଲେ । ତାଙ୍କର ମନେ ହେଲା, ସୁନ୍ଦର ପୃଥିବୀ ପୃଷ୍ଠରେ ବିରାଟ ପରିବର୍ତ୍ତନ ହୋଇଛି । ପ୍ରଳୟମୁଖୀ ବାତ୍ୟା ବୋହି ପୃଥିବୀର ଘରେ, ଘରେ-ପୁରେ, ପୁରେ ସୁସଜ୍ଜିତ ଜୀବନ ପ୍ରବାହକୁ ଓଲଟ ପାଲଟ କରି ପକାଇଛି । ଅସଜଡ଼ା ପୃଥିବୀଟା କ୍ଳାନ୍ତି ଓ ବିଷାଦରେ ନୈରାଶ୍ୟର ହାଇ ମାରୁଛି ।

 

ସଦା ପ୍ରସନ୍ନ ହସ ହସ ରାଜେନ୍ଦ୍ର ଆଉ ସୁସ୍ଥ ଭାବରେ ହସି ପାରିଲେ ନାହିଁ । ଚାଲିଲାବେଳେ ମନେ ହେଲା, ପାଦ ତଳର ଧରଣୀ ଦବି ଦବି ଯାଉଛି । ଅକସ୍ମାତ୍‌ ହୁଏତ ସେ ଏକ ଭୀଷଣକାୟ ଗର୍ତ୍ତ ଭିତରେ ନିପତିତ ହେବେ । ସେଇଠି ଆଲୋକ, ଆନନ୍ଦ କିଛି ନ ଥିବ । ମରଣର ଭୀତିବହୁଳ ପ୍ରତିମୂର୍ତ୍ତି ବାଟ ଓଗାଳି ଖାଇବାକୁ ଗୋଡ଼ାଇବ ।

ସେ ସର୍ବଦା ଭୀତତ୍ରସ୍ତ ହେଲେ । ତାଙ୍କୁ ଲାଗିଲା, ଜୀବନରେ ଆଉ କିଛି ଆକର୍ଷଣ ନାହିଁ-। କେଉଁ ମୁହୂର୍ତ୍ତରେ ସେ ଯେ ମୃତ୍ୟୁ ବରଣ କରିବେ, ତାର କିଛି ଇୟତ୍ତା ନାହିଁ ।

ରାଜେନ୍ଦ୍ରଙ୍କ ପାଇଁ ଫୁଲର ସୌରଭ ବିଲୁପ୍ତ ହେଲା । ଚନ୍ଦ୍ର ଚକିତ ରଜନୀରେ ସେ ଜ୍ୟୋତ୍ସ୍ନାର ଶୀତଳତାକୁ ଉପଲବଧି କରି ପାରିଲେ ନାହିଁ । ଚତୁର୍ଦ୍ଦିଗ ତାଙ୍କୁ ଅନ୍ଧକାର ଦେଖାଗଲା । ମନେ ହେଲା, ଏ ପୃଥିବୀଟା ରୂପହୀନ, ରଙ୍ଗହୀନ, ଜୀବନ ଶୂନ୍ୟ ବିରାଟ ମରୁପ୍ରାନ୍ତର ।

ଉପାସନା ମନ୍ଦିରରେ ରାଜେନ୍ଦ୍ରଙ୍କ ଅନୁପସ୍ଥିତି ସୂସ୍ପଷ୍ଟ ଭାବରେ ଅନୁଭୂତ ହେଲା । ନିଜେ ଧର୍ମଯାଜକ ତାଙ୍କ ସମ୍ବନ୍ଧରେ ବାରମ୍ବାର ପ୍ରଶ୍ନ କଲେ ।

କଣ ହୋଇ ପାରେ କାରଣଟା ? ରେଜେନ୍ଦ୍ରବାବୁ ଜୀବନ ପ୍ରତି ବିମୁଖ କାହିଁକି ? ଆନନ୍ଦ ଉପଭୋଗ ପାଇଁ ଉଦାସ କାହିଁକି ? ହସ ଓ ଆମୋଦର ଆୟୋଜନ ଭିତରେ ତାଙ୍କର ଦେଖା ସାକ୍ଷାତ ନାହିଁ । ଏଭଳିକି ରବିବାରର ଉପାସନା ସ୍ଥଳୀକୁ ସେ ଭୁଲି ଯାଇଛନ୍ତି ।

ରବିବାରର କାର୍ଯ୍ୟ ନିର୍ଘଣ୍ଟହିଁ ତାଳଚେର ଖ୍ରୀଷ୍ଟଧର୍ମାଲମ୍ବୀମାନଙ୍କ ଜୀବନର ଏକମାତ୍ର ଆକର୍ଷଣ । ପ୍ରତ୍ୟେକ ଯୁବତୀ ରବିବାର ସକାଳକୁ କେତେ ଉତ୍କଣ୍ଠା ଭିତରେ ଅପେକ୍ଷା କରିଥାନ୍ତି । ଉପାସନା ସଙ୍ଗେ ସଙ୍ଗେ, ଆତ୍ମୀୟସ୍ୱଜନଙ୍କ ସଙ୍ଗେ ସାକ୍ଷାତ ହୁଏ । ପ୍ରେମିକ ପ୍ରେମିକାଙ୍କ ମିଳନ ସମ୍ପାଦିତ ହୁଏ ସମସ୍ତଙ୍କ ଆଗୋଚରରେ । ପ୍ରେମିକ ତା’ ପ୍ରେମିକକୁ ବିମୁଗ୍‌ଧ କରିବା ସକାଶେ ଆକର୍ଷଣୀୟ ପୋଷାକରେ ମଣ୍ଡିତା ହୋଇଥାଏ । ପ୍ରେମିକ ମଧ୍ୟ ନୂତନ ପୋଷାକ ଭିତରେ ନିଜର କୃତୀତ୍ୱ ଓ ବ୍ୟକ୍ତିତ୍ୱକୁ ପରିଚୟ ଦେବା ସକାଶେ ସଚେଷ୍ଟ ଥାଏ । ଅଥଚ କେହି କାହରିର ଅନ୍ତର୍ନିହିତ ଘଟଣାକୁ ଅଧ୍ୟୟନ ବା ଅବିଶ୍ୱାସ କରିପାରେନାଁ । ଉପାସନା ମନ୍ଦିରକୁ ଗଲାବେଳେ, ନିଜକୁ ସୁନ୍ଦର ବେଶ ପୋଷାକରେ ସୁସଜ୍ଜିତ କରିବା ଦ୍ୱାରା ପ୍ରେମ ଓ ଆକର୍ଷଣ କଥା ବ୍ୟକ୍ତ ହୁଏନି । ବରଂ ତାହ ଉପାସନାର ମୂଳ ଲକ୍ଷ୍ୟକୁ ପୂରଣ କରିଥାଏ ।

ଉପାସନାର ଆଳ ଦେଖାଇ, ବୟସର ମଝି ପାହାଚରେ ପାଦ ଦେଇଥିବା ତରୁଣ ତରୁଣୀ, ନିଜକୁ ଖୋଲାଖୋଲି ଭାବରେ ବିଜ୍ଞାପିତ କରନ୍ତି । ସେମାନେ ନିଜନିଜର ସ୍ଥିରୀକୃତ ପାତ୍ର ବା ପାତ୍ରୀ ପାଖକୁ ଲାଗି ଆସି ସୌଖ୍ୟ କାମନା କରନ୍ତି । ପରିଚୟ ପରର ପରିଚ୍ଛେଦ ରସ-ମଞ୍ଜୁଳ-। ତା’ ଭିତରେ ଅସ୍ପଷ୍ଟ ଆହ୍ୱାନ, ଆବେଗ ଜଡ଼ିତ କଟାକ୍ଷର ଇତିହାସ ମିଶିଛି ।

ଧର୍ମାନ୍ତର ଗ୍ରହଣ କରିଥିବା ପୁରୁଷ ସ୍ତ୍ରୀଙ୍କ ଭିତରେ ତାହାହିଁ ହେଲା ସର୍ବଶ୍ରେଷ୍ଠ ଆକର୍ଷଣ-। ଖ୍ରୀଷ୍ଟଧର୍ମ ପ୍ରଚାରକର ମୂଲ୍ୟବାନ ଉପହାରଗୁଡ଼ିକ ସେମାନଙ୍କ ମନ୍ତ୍ର ଭିତରେ ଭୀଷଣ ପ୍ରତିକ୍ରିୟା ସୃଷ୍ଟିକରେ । ଆପାତତଃ ଆକର୍ଷଣୀୟ ଖ୍ରୀଷ୍ଟସମାଜକୁ ପ୍ରବେଶ କରିବାକୁ ସେମାନେ ଉତ୍ସାହୀ ହୋଇ ଉଠନ୍ତି ।

ଧର୍ମଯାଜକର ପ୍ରଦତ୍ତ ଉପହାରଗୁଡ଼ିକର ଆୟୁ କ୍ରମେ ଶେଷ ହୋଇଆସେ । ପୋଷାକ ପରିଚ୍ଛଦ ପିନ୍ଧି ପିନ୍ଧି ଜୀର୍ଣ୍ଣଶୀର୍ଣ୍ଣ ହୋଇପଡ଼େ । କିନ୍ତୁ ସେମାନେ ସବୁଦିନ ସକାଶେ ଧର୍ମତ୍ୟାଗୀ ହୋଇ ରହିଯାନ୍ତି ।

 

ରାଜେନ୍ଦ୍ର ବାବୁ ଖ୍ରୀଷ୍ଟଧର୍ମ ଗ୍ରହଣ କରିବାର ଏଇ କିଛି ସମୟ ଭିତରେ କଣ ଅନୁତାପ କରି ଦେବା ଆରମ୍ଭ କରିଦେଲେଣି ? ସମସ୍ତେ ମନେ ମନେ ଭାବି ହୁଅନ୍ତି ।

 

ଧର୍ମଯାଜକ କିନ୍ତୁ ବେଶ୍‌ ବୁଦ୍ଧିମାନ ।

 

ସୁଦୂର ବଙ୍ଗବାସିନୀ, ସୁଶ୍ରୀ ତୃପ୍ତିମିତ୍ରଙ୍କୁ ସେ ରାଜେନ୍ଦ୍ର ବାବୁଙ୍କର ଭଲମନ୍ଦ କଥା ପଚାରିବାକୁ ଦିନେ ପଠାଇ ଦିଅନ୍ତି ।

 

ତୃପ୍ତିମିତ୍ର ବେଶ୍‌ ବୁଦ୍ଧିମତୀ । ତାଙ୍କ ଶିକ୍ଷା, ତାଙ୍କୁ ତାଳଚେର୍‌ ସହରରେ ଏକତ୍ରିତ ହୋଇଥିବା ଅନ୍ୟାନ୍ୟ ଖ୍ରୀଷ୍ଟଧର୍ମାବଲମ୍ବୀ ଯୁବତୀ ସ୍ତ୍ରୀମାନଙ୍କ ଅପେକ୍ଷା ଅଧିକ ମାର୍ଜିତ କରିଛି ।

 

ସେ ଦିନେ ସମୟ ଦେଖି ରାଜେନ୍ଦ୍ର ବାବୁଙ୍କ ଦ୍ୱାରସ୍ଥ ହେଲେ ।

 

ଧର୍ମଯାଜକଙ୍କଦ୍ୱାରା ପ୍ରେରିତ ହୋଇ ଧର୍ମ ସଂକ୍ରାନ୍ତୀୟ କେତୋଟି ଆଳାପ ଆଲୋଚନା କରିବାକୁ ଆସିଥିବା ଶୁଣି, ରାଜେନ୍ଦ୍ର ବାବୁ ତୃପ୍ତିମିତ୍ରଙ୍କୁ ସାଦର ଅଭ୍ୟର୍ଥନା ଜ୍ଞାପନ କଲେ ।

 

ତୃପ୍ତିମିତ୍ର ଖୁବ୍‌ ସାବଧାନତା ସହକାରେ ରାଜେନ୍ଦ୍ରଙ୍କ ମନସ୍ତତ୍ତ୍ୱକୁ ବିଶ୍ଳେଷଣ କରିନେଲେ-

 

ରାଜେନ୍ଦ୍ର ସିଂହ ହିନ୍ଦୁଧର୍ମ ପରିତ୍ୟାଗ କରିବା ପରେ ଖୁବ୍‌ ଚିନ୍ତିତ ଥିଲେ । ତାଙ୍କର ମନେ ହେଉଥିଲା, ଏତେବଡ଼ ତାଳଚେର ସହରରେ ସେ ଖୁବ୍‌ ଏକାନ୍ତ । ସାନ୍ନିଧ୍ୟ, ସାହଚର୍ଯ୍ୟରୁ ସେ ବଞ୍ଚିତ ହୋଇଛନ୍ତି । ରକ୍ଷଣଶୀଳ ହିନ୍ଦୁ ଆତ୍ମୀୟ, ସ୍ୱଜନମାନେ ତାଙ୍କୁ ପରିତ୍ୟାଗ କରିଛନ୍ତି । ଏହି ଅଭାବନୀୟ ପରିସ୍ଥିତି ତାଙ୍କୁ ଦାରୁଣ ଆଘାତ ଦେଇଛି । କିନ୍ତୁ ଖ୍ରୀଷ୍ଟଧର୍ମ ଗ୍ରହଣ ପୂର୍ବରୁ ସେ ଏତେ କଥା କେବେ ଭାବି ନ ଥିଲେ ।

 

ତୃପ୍ତିମିତ୍ର କ୍ରମେ ରାଜେନ୍ଦ୍ରଙ୍କ ପରମ ବନ୍ଧୁ ହୋଇ ପଡ଼ିଲେ ।

 

ରାଜେନ୍ଦ୍ର ତୃପ୍ତି ମିତ୍ରଙ୍କ ପରି ଜଣେ ସୁଶିକ୍ଷିତା ଓ ରୂପସୀ ତରୁଣୀଙ୍କୁ ବନ୍ଧୁରୂପରେ ଲାଭକରି ପମର ଆପ୍ୟାୟିତ ହେଲେ ପୃଥିବୀଟା ତାଙ୍କୁ ଆଉ ନିଃସଙ୍ଗ ମନେ ହେଲାନାହିଁ ।

 

ରାଜେନ୍ଦ୍ର ତୃପ୍ତି ମିତ୍ରଙ୍କ ଅନୁରୋଧ ଏଡ଼ି ନ ପାରି ପ୍ରତି ରବିବାର ଦିନ ସ୍ଥାନୀୟ ଉପାସନା ମନ୍ଦିରରେ ଉପସ୍ଥିତ ରହିଲେ ।

 

ରାଜେନ୍ଦ୍ରଙ୍କ ଉପସ୍ଥିତି ସମବେତ ସ୍ତ୍ରୀ ପୁରୁଷଙ୍କ ଭିତରେ ଆନନ୍ଦ ଓ ଆଗ୍ରହ ସୌଖ୍ୟ ଲାଭ ସକାଶେ ତତ୍ପରା ହୋଇ ଉଠିଲେ । ସେମାନେ ତୃପ୍ତିମିତ୍ରଙ୍କ ସଙ୍ଗରେ ପ୍ରତିଯୋଗିତା ଆରମ୍ଭ କରିଦେଲେ ।

 

ତାଳଚେର ଇତିହାସରେ ଏକଥା ନୂତନ ନୁହେ । କୌଣସି ସୁନ୍ଦରୀ ତରୁଣୀଙ୍କ ପଛରେ ଅସଂଖ୍ୟ ଅବିବାହିତ ତରୁଣ ବା ସ୍ୱାସ୍ଥ୍ୟବାନ୍‌ ଯୁବକ ପାଇଁ ଖ୍ରୀଷ୍ଟ ସମାଜର ସମସ୍ତ ଅବିବାହିତା ଯୁବତୀ ପ୍ରଲୁବ୍‌ଧ ହୋଇ ଧାଇଁବାର ଅନେକଥର ଦେଖାଯାଇଛି । ଏହି ପ୍ରତିଯୋଗିତା ମନୋଭାବ କ୍ରମେ ସମଗ୍ର ତାଳଚେର ସହରର କାନରେ ପଡ଼େ । ସେମାନେ ଦଳ ହଳ ହୋଇ ସେ ଉତ୍ତେଜକ ଘଟଣାର ସୁବିସ୍ତୃତ ଆଲୋଚନା କରନ୍ତି ।

 

ରାଜେନ୍ଦ୍ରଙ୍କୁ ପାଇବାକୁ ଅନେକ ତରୁଣୀ ଲୋଭାନ୍ୱିତ ହେଲେ । କିନ୍ତୁ ତୃପ୍ତି ମିତ୍ରଙ୍କ ପରି କେହି ହେଲେ ତାଙ୍କୁ ଆକୃଷ୍ଟ କରି ପାରିଲେ ନାହିଁ ।

 

ତୃପ୍ତିମିତ୍ରଙ୍କୁ ବିଶେଷ କିଛି ପରିଶ୍ରମ କରିବାକୁ ପଡ଼ିଲା ନାହିଁ । ତାଙ୍କର ସ୍ୱଭାବ ସୁନ୍ଦର ପ୍ରକୃତି, ପ୍ରଶଂସନୀୟ ରୁଚି ଓ ସୁବିନ୍ୟସ୍ତ ନବ ଯୌବନ ରାଜେନ୍ଦ୍ରଙ୍କୁ ବିମୁଗ୍‌ଧ କରିଥିଲା । ସେ ଦିନେ ସୁବିଧା ଦେଖି ତୃପ୍ତିମିତ୍ରଙ୍କ ଆଗରେ ବିବାହ ପ୍ରସ୍ତାବ ଆଗତ କଲେ ।

 

ସେ କଥା ବି’ ଦିନେ ତାଳଚେରର ଖ୍ରୀଷ୍ଟିଆନ ଧର୍ମର ସ୍ତ୍ରୀ ପୁରୁଷଙ୍କ ଭିତରେ ଚାଞ୍ଚଲ୍ୟ ସୃଷ୍ଟି କଲା । ବିବାହର ବହୁ ପୂର୍ବରୁ ପାତ୍ର ପାତ୍ରୀଙ୍କୁ ସେମାନେ ଶୁଭେଚ୍ଛା ଜ୍ଞାପନ କରିବାକୁ ଲାଗିଲେ-

 

ତୃପ୍ତିମିତ୍ର ଓ ରାଜେନ୍ଦ୍ରଙ୍କ ବିବାହିତ, ମିଳିତ ସଂସାର ସୁରୁଖୁରୁରେ ବିତିଗଲା । ବିବାହର ମାତ୍ର ଗୋଟିଏ ବର୍ଷ ପରେ କାଳିନ୍ଦୀର ଜନ୍ମ । କାଳିନ୍ଦୀର ଜନ୍ମ ଓ ବିବାହର ବାର୍ଷିକ ଉତ୍ସବକୁ ସେମାନେ ମହା ଆଡ଼ମ୍ବର ସହକାରେ ପାଳନ କଲେ ।

 

ଦିନ ପଛକୁ ରାତି ପରି, ସୁଖ ପଛରେ ଦୁଃଖର ଦିନ ଗୋଡ଼ାଇ ଆସୁଥିଲା ।

 

କୌଣସି ଏକ ସଂକ୍ରାମକ ରୋଗଦ୍ୱାରା ଆକ୍ରାନ୍ତ ହୋଇ ଦିନେ ତୃପ୍ତିମିତ୍ର ଆର ପାରିକି ଚାଲିଗଲେ । କାଳିନ୍ଦୀ ଓ ରାଜେନ୍ଦ୍ର ଅସହାୟ ହୋଇ ପଡ଼ିଲେ । ହିନ୍ଦୁ ଧର୍ମରେ ଥିଲେ ଆତ୍ମୀୟ, ସ୍ୱଜନ ଆସି ରାଜେନ୍ଦ୍ରଙ୍କ ଦୁଃଖ ଦୁର୍ଦ୍ଦଶାକୁ ନିଜେ ମୁଣ୍ଡାଇ ନେଇଥାନ୍ତେ । ଖ୍ରୀଷ୍ଟାନ ହେବା ପରେ ସେ ଆଉ କୋଉ ମହତ ରଖିଛନ୍ତି ? ଅତି ଆପଣାର ବନ୍ଧୁ ମିତ୍ରଙ୍କୁ ଯଦି ସାଂସାରିକ ସ୍ୱଚ୍ଛଳତା ସକାଶେ ଭୁଲିଯାଇ ପାରିଲେ, ଏ ବିପତ୍ତିରେ ସେମାନେ ବା’ ସାହାଯ୍ୟ କରିବେ କାହିଁକି ?

 

ରାଜେନ୍ଦ୍ର ଅପେକ୍ଷା ଶିଶୁ କାଳିନ୍ଦୀର ଯେଉଁ ଅଭାବ ହେଲା, ତାହା ସହଜେ ମେଣ୍ଟିଲା ନାହିଁ ।

 

ସମୟର ଚକ ଗଡ଼ି ଚାଲେ । ସେ କାହାରି ସୁଖ ଦୁଃଖ କିମ୍ବା ଭଲ ମନ୍ଦକୁ ଅପେକ୍ଷା ରଖେ ନାହିଁ । ସେ ଭବିଷ୍ୟତକୁ ବର୍ତ୍ତମାନ କରି ସଦ୍ୟ ଘଟଣାବଳୀକୁ କେତେଶୀଘ୍ର ଅତୀତ କରି ପକାଏ ।

 

ରାଜେନ୍ଦ୍ର ଓ କାଳିନ୍ଦୀର ଦିନ ଅସରା ରହିଲା ନାହିଁ ।

 

ରାଜେନ୍ଦ୍ରଙ୍କ ଜୀବନ ପଥରେ ରାଜବାଳା ଆସି ଦେଖା ଦେଲେ । ସେ ଏକ ବିରାଟ କାହାଣୀ ।

 

ରାଜବାଳା ଦିନ କେଇଟା ଭିତରେ ଯେଉଁ ଧର୍ମ ଓ ଚଳନୀକୁ ଆପଣାର କରିନେଲେ, ସେ କଥା ସେ ସ୍ୱପ୍ନରେ ସୁଦ୍ଧା କେବେ ପରିକଳ୍ପନା କରି ନ ଥିଲେ ।

 

ରାଜେନ୍ଦ୍ରଙ୍କୁ ସ୍ୱାମୀ ରୂପରେ ଗ୍ରହଣ କରିବା ଦିନଠୁ ରାଜବାଳାଙ୍କର ହିନ୍ଦୁ ଧର୍ମ ଓ ସଂସ୍କୃତି ଉପରୁ ସବୁ ଅଧିକାର ତୁଟି ଯାଇଛି । ଏକ ବିଦେଶୀ ଧର୍ମରେ ଦୀକ୍ଷିତ ହେବା ପରେ ସ୍ୱଦେଶ ପୃଷ୍ଟ ହିନ୍ଦୁ ଧର୍ମ ବା’ ରାଜବାଳାଙ୍କୁ କେଉଁ ଉଦ୍ଦେଶ୍ୟରେ ସାହାଯ୍ୟ କରନ୍ତା ?

ରାଜବାଳା ରାଜେନ୍ଦ୍ରଙ୍କ ଘରକୁ ଏକା ଆସି ନ ଥିଲେ । ସେ ବଧୁ ଓ ମାତା ରୂପରେ ରାଜେନ୍ଦ୍ରଙ୍କ ଛୋଟ ସଂସାରର ନୂତନ ଅତିଥି ରୂପରେ ଯୋଗ ଦେଲେ । ସଙ୍ଗରେ ତାଙ୍କର ଥିଲା ସ୍ୱର୍ଣ୍ଣପ୍ରଭା ।

ସ୍ୱର୍ଣ୍ଣପ୍ରଭା ସେ ଦିନର ଟିକି ପିଲା ହୋଇ ରହି ନାହିଁ । ତାର ବିବାହ ବୟସ ହୋଇ ଯାଇଛି । ବଢ଼ିଲା ଝିଅର ଆଶ୍ରୟ ଶାଶୁ ଘର । ସ୍ୱାମୀହିଁ ତାର ପୃଷ୍ଟ, ପୃଷ୍ପିଳ ଯୌବନର ଏକମାତ୍ର ସୁରକ୍ଷକ ।

ସ୍ୱର୍ଣ୍ଣପ୍ରଭାକୁ ବିବାହ କରିଦେବାକୁ ହେବ ! କିନ୍ତୁ କେମିତି ? ରାଜବାଳା ହତାଶ ହୁଅନ୍ତି । ନିଜ ସଂପ୍ରଦାୟରେ ସ୍ୱର୍ଣ୍ଣପ୍ରଭାର ଉପଯୁକ୍ତ ପାତ୍ର କାହିଁ ? ଯେଉଁ ଜଣେ ଦି’ଜଣ ଆଖିରେ ପଡ଼ିଛନ୍ତି, ସେମାନଙ୍କର ଯୌତୁକ ଦାବୀ ଯଥେଷ୍ଟ । ଜମିଦାରୀ ନାହିଁ ଯେ ଝିଅର ଯୌତୁକ ସକାଶେ କଷ୍ଟ ପଡ଼ିବ ନାହିଁ । ସାମାନ୍ୟ ଚାକିରୀଟାହିଁ ଏକମାତ୍ର ଅବଲମ୍ବନ । ସେତେକ ସ୍ୱଚ୍ଛନ୍ଦ ଭରଣ ପୋଷଣ ପାଇଁ ଯଥେଷ୍ଟ ନୁହେ । କେମିତି ହେଉଛି ବାହାଘର ?

ରାଜବାଳାଙ୍କୁ ଉପାୟ ଦେଖା ଯାଏ ନାହିଁ ।

ଏହାରି ଭିତରେ ସେମାନେ ତାଳଚେର ଚାକିରୀ ଛାଡ଼ି ସୋନପୁର ସହରକୁ ଚାଲି ଆସନ୍ତି । ଭାବନା ଥାଏ ସୁବର୍ଣ୍ଣରାଜ୍ୟ ସୋନପୁର ତାଙ୍କ ସଂସାରକୁ ସ୍ୱଚ୍ଛଳ କରିବ ।

ଅନେକ ଦିନ ପରେ ରାଜବାଳା ଉପାୟ ପାଇଲେ ଯେମିତି ।

ସୋନପୁର ସହରକୁ ଶିକ୍ଷା ବିଭାଗର ଦାୟିତ୍ୱ ନେଇ ନୂଆ ଯୁବକଟିଏ ଆସିଲେ ।

ଯେଉଁଦିନ ରାଜବାଳା ଜାଣିଲେ, ଯୁବକଟି ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟର, ସେ ଦିନ ତାଙ୍କ ଆନନ୍ଦର ସୀମା ରହିଲା ନାହିଁ । ସ୍ୱାମୀ ରାଜେନ୍ଦ୍ରଙ୍କୁ ଚୁପ୍‌, ଚୁପ୍‌ କହିଲେ, ଶୁଣୁଛ ! ସହରକୁ ନୂଆ ଯୁବକଟି ଆସିଛି ।

ରାଜେନ୍ଦ୍ର ଆଶ୍ଚର୍ଯ୍ୟ ହେଲେ । ରାଜବାଳାର ଏକି ପାଗଳାମୀ ଆଜି ? ସୋନପୁର ସହରକୁ ଆଉ ଯୁବକ କେହି ଆସନ୍ତେ ନାହିଁ ନା କଣ ? ରାଜବାଳାଙ୍କର ଏ କି କଥା ? ସେ ସେହି କଥାହିଁ ଶୁଣାଇ ଦେଲେ ।

ରାଜବାଳା ହସିଲେ । ଭାବିଲେ, ରାଜେନ୍ଦ୍ର ବାବୁଟି କେଡ଼େ ସରଳିଆ ଲୋକଟିଏ ନୁହନ୍ତି-! ବିନା କାରଣରେ ସେ କଣ ଜୀବନରେ କେବେହେଲେ କୌତୁହଳ ପ୍ରକାଶ କରିଛନ୍ତି ? ଯୁବକଟି ଯଦି ଖ୍ରୀଷ୍ଟିଆନ୍‌ ହୋଇ ନ ଥାନ୍ତା ବା’ କାହିଁକି ଆଗ୍ରହୀ ହୁଅନ୍ତେ ?

ଘରେ ବଢ଼ିଲା ଝିଅଟିଏ ଥିଲେ ବାପା ମାଙ୍କର ଆଖିରେ ନିଦ ଆସେ ନାଁ । ସ୍ୱର୍ଣ୍ଣପ୍ରଭା ବଡ଼ ହୋଇ ଘରେ ରହିଲା ଦିନଠୁ ରାଜବାଳାଙ୍କର ସେହି ଅବସ୍ଥା । ରାଜେନ୍ଦ୍ରଙ୍କ ଏତେ ଆଡ଼କୁ ନଜର ନାହିଁ । ମରଦ ମଣିଷର ଏତେ ଆଡ଼କୁ ବା’ ଖିଆଲ ହେବ କାହିଁକି ?

ରାଜବାଳା ଯେତେବେଳେ ସବୁ କଥା ବୁଝାଇ କହିଲେ, ରାଜେନ୍ଦ୍ର ବିସ୍ମୟ ବିମୂଢ଼ ହୋଇ ଅନାଇ ରହିଲେ । ଏତେ ବଡ଼ ଅଫିସର କଣ ସାମାନ୍ୟ ସ୍କୁଲ ଶିକ୍ଷକ ଘରେ ବନ୍ଧୁତା କରିବେ ? ଯୌତୁକ ସକାଶେ ଅବା ସାମର୍ଥ୍ୟ ଥିଲେ ଅନ୍ୟ କିଛି ବ୍ୟବସ୍ଥା କରାଯାଇ ପାରନ୍ତା ।

 

ରାଜବାଳା କିନ୍ତୁ ହଟିବାର ପାତ୍ରୀ ନୁହନ୍ତି । ନିଜ ଚେଷ୍ଟାରେ ସେ ଦୃଢ଼ ରହିଲେ । କାହାରି କଥା ଶୁଣିଲେ ନାହିଁ ।

 

ରାଜବାଳାଙ୍କ ତତ୍ତ୍ୱାବଧାନରେ ସ୍ୱର୍ଣ୍ଣପ୍ରଭା ନୂତନରୂପ ଧାରଣ କଲା । ରାଜବାଳାଙ୍କ ପରାମର୍ଶରେ ସେ ନିଜକୁ ନୂତନ କରି ଗଢ଼ିଲା । ରାଜବାଳାହିଁ ହେଲେ ତାର ନୂଆରୂପ, ନୂଆ ଭଙ୍ଗୀର ଜନ୍ମଦାତ୍ରୀ ।

 

ଜନ୍ମଦାତ୍ରୀ ମାତାର ପ୍ରଭାବ କନ୍ୟା ଉପରେ ପଡ଼ିବା ସ୍ୱାଭାବିକ । ମାତାର ନିର୍ଦ୍ଦେଶ ତଥା ପରାମର୍ଶ ଗ୍ରହଣ କରିବାହିଁ ଅନୁଗତ କନ୍ୟାର ଲକ୍ଷ୍ୟ । ଚେତନ ଓ ଅବଚେତନ ଅବସ୍ଥାରେ ମାତାହିଁ ହୁଏ କନ୍ୟାର ଆଦର୍ଶ ।

 

ରାଜବାଳା ସ୍ୱର୍ଣ୍ଣପ୍ରଭାକୁ ନୂଆ କରି ସଜାଇଲେ ।

 

ସ୍ୱର୍ଣ୍ଣପ୍ରଭା ପରି ସୁନ୍ଦରୀକନ୍ୟାକୁ ସଜାଇବାର କୌଣସି ଆବଶ୍ୟକତା ନ ଥିଲା । ବୟସ ତାକୁ ସର୍ବାଧିକ ମନୋଯୋଗ ଦେଇ ସଜାଇ ଦେଇଥିଲା । ଯୌବନ ତାର ପ୍ରତିଟି ଅବୟବରେ ରଙ୍ଗ ଓ ଲାବଣ୍ୟ ଭରି ଦେଇଥିଲା । ସେ ସାଦା ଦେହରେ ଲୋଭନୀୟ ଦେଖା ଯାଉଥିଲା ।

 

ତଥାପି ସେ ବେଶ ହେଲା ।

 

ଲୀଳାଚପଳ ଚକ୍ଷୁ-ଯୁଗ୍ମର ସୁଗଭୀର କଜ୍ଜ୍ୱଳ ଧାର ଦୁଇଟି ରସାବେଶ ପ୍ରେମ-କାବ୍ୟର ଶ୍ରୁତିମଧୁର ପଂକ୍ତି ପରି ସରସ ଦେଖାଗଲା । କେଶ ବିନ୍ୟାସରେ ମଳୟର ସୁରଭିତ ସଂଳାପ ଥିଲା-। ପ୍ରତିଟି ଅବୟବରେ ନବ ବସନ୍ତର ଲୋହିତ ଭାଷା । ମାଂସଳ ଦେହରେ ତାର କେତେ ସ୍ୱପ୍ନ, କେତେ ରୋମାଞ୍ଚ ।

 

ତାର ଧୀର ମନ୍ଥର ଚାଲି ସୋନପୁର ସହରରେ ଶିହରଣ ବୁଣିଦେଲା । ତୀର୍ଯ୍ୟକ ଚାହାଣୀରେ ସେ ଖାଲି ଫୁଲଶର ମାରୁଥିଲା । ତାର ଲୋହିତ ଓଷ୍ଠ ନିଃସୃତ କୋମଳ, ଲଳିତ ହସ, ରଙ୍ଗ ବେରଙ୍ଗର ଧାର ଧାର ପିଚକାରୀ ମାରୁଥିଲା ଯେମିତି !

 

ସତେ ଅବା ଗୋଟିଏ ଦିନର ବ୍ୟବଧାନରେ ମର୍ତ୍ତ୍ୟର କୁମାରୀ କନ୍ୟାଟିଏ ସରଗର ପରୀ ପାଲଟି ଗଲା ।

 

ରାଜବାଳା ଦିନେ ଶିକ୍ଷା ଦାୟିତ୍ୱରେ ଥିବା ସେହି ତରୁଣ ଯୁବକ ଅଫିସରଙ୍କୁ ନିଜ ଘରକୁ ନିମନ୍ତ୍ରଣ କଲେ ।

 

ତାଙ୍କ ନାଁ ଅନଙ୍ଗ ମୋହନ !

 

ଅନଙ୍ଗ ମୋହନ ଶାନ୍ତ, ଶିଷ୍ଟ, ମିଷ୍ଟାଭାଷୀ । ଅନ୍ତତଃ ସମସ୍ତଙ୍କ ଆଖିରେ ସେ ସେଇଆ ଦେଖାଯାନ୍ତି । କିନ୍ତୁ ମଣିଷର ସଦାବେଳେ ଦୁଇଟି ଅବତାର । ଗୋଟିଏ ଭିତର ଓ ଅନ୍ୟଟି ବାହାରର । ବାହାର ରୂପ, ଗୁଣରେ ଅପରକୁ ସେ ଆକୃଷ୍ଟ କରେ, ମୋହିତ କରେ । ଭିତର ରୂପଟି କେହି ଦେଖି ପାରନ୍ତି ନି । ତାକୁ ସେ ନିଜେହିଁ ଦେଖେ, ନିଜେହିଁ ବୁଝେ । ଇଚ୍ଛା ମୁତାବକ ଚାଳନ କରେ ।

 

ଅନଙ୍ଗମୋହନ ବାହାରକୁ ଲାଜକୁଳା ଦେଖାଯାନ୍ତି ।

 

କିନ୍ତୁ ରାଜବାଳାଙ୍କୁ ସେ ହତାଶ କଲେ ନାହିଁ । ବିଭାଗୀୟ କର୍ମଚାରୀଙ୍କ ନିମନ୍ତ୍ରଣ ପ୍ରତ୍ୟାଖ୍ୟାନ କରିଦେଇ ଥିଲେ କଣ ସେ ଭାବିଥାନ୍ତେ ? ତା ପରେ ସେ ତ’ ଆପଣା ଗୋଷ୍ଠୀ, ଆପଣା ସମ୍ପ୍ରଦାୟର ମଣିଷ ! ସୋନପୁର ସହରରେ କେଇଜଣ ଏମିତି ମଣିଷ ମିଳିବେ ?

 

ରାଜବାଳା ସ୍ୱର୍ଣ୍ଣପ୍ରଭାକୁ ଅନଙ୍ଗମୋହନ ସଙ୍ଗରେ ପରିଚୟ କରାଇ ଦେଉ ଦେଉ କହିଲେ, ଏଇ ମୋହର ଏକମାତ୍ର କନ୍ୟା ସ୍ୱର୍ଣ୍ଣପ୍ରଭା । ସ୍ୱଭାବରେ ଟିକିଏ ଲାଜକୁଳୀ । ତାର ସେହି ପ୍ରକୃତି ଦେଖି ତାକୁ ଅସାମାଜିକ ବୋଲି ଭାବିବେ ନାହିଁ ।

 

ରାଜେନ୍ଦ୍ର ଏ ଦୃଶ୍ୟ ଦେଖି ବ୍ୟଥିତ ହେଲେ । ଜଣେ ଅପରିଚିତ, ଅଜ୍ଞାତ କୁଳଶୀଳକୁ ଘରକୁ ଡାକିଆଣି ଯୁବତୀ କନ୍ୟା ସଙ୍ଗେ ତାର ପରିଚୟ କରାଇ ଦେବା କଣ ଭଲ କଥା ହେଲା ? ଏଇ ପ୍ରକାରର ବ୍ୟବହାର ହୁଏତ ବିଦେଶୀ ଭୂଇଁରେ ସମ୍ଭବ ହୋଇପାରେ, ଯେଉଁଠି ତରୁଣ ତରୁଣୀ ମଧ୍ୟରେ ପରିଚୟ, ସୌହାର୍ଦ୍ଦ୍ୟ ଓ ପରେ ପରେ ବିବାହ ହୋଇଥାଏ । ବାପା ମା ସେମାନଙ୍କ ବିବାହ ନେଇ ମୁଣ୍ଡ ଖର୍ଚ୍ଚ କରନ୍ତି ନି, ତରୁଣ ତରୁଣୀମାନେ ମନୋନୀତ ପାତ୍ର ପାତ୍ରୀଙ୍କୁ ଜୀବନ ସାଥି କରି ନିଅନ୍ତି । କିନ୍ତୁ ଭାରତର ସଂସ୍କୃତି ଓ ପରମ୍ପରା ସ୍ୱତନ୍ତ୍ର । ତରୁଣ ତରୁଣୀମାନେ ଏଇଠି ପିତାମାତାଙ୍କ ଦ୍ୱାରା ନିୟନ୍ତ୍ରିତ । ବିବାହରେ ପିତାମାତାଙ୍କ ସମର୍ଥନ ଓ ଶୁଭାଶିଷ ଗ୍ରହଣ କରିବାକୁ ହୁଏ । ଭାରତ ଭୂଇଁରେ ସ୍ୱଚ୍ଛଳ ଓ ସ୍ୱାଧୀନ ବିହାର ଚଳେ ନା । ତେବେ ରାଜବାଳାଙ୍କର କଣ ହୋଇଛି ? କିନ୍ତୁ, ତଥାପି ସେ ପ୍ରତିବାଦ କରି ପାରିଲେ ନାହିଁ ।

 

ରାଜେନ୍ଦ୍ର ଏ ଦୃଶ୍ୟକୁ ସହ୍ୟ କରି ନ ପାରି ବାସଭବନରୁ ନିଷ୍କ୍ରାନ୍ତ ହେଲେ ।

 

ପରିଚୟର ପ୍ରଥମ ପର୍ବ.....

 

ଅନଙ୍ଗମୋହନ, ସ୍ୱର୍ଣ୍ଣପ୍ରଭାର ଅନନ୍ୟ ସାଧାରଣ ରୂପ ଦେଖି ଅଭିଭୂତ ହେଲେ । ତାଙ୍କର ରୂପ-ପିଆସୀ ମନ ଭିତରେ ସ୍ୱର୍ଣ୍ଣପ୍ରଭାର ନିଷ୍କଳଙ୍କ ଯୌବନ, କାମନାର ଫୁଲ ଫୁଟାଇଲା ।

 

ସ୍ୱର୍ଣ୍ଣପ୍ରଭା ମୂର୍ଚ୍ଛାହତ ଚାହାଣୀରେ ଅନଙ୍ଗମୋହନଙ୍କୁ ଅଭିବାଦନ ଜଣାଇଲା ।

 

ତାର ଭୀରୁ, ଚକିତ କଣ୍ଠର ଅଭିବାଦନ ଶୁଣି ଅନଙ୍ଗମେହହନ ଆପ୍ୟାୟିତ ହେଲେ ।

 

ରାଜବାଳା ଦୂରରୁ ଛିଡ଼ା ହୋଇ ନୂତନ ପରିଚିତ ଅନଙ୍ଗମୋହନ ଓ ସ୍ୱର୍ଣ୍ଣପ୍ରଭାର ମନର ଗତିକୁ ଲକ୍ଷ୍ୟ ରଖିଥିଲେ । ସେ ଏହି ଯୁବକ ଯୁବତୀଙ୍କର ବକ୍ଷର ଆଲୋଡ଼ନ ଅନନୁଭୂତ କମ୍ପନକୁ ନିଜ ଭିତରେ ଅନୁଭବ କରୁଥିଲେ ଯେମିତି ।

 

ଯୌବନର ଅଭିଜ୍ଞତା ନ ଥିଲେ ସେହି ପରିବେଶକୁ ଅନୁଭବ କରିବା ଏକାନ୍ତ ଅସମ୍ଭବ-। ତାକୁ ତ ଆଉ ଭାଷାରେ ପ୍ରକାଶ କରାଯାଇ ପାରେନାଁ । ଯେଉଁ କେତୋଟି ବିଷୟକୁ ରୂପାୟିତ କରିବାକୁ ଭାଷା ଅକ୍ଷମ ହୋଇଯାଏ । ପରିଚୟର ପ୍ରଥମ ପର୍ବ ବିଷୟକ ବର୍ଣ୍ଣନା ସେହି ପର୍ଯ୍ୟାୟର ଅନ୍ତର୍ଭୁକ୍ତ ।

 

ସ୍ୱର୍ଣ୍ଣପ୍ରଭାର ଅଜାଣତରେ ଯେଉଁ କେତୋଟି ପୁରୁଷ ବନ୍ଧୁ ସ୍ନେହ; ସୌହାର୍ଦ୍ଦ୍ୟର ଜାଲ ବୁଣି, ମାୟାମତାର ଡୋରି ଲଗାଇ ଅତି ଆପଣାର ବୋଲି ସୂଚେଇ ଦେବାକୁ ପାଖେଇ ଆସି ତାର ଦେହ ପୁଷ୍ପରୁ ସୁମଧୁର ଅମୃତ ଅପହରଣ କରି ନେଇଥିଲେ; ଅନଙ୍ଗମୋହନ ସେମାନଙ୍କ ମଧ୍ୟରେ ଅନ୍ୟତମ ।

 

କୁମାରୀ-କନ୍ୟାର ଜୀବନକାହାଣୀ ବଡ଼ ବିଚିତ୍ର । ପୁରୁଷର ସଂସ୍ପର୍ଶରେ ଆସିବା ପୂର୍ବରୁ ତାରି ଜୀବନରେ କୌଣସି ବ୍ୟତିକ୍ରମ ଦେଖା ଦେଇ ନ ଥାଏ । ପୁରୁଷର ସ୍ପର୍ଷ ପାଇବା ମାତ୍ରକେ ସେ ତାର ସରଳ, ଉଦାର ଗତିପଥ ତ୍ୟାଗକରି ଋଜୁ ଓ କୁଟୀଳପଥଗାମୀ ହୁଏ । ସେହି ସ୍ପର୍ଶ ତାର ଚେତନ ଓ ଅବଚେତନ ମନ ଭିତରେ ପରିବର୍ତ୍ତନ ଛାପ ପକାଇଦିଏ । ପୁରାତନ ପୃଥିବୀକୁ ସେ ନୂତନ ଭାବରେ ଦେଖେ । ପୁରୁଣା କଥା ସବୁ କାନକୁ ନୂଆ ନୂଆ ଶୁଭେ । ଭାବେ, ଦୁନିଆଟା ଅନେକ ବଦଳି ଯାଇଛି । ଚିର ଅଭ୍ୟସ୍ତ ପରିବେଶ ଦେହରେ ନୂତନ ରଙ୍ଗ ଲାଗିଛି ।

 

କିନ୍ତୁ, ଯିଏ ଯେଉଁଠି ଥିଲା, ଠିକ୍‌ ସେଇଠି ଥାଏ । ବଦଳି ଯାଇଥାଏ ତା’ ନିଜର ଟିକି ମନଟା । ସେଇଠି ଇନ୍ଦ୍ରଧନୁର ରଙ୍ଗ ଲାଗିଯାଏ । ରଙ୍ଗୀନ କଳ୍ପନାର ଚଷମା ପିନ୍ଧା ଦୁନିଆକୁ ଚିତ୍ର ବିଚିତ୍ର ବେଶରେ ଅନାଉ ଥାଏ ।

 

କୁମାରୀ ସ୍ୱର୍ଣ୍ଣପ୍ରଭା ସଙ୍ଗେ ଅନଙ୍ଗମୋହନ ପ୍ରଥମ ପରିଚୟ ଦିନର କଥା.....

 

ସ୍ୱର୍ଣ୍ଣପ୍ରଭାର କଅଁଳିଆ ଛନଛନିଆ ଆବେଗଭରା ଆଖି ଦୁଇଟିରେ ଅଳ୍ପ ଶିହରଣ ଖେଳି ଉଠିଲା । ମୁଣ୍ଡ ଉପରେ ସତେ ଅବା ଅଲକ୍ଷ୍ୟରେ ମୁଠା ମୁଠା ଭଲପାଇବାର-ଅବୀର ବୁଣି ହେଲା । ସ୍ୱର୍ଣ୍ଣର ମନେ ହେଲା, ସେ ଉପସ୍ଥିତି ପୁରୁଷଟାକୁ ଭଲପାଇବା ଆରମ୍ଭ କରି ଦେଇଛି । ଏହି ଭଲପାଇବା ଭିତରେ, ତାର କୁମାରୀ ଜୀବନରେ ନୂତନ ସ୍ପନ୍ଦନ ସୃଷ୍ଟି ହେଲା । ନିଜକୁ ନିଜେ ବିଶ୍ଳେଷଣ କରିବାକୁ ସମୟ ନ ଥିଲା ।

 

ମାଆ କଣ କେବେହେଲେ ଝିଅର ଅମଙ୍ଗଳ ବାଞ୍ଛା କରିପାରେ ? ରାଜାବାଳା ସିଂହ ସୁଶିକ୍ଷିତା । ସେ ଯେତେବେଳେ ଅନଙ୍ଗମୋହନକୁ ନିମନ୍ତ୍ରଣ କରି ନିଜ ଝିଅ ସଙ୍ଗରେ ମିଳାମିଶା କରିବାକୁ ଅବସ୍ଥା ସୃଷ୍ଟି କଲେ, ତା’ ଭିତରେ ନିଶ୍ଚୟ କିଛି ଅର୍ଥ ଥିବ ।

 

ସ୍ୱର୍ଣ୍ଣପ୍ରଭା ସଙ୍ଗେ ଅନଙ୍ଗମୋହନଙ୍କର ବାରମ୍ୱାର ସାକ୍ଷାତ ହେଲା ।

 

ସ୍ୱର୍ଣ୍ଣପ୍ରଭା ପ୍ରତିଦିନ ଅପେକ୍ଷା କରେ ଅନଙ୍ଗମୋହନଙ୍କୁ । ତାଙ୍କରି ସକାଶେ ନିଜ ଇଚ୍ଛାରେ ପ୍ରସାଧନ କରେ । ବେଣୀରେ ମଲ୍ଲୀଫୁଲ କି କେତକୀ ତୋଡ଼ା ବାନ୍ଧିଲା ବେଳେ ବାରମ୍ୱାର ଭାବେ ଅନଙ୍ଗମୋହନ ସନ୍ତୁଷ୍ଟ ହେବେ ତ ।

 

ଅନଙ୍ଗମୋହନ କୁମାରୀ କନ୍ୟାର କାନରେ ମନଗଢ଼ା କାହାଣୀ ଶୁଣାନ୍ତି । ଚୁପ୍‌ ଚୁପ୍‌ ଚାଟୁ ଗୁଞ୍ଜନରେ ତାରି ମନ ମୋହିବାକୁ ଚେଷ୍ଟା କରନ୍ତି । ରୂପ-ବିଭବ-ବିହ୍ୱଳା କୁମାରୀ ସ୍ୱର୍ଣ୍ଣପ୍ରଭା ଆକୃଷ୍ଟ ହୁଏ । ତା’ମନ ଭିତରେ ଅନଙ୍ଗମୋହନଙ୍କ ପ୍ରତି କୁଢ଼ କୁଢ଼ ଆସ୍ୱସ୍ତି ଜମି ଉଠେ । ସହସ୍ର କଳ୍ପନାର ଜୁଆର ଆସି ତା’ କଅଁଳ ହୃଦୟକୁ ଛୁଇଁ ଛୁଇଁକା ଚାଲି ଯାଆନ୍ତି ଅଲକ୍ଷ୍ୟରେ; ତାର ଦେହ ଆଖି ଦୁଇଟିରେ ହର୍ଷ-ଚକିତ ଆବେଗ ଜମିଯାଏ ।

 

ମଣିଷର ମନ ସବୁବେଳେ ଆଶାୟୀ । ଭବିଷ୍ୟତର ଅନାଗତ ସୁଖ, ସୌଭାଗ୍ୟକୁ ଚାତକ ପରି ଚାହିଁ ରହେ । ସ୍ୱର୍ଣ୍ଣପ୍ରଭାର ସେତିକିବେଳେ ଜୀବନ ସମ୍ପର୍କରେ କିଛି ଧାରଣା ନ ଥିଲା । ଅତି ଅଳ୍ପ ବୟସରେ ସେ ଯେଉଁ ନୂତନ ଅନୁଭୂତି ଭିତରେ ଗତି କଲା, ତାହା ତାରି ଅନଭିଜ୍ଞା ଜୀବନକୁ ଉଚ୍ଚାଟରେ ଭରି ଦେଲା ।

 

ଅନଙ୍ଗମୋହନ ନିଜ କର୍ତ୍ତବ୍ୟ ସମ୍ପାଦାନ ସକାଶେ ବେଳେ ବେଳେ ବିନିକା ଓ ତରଶୁ ପଟେ ଚାଲିଯାନ୍ତି । ସେଠାକାର ସ୍କୁଲ ପରିଦର୍ଶନ କରିବାକୁ ତାଙ୍କୁ ଅତି କମ୍‌ରେ ସପ୍ତାହେ ଅଧେ ଲାଗିଯାଏ । ସ୍ୱର୍ଣ୍ଣର ମନେ ହୁଏ, ଦିବସ ଓ ରାତ୍ରିର ଆୟୁଷ ଅସ୍ୱାଭାବିକ ଭାବେ ସୁଦୀର୍ଘ ହୋଇ ଉଠିଛି । ଅନଙ୍ଗମୋହନ ନ ଫେରିବା ପର୍ଯ୍ୟନ୍ତ ଏହା ସ୍ୱାଭାବିକ ଅବସ୍ଥାକୁ ଫେରିବ ନାହିଁ ।

 

ସ୍ୱର୍ଣ୍ଣପ୍ରଭା ପ୍ରିୟ ପୁରୁଷର ସାମୟିକ ବିଚ୍ଛେଦରେ ମ୍ରିୟମାଣ ହୋଇ ପଡ଼େ । ଭାବେ, ଭଲ ପାଇବା କଣ ଏକ ବେଦନାର ବୀଣା ? ନାରୀ ଜୀବନଟା କଣ ଏକ ବେଦନାର କାବ୍ୟ ? ତା’ର ଟିକିମନଟା ଆଉଟୁ ପାଉଟୁ ହୁଏ । ଛୋଟ ଛୋଟ ଆଖିଦି’ଟା ଅନଙ୍ଗମୋହନକୁ ଦେଖିବା ସକାଶେ ଉଦ୍‌ଗ୍ରୀବ ହୁଏ । ଦିନତମାମ ନିଜକୁ ବିଭିନ୍ନ କାର୍ଯ୍ୟ ଭିତରେ ବୁଡ଼ାଇ ରଖେ ସ୍ୱର୍ଣ୍ଣ । କିନ୍ତୁ ରାତ୍ରି ? ସେହି ସୁଦୀର୍ଘ ରାତ୍ରିଗୁଡ଼ିକ ? ସେ ସତେ ଅବା ଅସରା, ଅଛିଣ୍ଡା ?

 

ଯୌବନର ପ୍ରଥମ ସକାଳରେ ସ୍ୱର୍ଣ୍ଣପ୍ରଭା ବାଟ ଭୁଲିଯାଏ । ଅଣନିଃଶ୍ୱାସୀ ହୋଇ କଳ୍ପନା ପଛରେ ଗୋଡ଼ାଏ ।

 

ରାଜବାଳା ଝିଅ ମନର ଭାବନାକୁ ନିଜ ଭିତରେ ଅନୁଭବ କରି ପାରନ୍ତି । ସେ ତ ପୁଣି ଦିନେ ତରୁଣୀ ଥିଲେ । ପ୍ରଥମ ପୁରୁଷର ପ୍ରେମ ଲାଭପାଇଁ ସେତେବେଳର ଛାତିରେ କେତେ ତରଙ୍ଗ ସୃଷ୍ଟି ହୋଇ ନାହିଁ । ଆଜି ସେ ଦେହ ନାହିଁ କି ମନ ନାହିଁ । କିନ୍ତୁ ଚପଳ ହେବାର ଦିନ ତ ପୁଣି ଥିଲା । ଉଦ୍‌ଗ୍ରୀବ ହୋଇ ଯୁବକର ଚଲାପଥକୁ ଗବାକ୍ଷ ଦେହରୁ ନିଠେଇ ନିଠେଇ ବସିବାର ଉତ୍କଣ୍ଠା ବି ଥିଲା ।

 

ଏମିତି ଚପଳ, ଚଞ୍ଚଳ ହେବାର ସ୍ୱତନ୍ତ୍ର ବୟସ ଅଛି ।

 

ସ୍ୱର୍ଣ୍ଣପ୍ରଭା ଆଜି ସେହି ବୟସ ପାଇଛି । ପ୍ରଥମ ଯୌବନର ସୌନ୍ଦର୍ଯ୍ୟ ତୃଷ୍ଣାରେ ଆଜି ସେ ଚକିତ ତଥା ମୋହିତ । ତା’ରି ଚାହାଣି, ଏପରି କି ନିଃଶ୍ୱାସ ପ୍ରଶ୍ୱାସରେ ସେହି ତୃଷ୍ଣା, ଅବଦମିତ ବେଦନା ରୂପରେ ଆତ୍ମ ପ୍ରକାଶ କରୁଛି । ତାଙ୍କ ଆୟତ୍ତ, ନୀଳ, ସଜଳ ଚକ୍ଷୁ ଯୁଗଳରେ ବ୍ୟଥିତ ଓ ବ୍ୟାକୁଳ ହେବାର ଭାଷା । ସତେ ଅବା ସଂସାରର ସମସ୍ତ ସୌନ୍ଦର୍ଯ୍ୟ ଓ ମାଧୁର୍ଯ୍ୟରୁ ଚିରଦିନ ପାଇଁ ନିର୍ବାସିତ ହୋଇ ସେ ଆଜି ତପସ୍ୱିନୀ ସାଜିଛି । ଅନଙ୍ଗମୋହନର ପ୍ରତୀକ୍ଷା ଆଜି ସ୍ୱର୍ଣ୍ଣପ୍ରଭାକୁ ସଂସାରର ପ୍ରତ୍ୟେକଟି ଆକର୍ଷଣରୁ ଦୂରେଇ ରଖିଛି ।

 

ସ୍ୱର୍ଣ୍ଣପ୍ରଭା ଅନଙ୍ଗମୋହନକୁ ଭଲ ପାଇ ବସିଛି । ସେ ଅପାତ୍ରକୁ ଭଲ ପାଇ ନାହିଁ ।

 

ଅନଙ୍ଗମୋହନ ସଙ୍ଗରେ ଯଦି ସ୍ୱର୍ଣ୍ଣପ୍ରଭାର କୌଣସିମତେ ବିବାହ ହୋଇଯାଏ..... ?

 

ରାଜବାଳା ନିଜ ବୁଦ୍ଧିକୁ ମନେ ମନେ ତାରିଫ୍‌ କରୁଥିଲେ । ଅନଙ୍ଗମୋହନ ସଙ୍ଗରେ ସ୍ୱର୍ଣ୍ଣପ୍ରଭାର ଅବାଧ ମିଳାମିଶା ସକାଶେ ସେ ନିଜେହିଁ ତ ଦାୟୀ । ନ ହେଲେ ଏତେ ବଡ଼ କଥାଟା ସମ୍ଭବ ହୋଇପାରି ନ ଥାନ୍ତା । ରାଜେନ୍ଦ୍ର କଣ ସ୍ୱର୍ଣ୍ଣପ୍ରଭାର ବିବାହ ଯୋଗାଡ଼ କରି ପାରିଥାନ୍ତେ ?

 

ଅନଙ୍ଗମୋହନ ଫେରି ଆସିଲେ ବିବାହ ପ୍ରସ୍ତାବ ପଡ଼ିବ । ଆଚ୍ଛା, ଏ ପ୍ରସ୍ତାବ ସେ ନିଜେ ପକାଇବେ ନା ସ୍ୱର୍ଣ୍ଣ ହାତରେ ଛାଡ଼ି ଦେବେ ? ସ୍ୱର୍ଣ୍ଣ କାଲିକାର ପିଲା । ଗାଲ ଚିପିଲେ ଦୁଧ ବାହାରିବ । ସେ କଣ ଏତେ ବଡ଼ କଥା ପ୍ରକାଶ କରି ପାରିବ ? ଲାଜକୁଳୀ ଝିଅଟା ! ପଦେ କଥାରେ ମୋଡ଼ି ହୋଇଯାଏ । ଅନଙ୍ଗମୋହନ ଆଗରେ ସଳଖି ଛିଡ଼ାହୋଇ କଣ ପଚାରି ପାରିବ, ଅନଙ୍ଗ ବାବୁ ! ଚାଲ ବାହା ହେବା । ନା, ସେ ପାରିବ ନାହିଁ ।

 

ରାଜବାଳା ମନସ୍ଥ କଲେ, ସେ ନିଜେହିଁ ଏ ଦାୟିତ୍ୱ ଗ୍ରହଣ କରିବେ ?

 

ଅନଙ୍ଗମୋହନ ଠିକ୍‌ ସପ୍ତାହକ ପରେ ଫେରି ଆସିଲେ ।

 

ଆସିବା ପରେ ପରେ ସ୍ୱର୍ଣ୍ଣପ୍ରଭା କଥା ତାଙ୍କର ମନେ ପଡ଼ିଲା । ସେ ମନେ ମନେ ଅଳ୍ପେ ହସିଲେ । ସୋନପୁର ସହରରେ ସ୍ୱର୍ଣ୍ଣ ତାଙ୍କ ସକାଶେ ଏକ ବିଶେଷ ଆକର୍ଷକ ହୋଇ ଉଠିଛି । ସହରକୁ ଏଥର ସେ ନୂତନ ଦୃଷ୍ଟିକୋଣରୁ ଚାହିଁବାକୁ ଆରମ୍ଭ କରି ଦେଇଛନ୍ତି ।

 

ନିଜ ସହରରୁ ବହୁଦୂରରେ ରହି ସେ ପ୍ରଥମେ ପ୍ରଥମେ ବଡ଼ ବ୍ୟସ୍ତତା ପ୍ରକାଶ କରୁଥିଲେ । କୌଣସି କାର୍ଯ୍ୟରେ ମନ ଲାଗୁ ନ ଥିଲା । ମନେ ହେଉଥିଲା, ନିଜ ଭିତରେ କୌଣସି ଏକ ଗୁରୁତର ସ୍ଥାନରେ କିଛିଟା ଅଭାବ ରହି ଯାଇଛି । ଏତେ ବଡ଼ ଆସ୍ଥାନ ପାଇ ଗର୍ବ ପ୍ରକାଶ କରିବାକୁ ଇଚ୍ଛା ହେଉ ନ ଥିଲା । କିନ୍ତୁ ରାଜବାଳାଙ୍କ ନିମନ୍ତ୍ରଣକ୍ରମେ ତାଙ୍କର ଆଗ୍ରହ ମାଧ୍ୟମରେ ସେ ଯେତେବେଳେ କୁମାରୀ ସ୍ୱର୍ଣ୍ଣପ୍ରଭା ସଙ୍ଗେ ସର୍ବପ୍ରଥମେ ସାକ୍ଷାତ କଲେ, ସେତେବେଳେ ତାଙ୍କର ସେହି ଗୁରୁତର ଅଭାବଟା ସତେ ଅବା ଦୂରୀଭୂତ ହୋଇଗଲା ।

 

ଆଉ ରୂପସି ସ୍ୱର୍ଣ୍ଣପ୍ରଭା ?

 

ସେ ନୂତନ ଜୀବନର ସନ୍ଧାନ ପାଇଲା । ତା’ ଛାତିତଳେ କେଉଁ ଏକ ସୁପ୍ତ ଝରଣାର କଳକଲ୍ଲୋଳ ଶୁଣାଗଲା । ଝରଣା କୂଳେ କୂଳେ ଅନେକ ଫୁଲଗଛ । ଯାହା ଦେଖିଲା, ଯାହା ଶୁଣିଲା, ତହିଁରେ ସୁରଭିତ ଫୁଲର ମହକ ମିଶିଥିଲା ।

 

ସ୍ୱର୍ଣ୍ଣଲତାର କଳ୍ପନାସବୁ ତନ୍ଦ୍ରାଚ୍ଛନ୍ନ ଅନୁଭୂତିରେ ବୁଡ଼ି ଯାଇଥିଲା । ତା’ର କଥା ଆଉ କଥା ହୋଇ ରହିଲା ନାହିଁ । ସେ ହେଲା ଛନ୍ଦଭରା, ରଙ୍ଗଭରା ସଙ୍ଗୀତ । ତା’ଚାଲିରେ ସେମିତି ଅପରୂପ ଅପ୍‌ସରାର ସ୍ୱର୍ଗୀୟ ନୃତ୍ୟ ମିଶିଥିଲା । ଗୋଟିଏ ଅଜଣା ସ୍ୱପ୍ନ, ଅଜଣା ଅନୁଭୂତିର ସୁଅରେ ସେ ଭାସି ଭାସି ଚାଲୁଥିଲା । ତା’ର ଚପଳ ଆଖି, ଚଞ୍ଚଳ ଭଙ୍ଗୀ ଓ ମନମୋହିନୀ ବେଶବାସରେ, ତା’ର ସେ ସ୍ୱପ୍ନ, ସେ ରୋମାଞ୍ଚ ଓ ତନ୍ଦ୍ରିଳ ଅନୁଭୂତି ସାକ୍ଷାତ ରୂପ ନେଇଥିଲା ।

 

ସତେ ଅବା ସ୍ୱର୍ଣ୍ଣପ୍ରଭା ମୁଠାଏ ଜ୍ୟୋସ୍ନା, ଝଲକେ ସ୍ପନ୍ଦନରେ ପରିଣତ ହୋଇଗଲା ।

 

ଅନଙ୍ଗମୋହନ ସେ ଦିନ ଏକ ନିଷିଦ୍ଧ ଅବସ୍ଥାରେ ଆସି ରାଜବାଳାଙ୍କ ବସାରେ ପହଞ୍ଚିଗଲେ ।

 

ସଦ୍ୟସ୍ନାତା ସ୍ୱର୍ଣ୍ଣ ଗାଧୁଆଘରୁ ବାହାରୁ ଥାଏ । ତା’ର ସୁଦୀର୍ଘ ସିକ୍ତ କେଶବିଥିରେ ପୂରନ୍ତା ଯୌବନର ଜ୍ୟୋତି ଥାଏ । ବିପର୍ଯ୍ୟସ୍ତ ଅଙ୍ଗବାସ ସ୍ୱର୍ଣ୍ଣପ୍ରଭାକୁ ଆଉ ପ୍ରକାରେ କରି ଦେଇଥାଏ ।

 

ରାଜବାଳା ଓ ରାଜେନ୍ଦ୍ର ସିଂହ ସ୍କୁଲକୁ ଚାଲି ଯାଇଥାନ୍ତି ।

 

ଅନଙ୍ଗମୋହନ ସ୍ୱର୍ଣ୍ଣପ୍ରଭାକୁ ନୂତନ ଭାବରେ ଆବିଷ୍କାର କଲେ । ସତେ ଅବା ଅନଙ୍ଗମୋହନଙ୍କ ତାହା ପ୍ରଥମ ଆବିଷ୍କାର । ୟା’ ପୂର୍ବରୁ ନବଯୁବତୀର ରୂପ ଯୌବନକୁ ଏମିତି ଅବସ୍ଥାରେ; ଏହିଭଳି ଭାବରେ କେବେହେଲେ ଦୃଷ୍ଟିପାତ କରି ନ ଥିଲେ ।

 

ଅନଙ୍ଗମୋହନକୁ ଅକସ୍ମାତ ଦେଖିବାକୁ ପାଇ ସ୍ୱର୍ଣ୍ଣପ୍ରଭା ଅଭିଭୂତ ହୋଇ ପଡ଼ିଲା । ତାର ସ୍ୱପ୍ନାବିଷ୍ଟ ଚକ୍ଷୁ ଦୁଇଟି, ରୂପସୀ ନବବଧୂର ବ୍ରୀଡ଼ାବନତ ଚାହାଣୀକୁ ରୂପାୟିତ ହେଲା ।

 

ସ୍ୱର୍ଣ୍ଣ ! ଅନଙ୍ଗମୋହନ ଧୀର କଣ୍ଠରେ ଆହ୍ୱାନ କଲେ ।

 

ସ୍ୱର୍ଣ୍ଣ ମୁର୍ଚ୍ଛାହତ ଚାହାଣୀ ତୋଳି ପଚାରିଲା, କଅଣ ?

 

ସେ ଏକ ଅନାବଶ୍ୟକ ପ୍ରଶ୍ନ । ନିଶବ୍ଦ, ନିଥର ପରିସ୍ଥିତିରେ ଯୁବକ ଯୁବତୀ ସଙ୍ଗେ ମିଳିତ ହେଲେ ଉଭୟେ ନିର୍ବାକ ପାଲଟି ଯାଆନ୍ତି । ମୌନାବତୀ ପ୍ରିୟାକୁ ପ୍ରଗଳ୍‌ଭା କରିବାର ପ୍ରଥମ ପଦକ୍ଷେପ ନିଏ ଯୁବକ । ସେତିକିବେଳ ପର୍ଯ୍ୟନ୍ତ ତରୁଣୀ ନୀରବ ଥାଏ । ତାପରେ ତାର ମୁଖ ଖୋଲେ । ସେ ମୁଖ ସହଜରେ ବନ୍ଦ ହୁଏ ନାହିଁ । ସତେ ଅବା ବହୁଦିନ ମୂକ ହେବା ପରେ ତରୁଣୀଟି କଥା କହିବାର ଶକ୍ତି ହାସଲ କରିଛି । ଅନେକ ଦିନର ଅବ୍ୟକ୍ତ ଭାବକୁ ପ୍ରକାଶ କରିବ । ସମସ୍ତ ପୁଞ୍ଜୀଭୂତ ଆବେଗ, ଉଚ୍ଛ୍ୱାସକୁ ଭାଷାରେ ରୂପ ଦେଇ ନିଜ ଛାତିକୁ ହାଲୁକା କରିଦେବ ।

 

ସ୍ୱର୍ଣ୍ଣପ୍ରଭା ନିର୍ନିମେଷ ନୟନ ଓ ତନ୍ଦ୍ରାଳସ କଣ୍ଠରେ ଅନଙ୍ଗମୋହନ ରୋମାଣ୍ଟିକ କବିତାର ଆସ୍ପାଦନ ପାଇଲେ । ସେ ଆତ୍ମହରା ହେଲେ । ସତେ ଅବା ସଂଯମର ବନ୍ଧ ସହସା ଭାଙ୍ଗିଗଲା । ସ୍ୱର୍ଣ୍ଣପ୍ରଭାର ଅତି ନିକଟକୁ ଚାଲିଆସି, ତାର ଚିବୁକରେ ଅଙ୍ଗୁଳି ରଖି ପ୍ରଶ୍ନ କଲେ,ମୋତେ ଭଲ ପାଅ ?

 

ସ୍ୱର୍ଣ୍ଣ ଭାବୁଥିଲା, କି ଅଜବ ମଣିଷଟିଏ ସତରେ ! ଏତେ ଦିନର ଚଳ ପ୍ରଚଳ ପରେ ସତରେ ସେ କଣ ଏତକ ବୁଝି ପାରିଲେ ନାହିଁ । ଏତେବଡ଼ କଥାଟାକୁ ନିଜ ମୁହଁରେ ସେ ପ୍ରକାଶ କରିବ କେମିତି ? ମନର ସେହି ଭାବନାକୁ ସ୍ୱର୍ଣ୍ଣ ତାର ସ୍ୱଭାବ ତରଳ ଚାହାଣୀରେ ବ୍ୟକ୍ତ କଲା ।

 

ଆଃ, ସ୍ୱର୍ଣ୍ଣପ୍ରଭା ଏଇ ଭଙ୍ଗୀରେ କେତେ ସୁନ୍ଦର ଦେଖା ଯାଉ ନାହିଁ ! ଅନଙ୍ଗମୋହନ ସ୍ୱର୍ଣ୍ଣପ୍ରଭାକୁ କୋଳାଗ୍ରତ କରି ତାର ସଂତ୍ରସ୍ତ ମୁଖମଣ୍ଡଳରେ ସହସ୍ର ଚୁମ୍ୱନ ଆଙ୍କିଦେବାକୁ ଚାହୁଁଥିଲେ । ତାଙ୍କା ଲୁବ୍‌ଧ, ଲୋଲୁପ ଚାହାଣୀରେ ସ୍ୱର୍ଣ୍ଣପ୍ରଭାର ପୁଷ୍ପିତ ଦେହଟାକୁ ସେ ସତେ ଅବା ପିଇ ଯାଉଥିଲେ ।

 

ସ୍ୱର୍ଣ୍ଣପ୍ରଭା ଅବନତ ମଥା ତୋଳି ଅନଙ୍ଗମୋହନର ସେହି ଅଦ୍ଭୁତ ଚାହାଣୀ ପ୍ରତି ଦୃଷ୍ଟି ଦେଲା । ଇସ୍‌, ସେ ଚକ୍ଷୁରେ କେତେ କ୍ଷୁଧା, କେତେ ପିପାସା !

 

ପୁରୁଷକୁ ଥରଟିଏ ମାତ୍ର ଚାହିଁ, ପଦୁଟିଏ ମାତ୍ର କଥାଭାଷା ହୋଇ ତା’ମନର କଥାକୁ ନିର୍ଭୁଲ ଭାବରେ ଅଧ୍ୟୟନ କରିବାର ସାମର୍ଥ୍ୟ ଲାଭ କରିଛି ସ୍ତ୍ରୀ । ସ୍ୱର୍ଣ୍ଣପ୍ରଭା ବି’ ଅନଙ୍ଗମୋହନଙ୍କର ଆଖିର ଭାଷା ବୁଝିବାରେ ଭୁଲ୍‌ କଲା ନାହିଁ । ଏ କ୍ଷେତ୍ରରେ ନୂତନ ହେଲେ ମଧ୍ୟ ସ୍ୱର୍ଣ୍ଣପ୍ରଭାର ବୋଧଶକ୍ତି ଅତିଶୟ ତୀବ୍ର ଥିଲା ।

 

ସ୍ୱର୍ଣ୍ଣ ସତେ ଅବା ବିସ୍ମୟର ବିଗ୍ରହ ପାଲଟି ଗଲା ।

 

ସ୍ୱର୍ଣ୍ଣପ୍ରଭା ଓ ଅନଙ୍ଗମୋହନର ମଝିରେ ଛିଡ଼ା ହୋଇଥିଲା ଚକ୍ଷୁହୀନ ରୂପଦେବତା । ସେ ଖାଲି ମୁର୍କିହସା ମାରୁଥାଏ ।

 

ଅନଙ୍ଗମୋହନ ଓ ସ୍ୱର୍ଣ୍ଣପ୍ରଭା ପାଖକୁପାଖ ଲାଗି ଛିଡ଼ା ହୋଇଥାନ୍ତି । ଉଭୟଙ୍କ ନିଃଶ୍ୱାସ ପରସ୍ପରର ଦେହରେ ବାଜୁଥାଏ । ସେ ନିଃଶ୍ୱାସ ନୁହେ ଯେ ଫୁଲଶର ।

 

ଅନଙ୍ଗମୋହନ ବହୁଦିନର ଅବରୁଦ୍ଧ ଇଚ୍ଛା ହଠାତ୍‌ ଆତ୍ମପ୍ରକାଶ କଲା । ସେ ନୀରବ, ନିର୍ବାକ ନବ ଯୁବତୀ ସ୍ୱର୍ଣ୍ଣପ୍ରଭାର ରକ୍ତାଭ ଗଣ୍ଡରେ ସୁଦୀର୍ଘ ଚୁମ୍ୱନଟିଏ ବାଢ଼ିଦେଲେ ।

 

କୁମାରୀ କନ୍ୟା ସ୍ୱର୍ଣ୍ଣପ୍ରଭା ପକ୍ଷରେ ସେ ଏକ ଅଭିନବ ଅନୁଭବ । ତାର ରୂପ ଯୌବନରେ ସତେ ଅବା ନିଆଁ ଲାଗିଗଲା । ସେ ହୁତୁହୁତୁ ହୋଇ ଜଳି ଉଠିଲା । ତଥାପି ସେହି ଜ୍ୱଳନ ଭିତରେ ସ୍ୱର୍ଣ୍ଣପ୍ରଭା ତା’ ମନ ଭିତରେ ଅଭୂତବୂର୍ବ ଶାନ୍ତି, ତୃପ୍ତି ଓ ସନ୍ତୋଷ ଲାଭ କଲା । ଆଃ, ଏହାହିଁ ତାର ନିଭୃତ ମନର ଏକାନ୍ତ ଇଚ୍ଛା ଥିଲା । ବହୁଦିନ ପରେ ସେତକ ଅନାୟାସରେ ଲାଭ କରି ଭାବିଲା, ସେ ସ୍ୱର୍ଗ ପାଇଛି ।

 

ତଥାପି..........

 

ଏତେ ପ୍ରାପ୍ତି, ଏତେ ତୃପ୍ତି ପାଇ ବି ନିଜ ମନର ସନ୍ତୋଷକୁ ଖୋଲା ଭାବରେ ସ୍ୱୀକାର କରିବାକୁ ନିଜକୁ ଲଜ୍ଜିତା ମନେ କଲା ସ୍ୱର୍ଣ୍ଣ । କିଛି କହିବା ପାଇଁ ଇଚ୍ଛା ଥିଲା, ଅଥଚ କହି ପାରୁ ନ ଥିଲା । ତା’ମନର ସବୁ ଭାବନା, ରୂପ ଓ ଯୌବନରେ ମଠେଇ, ମଠେଇ ଖେଳୁଥିବା ନିଆଁରେ ପୋଡ଼ିଗଲା । ବହୁ ଶ୍ରମ ସ୍ୱୀକାର ପୂର୍ବକ, କୁଣ୍ଠିତ କଣ୍ଠ ତାର ଥରି ଉଠିଲା । ଦୁଇ ଆଖିରେ ବିଦ୍ୟୁତ୍‌ ଖେଳାଇ, କିଛି ଭାବି, ଦରଛପା, ଦର ଲୁଚା ଭାଷାରେ କହିଲା, ‘ଛି ଏମିତି ହୁଅନ୍ତି ? ତା’ପରେ କସ୍ତୁରୀମୃଗ ପରି ଡିଆଁ ମାରି ଚାଲିଗଲା ।

 

ଅନଙ୍ଗମୋହନ କିନ୍ତୁ ତାର ଅନୁଗମନ କଲେ । ବିନା ଡକାରେ ଯାଇ ବୈଠକ ଘର ଭିତରେ ବସିଲେ । ସ୍ୱର୍ଣ୍ଣ ଶୁଣିବା ପରି ଅପେକ୍ଷାକୃତ ଉଚ୍ଚକଣ୍ଠରେ କହିଲେ, ଚା’ଦେବ ?

 

‘ବସ !’ ସ୍ୱର୍ଣ୍ଣପ୍ରଭା ଭିତର ଘରୁ ଉତ୍ତର ଦେଲା ।

 

ସ୍ୱର୍ଣ୍ଣପ୍ରଭା ଓଦାଲୁଗା ପାଲଟି ବେଶ ହେଉଥିଲା । ତାରି କଅଁଳ ଛାତି ଥରି ଥରି ଉଠୁ୍‌ଥାଏ । ଚୁମ୍ବିତ ଗଣ୍ଡକୁ ବାରମ୍ୱାର ସ୍ପର୍ଶ କରି ମୋହିତ ହୋଇ ଯାଉଥାଏ । ତାକୁ ଲାଗୁଥାଏ, ସମଗ୍ର ସଂସାରଟା ଆଖି ଆଗରେ ଚକର ଖାଉଛି । ତଥାପି ଅନୁରୋଧ ମୁତାବକ ଚା’ ପ୍ରସ୍ତୁତ କରି ପାଖକୁ ନେଇ ଆସିଲା । ତାର ସଂତ୍ରସ୍ତ ପଦଯୁଗଳ ସମାନ ଭାବରେ ପଡ଼ୁ ନ ଥାଏ ।

 

ଅନଙ୍ଗମୋହନଙ୍କ ରକ୍ତରେ ନିଆଁ ଲାଗିଥାଏ ଯେମିତି । ସେ ସ୍ୱର୍ଣ୍ଣପ୍ରଭାର ରୂପ ଯୌବନ ପ୍ରତି ଆସକ୍ତ ହୋଇ ଉଠିଥାନ୍ତି । ସାଧାରଣ ମଣିଷର ସଂଭ୍ରମତା ଆଉ ନ ଥାଏ । ନିଜର ଉଚ୍ଚ ଶିକ୍ଷା, ଉଚ୍ଚ ପଦବୀ ଜ୍ଞାନ ଦୂରେଇ ଯାଇଥାଏ । ସେ ହୋଇଥାନ୍ତି, ପଦବୀ ବିହୀନ, ଶିକ୍ଷା ଶୂନ୍ୟ, ଗୋଟିଏ ଆଦିମ ମଣିଷ । ସେ ରୂପସୀ ସ୍ୱର୍ଣ୍ଣର ବାସଅଞ୍ଚଳ ଭିଡ଼ି ପାଖରେ ବସାଇବାକୁ ଚେଷ୍ଟା କଲେ ।

 

ସ୍ୱର୍ଣ୍ଣ ଅନନ୍ୟୋପାୟ ହୋଇ ଚା’ପିଆଲାକୁ ତଳେ ରଖି ପାଖରେ ବସିଲା ।

 

ସେହି ନିଭୃତ, ନିକାଞ୍ଚନ ବାସ ଗୃହରେ ଦୁଇଟି ଦେହକାମୀ ତରୁଣ ତରୁଣୀ ପାଖାପାଖି ବସି ପରସ୍ପର ସାନ୍ନିଧ୍ୟ ଓ ସ୍ପର୍ଶକୁ ଉପଭୋଗ କରିବାକୁ ଲାଗିଲେ ।

 

ସ୍ୱର୍ଣ୍ଣର ଯୌବନଦୀପ୍ତ ଦେହ, ଭସ୍ମାଚ୍ଛାଦିତ ବହ୍ନିପରି ପ୍ରଚ୍ଛନ୍ନ ଥିଲା । ଅନଙ୍ଗମୋହନ ତାକୁ ବିମୁକ୍ତ କରି, ଖୋଲା ଆଖିରେ ଦେଖୁ ଦେଖୁ ନିଜକୁ ନିଜେ ନିଖୋଜ କରିଦେଲେ ।

 

ଅନଙ୍ଗମୋହନ ବିଦାୟ ନେଲାବେଳେ ସୁଖୀ ନ ଥିଲେ । ତାଙ୍କର ମନେ ହେଲା, ସତେ ଅବା ନିଜର ଗୋଟିଏ ବହୁମୂଲ୍ୟ ଜିନିଷକୁ ସ୍ୱର୍ଣ୍ଣପ୍ରଭା ଘରେ ଛାଡ଼ିଦେଇ ଆସିଲେ ।

 

ଆଉ କୁମାରୀ ସ୍ୱର୍ଣ୍ଣପ୍ରଭା ?

 

ସେ ଆଉ ସ୍ୱର୍ଣ୍ଣପ୍ରଭା ହୋଇ ରହିଲା ନାହିଁ । ସେ ହେଲା କୀଟଦଂଶ ଫୁଲଟିଏ । ସୌରଭ ଥିଲେ ବି’ ପବିତ୍ରତା ନାହିଁ । ସାମୟିକ ବିଳାସ ପାଇଁ ସର୍ବସ୍ୱ ଉତ୍ସର୍ଗ କରି, ସେ କାଙ୍ଗାଳିନୀ ପାଲଟି ଗଲା । ତାର ରୂପଭରା ଦେହରେ ଅନଙ୍ଗମୋହନର ସ୍ପର୍ଶ ମିଶି କିମ୍ଭୁତକିମାକାର ହୋଇଗଲା । ଲୁବ୍‌ଧ ପକ୍ଷୀ, କାମନାର-ଜାଲ ଭିତରେ ଛନ୍ଦିହୋଇ ଯାଇଥିଲେ ବି’ ଭାବୁଥିଲା, ସେ ଆନନ୍ଦରେ ଅଛି ସୁଖରେ ଅଛି ।

 

ସ୍ୱର୍ଣ୍ଣପ୍ରଭାର ପୁଷ୍ପିତ ଦେହରେ ଭଲ ପାଇବାର ଅଦ୍ଭୁତ ମୋହ ଲଗାଇ ଅନଙ୍ଗମୋହନ କିଛିଦିନ ପାଇଁ ଅନ୍ତର୍ଦ୍ଧାନ ହୋଇଗଲେ । ଅଥଚ ସେହି କିଛି ଦିନ, ସ୍ୱର୍ଣ୍ଣପ୍ରଭା ତାକୁ କେତେ ବିକଳ ଭାବରେ ଚାହିଁ ନାହିଁ ।

 

ନିଭୃତ ମୁହୂର୍ତ୍ତରେ ଅନଙ୍ଗମୋହନ ମନେ ପଡ଼ନ୍ତି । ଅତୀତର ସେହି ସାର୍ଥକ ମୁହୂର୍ତ୍ତଟି ଆଖି ଆଗରେ ଝଲସି ଉଠେ । ସଂସାର ସାରା ଅନଙ୍ଗମୋହନଙ୍କ ପ୍ରତିମୂର୍ତ୍ତି ଦେଖିବାକୁ ପାଏ ସ୍ୱର୍ଣ୍ଣ-। ସ୍ୱପ୍ନରେ ସେ ଆପେ ଆପେ ଅଡ଼କାରେ ଆସି ମିଳିତ ହୁଅନ୍ତି । ସ୍ୱର୍ଣ୍ଣ ତାଙ୍କର ବଳିଷ୍ଠ ବୁକୁକୁ ଆଲିଙ୍ଗନ କରେ । ତାର କୁମାରୀ ଜୀବନର ସଞ୍ଚିତ ମାଧୁର୍ଯ୍ୟକୁ ହସି ହସି ସେହି ସ୍ୱପ୍ନର ମଣିଷଟି ହାତକୁ ବଢ଼ାଇ ଦେଉ ଦେଉ ଅଭିମାନ କରି କହେ, କାହିଁକି ମୋତେ ଏହି ନିଷ୍ଠୁର ଭଲ ପାଇବା ଶିଖାଇ ଦେଲ ମୋହନ ? ମୁଁ ତ ତୁମକୁ ଏଥିପାଇଁ କେବେ ହେଲେ ଅନୁରୋଧ କରି ନ ଥିଲି-। କଣ ପାଇଲ ସତରେ ? ଶେଷକୁ ଗୋଟିଏ କୁମାରୀ କନ୍ୟାକୁ ନିରାଶ କରି ଚାଲିଯିବା କଣ ଉଚିତ ହେଲା ?

 

ଅନଙ୍ଗମୋହନ ଅନ୍ତର୍ଦ୍ଧାନ ପରେ ରାଜବାଳା ଓ ରାଜେନ୍ଦ୍ରଙ୍କ ମଧ୍ୟରେ ବାରମ୍ୱାର ତାଙ୍କର ଆଲୋଚନା ପଡ଼ୁଥିଲା । ଦିନେ କିନ୍ତୁ ସେ ଆଲୋଚନା କିଛିହେଲେ ଶୁଣିବାକୁ ମିଳିଲା ନାହିଁ । ବାପ ମାଆ ଗମ୍ଭୀର ଓ ନୀରବ ରହିଗଲେ । ସତେ ଅବା କୌଣସି ଗୁରୁତର ବିଷୟ ନେଇ ଭାବି ହେଉଥିଲେ ।

 

ଅଥଚ ସ୍ୱର୍ଣ୍ଣପ୍ରଭା ଚାହୁଁଥିଲା, ସେ ଘରେ ଅନଙ୍ଗମୋହନଙ୍କ ବାରମ୍ୱାର ଆଲୋଚନା ହୁଅନ୍ତା । ଅନଙ୍ଗମୋହନଙ୍କ ପ୍ରଶସ୍ତି ଗାନ ଶୁଣି ସେ ସୁଖୀ ହୁଅନ୍ତା । ଖାଲି ବାପମା କାହିଁକି, ସମସ୍ତେ ଖାଲି ଅନଙ୍ଗମୋହନଙ୍କ କଥା ପକାନ୍ତେ । ସୋନପୁର ସହରଟା ଅନଙ୍ଗମୋହନଙ୍କୁ ମନେ ପକାଇ ତାରି ପରି ଆତ୍ମହରା ହୋଇ ଉଠନ୍ତା ।

 

କିନ୍ତୁ ସେ ଦେଖେ, ତା’ ବ୍ୟତୀତ ଆଉ କେହି ହେଲେ ତାଙ୍କୁ ମନେ ପକାଉ ନାହାନ୍ତି । କେହିହେଲେ ତାଙ୍କରି ପ୍ରଶସ୍ତି ଗାନ କରିବାକୁ ଆଗେଇ ଆସୁ ନାହାନ୍ତି । ସହରଟା ସ୍ୱାର୍ଥପର ହୋଇ ଗଲାଣି । ନ ହେଲେ ଅନଙ୍ଗମୋହନଙ୍କ ପରି ଏକ କାର୍ଯ୍ୟଦକ୍ଷ ଓ ଶୁଭେଚ୍ଛୁ ବ୍ୟକ୍ତିଙ୍କର ଅନୁପସ୍ଥିତିରେ ନୀରବ ରହି ପାରନ୍ତା ? ପଦେ ହେଲେ ତାଙ୍କ ସମ୍ୱନ୍ଧରେ ଆଲୋଚନା କରନ୍ତା ନାହିଁ-

 

ଅନଙ୍ଗ ମୋହନ-ବିହୀନ-ସୋନପୁର ସହର ତାରି ପାଇଁ ବିବର୍ଣ୍ଣ ଓ ପ୍ରାଣହୀନ ଜଣାପଡ଼େ । ସହରର ବର୍ଣ୍ଣାଢ଼୍ୟ ପରିବେଶ ତାର କୁମାରୀ ମନକୁ ମୋହିତ କରି ପାରେ ନାହିଁ ।

 

କାଳିନ୍ଦୀଆସି ଡାକେ, ଦେଈ ମ ! ବୁଲିବାକୁ ଯିବୁ ନୁ ?

 

ସ୍ୱର୍ଣ୍ଣପ୍ରଭା କାଳିନ୍ଦୀ କଥାରେ ସଙ୍ଗେ ସଙ୍ଗେ ରାଜି ହୋଇଯାଏ ।

 

କାଳିନ୍ଦୀ ଓ ସ୍ୱର୍ଣ୍ଣ ହାତ ଧରାଧରି ହୋଇ ଚାଲନ୍ତି ।

 

ସ୍ୱର୍ଣ୍ଣର ମନେ ହୁଏ । ସୋନପୁର ସହରଟା ଏଇ କିଛି ଦିନ ଭିତରେ ଅନେକ ବଦଳି ଯାଇଛି । ଦିନ କେଇଟା ପୂର୍ବର ସେହି ବିଚିତ୍ର ବର୍ଣ୍ଣ, ପ୍ରାଣମୟ ରୂପ ବିଭବ ଆଉ ନାହିଁ । ରାସ୍ତାଧାରର ଗଛ ପତ୍ର, ମଣିଷ ଆଉ ତା’ ଆଖିରେ ଲୋଭନୀୟ ମନେ ହୁଅନ୍ତି ନାହିଁ । ତାର ମନେ ହୁଏ, ଚଲା ବାଟୋଇର ପ୍ରାଣ ଥିଲେ ବି’ ସେ ପ୍ରାଣର ପୁଲକ ନାହିଁ, ଚାହାଣୀରୁ ସ୍ୱଭାବ ସୁଲଭ ଚାଞ୍ଚଲ୍ୟ ଛଡ଼ାଇ ନେଇ ତାରି ଅଲକ୍ଷ୍ୟରେ ଭରି ଦେଇ ଯାଇଛି ଶିଥିଳତା ।

 

ସୋନପୁର ସହର ମଦୁଆ,ମଳୁଆ ପରି ମଳିନ, ବିବର୍ଣ୍ଣ ଦେଖାଯାଏ । ସେ ଦୁହେଁ ସାଙ୍ଗ ହୋଇ ତେଲ ନଦୀର ପଥରବନ୍ଧ ଉପରେ ବସି ମନୁମୁଣ୍ଡା ପଟର ଦୃଶ୍ୟ ଉପଭୋଗ କରନ୍ତି । ଫେରି ଡଙ୍ଗାରେ ବସି ସୋନପୁର ଓ ବଉଦ ରାଜ୍ୟର ଲୋକେ ଯାତାୟତ କରୁଥାନ୍ତି । ତେଲ ନଦୀର ଖଣ୍ଡାଧାରିଆ ସୁଅ ଦେହରେ ଫେରି ଡଙ୍ଗା ପବନ ପରି ଛୁଟୁଥାଏ ।

 

ତେଲ ନଦୀର କାଉ ଆଖିଆ ପାଣିରେ ଗାଧୋଇ ଗାଧୋଇ ଘରକୁ ଫେରେ ସୋନପୁର ସହରର ସୁବର୍ଣ୍ଣ ଝିଅ । ତାର ନିମଳିତ ନେତ୍ରରେ କେତ ସ୍ୱପ୍ନ, କେତେ ବିହ୍ୱଳତା ! ବେଳେ ବେଳେ ତାର ସେହି ନିମିଳିତ ନେତ୍ର ଉଠାଇ ପଥଧାରାକୁ ଚାହେଁ । ସେହି ମୂର୍ଚ୍ଛାହତ ଚାହାଣୀରେ ଭଲ ପାଇବାର ବିମୁଗ୍‌ଧ କାହାଣୀ ଲେଖି ହୋଇଥାଏ । ସ୍ୱର୍ଣ୍ଣପ୍ରଭା, ସୋନପୁର ଝିଅର ଲୀଳା ଚଞ୍ଚଳ ମୁହଁ, ହସ ହସ ଦୃଷ୍ଟି, ପୁଣି ପରସ୍ପର ମଧ୍ୟରେ ଚାଲିଥିବା ସରସ ପରିହାସ ଶୁଣି ଆମୋଦ ପାଏ ।

 

ଏ ହସ, ଏରୂପ ସୋନପୁର ଝିଅର ଦେହରେ କେବଳ ଯୌବନର ପ୍ରକାଶ ନୁହେ ତାହା ତାର ରକ୍ତ, ମାଂସ ମେଦ ଓ ଅସ୍ଥିଗତ ବିକାଶ !

 

ତୁଠ ଆରପଟେ ବଉଦ ରାଜ୍ୟର ଝିଅ ତେଲ ନଦୀରେ ମୁଣ୍ଡ ଧୋଇ ସୁନା ଖରାରେ କେଶ ଶୁଖାଉ ଥାଏ । ତାର ସୁଦୀର୍ଘ କେଶ ବିଥିରେ ଚନ୍ଦନର-ସୁଗନ୍ଧ ଥାଏ । ସେ ସୁଗନ୍ଧ, ତେଲ ନଦୀର ସର୍ପିଳ ତରଙ୍ଗରେ ସନ୍ତରଣ କରି ସୋନପୁର ପଟେ ଚାଲି ଆସେ । ସୋନପୁର ଯୁବକ ତଟସ୍ଥ ହୁଏ । ସେ ବିନା କାରଣରେ ପହଁରି ପହଁରି ନଈ ଆରପଟେ ଚାଲିଯାଏ । ଓଦା ଦେହରେ, ବଡ଼ ପଥର ଚଟାଣରେ ବସି ସେ ଖାଲି ଗୀତ ଗାଏ । ଇପ୍‌ସିତ ତରୁଣୀ ଆଖିରେ ଆଖି ମିଶିଗଲେ ତୃପ୍ତି ଲାଭ କରେ । ଆଖିରେ ଆଖିରେ ସେ ଦୁହେଁ ନୀରବ, ନିଥର କଥାଭାଷା କରନ୍ତି । ସେ ଆଖିରେ ନୂତନ ଇଙ୍ଗିତ ନୂତନ ଦ୍ୟୋତନା ଭରିଥାଏ । ସେ ଦୁହେଁ ପ୍ରତିଜ୍ଞା କଲାପରି, ପ୍ରତିଦିନ ପରସ୍ପର ସଙ୍ଗେ ଦେଖା ସାକ୍ଷାତ କରନ୍ତି । ତେଲ ନଦୀର ଖଣ୍ଡା ଧାରିଆ ସୁଅ ସେମାନଙ୍କ ପ୍ରତିବନ୍ଧକ ହୁଏ ନାହିଁ ।

 

ବଉଦ ରାଜ୍ୟରେ ଅଲିଅଳ କନ୍ୟା ସଙ୍ଗେ ସୋନପୁର ସହରର ପ୍ରଗଳ୍‌ଭ ତରୁଣର ବାହାଘର ହୁଏ । ବିବାହ ବେଦୀର ମିଳନ ପୀଠରେ ଏକତ୍ରିତ ହୋଇ ସେମାନେ ସ୍ୱାମୀ ସ୍ତ୍ରୀର ପବିତ୍ର ଶପଥ ଗ୍ରହଣ କରନ୍ତି । ସେମାନଙ୍କ ଆଖିରୁ ସବୁଜ ଚପଳତା ଆଗାମୀ କାଲିର ରଙ୍ଗୀନ ଭବିଷ୍ୟତକୁ ନେଇ ସଜୀବ ହୋଇ ଉଠେ ।

 

ସ୍ୱର୍ଣ୍ଣପ୍ରଭା ସେହି ପ୍ରୀତି ମୁଗ୍‌ଧ ତରୁଣ ତରୁଣୀଙ୍କୁ ଦେଖି ଆପ୍ୟାୟିତା ହୁଏ । ନିଘଞ୍ଚ ବନ ହରିଣୀର ଉଦ୍ଦାମତା ନେଇ ସେମାନେ ଚଳପ୍ରଚଳ ହୁଅନ୍ତି । ହୃଦୟର ସମସ୍ତ ଆବେଗ ଓ ଉତ୍ତାପ ନେଇ କଥାଭାଷା କରନ୍ତି ।

 

ବେଳେବେଳେ ସେମାନଙ୍କ ସେହି ସ୍ୱର୍ଗୀୟ ପ୍ରେମ ଦେଖି ସ୍ୱର୍ଣ୍ଣପ୍ରଭାର ମନ ଭିତରେ ଈର୍ଷା ଜନ୍ମେ । ଆଃ ସେ ବି ଏମାନଙ୍କ ପରି ସହଜ, ସରଳ ହୋଇ ପାରନ୍ତା କି ? ଜୀବନର ସମସ୍ତ ବାଧା ବନ୍ଧନ ଦୂରେଇ ଯାଆନ୍ତା କି ? ତାରି ତଥାକଥିତ ସଭ୍ୟ ସଂସାରକୁ ସେ ଆଉ ଆଖିରେ ଚାହାନ୍ତା ନାହିଁ । ଏଇ ଖରସ୍ରୋତା ତେଲ ନଦୀର ଉପକଣ୍ଠରେ ବସି ବସି ଦିନ କାଟନ୍ତା । ରାମେଶ୍ୱର ଘାଟର ସ୍ୱଚ୍ଛ ପବନରେ ପ୍ରଜାପତି ପରି ଉଡ଼ି ବୁଲନ୍ତା । କେହି ତାକୁ ଚାହାନ୍ତେ ନାହିଁ । ସେ ବି’ କାହାରି କଥା ମନେ ପକାନ୍ତା ନାହିଁ । ଅନଙ୍ଗମୋହନ କଥା ନେଇ ଏତେ ଡହଳ ବିକଳ ହେବାକୁ ପଡ଼ନ୍ତା ନାହିଁ ।

 

ସ୍ୱର୍ଣ୍ଣପ୍ରଭାର ମୁହଁଟା ଉଜଳି ଉଠେ । ଭସ୍ମାଚ୍ଛାଦିତ ବହ୍ନି ପରି ମନର ଅଲୌକିକ ଭାବନାଟା ତାର ଯୌବନ ଦୀପ୍ତ ଦେହକୁ ଉଲ୍ଲସିତ କରେ । ଲୀଳା ଚଞ୍ଚଳ ଚକ୍ଷୁ ଦୁଇଟି ବିଜୁଳୀର ପ୍ରକାଶ ନେଇ ଲୀଳାୟିତ ହୋଇ ଉଠେ ।

 

କାଳିନ୍ଦୀ ଡାକେ, ଦେଖୁଛୁ ଦେଈ ? ଏଇ ପାହାଚ ତଳେ କେତେ ରୂପାରଙ୍ଗର ମାଛ ଯାଆଁଳ ! ସେମାନଙ୍କ ପରଗୁଡ଼ିକ କି ଶକ୍ତ !

 

ସ୍ୱର୍ଣ୍ଣପ୍ରଭାର ସେ ଦିଗରେ ଖିଆଲ ନ ଥାଏ । ଝିମେଇ ଝିମେଇ କହେ, ସତ ତ ! କେତେ ସୁନ୍ଦର ମାଛ !

 

କାଳିନ୍ଦୀର ଉତ୍ସୁକତା ବଢ଼େ । କହେ ଧରିବା ଦେଈ ଏ ମାଛ ? ତୋ’ ପଣତ କାନିକି ଓସାରି ଦେଲେ ଅନେକ ମାଛ ପଡ଼ିବେ ।

 

ସ୍ୱର୍ଣ୍ଣପ୍ରଭାର ପିନ୍ଧା ପଣତରେ ସେ ଦୁହେଁ ତେଲ ନଦୀର କାଉ ଆଖିଆ ପାଣିରୁ ଯାଆଁଳ ମାଛ ଧରନ୍ତି । ପୁଣି ଧରି ସାରି ଗୋଟି ଗୋଟି କରି ଛାଡ଼ି ଦିଅନ୍ତି ।

ସୁବର୍ଣ୍ଣ ମେରୁ ମନ୍ଦରରୁ ସଞ୍ଜ ଓହ୍ଲାଇ ଆସିଲେ, ସେମାନଙ୍କ ମନେ ପଡ଼େ ଅନେକ ବେଳ ହୋଇ ଗଲାଣି । ଖୋଲା ପବନରେ ପଣତ ଶୁଖାଇ ଶୁଖାଇ ସ୍ୱର୍ଣ୍ଣପ୍ରଭା ଓ କାଳିନ୍ଦୀ ଆଗପଛ ହୋଇ ଫେରି ଆସନ୍ତି ।

ବାଟରେ କେବେ କେବେ ମେସ୍‌ ବାହୁଡ଼ା ସୁଧାଂଶୁ ହଷ୍ଟେଲ୍‌ର ଚପଳ ମତି ଛାତ୍ରମାନଙ୍କ ସଙ୍ଗରେ ଦେଖା ହୁଏ । ସେମାନେ ରାଜବାଳା ଓ ରାଜେନ୍ଦ୍ର ସିଂହକୁ ଡରି ମୁହଁ ସାମନରେ କିଛି କହି ପାରନ୍ତି ନାହିଁ ସିନା, ଦି, ପାହୁଣ୍ଡ ଆଗକୁ ଚାଲିଗଲେ, କଡ଼ା କଡ଼ା ଟିପ୍‌ପଣୀ ଦିଅନ୍ତି ।

ସ୍ୱର୍ଣ୍ଣପୁରୀରେ ସରଗ ପରୀ........କିଏ ଜଣେ କଥାକୁ ଅଧା ଅଧି ତୋଳି ନେଇ ମନ୍ତବ୍ୟ କରେ ।

ଖାଲି ଯଦି ପରଦି’ଟା ପାଇଥାନ୍ତା ନାଁ, ସ୍ୱର୍ଗ ମର୍ତ୍ତ୍ୟ ଏକାକାର କରି ପକାନ୍ତା - ଦ୍ୱିତୀୟ ଛାତ୍ରଟି ସଂଯୋଗ କରେ ।

ପର ଥିଲେ ମୋଟେ ଭଲ ଦେଖା ଯାଆନ୍ତା ନହିଁ । ସେଇଥିପାଇଁ, ପର ନାହିଁ । ପର ନ ଥିବା ପରୀ.....ତୃତୀୟ କେହି ସଂଯୋଗ କରେ ।

ସ୍ୱର୍ଣ୍ଣ ସେ ମନ୍ତବ୍ୟ ଶୁଣି ମନେ ମନେ କୁରୁଳି ଉଠେ । ଭାବେ, ସତରେ ସେ କଣ ପରୀ ପରି ସୁନ୍ଦର । ଏ ସୋନପୁର ଛାତ୍ର ଗୁଡ଼ିକ ଅବାଧ୍ୟ ହେଲେଣି । କାହାକୁ କଣ କହୁଛନ୍ତି, ସେଥିକି ନଜର ଦେଉ ନାହାନ୍ତି । କି ଯେ ପିଲା ? ତଥାପି ସେହି ଅବୋଧ୍ୟ ଛାତ୍ରମାନଙ୍କ ପ୍ରତି ସ୍ୱର୍ଣ୍ଣର ମନ ଭିତରେ ସ୍ନେହ ଓ ଶ୍ରଦ୍ଧା ବୃଦ୍ଧି ପାଏ । କେତେ ସରଳ, କେତେ ସରସ ହୃଦୟ । କଥାରେ ବାଡ଼ବତା ନାହିଁ । ମପାଚୁପା କଥାରେ କି ଆମୋଦ ପାଇ ହୁଏ ।

ରାଜବାଳା ଓ ରାଜେନ୍ଦ୍ର ନୀଡ଼ ବାହୁଡ଼ା କାଳିନ୍ଦୀ ଓ ସ୍ୱର୍ଣ୍ଣକୁ ମନ ଭରି ଚାହାନ୍ତି । ଅରଣ୍ୟର ଦୁଇଟି ସୁସ୍ଥ ସବଳ ପକ୍ଷୀଶାବକ । ଡେଣା ଫିଟି ଫିଟି ଆସୁଛି । ଦିନ କେଇଟା ପରେ, ସମ୍ପୂର୍ଣ୍ଣ ଭାବରେ ପକ୍ଷୀ ଲାଗିଗଲେ, ନିଜ ଇଚ୍ଛାରେ ବୁଲି ପାରିବେ । ଠିକ୍‍ ସେତିକି ଦିନ ପର୍ଯ୍ୟନ୍ତ ଦାୟିତ୍ୱ ଅଛି ତାଙ୍କରି ମୁଣ୍ଡ ଉପରେ । ତା ପରେ ଭାରା ନାହିଁ ।

ସ୍ୱର୍ଣ୍ଣପ୍ରଭା ଓ କାଳିନ୍ଦୀ ଘରେ ପହୁଞ୍ଚି ଈଶ୍ୱର ଉପାସନାରେ କିଛି ସମୟ ବ୍ୟସ୍ତ ରହନ୍ତି । ଏକା ସଙ୍ଗରେ ପ୍ରାର୍ଥନା କରନ୍ତି, ହେ ଯୀଶୁ ! ତୁମେହିଁ ସୃଷ୍ଟିର ଏକମାତ୍ର ରକ୍ଷକ । ପୃଥିବୀ ଯେତେବେଳେ ପାପତାପରେ ଭାରାକ୍ରାନ୍ତ ହୁଏ, ତୁମେ ଜନ୍ମ ନେଇ ତାକୁ ସଜାଡ଼ି ଦିଅ । ହେ ଈଶ୍ୱର, ଆମକୁ ମୁକ୍ତିର ମାର୍ଗ ଦେଖାଇ ଦିଅ ! ’

ଦୁଇଟି ମଧୁର କଣ୍ଠର ସମନ୍ୱୟରେ ସେ ପ୍ରାର୍ଥନା ହୃଦୟ ସ୍ପର୍ଶୀ ହୋଇ ଉଠେ ।

ରାଜେନ୍ଦ୍ର ସିଂହ ଓ ରାଜବାଳା ପାଖାପାଖି ବସି ସେହି ସୁମଧୁର ସ୍ତବ ପାଠକୁ ମନଭରି ଉପଭୋଗ କରନ୍ତି ।

ସ୍ତବ ଶେଷ ହୁଏ ।

 

ରାଜେନ୍ଦ୍ର ଓ ରାଜବାଳା ଅଲକ୍ଷ୍ୟରେ ନିଜ ଛାତି ଓ ମୁଣ୍ଡରେ କ୍ରୁଶ ଚିହ୍ନ ଅଙ୍କନ କରି ପରସ୍ପରର ପ୍ରଣତି ବାଢ଼ନ୍ତି । ଏ ସମୟରେ ସ୍ୱର୍ଣ୍ଣପ୍ରଭା କାଳିନ୍ଦୀକୁ ନୂଆ ପାଠ ଶିଖାଏ । କଠିନ ଅଙ୍କର ଧାରା ସଙ୍ଗରେ ତାକୁ ପରିଚୟ କରାଇ ଦିଏ । କିନ୍ତୁ ରାଜେନ୍ଦ୍ର ଓ ରାଜବାଳାଙ୍କର ଧ୍ୟାନ ଭଙ୍ଗ ହୁଏ ନି’ । ସେମାନେ ସ୍ୱର୍ଣ୍ଣ ଓ କାଳିନ୍ଦୀର ଭବିଷ୍ୟତ ସମ୍ୱନ୍ଧରେ ମନେ ମନେ ଆଲୋଚନା କରୁଥାନ୍ତି-। କାଳିନ୍ଦୀଟା ମରଦ ପୁଅ । ତାର ବିଶେଷ କିଛି ଅନିଷ୍ଟ ହେବ ନାହିଁ । କିନ୍ତୁ ସ୍ୱର୍ଣ୍ଣଟା ଯେ ମାଇପୀ ଝିଅ । ତାର ବିବାହ ବୟସ ପହୁଞ୍ଚି ଗଲାଣି । କଣ ହେବ ଭବିଷ୍ୟତଟା ? ରାଜେନ୍ଦ୍ର ଓ ରାଜବାଳା ସାମନା ସାମନି ବସି ବି’ ପରସ୍ପରର ଉପସ୍ଥିତିକୁ ସ୍ମରଣ କରି ପାରନ୍ତି ନାହିଁ । ଦୁହିଙ୍କ ମନର ଭାବନାତକ ଦୁଇଟି ଦିଗରେ ବହି ଚାଲେ । ସତେ ଯେମିତି ସେମାନଙ୍କର ଆଉ ସଙ୍ଗମ ନାହିଁ-

 

ରାତ୍ରି ବଢ଼େ । ସମଗ୍ର ସୋନପୁର ସହର ରାତ୍ରିର ଅଫିମକଳା ଚାଦରରେ ଘୋଡ଼ାଇ ହୁଏ । ସହରବାସୀ ବିଶ୍ରାମ ନେବାକୁ ପ୍ରସ୍ତୁତ ହୁଅନ୍ତି ।

 

ରାଜେନ୍ଦ୍ରଙ୍କ ପରିବାର ସହଳ ଶୋଇ ଯାଏ । ବିଛଣା ଧରିଲେ ଗୃହକର୍ତ୍ତା ଓ ଗୃହକର୍ତ୍ତ୍ରୀଙ୍କ ମୁଣ୍ଡ ଭିତରେ ସହସ୍ର ଭାବନା ଚଢ଼ି ଆସେ । ନିଦ ଲାଗିଗଲେ ସେ ହୁଏ ସ୍ୱପ୍ନ । ରାଜବାଳା ସ୍ୱପ୍ନ ଦେଖନ୍ତି, ସ୍ୱର୍ଣ୍ଣପ୍ରଭା ବିବାହ ବନ୍ଧନରେ ବାନ୍ଧି ହେଉଛି । ରାଜେନ୍ଦ୍ରବି’ ଅନୁରୂପ ସ୍ୱପ୍ନ ଦେଖନ୍ତି ।

 

ସ୍ୱପ୍ନ କିନ୍ତୁ ସତ ହୁଏ ନାଁ ।

 

ସ୍ୱର୍ଣ୍ଣପ୍ରଭାର ବିବାହ ଯୋଗାଡ଼ ହୋଇ ପାରେନାଁ ।

 

ମଣିଷର କାମନାର ଅନ୍ତ ନାହିଁ । ଗୋଟିଏ ସ୍ୱପ୍ନ ସତ୍ୟ ନ ହେଲେ ଆଉ ଗୋଟିଏ ସ୍ୱପ୍ନ ଦେଖେ । ସେହି ସ୍ୱପ୍ନର ସ୍ନିଗ୍‌ଧ ପରାଗ ବୋଳି ହୋଇ ବଞ୍ଚିବାକୁ ଇଚ୍ଛା କରେ । ତା’ ନିଜର ବ୍ୟକ୍ତିଗତ ଚିନ୍ତା ରାଜ୍ୟରେ ବିଚରଣ କରିବାକୁ ଭଲପାଏ ।

 

ଆଉ ଏଇ ମଣିଷ ଯଦି ଥରକ ପାଇଁ ହେଲେ ସ୍ଥିର କରନ୍ତା ଯେ, ତା’ରି ଇଚ୍ଛାର କୌଣସି ରୂପ ରେଖ ନାହିଁ । ତାହା କେବେହେଲେ ପୂରଣ ହୁଏନାଁ । ଅଦୃଷ୍ଟ ବିଧାତାର ଇଙ୍ଗିତହିଁ ତା’ର ପ୍ରାପ୍ତି ।

 

ନା, ସେହି ପରମ ସିଦ୍ଧାନ୍ତକୁ ମଣିଷ ସବୁବେଳେ ଭୁଲିଯାଇ ଖୁବ୍‌ ଭଲ କରିଛି । ନ ହେଲେ ତା’ର ସଦା ଚଞ୍ଚଳମନ ପାଷାଣ ପାଲଟି ଯାଆନ୍ତା । ସେ ସ୍ଥିର ଓ ସ୍ଥବିର ପାଲଟି ଯାଆନ୍ତା । କିନ୍ତୁ ମଣିଷ ସ୍ଥିର ହେଉ, ଏହା କେବେହେଲେ କାମ୍ୟ ନୁହେଁ । ତା’ରି ଚଞ୍ଚଳତାରେ ତ ଏ ପୃଥିବୀ ଗତଶୀଳ ହୁଏ । ତା’ରି ଭାବନାରେ ହିଁ ତ ଏ ପୃଥିବୀର ପରିବର୍ତ୍ତନ ହୁଏ । ନ ହେଲେ ମଣିଷ ବାରମ୍ୱାର ହିମାଳୟ ବିଜୟ କରିବାକୁ ସଂକଳ୍ପ କରନ୍ତା କାହିଁକି ? ଗ୍ରହ ନକ୍ଷତ୍ରର ଅଦେଖା ଦର୍ଶନ ପାଇଁ ବ୍ୟାକୁଳ ହୁଅନ୍ତା କାହିଁକି ?

 

କିନ୍ତୁ ସେ ଦିନ ସ୍ୱର୍ଣ୍ଣପ୍ରଭା ସତରେ ସ୍ଥବିର ପାଲଟି ଗଲା ।

 

ଅନଙ୍ଗମୋହନ ସୋନପୁର ସହରକୁ ଫେରି ଆସି ତା’ରି ସଙ୍ଗରେ ସାକ୍ଷାତ କଲେ ନାହିଁ-। ସେ ଆଉ ଏକ ଦିବ୍ୟ ସୁନ୍ଦରୀର ହାତଧରି ବଡ଼ ବଜାର ମଝିରେ ଚାଲି ଯାଉଥିଲେ । ସେ ଯେଉଁ ହସ, ସେ ଯେଉଁ ପ୍ରଗ୍‌ଳଭତା ତାକୁ ଭାଷାରେ ପ୍ରକାଶ କରି ହୁଏନାଁ । ଅନଙ୍ଗମୋହନ ପୁଣି ଏତେ ଚଞ୍ଚଳ ହୋଇ ପାରନ୍ତି । ତଥାପି ସ୍ୱର୍ଣ୍ଣପ୍ରଭା ସର୍ବପ୍ରଥମେ ନିଜ ଚକ୍ଷୁକୁ ବିଶ୍ୱାସ କରି ପାରିଲା ନାହିଁ-। ବାରମ୍ୱାର ସେହି ଯୁଗଳ ମୂର୍ତ୍ତିଙ୍କୁ ନିରୀକ୍ଷଣ କଲା । ତା’ପରେ ଫେରି ଆସି ରାଜବାଳାଙ୍କୁ ପ୍ରଶ୍ନ କଲା-

 

ରାଜବାଳା ଉତ୍ତର ଦେଇ ପାରିଲେ ନାହିଁ ।

 

ସେ ପ୍ରଶ୍ନ ଶୁଣି ରାଜେନ୍ଦ୍ର ସିଂହ ଏକ ପ୍ରକୋଷ୍ଠକୁ ଘୁଞ୍ଚିଯାଇ ରାଜବାଳାଙ୍କ ଉତ୍ତରକୁ ଅପେକ୍ଷା କଲେ ।

 

ଅନେକ ସମୟ ନୀରବରେ କଟିଗଲା ।

 

ସ୍ୱର୍ଣ୍ଣପ୍ରଭା କିନ୍ତୁ ଛାଡ଼ିବାର ପାତ୍ରୀ ନୁହେ । ସେ ପୁନର୍ବାର ତାରି ପ୍ରଥମ ପ୍ରଶ୍ନର ପୁନରାବୃତ୍ତି କଲା ।

 

ରାଜବାଳା ଶେଷକୁ ଉତ୍ତର ଦେଲେ । କିନ୍ତୁ ସେ ଉତ୍ତରଟି କେତେ କରୁଣାତ୍ମକ । ରାଜବାଳାଙ୍କ କଣ୍ଠରେ ପୂର୍ବର ପରିଚିତ କର୍କଶତା ନ ଥିଲା । ସେଥିରେ ନିର୍ଦ୍ଦେଶ ନ ଥିଲା କି ନିଷ୍ଠୁରତା ନ ଥିଲା । ଭାଷାରୁ କ୍ରନ୍ଦନର ଶୈଳୀ ଝିରି ଝିରି ହୋଇ ଝରି ଆସୁଥିଲା । ସେ ରହି ରହି ବିସ୍ମୟ, ବିମୁଢ଼ କଣ୍ଠରେ ଉତ୍ତର ଦେଲେ, ଅନଙ୍ଗମୋହନ ବିବାହିତ ।

 

‘ଅନଙ୍ଗମୋହନ ବିବାହିତ !’ ଏଇ କେତୋଟି ଅଦ୍ଭୁତ ଶବ୍ଦ ସ୍ୱର୍ଣ୍ଣପ୍ରଭାର କର୍ଣ୍ଣ ଯୁଗଳରେ ବାରମ୍ୱାର ପ୍ରତିଧ୍ୱନିତ ହେଲା ।

 

ରାଜେନ୍ଦ୍ର ସିଂହ ରାଜବାଳାଙ୍କର ନିମ୍ନ କଣ୍ଠରେ ଅଶ୍ରୁର ବନ୍ୟାକୁ ଆବିଷ୍କାର କଲେ । କେତେ ମର୍ମନ୍ତୁଦ, କେତେ ଦାରୁଣ ସେହି ଅଶ୍ରୁଧାରା । ରାଜେନ୍ଦ୍ର ସିଂହ ସ୍ପଷ୍ଟ ଭାବରେ ଜାଣି ପାରିଲେ, ରାଜବାଳା ଜୀବନରେ ବିରାଟ ପରାଜୟର ସମ୍ମୁଖୀନା ହୋଇଛନ୍ତି । ପୁଣି ସେ ପରାଜୟକୁ ବିନା ଦ୍ୱିଧାରେ ସ୍ୱୀକାର କରି ନେଇଛନ୍ତି । ନିଜର ପରାଜୟକୁ ଘୋଡ଼ାଇ ରଖିବାର କୌଣସି ଅପଚେଷ୍ଟା ନାହିଁ । ମହାନ୍‌ ସତ୍ୟକୁ ଆଚ୍ଛାଦନ କରି ରଖିବାର କୌଣସି ଅପକୌଶଳ ନାହିଁ । ସେ ନିଜର ଜନ୍ମକଲା, ଝିଅ ସାମନାରେ ଦୋଷୀଟିଏ ପରି ଦଣ୍ଡାୟମାନ ।

 

କିନ୍ତୁ ସ୍ୱର୍ଣ୍ଣପ୍ରଭା ବା ତାଙ୍କୁ କି ଦଣ୍ଡଦେଇ ପାରନ୍ତା ? ତା’ ହାତରେ ମାଆ ବିରୁଦ୍ଧରେ ପ୍ରୟୋଗ କରିବା ପାଇଁ କି କ୍ଷମତା ରହିଛି ? ତା’ର ସେହି ସ୍ତବ୍‌ଧ, ଗମ୍ଭୀର ଚକ୍ଷୁରେ ଅନେକ ପ୍ରତିବାଦ ନେଇ ସେ ଛିଡ଼ା ହୋଇଥିଲା । କହିବାକୁ ଚାହୁଥିଲା, ଗୋଟିଏ ବିବାହିତ ପୁରୁଷକୁ ମୋ ସଙ୍ଗେ ଏମିତି ଅବାଧ ମିଳାମିଶା ପାଇଁ ସୁଯୋଗ ଦେଲ କାହିଁକି ମାଆ ? ମୋ କୁମାରୀ ଜୀବନକୁ ନଷ୍ଟଭ୍ରଷ୍ଟ କରି କି ଲାଭ ପାଇଲ ? ମୋର ଏ ପତନ ପାଇଁ କଣ ତୁମେ ଦାୟୀ ନୁହ ? କେଉଁ ସାହସରେ ଦୁନିଆ ଆଗରେ କହିବି, ମୁଁ ନିଷ୍କଳଙ୍କ ?

 

ସ୍ୱର୍ଣ୍ଣପ୍ରଭା ମନର ଭାବନାକୁ ପ୍ରକାଶ କରି ପାରିଲା ନାହିଁ । ତା’ରି ଆଖିର ତାତିଲା ଲୁହ ଦି’ଧାରକ ସ୍ୱର୍ଣ୍ଣର ମାନସିକ ଅବସ୍ଥାକୁ ନିଖୁଣ ଭାବରେ ପରିବେଷଣ କରୁଥିଲା । ସେ ନିମିଷକ ପାଇଁ ମାଆ ମୁହଁକୁ ଚାହିଁ ନେଇ, ତା ପରେ ଫେରିଗଲା ନିଜର ଶୋଇବା ଘରକୁ । ସେଇଠି ମୁଚୁଳାରେ ମୁଣ୍ଡ ଦେଇ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା ।

 

ରାଜେନ୍ଦ୍ର ସେ କରୁଣ କ୍ରନ୍ଦନକୁ ସହ୍ୟକରି ନ ପାରି ଘର ଭିତରୁ ନିଷ୍କ୍ରାନ୍ତ ହେଲେ ।

 

ରାଜବାଳା ଝିଅକୁ ସାନ୍ତ୍ୱନା ଦେବାକୁ କୌଣସି ଉପାୟ ଖୋଜି ପାଇଲେ ନାହିଁ । ସେ ସ୍ୱର୍ଣ୍ଣର କାନ୍ଦଣାକୁ ଶୁଣୁ ଶୁଣୁ ନିଜେ ମଧ୍ୟ ଅଶ୍ରୁମୋଚନ କଲେ ।

 

କାଳିନ୍ଦୀ ଫେରିଆସି ଦେଖିଲା, ଘରେ କାହାରି ମୁହଁରେ ହସ ନାହିଁ । ରାଜବାଳା ଅନ୍ୟମନସ୍କ ଭାବରେ ଏକାକୀ ଚୌକିଟାରେ ବସି ମନକୁ ମନ କ’ଣ ଭାବି ହେଉଛନ୍ତି । ସ୍ୱର୍ଣ୍ଣପ୍ରଭା ଶୋଇବା ଘରେ କାନ୍ଦି, କାନ୍ଦି ଶୋଇଯାଇଛି ।

 

କାଳିନ୍ଦୀ ଶାୟିତା ସ୍ୱର୍ଣ୍ଣର ଶୁଖିଲା ଲୁହ ଧାରକୁ ନିଜ ହାତରେ ପୋଛି ପକାଇଲା ।

 

କାଳିନ୍ଦୀ ହାତର ସ୍ପର୍ଶ ପାଇ ଅର୍ଦ୍ଧଶାୟିତା ସ୍ୱର୍ଣ୍ଣ ଉଠି ବସିଲା । ସେ ନୀରବ ଆଖିରେ କାଳିନ୍ଦୀକୁ ଚାହୁଁ ଚାହୁଁ ପୁନର୍ବାର ଅଶ୍ରୁପାତ କଲା ।

 

କାଳିନ୍ଦୀ ଏ କଥାର ରହସ୍ୟ କିଛି ବୁଝି ନ ପାରିଲେ ବି ଭାବିନେଲା, ତା ଦେଈ ସ୍ୱର୍ଣ୍ଣ କୌଣସି କାରଣରୁ ଆହତା । ତାକୁ ଅଭୟ ଦେବା ଉଦ୍ଦେଶ୍ୟରେ ପ୍ରକାଶ କଲା, ତୁ ବ୍ୟସ୍ତ ହନାଁ ଲୋ ଦେଈ ! ମୁଁ ପରା ତୋ’ ପଛରେ ଅଛି । ଆମେ କାହାକୁ ହେଲେ ଡରିବା ନାହିଁ । ଦୁହେଁ ହାତ ଧରାଧରି ହୋଇ ଆଗେଇ ଯିବା । ବିପଦ ଆସିଲେ ‘ଭାଇ’ ବୋଲି ଗୋଟିଏ ଡାକଦେବୁ । ମୁଁ ସେ ବିପଦ ସଙ୍ଗେ ଲଢ଼ିବି । ମୋ’ ଜୀବନକୁ ବାଜି ରଖି ଲଢ଼ିବି !’

 

କି ଏକ ଆବେଗରେ ସ୍ୱର୍ଣ୍ଣପ୍ରଭା କାଳିନ୍ଦୀକୁ କୋଳଗ୍ରତ କରି ବଡ଼ ପାଟିରେ କହିଲା, ‘ମା’ କାଳିନ୍ଦୀ ପରା ଭାଇ ଥାଉ, ଥାଉ ମୋର କାହାକୁ ଡର ? ଦୁନିଆ ମୋତେ କହିବ ସିନା, କିଛି ହେଲେ କରି ପାରିବ ନାହିଁ । ’’

 

ରାଜବାଳା କାଳିନ୍ଦୀକୁ ମନେ ମନେ ଆଶୀର୍ବାଦ ଦେଲେ, ଏତିକି ଦିନଯାଏ ତାକୁ ପର ପୁଅ ଭାବରେ ଦେଖି ଆସିଥିଲେ । ଆଜି ତାଙ୍କ ଆଖିରୁ ସେହି ଅନ୍ଧପୁଟଳୀ ଫିଟିଗଲା । ସେ ନୂତନ ମନ ନୂତନ ପ୍ରାଣ ନେଇ ନୂଆ ମଣିଷଟିଏ ପାଲଟି ଗଲେ ।

 

ଅନଙ୍ଗମୋହନ ଆଉ କେବେହେଲେ ରାଜବାଳାଙ୍କ ସଙ୍ଗେ ଦେଖା କରିବାକୁ ଆଗଭର ହୋଇ ନାହାନ୍ତି । ସ୍କୁଲ ପରିସର ଭିତରେ କର୍ତ୍ତବ୍ୟ ତୁଲାଇବା ଉଦ୍ଦେଶ୍ୟରେ ଉଭୟଙ୍କର ଆଳାପ, ଆଲୋଚନା ହୁଏ । ସୋନପୁର ରାଜ୍ୟର ଶିକ୍ଷାବିକାଶ ଦିଗରେ ଆଲୋଚନା ହେଲେ ଅନ୍ୟାନ୍ୟ ମୁଖ୍ୟ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସାଙ୍ଗରେ ରାଜବାଳା ବି’ ଆମନ୍ତ୍ରିତ ହୁଅନ୍ତି । କିନ୍ତୁ ସେହି ଆଲୋଚନା ବାହାରେ ପଦେ ବାହାର କଥାପଡ଼େ ନାହିଁ ।

 

ଅନଙ୍ଗମୋହନ ସ୍ଥିର, ଗମ୍ଭୀର ଭାବରେ ଉତ୍ତର ଦିଅନ୍ତି ଓ ପ୍ରଶ୍ନ ପଚାରନ୍ତି । ତାଙ୍କର ସେହି ପ୍ରଶାନ୍ତ ମୁଖମଣ୍ଡଳକୁ ଚାହିଁଲେ, ଯେ କେହି ଧାରଣା କରିନେବ, ଏତେବଡ଼ ରାଜ୍ୟର ଶିକ୍ଷାଦାୟିତ୍ୱ ଗ୍ରହଣ କରିବା ସହଜ କଥା ନୁହେଁ । ତା’ପାଇଁ ଅନେକ କିଛି ଭାବିବାକୁ ହୁଏ, ଅନେକ କିଛି କରିବାକୁ ହୁଏ ।

 

କିନ୍ତୁ ଅନଙ୍ଗମୋହନଙ୍କ ପତ୍ନୀ କାମିନୀ ଦେବୀ’ ଆଉ ପ୍ରକାରେ । ସହରରେ ସମସ୍ତଙ୍କ ସଙ୍ଗରେ ସ୍ନେହ ଓ ସୌହାର୍ଦ୍ଦ ପ୍ରତିଷ୍ଠା କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ । ଭୁଲ୍‌ରେ ସୁଦ୍ଧା ଅପର ମନରେ ଆଘାତ ଦିଅନ୍ତି ନାହିଁ ।

 

ଦିନେ ଏକା ଏକା ସେ ରାଜବାଳାଙ୍କ ଘରକୁ ଆସିଲେ ।

Unknown

 

ରାଜବାଳା କାମିନୀଦେବୀଙ୍କୁ ନିଜଘରେ ଏକା ଦେଖି ଇତଃସ୍ତତ ହୋଇ ଉଠିଲେ । ତାଙ୍କ ଆଖିରେ ଏକ କିମ୍ୱୁତକିମାକାର ଚାହାଣୀ ପ୍ରକଟିତ ହେଲା । ତହିଁରେ କିଛିଟା ବିରକ୍ତି, କିଛିଟା ଈର୍ଷା ଥିଲା । ସେ ତାଙ୍କୁ କେବଳ ଅନଙ୍ଗମୋହନଙ୍କ ପତ୍ନୀ ଭାବରେ ଚିହ୍ନି ଥିଲେ । ସେଇଥିପାଇଁ ତାଙ୍କୁ ଘୃଣା କରିବାକୁ ଆରମ୍ଭ କଲେ । ମୁହେଁ, ମୁହେଁ ଶୁଣାଇ ଦେଲେ, ରାଜ୍ୟର ଏତେବଡ଼ ହାକିମଙ୍କର ପତ୍ନୀ ହୋଇ ଏକା ଏକା ବୁଲୁଛ ? ଲୋକେ କ’ଣ କହିବେ ? ତା’ପରେ ଆମେ ତମ ସ୍ୱାମୀଙ୍କର ଅଧସ୍ତନ କର୍ମଚାରୀ । ଆମ ଆସନ ଯେ ତୁମଠାରୁ ଅନେକ ତଳେ ?

 

କାମିନୀ ଦେବୀ ସେ କଥା ଶୁଣି ଆହତ ହେଲେ, ନିଶ୍ଚୟ । କିନ୍ତୁ ସେ ଆହତ ମନୋଭାବ ଭାଷାରେ ପ୍ରକାଶ ପାଇ ପାରିଲା ନାହିଁ । ତାହା ଦୁଇବିନ୍ଦୁ ଅଶ୍ରୁ ହୋଇ ତାଙ୍କର ସରଳ ଆଖି କୋଣରେ ଆତ୍ମ ପ୍ରକାଶ କଲା । କହିଲେ, ଏ କଣ କହୁଛ, ମାଉସି ! ପ୍ରବାସକୁ ଚାକିରୀ କରିବାକୁ ଆସି ସାନ ବଡ଼ ବିଚାର ରଖିଲେ, କଣ ଚଳି ହେବ ? ତା’ପରେ ଚାକିରୀଟା କଣ ମଣିଷ ଜୀବନର ଏକମାତ୍ର ମାନ ? ମାନବିକତାର ଏଇଠି କୌଣସି ସ୍ଥାନ ନାହିଁ ? ସୋନପୁର ସହରରେ ତୁମକୁ ଛାଡ଼ିଦେଲେ, ଆମ ସମାଜରେ ଆଉ କିଏ ଅଛି ?

 

ରାଜବାଳା ଆଶ୍ଚର୍ଯ୍ୟ ହୋଇ କାମିନୀଙ୍କ ମୁହଁକୁ ଅନାଇ ଥାନ୍ତି । ତଥାପି ଅବିଶ୍ୱାସ ଭାବ କଟି ନ ଥାଏ । ତାଙ୍କର ସେହି ଅସମ୍ଭବ ଚାହାଣିକୁ ଲକ୍ଷ୍ୟକରି କାମିନୀ ସଂଯୋଗ କଲେ, ଖ୍ରୀଷ୍ଟଧର୍ମ ଆମ ସମସ୍ତଙ୍କୁ ସମାନ ଭାବରେ ଅନାଇବାକୁ ଶିକ୍ଷା ଦେଇଛି । ଆମେ ଯିଏ ଯେଉଁଠି ଥିଲେ ବି ଯେ କୌଣସି ପଦବୀ ବା ଆସନରେ ଆସୀନ ହୋଇଥିଲେ ବି ସେହି ଏକମାତ୍ର ଈଶ୍ୱରଙ୍କ ସନ୍ତାନ ! ତୁମେ କଣ ଏ କଥା ସ୍ୱୀକାର କରିବ, ମାଉସି ? ତା’ଛଡ଼ା ତୁମେ ମୋ ଠାରୁ ବୟସରେ ଅନେକ ବଡ଼ । କହିଲ ଦେଖି, ମୁଁ କଣ ତୁମ ପାଖରୁ ସ୍ୱର୍ଣ୍ଣପ୍ରଭାର ସ୍ନେହ ଦାବୀ କରିବାର ଅଧିକାର ନାହିଁ ?

 

ନା, କାମିନୀକୁ ଅବିଶ୍ୱାସ କରିବାର କୌଣସି ଯୁକ୍ତି ନାହିଁ । ସେ ଅନଙ୍ଗମୋହନଙ୍କ ପତ୍ନୀ ହେଲେ ବି ବ୍ୟବହାର ଓ ବିଚାରଧାରାରେ ଉଲ୍ଲେଖ ଯୋଗ୍ୟ ପ୍ରଭେଦ ରହିଛି । ରାଜବାଳା ନିଜ ଭୁଲକୁ ନିଜେ ଉପଲବ୍‌ଧି କରି ପାରିଲେ । ସେ ଅପେକ୍ଷାକୃତ ସରଳ ହୋଇ କାମିନୀଙ୍କୁ ନିଜ ସଙ୍ଗରେ ନେଇ ସ୍ୱର୍ଣ୍ଣପ୍ରଭା ସଙ୍ଗରେ ପରିଚୟ କରାଇ ଦେଲେ ।

 

ସ୍ୱର୍ଣ୍ଣପ୍ରଭା ପ୍ରଥମ କେଇଦିନ କାମିନୀଙ୍କ ସଙ୍ଗେ ହୃଦୟ ଖୋଲି କଥାବାର୍ତ୍ତା କଲା ନାହିଁ । କାମିନୀ ପହଞ୍ଚି ଗଲେ, ତା’ର ଅନଙ୍ଗମୋହନଙ୍କର କଥା ମନେ ପଡ଼େ । ମନ ଛି’ ଲାଗେ ।

 

ସ୍ୱର୍ଣ୍ଣପ୍ରଭା ଭାବି ଲାଗେ, ଏଇ ପୁରୁଷଗୁଡ଼ାକ ଛଳନାର ଆଗାର । ସୁନ୍ଦରୀ ତରୁଣୀଟିଏ ଦେଖିଲେ, ସେମାନେ ଲୋଭାଇ ଯାଆନ୍ତି । ତାକୁ ମୋହ ମୁଗ୍‌ଧ କରିବାକୁ ଛଳନାର ଫାଶ ପକାନ୍ତି-। ତା’ ଦେହ, ତା ରୂପ ଯୌବନର ସହସ୍ର ପ୍ରଶଂସା ବାଢ଼ି ଶେଷକୁ ପଚାରନ୍ତି; ତୁମେ ମୋତେ ଭଲ ପାଅ ? ଜୀବନ ଦେଇ ଭଲ ପାଅ ? ପୁରୁଷ ମୁହଁରୁ ପ୍ରଶଂସା ଶୁଣି ସରଳା ତରୁଣୀ କନ୍ୟାଟି ଲାଜରେ ଜଡ଼ଜୁଡ଼ ହୋଇଥାଏ । ସେ ପୁରୁଷର ପଦ୍ମତୋଳା ଶୁଣି ବଶୀଭୂତ ହୋଇ ସାରିଥାଏ-। ପୁରୁଷ କଥାରେ ନାହିଁ କରିପାରେ ନା । ଶେଷକୁ ତା’ର ପ୍ରସ୍ତାବରେ ରାଜି ହୋଇଯାଏ–ତେଣିକି ତା’ର ଆଉ ଚାରା ନାହିଁ । ପୁରୁଷ ଯେମିତି ଶିଖାଏ, ସ୍ତ୍ରୀ ସେମିତି ଶିଖେ । ସେ ଯେମିତି ନଚାଏ, ତରୁଣୀ ସେମିତି ନାଚେ । ସ୍ତ୍ରୀର ସ୍ୱତନ୍ତ୍ରତା ଆଉ ରହେ ନା ।

 

ତରୁଣୀ ଯଦି ଚାଲାକ ହୋଇଥାଏ, ସେ କଥା ଭିନ୍ନ । ପୁରୁଷ ତା’ର ସବାର ହୁଏ । ନିଜ ମନ ଇଚ୍ଛାରେ ଦୁନିଆ ଚଳାଏ । କିନ୍ତୁ ଅଧିକାଂଶ ସ୍ତ୍ରୀଙ୍କର ଜନ୍ମ ଇତିହାସ ନିଆରା । ସେମାନେ ପୁରୁଷକୁ କରଗତ କରିବା ଅପେକ୍ଷା ତା’ରି ବଶୀଭୂତ ହେବାକୁ ଇଚ୍ଛାପୋଷଣ କରନ୍ତି । ପୁରୁଷ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଏହି ବିନୀତ ମନୋଭାବର ସୁଯୋଗ ନିଏ ।

 

କାମିନୀକୁ ଦେଖିଲେ, ସ୍ୱର୍ଣ୍ଣର ଏହି ଚିନ୍ତାଟି ବାରମ୍ୱାର ମନେ ପଡ଼େ । ସେ ଭାବେ, ତା’ରି ଅତୀତର କଥା; ତା ଜୀବନର ପରାଜୟ କଥା । ଅନଙ୍ଗମୋହନର କୌଣସି ପରିଚୟ ନ ପାଇ ତା’ର ବ୍ୟକ୍ତିତ୍ୱ ସମ୍ୱନ୍ଧରେ ଏତିକି ଟିକିଏ ସନ୍ଧାନ ନ ନେଇ ସେ ଆପଣାକୁ ଉଜାଡ଼ି ଦେଇଥିଲା-। ତା’ରି ପତ୍ନୀ କାମିନୀ ଆସି ପୁଣି ଥରେ ବଳେଇ ପଶୁଛି । କଣ ହୋଇପାରେ କାରଣଟା-? ଜୀବନରେ ଆଉ କଣ ଅଛି ଯେ, ଅନଙ୍ଗମୋହନର ପତ୍ନୀ ଛଡ଼ାଇ ନେବ ?

 

ମଣିଷ ବାରମ୍ୱାର ଭୁଲକରି ପଣ୍ଡିତ ହୁଏ, ସହସ୍ରବାର ଝୁଣ୍ଟି, ଚାଲିବା ଶିଖେ; ଅନେକ ଥର ନିନ୍ଦା ଶୁଣିବା ପରେହିଁ ପ୍ରଶଂସା ପାଏ । କ୍ଷତି ସହି ସହି ଶେଷରେ ମଣିଷ ଲାଭବାନ୍‌ ହୁଏ । ଧକ୍‌କା ବା ଆଘାତ ନ ପାଇବା ପର୍ଯ୍ୟନ୍ତ ସେ ଚାଲାକ ହୋଇପାରେ ନାହିଁ ।

 

ସ୍ୱର୍ଣ୍ଣପ୍ରଭା ଭୁଲକରି ଆଘାତ ପାଇ ଆଜି ଭଲ ମନ୍ଦର ବିଚାର କରିବା ଶକ୍ତି ପାଇଛି । ଶକ୍ତି ପାଇବା ପାଇଁ ସେ ଯେଉଁ ମୂଲ୍ୟ ଦାନ କଲା, ତାହା ବର୍ଣ୍ଣନାତୀତ । କାମିନୀ ଆଜି ଯଦି ତା’ର ସରଳତାର ସୁଯୋଗ ନେଇ କୌଣସି ଦାନ ମାଗିବେ, ତାହା ହେଲେ ହତାଶ ହେବେ । ସେ ତା’ର କୌଣସି ସ୍ୱାର୍ଥ, କୌଣସି ସମ୍ମାନ ପରିତ୍ୟାଗ କରିବାକୁ ପ୍ରସ୍ତୁତ ନୁହେ । ବରଂ ସୁଯୋଗ ପାଇଲେ, ସେ ଯଥେଷ୍ଟ ଆଘାତ ଦେବ । ସ୍ୱାମୀର ଦୋଷ ଦୁର୍ବଳତାକୁ ଆଳକରି, ପତ୍ନୀଠାରୁ ଜବାବ ନେବ । ତାହା ହେଲେ କାମିନୀ ବୁଝିବେ, ସ୍ୱର୍ଣ୍ଣପ୍ରଭା ପରି ଝିଅକୁ ପ୍ରଲୋଭିତ କରି ଅନଙ୍ଗମୋହନ ଉଚିତ କରି ନାହାନ୍ତି ।

 

କିନ୍ତୁ କାମିନୀ କଣ ଅନଙ୍ଗମୋହନର କାର୍ଯ୍ୟକଳାପ ବିଷୟରେ ଅବଗତ ଥିବେ ? କୌଣସି ସ୍ୱାମୀ ତା’ର ବିବାହିତା ପତ୍ନୀ ଆଗରେ ନିଜର ଦୋଷ ଦୁର୍ବଳତା ପ୍ରକାଶ କରେ ? ସ୍ୱାମୀର ଚରିତ୍ର ବଳିଷ୍ଠ ଭାବାପନ୍ନ ନ ହେଲେ, ସେ ନିଜର ଦୁର୍ବଳ ଘଟଣାବଳିକୁ ପତ୍ନୀ ପାଖରେ ଲୁଚାଇ ରଖିବାକୁ ସତତ ଚେଷ୍ଟିତ ଥାଏ । ବରଂ ପତ୍ନୀକୁ ସେ ଏମିତି ଆଲୋଚନା ପଡ଼ିଲେ, ଭୟ କରିବାକୁ ଆରମ୍ଭ କରେ । ତାହା ହେଲେ ଅନଙ୍ଗମୋହନ.... ।

 

ସ୍ୱର୍ଣ୍ଣପ୍ରଭା କାମିନୀର କଥାଭାଷାରେ କୌଣସି ବ୍ୟତିକ୍ରମ ଦେଖିଲା ନାହିଁ । ବାରମ୍ୱାର ତାଙ୍କୁ ଲଘୁ ଆଘାତ ଦେବାକୁ ଚେଷ୍ଟା କରି ବ୍ୟର୍ଥ ହେଲା । ଅଥଚ ସେ କାମିନୀ ମୁହଁରୁ ଆଶା କରୁଥିଲା, ତା’ ନିଜ ପ୍ରତି ଅସମ୍ମାନ । ଅବିବାହିତା ତରୁଣୀ କନ୍ୟା ପାଇଁ କଟୁ ମନ୍ତବ୍ୟ । ସେ ଦିନେ ହେଲେ କାମିନୀଙ୍କ ମୁହଁରୁ ଏମିତି ପଦେକଥା ଶୁଣିବାକୁ ପାଇନାହିଁ , ଯଦ୍ଦ୍ୱାରା ତାର ଆହତ ମନ କ୍ରୁଦ୍ଧା ହୋଇଛି । ଏମିତି ପଦେ ହେଲେ ମନ୍ତବ୍ୟ ଶୁଣି ନାହିଁ, ଯଦ୍ଦ୍ୱାରା କାମିନୀଙ୍କ ଅହଂଭାବ ପ୍ରକଟିତ ହୋଇଛି । କେତେ ଧୀର, ସଂଯତ ତାଙ୍କର ବ୍ୟବହାର ! ସେ କେତେ ସହନଶୀଳ ମନୋଭାବ । କେତେ ସ୍ନେହ, କେତେ ମମତା ।

କାମିନୀ ପରି ତରୁଣୀ ଅନଙ୍ଗମୋହନଙ୍କ ହାତ ଧରିବା ଉଚିତ ହୋଇ ନାହିଁ ! ଅନଙ୍ଗମୋହନଙ୍କ ପତ୍ନୀ ଜଣେ ମୁଖରା ଓ କଳିହୁଡ଼ୀ ସ୍ତ୍ରୀ ହେବାର ଉଚିତ ଥିଲା ।

ସ୍ୱର୍ଣ୍ଣପ୍ରଭା ଏହି ସରଳମନା କାମିନୀଙ୍କ ଆଗରେ ନିଜର ହା’ ହୁତାଶମୟ ଇତିହାସକୁ ବ୍ୟକ୍ତ କରିବାକୁ ଇଚ୍ଛା କଲା । କିନ୍ତୁ ତା କି ସମ୍ଭବ ? କେଉଁ ସ୍ତ୍ରୀ ତା ନିଜର ଦୁର୍ଭାଗ୍ୟକୁ ପର ଆଗରେ ବ୍ୟକ୍ତ କରେ ? ପୁଣି ଯେଉଁଠି ତା’ର ନାରୀତ୍ୱକୁ ଅବମାନନା କରା ଯାଇଛି, ତା’ର କୁମାରୀତ୍ୱକୁ ଆଘାତ ଦିଆ ଯାଇଛି, ସେଇଠି ସେ ଏତେଟା ସ୍ପଷ୍ଟବାଦିନୀ ହେବା କଣ ସମ୍ଭବ ? ସ୍ୱର୍ଣ୍ଣପ୍ରଭା ନିଜକୁ କାମିନୀଙ୍କ ପାଖରେ ସହଜ କରି ପାରିଲା ନାହିଁ । ସେ ଉପଲବ୍‌ଧି କଲା, ଏତେ ବୁଝାମଣା ପରେ ବି କାମିନୀ ଓ ତାଙ୍କ ନିଜ ମଧ୍ୟରେ ବିଭେଦର ପ୍ରାଚୀର ଛିଡ଼ା ହୋଇଛି ।

ସେ ବିଭେଦ ସବୁଦିନ ସକାଶେ ସ୍ତାୟୀ ହୋଇ ରହିଲା ନାହିଁ ।

ଦିନେ କାମିନୀ ନିଜେ ଆସି ଅନଙ୍ଗମୋହନଙ୍କ ଦୋଷତ୍ରୁଟି ପାଇଁ କ୍ଷମା ପ୍ରାର୍ଥନା କଲେ । କହିଲେ ବିବାହିତ ସ୍ୱାମୀ ସ୍ତ୍ରୀ ପାଖରୁ ଦୂରେଇ ରହିଲେ ଦୁର୍ବଳତାର ଶିକାର ହୁଏ । ତରୁଣୀ କନ୍ୟାର ସାନ୍ନିଧ୍ୟଲାଭ କରିବାର ସୁଯୋଗ ପାଇଲେ, ତାରି ମନର ଅବଦମିତ ଇଚ୍ଛାସବୁ ସଜୀବ ହୋଇ ଉଠନ୍ତି । କାମ-ପିପାସା ପ୍ରବଳ ହୁଏ । ଦୁନିଆର କୌଣସି ଶକ୍ତି ତାକୁ ସେ ପିପାସାରୁ ଛଡ଼ାଇ ରଖିପାରେ ନାହିଁ । ବିବେକୀ ତାର ହୃଦୟର ବାଣୀକୁ ଭୁଲିଯାଏ । ନୀତିବାଦୀ ନୀତି ନିୟମପ୍ରତି ଅନ୍ୟମନସ୍କ ହୁଏ । ପୃଥିବୀରେ ପୁରୁଷ ପାଇଁ ନାରୀ ହିଁ ସର୍ବଶ୍ରେଷ୍ଠ ଦୁର୍ବଳତା । ତେଣୁ ତରୁଣୀ କନ୍ୟାର ଏକମାତ୍ର କର୍ତ୍ତବ୍ୟ, ସେ ପୁରୁଷ ପାଖରୁ ନିଜକୁ ଉଲ୍ଲେଖ ଯୋଗ୍ୟ ବ୍ୟବଧାନରେ ରଖି ଚଳପ୍ରଚଳ ହେବା । ନିଜକୁ ନିଜ ଯୌବନକୁ ଲୋଭିଲା ମଣିଷ ଆଖିରୁ ବଞ୍ଚାଇ ରଖିବା । ନ ହେଲେ ପରିଣତି ଅତି ଅସହନୀୟ ହୋଇ ଉଠିବ । ନିଆଁ ପାଖରେ ଘିଅ ତରଳି ଯିବାପରି ଆମର ପୋଡ଼ାମୁହାଁ ମନ ପୁରୁଷର ଭେଳିକରି ଭଳିଯିବ । ତା’ପରେ ଅନୁଶୋଚନାହିଁ ସାର ହେବ !

କାମିନୀଙ୍କ ମନ୍ତବ୍ୟରେ କିଛି ହେଲେ ଭୁଲ ନ ଥିଲା ।

ସ୍ୱର୍ଣ୍ଣପ୍ରଭାର ଅଙ୍ଗପ୍ରତ୍ୟଙ୍ଗରେ ସେହି ମନ୍ତବ୍ୟର ତୀକ୍ଷ୍‌ଣ ମୁନସବୁ ଗଳିଯାଇ ତାକୁ ଅବ୍ୟକ୍ତ ବେଦନାରେ ଅଭିଭୂତ କଲା । ଏତେଦିନ ପର୍ଯ୍ୟନ୍ତ କେବଳ ମାତ୍ର ସେ ଅନଙ୍ଗମୋହନ ଓ ରାଜବାଳାଙ୍କୁ ତାରି ପତନ ପାଇଁ ଦାୟୀ କରୁଥିଲା । ଆଜି ବୁଝିଲା, ସେ ବି ଅତୀତର ଅଶୁଭ ସ୍ଫଳନ ସକାଶେ ଦାୟୀ । ସେ ଯଦି ପ୍ରଲୋଭିତ ହୋଇ ନ ଥାନ୍ତା; ସେ ଯଦି ପଦ୍ମତୋଳା ଶୁଣି ନ ଥାନ୍ତା, ତାହା ହେଲେ ଅନଙ୍ଗମୋହନ ତା’ ଉପରେ କୌଣସି ବଳ ପ୍ରୟୋଗ କରିପାରି ନ ଥାନ୍ତେ । ତାଙ୍କର ସମସ୍ତ ଛଳନା, ସମସ୍ତ କପଟତା ତା’ର ସ୍ଥିର ସିଦ୍ଧାନ୍ତ ସମ୍ମୁଖରେ ହାର୍‌ ମାନିଥାନ୍ତା ।

ସ୍ୱର୍ଣ୍ଣପ୍ରଭା କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା ।

କାମିନୀ ସ୍ୱର୍ଣ୍ଣପ୍ରଭାର କଣ୍ଠଲଗ୍ନା ହୋଇ ତା’ ଆଖିରେ ଉତ୍ତପ୍ତ ଅଶ୍ରୁଧାରକୁ ନିଜ ପଣତରେ ପୋଛି ପକାଇଲେ । ତା’ ପରେ ନିଜ ଛାତିରେ ଲଗାଇ ନେଇ ଆଶ୍ୱାସନା ଦେଲେ । କହିଲେ, ଏହା ତୁମର ଦୋଷ ନୁହେ, ସ୍ୱର୍ଣ୍ଣ; ବୟସର ଦୋଷ । ଆମ ମାଇପି ଜାତିଟାକୁ ଅଦୃଷ୍ଟ ପୃଥିବୀର ସମସ୍ତ ଦୋଷ ଦୁର୍ବଳତାର ଅଗାର କରି ଗଢ଼ିଛି । ଆମକୁ ରୂପ, ଯୌବନ ସଙ୍ଗରେ ଅଗ୍ନିର ଉତ୍ତାପ ବି ଦେଇଛି । ସେ ରୂପରେ ଆମେ ପୃଥିବୀର ପୁରୁଷ ଜାତିଟାକୁ ଜାଳି ପକାଉଁ । ପୁଣି ସେହି ଅଗ୍ନିରେ ଆମେ ନିଜେ ବି ଜଳି ଉଠୁଁ । ପୁରୁଷର ଆକର୍ଷଣ; ଆମପାଇଁ ଏକ ଅବ୍ୟର୍ଥ ଆକର୍ଷଣ । ପୁରୁଷ ପ୍ରଲୋଭିତ ହେବା ଦେଖିଲେ, ମୋହିତ ହେଉଁ । ତାଙ୍କ ଦୋଷ ଦୁର୍ବଳତା ଦେଖି ଖେଳିବାକୁ ଆରମ୍ଭ କରୁଁ । ସେ ଖେଳରେ କେବେ ଜୟ ହୁଏ, କେବେ ପରାଜୟ ହୁଏ । କିନ୍ତୁ ପୁରୁଷ ପିଲା ବୋଲି ତାଙ୍କ ପରାଜୟ, ଜୀବନରେ କୌଣସି ଚିହ୍ନ ରଖି ପାରେ ନାହିଁ । କିନ୍ତୁ ନାରୀର ପରାଜୟ ଜୀବନରେ ଗଭୀର ଦାଗ ଛାଡ଼ିଯାଏ ।

କାମିନୀ ଗୋଟିଏ ଦମ୍‌ରେ ଏତକ ବ୍ୟକ୍ତକରି ସାରି ଅଳ୍ପ ଅପେକ୍ଷା କଲେ । ତାଙ୍କ ମୁହଁରେ ଅସ୍ୱାଭାବିକତା ଫୁଟି ଉଠିଥାଏ । କିନ୍ତୁ କ୍ଷଣକପରେ ପୁଣି ସଂଯୋଗ କଲେ; ପୁରୁଷ ଜାତିର କଥା କହି ପାରିବି ନାହିଁ, ଭଉଣୀ । କିନ୍ତୁ ସ୍ତ୍ରୀଟିଏ ହୋଇ ସ୍ତ୍ରୀ ଜାତିର ଖବର ରଖିଛୁଁ । ସତୀ ସୀତାର ଯୁଗ ଚାଲି ଯାଇଛି । ଆମେ ଯେଉଁମାନେ ନିଜକୁ ସତୀସୀତାର ଆଦର୍ଶରେ ଅନୁପ୍ରାଣିତ ବୋଲି କହି ବୁଲୁଛୁଁ, ମୋ ଜାଣିବାରେ ଜଣେ ହେଲେ ସେମିତି ନାହାନ୍ତି । ଜୀବନ କାଳ ଭିତରେ କିଏ ଥରକ ପାଇଁ ହେଲେ ପରପୁରୁଷ କଥା ଭାବି ନାହିଁ, କହିଲ ? କିଏ ପରପୁରୁଷ ପ୍ରତି ନିଜ ଜାଣିବାରେ କି ଅଜାଣତରେ ଆକୃଷ୍ଟ ହୋଇ ନାହିଁ ? ସବୁ ଝିଅର ଏକ ଗୋପନ, ନିଭୃତ ଇତିହାସ ରହିଛି । ତାକୁ ସେ ପୁରୁଷ ଆଗରେ କେବେ ହେଲେ ବ୍ୟକ୍ତ କରିନି । ବ୍ୟକ୍ତ କରିବାର ସାହସ ମଧ୍ୟ ତା’ର ନାହିଁ । ସବୁବେଳେ ସେହି ନିଷିଦ୍ଧ ଓ ସଂଗୋପନ ଇତିହାସକୁ ନିଜ ଛାତିତଳେ ଲୁଚାଇ ରଖେ-। ଏଥିରେ ଯେ ସେ ଆହତ ନୁହେ, ଏପରି ନୁହେ । ବ୍ୟକ୍ତ କରିଦେଲେ, ତା’ ହୃଦୟ ହାଲୁକା ହୋଇ ଉଠେ ।

ସ୍ୱର୍ଣ୍ଣପ୍ରଭା ବିସ୍ମୟ ଚକିତ ଚାହାଣିରେ କାମିନୀ ମୁହଁକୁ ଅନାଇ ରହିଲା ।

କାମିନୀ ତା’ ମୁହଁକୁ ଚାହିଁ ଓଷ୍ଠ ଯୁଗଳରେ ଈଷତ ହାସ୍ୟ ଖେଳାଇ କହିଲେ, ଅବିଶ୍ୱାସ ହେଉଛି, ନା ସ୍ୱର୍ଣ୍ଣ ? କିନ୍ତୁ ମୁଁ ମିଛ କହୁନି । ତୁମ ଆଖିର ଲୁହ ଦେଖି ଭାବିଲି; ନାରୀ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟକୁ ଶୁଣାଇ ତୁମ ମନର ଦୁଃଖକୁ ଲାଘବ କରିବି । ଶୁଣିଲେ ଆହୁରି ଆଶ୍ଚର୍ଯ୍ୟ ହେବ, ସ୍ୱର୍ଣ୍ଣ ! ମୋ ଜୀବନରେ ବି ଏମିତି ଦିନେ ଘଟଣା ଘଟିଥିଲା । ମୁଁ ଆଉ ଜଣେ ପୁରୁଷର ପ୍ରେମରେ ପଡ଼ିଥିଲି । ଭାବିଥିଲି, ସେହି ପୁରୁଷ ସଙ୍ଗେ ବିବାହ ହେବ ! କିନ୍ତୁ ଦୁର୍ଭାଗ୍ୟବଶତଃ ସେ ସୌଭାଗ୍ୟ ଘଟିଲା ନାହିଁ । କାହିଁକି ଘଟିଲା ନାହିଁ, ସେ କଥା ପ୍ରକାଶ କଲେ, ମହାକାବ୍ୟ ହେବ । କିନ୍ତୁ ଏତିକି ଶୁଣି ରଖ ସ୍ୱର୍ଣ୍ଣ ! ଅନଙ୍ଗମୋହନଙ୍କୁ ବିବାହ କରିବା ପୂର୍ବରୁ ମୁଁ ଆଉ ଜଣେ ପୁରୁଷର ପ୍ରେମରେ ପଡ଼ିଥିଲି । ପରେ ଅନଙ୍ଗମୋହନଙ୍କୁ ବିବାହ କଲି । ଅନଙ୍ଗମୋହନଙ୍କୁ ସେ କଥା କହି କ୍ଷମା ମାଗି ନେଇଛି ।

ମୁଁ କହିଛି, ସ୍ୱର୍ଣ୍ଣ ! ରକ୍ତ ମାଂସ ଶରୀର ନେଇ ପ୍ରେମ ନ କରି କେହି ରହି ନହିଁ । ପ୍ରେମହିଁ ତ ଆମ ଜୀବନର ଏକମାତ୍ର ଆଶ୍ରୟ; କିନ୍ତୁ ପାତ୍ର ଅପାତ୍ର ବିଚାର କରି ପ୍ରେମ କଲେ, ଅଯଥା ହନ୍ତସନ୍ତ ହେବାକୁ ପଡ଼େ ନାହିଁ । କିନ୍ତୁ ପ୍ରେମ କଲାବେଳେ କେଇଜଣ ଏମିତି ବିଚାର କରିବାକୁ ସମୟ ପାଆନ୍ତି ? ତୁମେ ଅତୀତରେ ସେହି ଅଘଟଣକୁ ଭୁଲିଯିବ ସ୍ୱର୍ଣ୍ଣ ? ତାକୁ ଭାବି ଆହତ ହେବ ନାହିଁ । ତୁମର ଶୀଘ୍ର ବାହାଘର ହେଉ, ଏହାହିଁ ମୁଁ କାମନା କରେ ।

କାମିନୀ, ସ୍ୱର୍ଣ୍ଣପ୍ରଭା ମନରେ ନାରୀ ଜୀବନର ଆଉ ଏକ ଅଜଣା, ଅପରିଚିତ ଅଧ୍ୟାୟ ପଢ଼ି ଶୁଣାଇ ଗଲେ ।

ସ୍ୱର୍ଣ୍ଣପ୍ରଭା ନିଜକୁ ପୂର୍ବପେକ୍ଷା ସହଜ ମନେ କଲା । ସେ ଅତୀତକୁ ଭୁଲିଯିବା ପାଇଁ ବ୍ରତୀହୋଇ ଅନାଗତ ଭବିଷ୍ୟତରେ ଆଲୋକକୁ ଅପେକ୍ଷା କରିବାକୁ ଲାଗିଲା ।

 

ଦିନ କେଇଟା ପରେ ଅନଙ୍ଗମୋହନ କାମିନୀକୁ ସଙ୍ଗରେ ନେଇ ଆଉ ଗୋଟିଏ ସ୍ଥାନକୁ ଚାକିରୀ ଉଦ୍ଦେଶ୍ୟରେ ଚାଲିଗଲେ । ସ୍ୱର୍ଣ୍ଣପ୍ରଭା କିନ୍ତୁ ବହୁଦିନ ପର୍ଯ୍ୟନ୍ତ କାମିନୀକୁ ମନେ ପକାଇଲା ।

 

ରାଜବାଳା ସିଂହ ଚିନ୍ତିତା ହୋଇ ଉଠିଛନ୍ତି । ସତରେ କ’ଣ ସ୍ୱର୍ଣ୍ଣପ୍ରଭା ଅବିହାଡ଼ୀ ରହିଯିବ ? ତା’ ପାଇଁ ଯୋଗ୍ୟ ପାତ୍ରଟିଏ ଖୋଜି ହେବ ନାହିଁ ?

 

ସ୍ୱର୍ଣ୍ଣପ୍ରଭା ଆଗର ସଂକୋଚ ଭାବ ଅନେକାଂଶରେ କଟି ଯାଇଛି । କିଛିଦିନ ତଳେ ମନ ମାରି ବସୁଥିଲା । ସହର ବୁଲିବା ଛାଡ଼ି ଦେଇଥିଲା । କାଳିନ୍ଦୀ ଜିଗର କଲେ, ତା’ ସଙ୍ଗରେ ସହରର ନିଛାଟିଆ ଅଞ୍ଚଳ ତେଲନଦୀ ବା ମହାନଦୀ ପଟେ ଯାଉଥିଲା । ତା’ପରେ ପଢ଼ାଘରେ ଦୁଆର କିଳି ବସୁଥିଲା । ଏଇନେ ସାମାନ୍ୟ ହସୁଛି, ସାଧାରଣ ଆଳାପ ଆଲୋଚନାରେ ଅଂଶ ଗ୍ରହଣ କରୁଛି । ତା’ମନ ବଦଳି ଯାଇଛି । ଏହା ଏକ ଶୁଭ ଲକ୍ଷଣ ନିଶ୍ଚୟ ।

 

ରାଜବାଳା ଆଖି ବୁଲାନ୍ତି ସହରର ପରିଚିତ ଓ ଅପରିଚିତ ଅବିବାହିତ ଯୁବକଙ୍କ ଉପରେ । ସାହସ କୁଳାଏ ନାହିଁ । କେମିତି, କେଉଁ ଉପାୟରେ ତାଙ୍କ ପାଖରେ ପ୍ରସ୍ତାବ ପକାଇବେ କିଛି ସ୍ଥିର ହୋଇ ପାରେ ନାହିଁ । ସେ ଭାବନ୍ତି, ସହରର ପ୍ରଭାବଶାଳୀ କୌଣସି ଗୃହସ୍ଥର ମାଧ୍ୟମରେ ଏ ପ୍ରସ୍ତାବ ନେଇ ଅଗ୍ରସର ହେବେ । ତାହାହେଲେ ହୁଏତ ସମସ୍ୟା ସମାଧାନ ସହଜ ହୋଇ ଉଠିବ ।

 

ପ୍ରଥମେ ତାଙ୍କର ଦୃଷ୍ଟି ପଡ଼େ ନୀଳମାଧବଙ୍କ ଉପରେ ।

 

ନୀଳମାଧବ ! ସହରର ସୁଶିକ୍ଷିତ, ପ୍ରଭାବଶାଳୀ ଗୃହସ୍ଥ । ଅଳ୍ପଦିନ ସକାଶେ ସହର ଛାଡ଼ି ଚାଲି ଯାଇଥିଲେ, ଏଇନେ ପୁଣି ଥରେ ଫେରି ଆସିଛନ୍ତି । ଏକଦା ସେ ଯେତେବେଳେ ଅବିବାହିତ ଓ ନିଃସଙ୍ଗ ଥିଲେ, ରାଜବାଳା ତାଙ୍କୁ ସାନିଧ୍ୟ ଦେଇ ଆପ୍ୟାୟିତ କରିଛନ୍ତି । ପ୍ରତି ବଦଳରେ କିଛି ମାଗି ନାହାନ୍ତି । ନୀଳମାଧବ ବି’ ଆପେ ଯାଚି କିଛି ଦେଇ ନାହାନ୍ତି ।

 

ନୀଳମାଧବ ବିବାହିତ । ନିଜର ପତ୍ନୀ ପରିବାର ନେଇ ସେ ଆନନ୍ଦରେ ଅଛନ୍ତି । ଏତେ ସମ୍ପର୍କ ଥାଇବି’ ରାଜବାଳା କେବହେଲେ ତାଙ୍କର ଦ୍ୱାରସ୍ଥ ହୋଇ ନାହାନ୍ତି । ନିଜକୁ ପରିଚୟ ଦେଇ ନୀଳମାଧବଙ୍କ ପତ୍ନୀକୁ ସେ ବିବ୍ରତ କରିବାର ଇଚ୍ଛା କରି ନାହାନ୍ତି । ଅନିମନ୍ତ୍ରିତ ଭାବରେ ତାଙ୍କର ଦ୍ୱାରସ୍ଥ ହୋଇ ପରିବାରକୁ ସନ୍ଦେହ ଦୋଳରେ ଦୋଳାୟିତ କରିବାର ଆଗ୍ରହ କରି ନାହାନ୍ତି । ଅନ୍ୟ କୌଣସି ସ୍ତ୍ରୀ ହୋଇଥିଲେ, ଏପରି ପରିସ୍ଥିତିରେ ନୀଳମାଧବକୁ ବ୍ୟତିବ୍ୟସ୍ତ କରି ପକାନ୍ତା । ତାଙ୍କର ଦୁର୍ବଳତା ପାଇଁ ମୂଲ୍ୟ ଦାବୀ କରିଥାନ୍ତା । କିନ୍ତୁ ସେଭଳି ହୀନ ଇଚ୍ଛା ରାଜବାଳାଙ୍କର ମୋଟେ ହେଲେ ନାହିଁ କି ନ ଥିଲା ।

 

ଆଜି ରାଜବାଳା ଅସୁବିଧାରେ ପଡ଼ିଛନ୍ତି । ନୀଳମାଧବ ଚେଷ୍ଟା କଲେ ସେ ଅସୁବିଧା ଅନାୟାସରେ ଦୁରୀଭୂତ ହେବାର ଆଶା ରହିଛି । ଯିବେ କି ତାଙ୍କ ପାଖକୁ ? ରାଜବାଳା ସ୍ଥିର କଲେ, ସମୟ ଓ ସୁବିଧା ଦେଖି ନୀଳମାଧବଙ୍କ ଦ୍ୱାରସ୍ଥ ହେବେ । କିନ୍ତୁ ତତ୍‌ପୂର୍ବରୁ.......

 

ସୋନପୁର ସହରରେ ନୀଳମାଧବଙ୍କ ବ୍ୟତୀତ ଆହୁରି ଅନେକ ପରିଚିତ ଲୋକ ଅଛନ୍ତି । କେବଳ ସୋନପୁର ସହର ନୁହେ, ସୋନପୁର ରାଜ୍ୟର ବିରାଟ ଦାୟିତ୍ୱ ସେମାନଙ୍କ ହାତରେ । ରାଜାଙ୍କ ସଙ୍ଗରେ ରାଜ୍ୟ ପରିଚାଳନାର ପରାମର୍ଶ କରନ୍ତି । ରାଜ୍ୟର ନୀତି ନିୟମ ପ୍ରସ୍ତୁତ କରିବାରେ ପ୍ରତ୍ୟକ୍ଷ ସାହାଯ୍ୟ କରନ୍ତି । ତାଙ୍କର ଇଚ୍ଛା, ତାଙ୍କର ବିଚାର ଉପରେ ରାଜ୍ୟର ଅଗଣନ ପ୍ରଜାକୁଳଙ୍କ ଭାଗ୍ୟ ନିର୍ଭର କରେ । ସେମାନେ ଯଦି ସ୍ୱର୍ଣ୍ଣପ୍ରଭାର ବିବାହ ନେଇ ସାମାନ୍ୟ ଆଗ୍ରହ ପ୍ରକାଶ କରନ୍ତି; ତାହାହେଲେ ବିଷୟଟା ଏତେ ଜଟିଳ ହୋଇ ଉଠିବ ନାହିଁ । ତାଙ୍କରି ସାମାନ୍ୟ ଇଚ୍ଛାବଳରେ ସ୍ୱର୍ଣ୍ଣପ୍ରଭା ପରି ଝିଅ କୂଳରେ ଲାଗିଯିବ ।

 

ରାଜବାଳା ସିଂହ ତାହାହିଁ କଲେ । ସ୍କୁଲ ଯିବା ବାଟରେ ବା ଫେରିବାବେଳେ ସୋନପୁର ରାଜ୍ୟର କୌଣସି ଚିହ୍ନା ସେକ୍ରେଟାରୀ ବା’ ପଦସ୍ଥ କର୍ମକର୍ତ୍ତାଙ୍କ ସାଙ୍ଗରେ ସାକ୍ଷାତ ହେଲେ, କୃତକୃତ୍ୟ ଭାବପ୍ରକାଶ କଲେ । ତାଙ୍କ ମୁହଁରେ ଦି’ଧାଡ଼ି ସଂକ୍ରାମକ ହସ ଦେଖାଗଲା । ଚକ୍ଷୁ ଦୁଇଟି ଛବିଳ ହୋଇ ଉଠିଲା । ନୀରବ ଭାବରେ ସେ ସତେ ଅବା ପ୍ରକାଶ କରିଦେବାକୁ ଚାହାନ୍ତି । ତୁମେ ସଙ୍ଗେ ସାକ୍ଷାତ ଲାଭକରି ମୁଁ ସନ୍ତୁଷ୍ଟ ହେଲି । ଆଜି ଦିନଟି ମୋ’ ପକ୍ଷରେ ବାସ୍ତବିକ ସ୍ମରଣୀୟ ଦିବସ ।

 

ଅନେକ ଦିନପରେ ସୋନପୁର ରାଜ୍ୟର ବିଭିନ୍ନ ପଦସ୍ଥ କର୍ମଚାରୀ ଅନୁଭବ କଲେ, ରାଜବାଳା ସିଂହ ପୁଣି ଥରେ ଚପଳ ହୋଇ ଉଠିଛନ୍ତି । ଏ ଚପଳତା ଅସମୟରେ ପ୍ରକାଶ ପାଇଛି । ଯଦି ବର୍ଷ କେଇଟା ପୂର୍ବରୁ ଏମିତି ହୋଇ ପାରିଥାନ୍ତେ, ସମଗ୍ର ସହର ତାଙ୍କୁ ସମ୍ମାନ ଦେଇ ଥାଆନ୍ତା । ଇଙ୍ଗିତ ପାଇବା ମାତ୍ରକେ ବିନୀତ ବଶମ୍ୱଦ ପରି ତାଙ୍କରି କରୁଣା ପ୍ରାର୍ଥୀ ହୁଅନ୍ତା । କିନ୍ତୁ ଏବେ ତାଙ୍କ ମୁହଁରେ ସେ ଚାହାଣୀ, ସେ ହସ ଶୋଭା ପାଉନି । ରଙ୍ଗମଞ୍ଚର ଅଭିନାତ୍ରୀ ମୁହଁରେ ପ୍ରକାଶ ପାଉଥିବା ସାଙ୍କେତିକ, କୃତ୍ରିମ ଭଙ୍ଗୀମା ପରି ସେ ସବୁ କିପରି ଅସତ୍ୟ ପ୍ରମାଣିତ ହେଉଛି-

 

ନାରୀ ମୁହଁରେ ସବୁ ସମୟରେ ଚପଳତା ଶୋଭା ପାଏନା । ନିର୍ଦ୍ଦିଷ୍ଟ ବୟସ ଅତିକ୍ରମ କଲେ ତା’ ଆଖିର କଟାକ୍ଷ କିପରି ଏକ ବିବର୍ଣ୍ଣ, ପାଣ୍ଡୁର ପ୍ରକାଶରେ ପରିଣତ ହୁଏ । ପୁରୁଷକୁ ବିମୁଗ୍‌ଧ କରିବା ପରିବର୍ତ୍ତେ ସେ ବିରକ୍ତ କରେ ।

 

ରାଜବାଳା ସିଂହଙ୍କ କଟାକ୍ଷରେ ବିରକ୍ତ ହେବାର ସୂଚନା ନ ଥିଲେ ମଦ୍ୟ, ସନ୍ଦେହ କରିବାର ଅନେକ କିଛି ଉପାଦାନ ଥିଲା । ତାଙ୍କର ଅଦିନ ହସ, ଅଦିନ ମେଘ ପରି ଅଜଣା କୌତୁହଳ ଦେଉଥିଲା ।

 

ତଥାପି, ବହୁଦିନର ପରିଚିତ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀମାନେ ରାଜବାଳାଙ୍କ ବ୍ୟବହାରରେ ଆଗ୍ରହ ପ୍ରକାଶ କଲେ । ସେମାନଙ୍କ ଧାରଣା ହେଲା, ଗୋଟିଏ ରୂପସୀ ନାରୀର ସ୍ୱତଃକୃତ ପ୍ରଗ୍‌ଳଭତାକୁ ଆଡ଼େଇ ଦେବା ଉଚିତ ହେବନି । ଏଇ ରାଜବାଳାତ’ ପୁଣି ଦିନେ ସୋନପୁର ସହରର ଆକର୍ଷଣ ଥିଲା । ତାଙ୍କରି ଆଗ୍ରହ ଉଦ୍ରେକ ପାଇଁ ସମଗ୍ର ସହରଟା ଚଞ୍ଚଳ ହୋଇଥିଲା । ସେମାନଙ୍କ ମନେ ହେଲା, ରାଜବାଳାଙ୍କ ଦେହରେ ଏବେ ବି’ ଅତୀତର ଚିହ୍ନ ଲାଗିଛି-। ଏବେ ବି ବିଗତ ବୟସର ବର୍ଣ୍ଣାଢ଼୍ୟସଂକେତ ରହିଛି । ତାଙ୍କ ଅଙ୍ଗଲତା ତଳେ, କିଏ ଜାଣେ, ପାଉଁଶ ବୋଳାର ଅଗ୍ନିର ଔଜ୍ୱଲ୍ୟ ନ ଥିବ ।

 

ରାଜବାଳା ଅନେକ ପରିଶ୍ରମ ପରେ ଅତୀତର କେଇଜଣ ପରିଚିତ ବନ୍ଧୁମାନଙ୍କ ସଙ୍ଗରେ ନିଜ ବନ୍ଧୁତ୍ୱର ନୂତନ ପରିଚିତ ଜାହିର୍‌ କଲେ । କେଇଦିନ ସକାଶେ ସେ ନିଜକୁ, ନିଜର ବର୍ତ୍ତମାନ ଅବସ୍ଥିତିକୁ ଭୁଲି ଯିବାକୁ ଚେଷ୍ଟା କଲେ । ରାଜବାଳାଙ୍କର ସେ ଦିନର ସେହି ସଂତ୍ରସ୍ତ ପଦଯାତ୍ରା, ସ୍ତମ୍ଭୀଭୂତ ଆଳାପ ଆଲୋଚନା, ସମ୍ପୂର୍ଣ୍ଣ ନୂତନ ଚାଲିଚଳନକୁ ଯେ କେହି ଲକ୍ଷ୍ୟ କରିଥିଲେ ବୁଝିଥାନ୍ତା, ତାଙ୍କର ସାମୟିକ ମତିଭ୍ରମ ଘଟିଛି ।

 

କିଏ କଣ କହୁଛି, କିଏ କେମିତି ଚାହୁଛି, ସେ କଥା ବିଚାର କରିବାକୁ ରାଜବାଳାଙ୍କର ସମୟ କାହିଁ ? ସ୍ୱର୍ଣ୍ଣପ୍ରଭା ପାଇଁ ସେ ଅସ୍ଥିର ହୋଇ ଉଠିଛନ୍ତି । ଯେ କୌଣସି ପ୍ରକାରେ ତାର ବିବାହ କରିବାକୁ ହେବ । ସ୍ୱର୍ଣ୍ଣପ୍ରଭା ବିବାହ ନ ହେବା ପର୍ଯ୍ୟନ୍ତ ତାଙ୍କପାଇଁ ବିଶ୍ରାମ କାହିଁ ? ସେ ଆଜି ନିଜର ଲାଭ କ୍ଷତିର ହିସାବ କରିବେ ନାହିଁ । ସେ ଆଜି ନିଜର ଭଲମନ୍ଦ କଥା ଭାବିବେ ନାହିଁ-। ନିଜକୁ ପରିସ୍ଥିତି ହାତରେ ବନ୍ଧା ଦେଇ, ସେ ସ୍ୱର୍ଣ୍ଣପ୍ରଭା ପାଇଁ ଖୋଜି ବାହାର କରିବେ ଏକ ସର୍ବଗୁଣସମ୍ପନ୍ନ ସୁସ୍ଥ, ସୁନ୍ଦର ବରପାତ୍ର ।

 

ରାଜବାଳା ସିଂହ ପ୍ରତିଦିନ ନୂଆ ଆଶା, ନୂଆ ଇଚ୍ଛା ନେଇ ଘରୁ ବାହାରନ୍ତି । ରାଜେନ୍ଦ୍ର ବିସ୍ମିତ ଚକ୍ଷୁରେ ଅନାଇ ଥାଆନ୍ତି । ତୁଣ୍ଡ ଖୋଲି କିଛି କହନ୍ତି ନାହିଁ କି ପଚାରନ୍ତି ନାହିଁ । ରାଜବାଳା ମଧ୍ୟ ତାଙ୍କୁ ଦେଖି ବି’ ଦେଖନ୍ତି ନାହିଁ । ଘରର ମୁରବୀ ହୋଇ ଯଦି ଦାୟିତ୍ୱ ବହନ ସକାଶେ ଅନିଚ୍ଛୁକ, ସେ କାହିଁକି ଉପରେ ପଡ଼ି ପରାମର୍ଶ କରିବେ ? ତା ବ୍ୟତୀତ ରାଜେନ୍ଦ୍ରଙ୍କ ହାତରେ ସତରେ କଣ କିଛି ହୋଇ ପାରିବ ? ସେ ତାଙ୍କୁ ଅବମାନନା କରି ଚାଲି ଯାଆନ୍ତି ।

 

ରାଜବାଳା ଯେ କୌଣସି ବ୍ୟକ୍ତିର ଦ୍ୱାରସ୍ଥ ହେଲେ ହତାଶ ହୁଅନ୍ତି ନାହିଁ । ସେମାନେ ତାଙ୍କୁ ପାଖରେ ବସାଇ ଦୁଃଖସୁଖ ହୁଅନ୍ତି । ଦୁଃଖସୁଖ ଭିତରେ ଅତୀତର କେଇଟି ଅଭୁଲା କଥା ଆପେ ଆପେ ଆତ୍ମପ୍ରକାଶ କରେ । ତାରି ଭିତରେ କିଛିକ୍ଷଣ ପାଇଁ ନିଜକୁ ହଜାଇ ଦେଇ, ବର୍ତ୍ତମାନର ଅସ୍ତିତ୍ୱକୁ ଅସ୍ୱୀକାର କରିବାକୁ ସେମାନେ ଆଗ୍ରହ ପ୍ରକାଶ କରନ୍ତି ।

 

ଅତୀତ !

 

ସୁନ୍ଦର, ମଧୁର ଅତୀତ ! !

 

ତାରି ଭିତରେ ଦୁଃଖ ଥାଉ କି ସୁଖ ଥାଉ, ଭାବିବାକୁ ଖୁବ୍‌ ଭଲଲାଗେ । ମଣିଷ କହିବାକୁ ଇଚ୍ଛାକଲେ, ଯାହା ଅବର୍ତ୍ତମାନ, ଯାହା ଚାଲିଗଲା, ତାହା ହାତ ପାଖରେ ନିତି ଘଟୁଥିବା ବର୍ତ୍ତମାନ ଘଟଣା ଅପେକ୍ଷା ସହସ୍ର ଗୁଣରେ ସୁନ୍ଦର । ଅତୀତର ବିଷାଦମୟ କାହାଣୀକୁ ଅବ୍ୟକ୍ତ ରଖି, ଯାହା ଆନନ୍ଦଦେଲା, ଯାହା ତୃପ୍ତିଦେଲା ତାରି ଗୁଣଗାନ କରିବାକୁ ମନ ବଳେ । ମନେହୁଏ, କାଳପୁରୁଷର କାଉଁରୀ ହାତ ବାଜି ସେ ସବୁ ଦିବ୍ୟ ହୋଇ ଉଠିଛି ।

 

ରାଜବାଳା ସିଂହ ସୌଖ୍ୟ ପାଆନ୍ତି, ସାନ୍ନିଧ୍ୟ ପାଆନ୍ତି, କିନ୍ତୁ ଯେଉଁ ଭାବନାକୁ ମୂଳ କରି ସୌଖ୍ୟ କାମନା କରିଥିଲେ ତାହା ସହଜେ ପୂରଣ ହୋଇପାରେ ନାହିଁ । ରାଜବାଳାଙ୍କ ମନ ଭାଙ୍ଗି ଭାଙ୍ଗି ଆସେ । ତଥାପି ଆଶାର ବିଶ୍ରାମ ନାହିଁ ।

 

ପ୍ରାଇଭେଟ୍‌ ସେକ୍ରେଟାରୀ ସୁବିଧା ଓ ସୁଯୋଗ ଦେଖି ସ୍ୱର୍ଣ୍ଣପ୍ରଭା ପାଇଁ ସୁପାତ୍ର ଯୋଗାଡ଼ କରିଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଘଟଣା ପ୍ରସଙ୍ଗରେ କହିଲେ, ସ୍ୱର୍ଣ୍ଣପ୍ରଭା ପରି ରୂପର, ଗୁଣର ଝିଅପାଇଁ ବରପାତ୍ର ମିଳିବ ନାହିଁ ?

 

ରାଜସ୍ୱ ବିଭାଗର ଅଫିସର ଜଣକ ଅଭୟ ଦେଇ କହିଛନ୍ତି, ତିନୋଟି ଚିଠି ସେ ଲେଖିଛନ୍ତି । ଗୋଟିଏ ସମ୍ୱଲପୁର, ଗୋଟିଏ କଟକ ଓ ଆରଟି ମାନ୍ଦ୍ରାଜ । ମାନ୍ଦ୍ରାଜ ସହରର ପାତ୍ର ଜଣକ ହାତରେ ଅଛି । କିନ୍ତୁ ଦୂରତ୍ୱ ଅଧିକ ହେତୁ ସ୍ୱର୍ଣ୍ଣପ୍ରଭାକୁ ସେଇଠି ଦେବା ଉଚିତ ହେବନି’ । ତା’ ବ୍ୟତୀତ ସୋନପୁର ସହରର ବ୍ୟବହୃତ ଭାଷା ବା ଚାଲିଚଳନ ସଙ୍ଗରେ ମାନ୍ଦ୍ରାଜ ସହରର କୌଣସି ସମ୍ପର୍କ ନାହିଁ । ଆତ୍ମୀୟ, ସ୍ୱଜନ କେହିନାହାନ୍ତି । ସ୍ୱର୍ଣ୍ଣ ଚଳିବ କିପରି ? ବଟକ ବା ସମ୍ୱଲପୁରରୁ ଉତ୍ତର ଆସିଲେ ସଙ୍ଗେ ସଙ୍ଗେ ଖବର ଦେବେ । ଯୌତୁକ ଦାବୀ ହେଲେ ସେ ନିଜେ ସାହାଯ୍ୟ କରିବେ ।

 

ଏଇମିତି ଅନେକେ ପ୍ରତିଶ୍ରୁତି, ଅନେକ ଆଶ୍ୱାସନା ।

 

ରାଜବାଳା ସେ ପ୍ରତିଶ୍ରୁତି ଉପରେ ବିଶ୍ୱାସ କରି କୃତଜ୍ଞତା ଜ୍ଞାପନା କରନ୍ତି । କହନ୍ତି ଠିକ୍‌ ଏଇ ଆଶାକରି ତୁମର ଦ୍ୱାରସ୍ଥ ହୋଇଥିଲି । ଭଗବାନ ତୁମର ମଙ୍ଗଳ କରିବେ ।

 

ଦିନ, ମାସ, ବର୍ଷ ଅତିବାହିତ ହୋଇଯାଏ ।

 

ପ୍ରାଇଭେଟ୍‌ ସେକ୍ରେଟାରୀ ଇପ୍‌ସିତ ସୁବିଧା ସୁଯୋଗ ପାଆନ୍ତି ନାହିଁ ।

 

ରାଜସ୍ୱ ବିଭାଗ ଅଫିସର କଟକ ବା ସମ୍ୱଲପୁରରୁ କୌଣସି ଉତ୍ତର ପାଆନ୍ତି ନାହିଁ । ବାରମ୍ୱାର ପ୍ରଶ୍ନକଲେ ଉତ୍ତର ମିଳେ, ସେମାନେ ବୋଧହୁଏ ଯେଉଁଠି ପ୍ରଥମେ ଥିଲେ ସେଇଠି ଆଉ ନାହାନ୍ତି । କୁଆଡ଼େ ବଦଳି ହୋଇ ଯାଇଛନ୍ତି ।

 

ସୋନପୁରର କୌଣସି ଏକ ଧନୀଗୃହସ୍ଥ ଉତ୍ତର ଦିଏ, ପାତ୍ର ଯୋଗାଡ଼ କର । ଡାଲି ଚାଉଳ ଯାହା ଲାଗିବ, ସବୁ ଦେବି । କିନ୍ତୁ ଘର ଛାଡ଼ି ପାତ୍ର ଯୋଗାଡ଼ କରିବା ଅବସ୍ଥାରେ ନାହିଁ ।

 

ରାଜବାଳାଙ୍କର ହୃଦବୋଧ ହୁଏ । ବିବାହ ଯୋଗ୍ୟ ଝିଅ ପାଇଁ ନିଜେ ପରିଶ୍ରମ ନ କଲେ କିଛି ହୋଇପାରିବ ନାହିଁ । ଲୋକେ କଥାରେ ସିନା ଅଭୟ ଦେବେ, କାର୍ଯ୍ୟରେ କିଛି କରିବେ ନାହିଁ । ଝିଅର ଦାୟିତ୍ୱ ତ’ ତାଙ୍କରି ମୁଣ୍ଡରେ ନାହିଁ । ସେମାନେ ଖାଲି ଶୁଣିବା ଲୋକ । ରାଜବାଳା କ୍ଷୁର୍ଣ୍ଣହୁଅନ୍ତି । ରାତି ରାତି ଉଜାଗର ରହି ସେହି ଭାବନାରେ ବ୍ୟସ୍ତ ରହନ୍ତି ।

 

ସ୍ୱର୍ଣ୍ଣପ୍ରଭା ଏ ସବୁକଥା ଉପଲବ୍‌ଧି କରେ । ମାଆଙ୍କୁ ସାନ୍ତ୍ୱନା ଦେବା ଉଦ୍ଦେଶ୍ୟରେ ପ୍ରକାଶ କରେ ମୋ’ପାଇଁ କାହିଁକି ଏତେ ବ୍ୟସ୍ତ ହେଉଛୁ ଯେ ? ସୃଷ୍ଟିରେ କଣ ସବୁ ଝିଅ ବିବାହ କରି ପାରୁଛନ୍ତି ? ତା’ ବ୍ୟତୀତ, ମୋର ବାହାଘର ନ କଲେ କଣ ମୁଁ ଚଳି ପାରିବି ନାହିଁ ?

 

ରାଜବାଳା ସ୍ୱର୍ଣ୍ଣକୁ କୋଳାଗ୍ରତ କରି ଭାବାବେଗରେ ପ୍ରକାଶ କରନ୍ତି, ତୁ ଯଦି ଝିଅ ନ ହୋଇ ପୁଅ ହୋଇଥାନ୍ତୁ.....ମୁଁ କାହାକୁ ହେଲେ ଖାତିର କରନ୍ତି ନାହିଁ । ଏ ଦୁନିଆକୁ ବି’ ନୁହେ । ଝିଅ ବୋଲି ବର ଖୋଜା ପଡ଼ିଛି । ପାଞ୍ଚ ଜଣଙ୍କ ମନ ନେବାକୁ ପଡ଼ିଛି । ନ ହେଲେ ସେମାନେ କିଏ, ମୁଁ କିଏ ?

 

ସମସ୍ତ ଚେଷ୍ଟାରୁ ବ୍ୟର୍ଥ ହୋଇ ଦିନେ ସେ ଶେଷ ଉଦ୍ୟମ କରିବାକୁ ମନସ୍ଥ କଲେ । ରାତିସାରା ଭାବି ସ୍ଥିର କଲେ, ଏଥର ସେ ନୀଳମାଧବଙ୍କ ପାଖକୁ ଯିବେ ।

 

ନୀଳମାଧବ ! ତାଙ୍କ କଥା ମନେପଡ଼ି ସର୍ବାଙ୍ଗରେ ତାଙ୍କର ତଡ଼ିତ୍‌ପ୍ରବାହ ଖେଳିଗଲା । ଦିନେ ନୀଳମାଧବ ତାଙ୍କୁ ପ୍ରଥମ ପ୍ରେମିକାର ସମ୍ମାନ ଦେଇଥିଲେ । କହିଥିଲେ,.....ତୁମେ ହିଁ ମୋ’ଜୀବନର ପ୍ରଥମ ନାରୀ । ତୁମର ସାନ୍ନିଧ୍ୟ ମୋତେ ଯେଉଁ ଆନନ୍ଦ ଯେଉଁ ତୃପ୍ତି ଦେଇଗଲା, ତାହା ମୋର ହୃଦୟ ପଟରେ ସୁବର୍ଣ୍ଣ ସ୍ମୃତି, ହୋଇ ରହିବ । ଏ ସୌଭାଗ୍ୟ ଭରା ସୁରଭିତ-ସାନ୍ନିଧ୍ୟକୁ ଜୀବନସାରା ମୁଁ ଅମ୍ଳାନ ବଦନରେ ସ୍ୱୀକାର କରିବି । ଜୀବନରେ କେବେ ଯଦି ତୁମର ପ୍ରୟୋଜନରେ ଆସେ, ନିଜକୁ କୃତାର୍ଥ ମନେ କରିବି ।

 

ସେହି ପ୍ରୟୋଜନର ଦିବସ ଆଜି ସମାଗତ ।

 

ରାଜବାଳାଙ୍କ ମନେହେଲା, ନୀଳମାଧବ ହିଁ ଏହି ଜଞ୍ଜାଳମୟ ସମସ୍ୟାର ସମାଧାନ କରିବେ ।

 

ଦିନେ ରବିବାର ଦେଖି ସେ ନୀଳମାଧବଙ୍କ ଦ୍ୱାରସ୍ଥ ହେଲେ ।

 

ଆଜି ଏତେଦିନ ପରେ ରାଜବାଳାଙ୍କର ବିଗତ ଅତୀତ ମନେ ପଡ଼ୁଛି । ଅବେଳରେ ସେ ଉପଲବ୍‌ଧି କଲେ ତାଙ୍କ ହୃତସ୍ପନ୍ଦନ ଦ୍ୱିଗୁଣିତ ହୋଇ ଉଠୁଛି ।

 

ନାଁ, ନାଁ ଏ ବୟସରେ ନୀଳମାଧବଙ୍କୁ ଅତୀତର ସେହି ଆବିଳଭରା ଆଖିରେ ଅନାଇବା ଅନୁଚିତ ହେବ । ନୀଳମାଧବ ବିବାହିତ । ପତ୍ନୀ, ପୁତ୍ର, ପରିବାର ନେଇ ଆନନ୍ଦରେ କାଳାତିପାତ କରୁଛନ୍ତି । ବାସଗୃହଟି ସ୍ନେହଭରା କଳଗୁଞ୍ଜନରେ ମୁଖରିତ ହୋଇଉଠିଛି । ସ୍ନେହ, ସନ୍ତୋଷ ଓ ମମତା ନେଇ ସେ ପରିବାର ସମୃଦ୍ଧ । ଅବେଳରେ ତାଙ୍କୁ ନୀଳମାଧବଙ୍କ ସଙ୍ଗେ ନିଭୃତ ଆଲୋଚନାରେ ନିମଗ୍ନ ରହିଥିବା ଦେଖିଲେ ପତ୍ନୀ ତାଙ୍କର କଣ ଭାବିବେ ?

 

ରାଜବାଳା ଇଚ୍ଛା କଲେ, ସେ ସେହି ଦୁଆର ପାଖରୁ ଘୁଞ୍ଚିଯିବେ । ଧୁମକେତୁ ପରି ଆର୍ବିଭାବ ହୋଇ ଗୋଟିଏ ଆନନ୍ଦମୟ ସଂସାରରେ ସଂଶୟର ବୀଜବପନ କରିବେ ନାହିଁ ।

 

କିନ୍ତୁ..........

 

ନୀଳମାଧବଙ୍କ ତୁଳନାରେ ତାଙ୍କର ଅନେକ ବୟସ ହୋଇସାରିଛି । ସେ ଯେ ନୀଳମାଧବଙ୍କର ପ୍ରେମିକା ଥିଲେ ବା ଅଛନ୍ତି, ସେ ସମ୍ୱନ୍ଧରେ କେହିହେଲେ କଳ୍ପନା କରି ପାରିବେ ନାହିଁ । ଯିଏ ଦେଖିବ ଭାବିବ, କୌଣସି ବିଶେଷ କାର୍ଯ୍ୟରେ ସେ ନୀଳମାଧବଙ୍କ ପାଖକୁ ଆସିଛନ୍ତି-। ତହିଁରେ ପ୍ରେମ ସମ୍ୱନ୍ଧୀୟ କୌଣସି ସୂଚନା ନାହିଁ ।

 

ରାଜବଳା ସିଂହ ମନକୁ ମନ ହସିଲେ । ସନ୍ଦେହ ଯେଉଁଠି, ସଂଶୟ ସେଇଠି । ନୀଳମାଧବଙ୍କ ସଙ୍ଗେ ଯଦି ସେଦିନର ସେହି ଗର୍ହିତ ସମ୍ପର୍କ ନ ଥାନ୍ତା, ତାହା ହେଲେ ସେ ନିଜେ କଣ ଏମିତି ଏକ ଅସମ୍ଭବ ସମ୍ପର୍କ କଥା ଭାବି ପାରିଥାନ୍ତେ ?

 

କିନ୍ତୁ ରାଜବାଳା ନିଜ ସଙ୍ଗେ ଘଟି ଯାଇଥିବା ନୀଳମାଧବଙ୍କ ଆପତ୍ତିଜନକ ସମ୍ପର୍କକୁ ଆଜି ସମର୍ଥନ କରିବାକୁ ଲାଗିଲେ । ନୀଳମାଧବଙ୍କ ସଙ୍ଗେ ସମ୍ପର୍କ ନ ଥିଲେ, ସେ ଭୁଲରେ ସୁଦ୍ଧା ଏ ଦୁଆର ମାଡ଼ି ନ ଥାନ୍ତେ । ତାହା ହେଲେ ସ୍ୱର୍ଣ୍ଣପ୍ରଭାର ବିବାହ ପ୍ରସଙ୍ଗ ନେଇ କାହା ଉପରେ ନିର୍ଭର କରି ହୋଇଥାନ୍ତା ?

 

ପାହାଚ ପାଖରେ ଛିଡ଼ାହୋଇ ରାଜବାଳା ଅତୀତ ଓ ବର୍ତ୍ତମାନକୁ ନେଇ ଘାଣ୍ଟି ଚକଟି ହେଉଛନ୍ତି; ନୀଳମାଧବ ଦୁଆର ଫିଟାଇଲେ ।

 

ସମ୍ମୁଖରେ ରାଜବାଳା ଗ୍ରୀଷ୍ମର ଉଦାସ ବଉଦ ପରି ଛିଡ଼ା ହୋଇଥାନ୍ତି । ଅନିର୍ଦ୍ଦିଷ୍ଟ ମାର୍ଗରେ, ଅଲକ୍ଷ୍ୟରେ ଏଣେତେଣେ ବୁଲୁ ବୁଲୁ ହଠାତ୍‌ ଯେମିତି ସେ ନୀଳମାଧବଙ୍କ ମସ୍ତକ ଉପରେ ସ୍ଥିର ହୋଇ ଯାଇଛନ୍ତି । ନିର୍ବାକ, ନିସ୍ପନ୍ଦ ଦୀପଶିଖା ପରି ଏକାଗ୍ର ନୟନରେ ନୀଳମାଧବଙ୍କୁ ଅନାଇ ରହିଛନ୍ତି ।

 

ନୀଳମାଧବ ନମସ୍କାର ଜଣାଇ ଅନୁରୋଧ କଲେ, ଭିତରକୁ ଆସନ୍ତୁ !

 

ମୂକ, ମୌନ, କାଠ ପିତୁଳା ପରି ରାଜବାଳା ତାଙ୍କର ଅନୁଗମନ କଲେ ।

 

ବୈଠକ ଘରେ ଦୁଇଟି ଚୌକି ସାମନା ସାମନି ହୋଇ ପଡ଼ିଥାଏ । ନୀଳମାଧବ ଓ ରାଜବାଳା ପରସ୍ପର ଆଡ଼କୁ ମୁହଁକରି ବସିଲେ ।

 

ଉଭୟଙ୍କ ମୁହଁରେ ଭାଷା ନାହିଁ ।

 

ନୀଳମାଧବଙ୍କ ନିର୍ଦ୍ଦେଶମତେ ବଡ଼ଝିଅ ନର୍ମଦା ପ୍ଲେଟରେ କିଛି ଜଳଖିଆ ଆଣି ଟେବୁଲ ଉପରେ ରଖିଲା । ସେ ରାଜବାଳାଙ୍କୁ ନମସ୍କାର କଲା ।

 

ଏଇ ମୋ ବଡ଼ଝିଅ ନର୍ମଦା । ମାମୁଁଘରେ ରହି ପାଠ ପଢ଼ୁଥିଲା । ଆଜି ଆସିଛି । ନୀଳମାଧବ ପରିଚୟ କରାଇ ଦେଲେ ।

 

ସତେ ? ରାଜବାଳା ଆଶ୍ଚର୍ଯ୍ୟ ହେଲେ । ତା‘ପରେ ନର୍ମଦାକୁ ପାଖକୁ ଆସି କୋଳରେ ବସାଇଲେ ।

 

ନର୍ମଦା କିଛି ସମୟ କୋଳରେ ବସି ଭିତରକୁ ଚାଲିଗଲା । ନୀଳମାଧବଙ୍କ ଇଙ୍ଗିତ ପାଇ ତାର ମାକୁ ଡାକି ଆଣିଲା ।

 

ମୁଣ୍ଡରେ ଓଢ଼ଣା ଦେଇ ପରମ ରୂପବତୀ ସ୍ତ୍ରୀଟିଏ ପ୍ରବେଶ କଲେ । ସେ ବି’ ହାତଯୋଡ଼ି ରାଜବାଳାଙ୍କୁ ସବିନୟ ନମସ୍କାର ଜଣାଇଲେ ।

 

ସ୍ୱର୍ଣ୍ଣପ୍ରଭା ବୟସର ହେବ । ନୀଳମାଧବଙ୍କ ହାତ ଧରି ତାଙ୍କ ପରିବାରରେ ଗୋଟିଏ ଝିଅ ଓ ଗୋଟିଏ ପୁଅର ସଂଯୋଗ କରିଛି, ବ୍ୟକ୍ତିତ୍ୱ ବ୍ୟଞ୍ଜକ କଥା ଭାଷା । କେତେ ଧୀର, କେତେ ନମ୍ର ।

 

ରାଜବାଳା ଓ ନିଜ ସ୍ତ୍ରୀ ଏକତ୍ର କଥୋପକଥନରେ ନିମଗ୍ନ ଥିବାବେଳେ ନୀଳମାଧବ ଅଳ୍ପ ସମୟ ପାଇଁ ବାହାରକୁ ଚାଲିଗଲେ । ଫେରିଲା ବେଳେ ସେ ପାଖ ହୋଟେଲର ବିଅରର ହାତରେ ଦି’ କପ୍ ଚା’ ନେଇ ଫେରିଲେ ।

 

ନୀଳମାଧବଙ୍କ ସ୍ତ୍ରୀ ବିଅରର ହାତରୁ ଚା’ ନେଇ ରାଜବାଳା ଓ ସ୍ୱାମୀଙ୍କ ହାତକୁ ବଢ଼ାଇ ଦେଲେ ।

 

ଶ୍ରୀମତୀଙ୍କ ତାଗିଦ୍ ହେତୁ ଏ ଘରେ ଚା’ର ବ୍ୟବସ୍ଥା ନାହିଁ । କିନ୍ତୁ ଆପଣଙ୍କ ପରି ଅତିଥି ପାଇଲେ ସେ ନିୟମର ବ୍ୟତିକ୍ରମ ଘଟେ । ଏହା ପ୍ରକାଶ କରିବା ପରେ ନୀଳମାଧବ ହୋ, ହୋ ହୋଇ ହସିବାକୁ ଲାଗିଲେ ।

 

ରାଜବାଳା ମଧ୍ୟ ହସିଲେ । ରାଜବାଳାଙ୍କ ସ୍ତ୍ରୀ ଏହି ସରଳ ଉପହାସ ଶୁଣୁ ଶୁଣୁ ଝିଅ ସଙ୍ଗରେ ପାନ ପାଇଁ ଭିତରକୁ ଚାଲିଗଲେ ।

 

ଆଶ୍ଚର୍ଯ୍ୟର ବିଷୟ, ନୀଳମାଧବ ଓ ରାଜବାଳା ଏକତ୍ର ଥିବାବେଳେ ହସି ପାରିଲେ ନାହିଁ । ସେମାନେ ପୁଣି ଥରେ ନୀରବ ରହିଲେ ।

 

ଇତ୍ୟବସରରେ ନୀଳମାଧବ ଏକ ଆଶ୍ଚର୍ଯ୍ୟଜନକ ପ୍ରସଙ୍ଗ ଉଠାଇଲେ । କହିଲେ, ରାଜବାଳା ! ଅନେକ ଦିନ ହେଲା କହିବି, କହିବି ବୋଲି କହି ପାରୁନି’ । ବସାକୁ ଯିବାପାଇଁ ଅନେକ ଥର ଚେଷ୍ଟା କରେଁ, ଅଥଚ ଯାଇ ପାରେଁ ନା । ମନେ ହୁଏ, ପଛ ପଟୁ ପାଦ ଦୁଇଟିକୁ କିଏ ବାନ୍ଧି ପକାଉଛି । ମୁଁ ସତ କହୁଛି ରାଜବାଳା, ଅତୀତର ସେହି ଉଚ୍ଛୃଙ୍ଖଳ ବ୍ୟବହାର ପାଇଁ ମୁଁ ଲଜ୍ଜିତ-। ମୋତେ କ୍ଷମା ଦେବନି’ ?

 

ରାଜବାଳା ସେ କଥା ଶୁଣି ପାଷାଣ ପାଲଟି ଗଲେ । କଣ କହିବେ ଭାବୁଛନ୍ତି, ନର୍ମଦା ଓ ତା’ ମା ଆସି ପହଞ୍ଚିଗଲେ । ନର୍ମଦା ତା’ ଟିକି ଟିକି ହାତରେ ଦି’ଖଣ୍ଡ ପାନ ନେଇ ରାଜବାଳାଙ୍କୁ ବଢ଼ାଇ ଦେଲା ଓ ନମସ୍କାର ହେଲା । (ସୋନପୁର ରାଜ୍ୟରେ ବୟସ୍କ ଓ ମାନ୍ୟ ଲୋକଙ୍କୁ କିଛି ଦେଲାବେଳେ ବା ତାଙ୍କ ପାଖରୁ କିଛି ଗ୍ରହଣ କଲାବେଳେ ନମସ୍କାର ହେବାର ବିଧି ଅଛି । ନର୍ମଦା ସେତକ ଶିଖି ନେଇଛି ।)

 

ରାଜବାଳା ନର୍ମଦାକୁ ପୁଣି ଥରେ ଆଦର କଲେ ।

 

ନୀଳମାଧବଙ୍କ ମୁହଁରୁ ସବୁ ଆନନ୍ଦ, ସବୁ ହସ କିଏ ପୋଛି ନେଇ ଯାଇଥାଏ । ସେ ଗମ୍ଭୀର ଦେଖା ଯାଉଥାନ୍ତି ।

 

ରାଜବାଳା ସେହି ଅଚିନ୍ତ୍ୟ ପରିସ୍ଥିତିରେ ଆଉ ମୁହୂର୍ତ୍ତଟିଏ ବି’ ଅପେକ୍ଷା କରି ପାରିଲେ ନାହିଁ । ସେ ବିଦାୟ ନେଇ ଫେରି ଆସିଲେ । ସ୍ୱର୍ଣ୍ଣପ୍ରଭାର ବିବାହ ପ୍ରସଙ୍ଗ କଥା ବାରମ୍ବାର ମନେ ପଡ଼ୁଥିଲେ ବି’ ତତସମ୍ବନ୍ଧରେ କିଛି ହେଲେ କହି ପାରିଲେ ନାହିଁ ।

 

ନୀଳମାଧବ ଓ ତାଙ୍କ ସ୍ତ୍ରୀ ଦୁଆର ଉପରେ ରାଜବାଳାଙ୍କୁ ବିଦାୟ ଦେବାକୁ ଆସି ଛିଡ଼ା ହୋଇଥାନ୍ତି ।

 

ରାଜବାଳା ଘରକୁ ଫେରିଆସି ଦେଖନ୍ତି, ତାଙ୍କ ବୈଠକ ଘରେ ଜଣେ ନୂତନ ଆଗନ୍ତୁକଙ୍କ ସହିତ ରାଜେନ୍ଦ୍ର ସିଂହ ଓ ସ୍ୱର୍ଣ୍ଣପ୍ରଭା ମିଳିତ ହୋଇଛନ୍ତି । କାଳିନ୍ଦୀ ଦାଣ୍ଡ ପିଣ୍ଡାରେ ଛିଡ଼ା ହୋଇଥାଏ । ରାଜବାଳାଙ୍କୁ ଦେଖି ଆନନ୍ଦରେ ପ୍ରକାଶ କଲା, ‘ଆମ ଘରକୁ ଆଜି କୁଣିଆ ଆସିଛନ୍ତି; ଦେଖିଛ ମାଆ ?’

 

ରାଜବାଳା ନୀଳମାଧବଙ୍କ ଘରୁ ବିଦାୟ ନେଇ ଆସିବା ପରେ ଅନ୍ୟମନସ୍କ ହୋଇ ପଡ଼ିଥାନ୍ତି । ସେ କାଳିନ୍ଦୀ କଥାରେ ଆଗ୍ରହ ପ୍ରକାଶ କରି ପାରିଲେ ନାହିଁ । କାଳିନ୍ଦୀ କଥା ଶୁଣି କିଛି ବିଚାର କରିବା ଅବସ୍ଥାରେ ସେ ନ ଥିଲେ ।

 

ବୈଠକ ଘର ଦେଇ ଭିତରକୁ ଯାଉଛନ୍ତି, ରାଜେନ୍ଦ୍ର ସିଂହ ଆନନ୍ଦରେ ପ୍ରକାଶ କଲେ, ୟା’ଙ୍କୁ ଚିହ୍ନିଛ ରାଜବାଳା ? ତାଳଚେରରୁ ଆସିଛନ୍ତି । ଦେଖିଲେ, ଚିହ୍ନି ପାରିବ କି ନାହିଁ ?

 

ଯୁବକଟି ଆସ୍ଥାନରୁ ଉଠି ରାଜବାଳାଙ୍କୁ ନମସ୍କାର ଜଣାଇଲେ ।

 

ଗୋରା ହୋଇ ପତଳା ମଣିଷଟିଏ । ନାକତଳେ ପ୍ରଜାପତିଆ ନିଶ ଅଛି । ପରିଧାନ ଧଳା ଫୁଲପେଣ୍ଟ୍ ଓ ଫୁଲସାର୍ଟ । ମୁଣ୍ଡ ବାଳକୁ ବାଗେଇ କରି ଉପରକୁ ଟେକି ହୋଇଛି । ଏ ସବୁ ସତ୍ତ୍ୱେ, ମୁହଁରେ ଏମିତି ଏକ ପ୍ରକାଶ ଭଙ୍ଗୀ ଅଛି, ଯଦ୍ଦ୍ୱାରା ଯୁବକଟି ଶାନ୍ତ, ନମ୍ର ବୋଲି ଧାରଣା କରି ହେବ ।

 

ରାଜବାଳାଙ୍କୁ, ଯୁବକଟି ପ୍ରତି ବିଶେଷ ଭାବରେ ଆକୃଷ୍ଟ କରିବା ସକାଶେ ରାଜେନ୍ଦ୍ର ସଂଯୋଗ କଲେ, ମନେ ପଡ଼ୁନି, ନୁହଁ ? ଆମେ ଯେତେବେଳେ ତାଳଚେର ଛାଡ଼ି ଆସିଲେ, ସେତେବେଳେ ସେ ଆମ ସ୍ୱର୍ଣ୍ଣପ୍ରଭା ପରି ନାବାଳକ । ପ୍ରକୃତରେ ରାଜବାଳା, ସ୍ୱର୍ଣ୍ଣ ଓ ସୁକାନ୍ତର ଏ ବର୍ଦ୍ଧିଷ୍ଣୁ ଅଙ୍ଗଲତାକୁ ନ ଦେଖିଲେ ଆମ ସୋନପୁର ରହଣିର କାର୍ଯ୍ୟକାଳକୁ ହୃଦୟଙ୍ଗମ କରି ହୁଏ ନାହିଁ । ଏଇ ସ୍ୱର୍ଣ୍ଣ ଓ ସୁକାନ୍ତର ବିପୁଳ ବପୁ ସୂଚେଇ ଦିଏ, ସେ ଦିନ ଓ ଆଜି ମଧ୍ୟରେ ଅନେକ ବ୍ୟବଧାନ । ଆମ ଭିତରେ ବି’ ଅନେକ ପରିବର୍ତ୍ତନ ଆସିଛି । ତୁମେ କହିଲ ରାଜବାଳା, ସେ ଦିନ ଅପେକ୍ଷା ଆଜି କଣ ଆମେ ବଦଳି ଯାଇନେ ?

 

ରାଜେନ୍ଦ୍ର ଅତି ମାତ୍ରାରେ ଚଞ୍ଚଳ ଓ ପ୍ରଗଳଭ୍ ହୋଇ ଉଠିଛନ୍ତି । ସୁକାନ୍ତର ଆଗମନ ତାଙ୍କୁ ଆଜି ଏତେ ଚଞ୍ଚଳ କରିଛି । ସୁକାନ୍ତର ଉପସ୍ଥିତି ତାଙ୍କ ମୁହଁରେ ଏତେ କଥା ଭରି ଦେଇଛି । ୟା’ ପୂର୍ବରୁ ଏକା ନିଶ୍ୱାସରେ ଏତେ କଥା ସେ କେବେହେଲେ କହି ନାହାନ୍ତି ।

 

ରାଜେନ୍ଦ୍ରଙ୍କ ବକ୍ତବ୍ୟର ଶେଷ ବାକ୍ୟଟାକୁ ରାଜବାଳା ବାରମ୍ବାର ସ୍ମରଣ କରୁଛନ୍ତି । ରାଜେନ୍ଦ୍ର ତାଙ୍କୁହିଁ ଲକ୍ଷ୍ୟ କରି ବାକ୍ୟର ସେହି ଅସହ୍ୟ ଅଂଶଟାକୁ ଯୋଗ କରିଛନ୍ତି ।

 

କିଏ ଜାଣେ, ସେ ତାଙ୍କର ଶିଥିଳ ଅଙ୍ଗ, ଅପ୍ରସାଧିତ ବେଶ ବାସକୁ ଲକ୍ଷ୍ୟ କରି ଏ କଥା ପ୍ରକାଶ କରି ନାହାନ୍ତି ? ରାଜେନ୍ଦ୍ର କଣ ତାଙ୍କରି ସୁବିନ୍ୟସ୍ତ କବିରୀର ସେହି କେତୋଟି ପଳିତ କେଶକୁ ଆବିଷ୍କାର କରିଛନ୍ତି ? ଆଉ ତାରି ସୁଯୋଗ ନେଇ ସେ ତାଙ୍କର ବୟସ କଥା ମନେ ପକାଇ ଦେବାକୁ ଚାହାନ୍ତି ?

 

ରାଜବାଳାଙ୍କର ନିଜ ବୟସ କଥା, ନିଜ ଅଙ୍ଗର ଶିଥିଳତା କଥା ମନେ ପଡ଼ିଲା ।

 

ଆଃ, କାହିଁକି ରାଜେନ୍ଦ୍ର ଏ କଥା ଜଣେ ଅପରିଚିତ ଯୁବକ ଆଗରେ ପ୍ରକାଶ କଲେ ? ମନ୍ତବ୍ୟଟି କଣ ଉଦ୍ଦେଶ୍ୟମୂଳକ ? ସେ କଣ ତାଙ୍କ ପ୍ରତି ଆକ୍ରୋଶ କରି ଏ କଥା କହିଲେ ? କାହିଁକି ତାଙ୍କର ଅସତର୍କ, ଆତର୍କିତ ଆକ୍ରମଣ ? ରାଜବାଳା କ୍ଷୁବଧା ହେଲେ । ସେ ଛଳନାର ଆଶ୍ରୟ ନେଇ ବୈଠକ ଘରୁ ବିଦାୟ ନେଲେ ।

 

ରାଜବାଳାଙ୍କର ଅନୁପସ୍ଥିତି ସତ୍ତ୍ୱେ ରାଜେନ୍ଦ୍ର ସୁକାନ୍ତ ଓ ସ୍ୱର୍ଣ୍ଣପ୍ରଭା ମଧ୍ୟରେ ଆଧୁନିକ ତାଳଚେର ସହରର ପରିବର୍ତ୍ତନ କଥା ପଡ଼ିଲା । ସୁକାନ୍ତ ବୁଝାଉଥିଲା, ମହାନଦୀରେ ବିରାଟ ବନ୍ଧ ନିର୍ମାଣ ପରେ ତାଳଚେର କେଉଁ ଦିଗରୁ ଲାଭବାନ ହୋଇଛି । ତାଳଚେର ଥର୍ମାଲ ଷ୍ଟେସନର ରୂପ ରେଖ କଣ ? ପୁଣି ତାଳଚେରର ପ୍ରତ୍ୟେକଟି ଖଣିର ପ୍ରତ୍ୟକ୍ଷ ଦାୟିତ୍ୱ ସରକାର ଗ୍ରହଣ କରି ସାରିବା ପରେ ତାର ରୂପ ରେଖ କଣ ହେବ ।

 

ରାଜେନ୍ଦ୍ର ଓ ସ୍ୱର୍ଣ୍ଣପ୍ରଭା ଉତ୍ସୁକ ଆଖିରେ ସୁକାନ୍ତର ବର୍ଣ୍ଣନାକୁ ମନ ଦେଇ ଶୁଣୁଥାନ୍ତି ।

 

ସ୍ୱର୍ଣ୍ଣପ୍ରଭାର ମନେ ପଡ଼ୁଥାଏ, ବହୁତ ଦିନ ତଳେ ଛାଡ଼ି ଆସିଥିବା ସୁଦୂରବର୍ତ୍ତୀ ତାଳଚେର ସହର । ତାରି ରାସ୍ତା ଘାଟ, ବୃକ୍ଷ ଲତା, ଜଣା ଅଜଣା ମଣିଷ ଆଖି ଆଗରେ ଝାପସା ଦେଖା ଯାଉଥିଲେ । ସୁକାନ୍ତ ସଙ୍ଗେ ଚଳ ପ୍ରଚଳ ହୋଇ ଆସିଥିବା ଅତୀତର କେତୋଟି ଗୁରୁତ୍ୱପୂର୍ଣ୍ଣ ଘଟଣା, କେତୋଟି ସରସ ସ୍ମୃତିକୁ ସେ ମନେ ପକାଇବାକୁ ଚେଷ୍ଟା କରୁଥିଲା ।

 

ସେ ଅତୀତ ହୋଇ ରହିଲା । ସେ ଦିନ ଚାଲିଗଲା ।

 

ସୁକାନ୍ତ ସଙ୍ଗେ ଏ ବୟସରେ ଗଛ ଚଢ଼ି ବସିଲେ ବା ଧୂଳିଘର କରି ଖେଳି ବସିଲେ, ଲୋକେ ନାକରେ ହାତ ଦେଇ ହସିବେ । ବାହାର ପାଞ୍ଚଜଣଙ୍କ ସଙ୍ଗରେ ହାତ ବଢ଼ାଇ କହିବେ, ଦେଖିଲତ ! ଏଇ ହେଲା ବୟସର ଦୋଷ, ଯୁଗର ଦୋଷ । କାହାକୁ କହିବା ?

 

ସୁକାନ୍ତ ମଧ୍ୟ ରାଜେନ୍ଦ୍ରଙ୍କ ପରିବାର ସଙ୍ଗେ ମିଳିତ ହୋଇ ସୁଖୀ ଥିଲା । ସେମାନଙ୍କ ମେଳରେ ବସି କଥା ଭାଷା କରୁ କରୁ ଯାତ୍ରା-କ୍ଲାନ୍ତିକୁ ସେ ସଂପୂର୍ଣ୍ଣ ରୂପେ ଭୁଲିଗଲା ।

 

ରାଜେନ୍ଦ୍ର ଭାବୁଥିଲେ, ସ୍ୱର୍ଣ୍ଣପ୍ରଭା ଓ ସୁକାନ୍ତକୁ ବିବାହ ସୂତ୍ରରେ ବନ୍ଧନ କରି ମୁଣ୍ଡ ଉପରର ମସ୍ତବଡ଼ ଦାୟିତ୍ୱ ଓହ୍ଲାଇ ନେବେ । ସୁକାନ୍ତ ଏ ପ୍ରସ୍ତାବରେ ଅରାଜି ହେବନି’ । ତା’ ବ୍ୟତୀତ ସ୍ୱର୍ଣ୍ଣପ୍ରଭା କ’ଣ ଉପଯୁକ୍ତ ପତ୍ନୀ ହେବାର ତାଲିମ୍ ପାଇ ନାହିଁ ? ତାର ଶିକ୍ଷା ଦୀକ୍ଷା, ଆଚାର ବ୍ୟବହାର ଯେ ତାକୁ ସମର୍ଥ ଗୃହକର୍ତ୍ତୀ ରୂପେ ପ୍ରଶଂସିତ କରି ପାରିବ, ଏଥିରେ ରାଜେନ୍ଦ୍ରଙ୍କ ତିଳେ ହେଲେ ସନ୍ଦେହ ନ ଥିଲା ।

 

ସେ ସୁବିଧା ଓ ସୁଯୋଗ ଅପେକ୍ଷାରେ ରହିଲେ । ସମୟ ଆସିଲେ ରାଜବାଳାଙ୍କୁ ସେ କଥା ଜଣାଇ ଶେଷ ନିଷ୍ପତ୍ତି ନିଆଯିବ । ସେହି ଅବସରରେ ସ୍ୱର୍ଣ୍ଣପ୍ରଭା ଓ ସୁକାନ୍ତ ମଧ୍ୟରେ ଘନିଷ୍ଠତା ବି’ ଆସି ସାରିଥିବ ।

 

ସ୍ୱର୍ଣ୍ଣପ୍ରଭା ଓ ସୁକାନ୍ତ ! ରାଜେନ୍ଦ୍ର ଭାବୁଥିଲେ, ସେମାନଙ୍କ ଉତ୍ତର ଜୀବନର ଏକତ୍ର-ସଂସାର କଥା । ସେ ସଂସାର କେତେ ଶାନ୍ତି ଓ ସନ୍ତୋଷର ହେବ ନାହିଁ ସତରେ । ସେ ସେହି ଅନାଗତ ଅଥଚ ଶୁଭସୂଚକ ଭବିଷ୍ୟତ ପାଇଁ ଅଜସ୍ର ଆଶୀର୍ବାଦ ଢାଳି ଦେଲେ ।

 

ୟାରି ମଧ୍ୟରେ ସୁକାନ୍ତ ସ୍ଥାନୀୟ ପାଓ୍ୱାର ହାଉସରେ ପ୍ରଧାନ ମେକାନିକ୍ ଭାବରେ ଯୋଗଦାନ କଲେ । ଚଳିବାଭଳି ବାସଗୃହ ଖଣ୍ଡେ ବି’ ମିଳିଗଲା । ରାଜେନ୍ଦ୍ର ଓ ରାଜବାଳାଙ୍କ ନିକଟରୁ ଅନୁମତି ନେଇ ସରକାରୀ ବାସଗୃହକୁ ସେ ଚାଲି ଆସିଲେ ।

 

ରାଜେନ୍ଦ୍ର ପ୍ରଥମେ ଆପତ୍ତି କଲେ । କିନ୍ତୁ ରାଜବାଳାଙ୍କ ମୁହଁରୁ ସମର୍ଥନ ସୂଚକ ମନ୍ତବ୍ୟ କିଛି ନ ପାଇ ସେ ନିଜ ଆପତ୍ତିରୁ କ୍ଷାନ୍ତ ରହିଲେ ।

ସୁକାନ୍ତ ନୂତନ ପରିବେଶ ଭିତରେ ନିଜକୁ ମିଶାଇ ନେବାକୁ ସମୟ ଲାଗିଲା ନାହିଁ । ତାଙ୍କର ମେଳାପୀ ମନୋବୃତ୍ତି ଏଥିରେ ବେଶ୍ ସାହାଯ୍ୟ କଲା । ସେ ପଡ଼ୋଶୀଙ୍କ ସ୍ନେହ ଶ୍ରଦ୍ଧା ଲାଭ କଲେ ।

ପାଓ୍ୱାର ହାଉସରୁ ତାଙ୍କ ବାହାଘର ଖୁବ୍ ନିକଟ । ଫାଟକରେ ବସିଲେ ହାଇସ୍କୁଲ ସାମନାସାମନି ବସାଯି ସ୍ପଷ୍ଟ ଦେଖାଯାଏ । ସେଇଠି ବସି ବସି ମଝିପଡ଼ାର ଓ ମସଜିଦକୁ ବେଢ଼ାଇ ରହିଥିବା ପଠାଣ ସାହୀର ଦୈନନ୍ଦିନ କାର୍ଯ୍ୟକଳାପକୁ ଲକ୍ଷ୍ୟ କରିହୁଏ । ତାଙ୍କର ସାମନା ରାସ୍ତାରେ ମଝିପଡ଼ା ଓ କୁଷ୍ଟାପଡ଼ାର ଝିଅ ବୋହୂମାନେ ମହାନଦୀକୁ ଗାଧୋଇବାକୁ ଯାଆନ୍ତି । ସେମାନଙ୍କ ଫାଜଳବନ୍ଧା ପାଦର ମଦ-ଅଳସ-ଛନ୍ଦ ରାଜମାର୍ଗରେ ନୂତନ କବିତାର ସ୍ୱର ରଚେ । ରୁଣୁଝୁଣୁ ସ୍ୱନ ହଜିଲା କବିତାର ମଧୁର ଝଙ୍କାରକୁ ମନେ ପକାଇଦିଏ । ଦିନସାରା କିଛି କାମ ନଥାଏ । ଖାଲି ଯନ୍ତ୍ରପାତି ପରୀକ୍ଷା କରି ଦେଖିବା କଥା, ନତୁବା ଲାଇନ୍ ଉପରେ ନଜର ଦେବା କଥା । ରାତି ହେଲେ ଯାଇଁ କାର୍ଯ୍ୟର ଗୁରୁତ୍ୱ ବଢ଼େ ।

ସୁକାନ୍ତ ବସି ବସି ସୋନପୁର ସହରର ବିଚିତ୍ର ଗତିବିଧିକୁ ପର୍ଯ୍ୟବେକ୍ଷଣ କରନ୍ତି, ପ୍ରାଣପୂର୍ଣ୍ଣ ଏହି ସୋନପୁର ସହରର ହସ ଖୁସି, ତାଙ୍କ ନିଜ ଭିତରେ ଅଶେଷ ଆନନ୍ଦ ଭରିଦିଏ । ସହରର ସରଳ, ରୁଚିର ଜୀବନ ଯାପନ ପ୍ରଣାଳୀ ଦେଖି ସେ ବିମୁଗଧ ହୁଅନ୍ତି ।

ମଝିରେ ମଝିରେ ଜନ୍ମଭୂମି ତାଳଚେର ସଙ୍ଗେ ପ୍ରବାସ ସୋନପୁରକୁ ତୁଳନା କରନ୍ତି ।

କୋଇଲା ଖଣି ଯୋଗୁ ତାଳଚେରର ବାସିନ୍ଦା ନିଜର ସ୍ୱାଭାବିକ ଛନ୍ଦ ହରାଇଛି । ମଣିଷ ଅଛନ୍ତି ସତ, ମାତ୍ର ମଣିଷ ମନର ସେହି ଉଚ୍ଛ୍ୱାସ ନାହିଁ । ସେମାନଙ୍କ ମୁହଁର କ୍ଷୀଣ, ପାଣ୍ଡୁର ହସତକ କିପରି ନିଷ୍ପ୍ରଭ, ବିବର୍ଣ୍ଣ ଦେଖାଯାଉଛି । କଥାରେ ବି’ ଲାଳିତ୍ୟ ନାହିଁ, କୋମଳତା ନାହିଁ । ତାଳଚେର କୋଇଲା ଖଣି ତାକୁ ଅଭିଶପ୍ତ ସହରରେ ପରିଣତ କରି ନେଇଛି । ଦଳେ ଲୋକ, ଅନୁଗତ ପଶୁପରି ନିଥର, ନିସ୍ତବଧ ଜୀବନଯାପନ କରୁଛନ୍ତି । କୃତ୍ରିମ ବେଶ ପୋଷାକ ତଳେ, ଯେ କେହି ଉତ୍ସୁକ ଐତିହାସିକ, ସେମାନଙ୍କ ପଞ୍ଜରା ତଳର ନିଃସ୍ୱ, ନିରର୍ଥକ କାରୁଣ୍ୟକୁ ଆବିଷ୍କାର କରିପାରିବ ।

ସୁକାନ୍ତର ମନେ ହେଲା, ସୋନପୁର ସହର ସଙ୍ଗେ ତାଳଚେରର ତୁଳନା କରାଯାଇ ପାରେନା । ସୋନପୁରର ସ୍ୱଭାବ ସୁନ୍ଦର ପାଣି, ପବନ ସଙ୍ଗେ ତାଳଚେରର କୌଣସି ସମ୍ପର୍କ ନାହିଁ-। ଯନ୍ତ୍ର ଓ ଜୀବନ ମଧ୍ୟରେ ଯେତିକି ପ୍ରଭେଦ, ତାଳଚେର ଓ ସୋନପୁର ମଧ୍ୟରେ ଠିକ୍ ସେତିକି ପ୍ରଭେଦ ।

କୋଇଲା ଖଣିର ଚିମିନ୍ ଧୂଆଁ ତାଳଚେରର ଦିଗବଳୟକୁ ଦୂଷିତ କରେ । ରେଲ୍ ଇଞ୍ଜିନର ବିକଟାଳ ଗର୍ଜନ, ସହର ଦେହରେ ଆତଙ୍କ ଓ ଅନିଶ୍ଚିତ ବାତାବରଣ ସୃଷ୍ଟି କରେ । ମାଲବାହୀ ଟ୍ରକ୍, କ୍ଷୀପ୍ରଗାମୀ ଜିପ୍, ଏସବୁ ମିଶି ସହରର ବିଶୁଦ୍ଧ ଜୀବନକୁ ପଳେ, ପଳେ ଦଂଶନ କରନ୍ତି । ସେଇଠି ମନ, ହୃଦୟ ପରି କେତୋଟି ମାନବିକ ପ୍ରକାଶ ଓ ତାର ନିର୍ଭୁଲ ମତବାଦକୁ ସ୍ୱୀକାର କରାଯାଏନା’ । ନିର୍ଜୀବ ଟଙ୍କା ପଇସା ମାଧ୍ୟମରେ, ଜଣକର ସ୍ଥିତି ଓ ପ୍ରାଧାନ୍ୟକୁ ବିବେଚନା କରାଯାଏ ।

ସୋନପୁର ସହରର ବାସିନ୍ଦା ଗରିବ ସତ, କିନ୍ତୁ ମିଞ୍ଜାସ ପାଇଛନ୍ତି ମାଥବରର । ସେମାନଙ୍କ କାର୍ଯ୍ୟକଳାପରେ ମହାପୁରୁଷର ବିଚାରଧାରା ରହିଛି । ସାମାନ୍ୟ ସାମାନ୍ୟ କଥାରେ, ସେମାନେ ନିର୍ବୋଧ, ନିତ୍କୃଷ୍ଟ ଓ ନୀଚ ମନୋବୃତ୍ତିକୁ କେବେହେଲେ ପ୍ରକାଶ କରନ୍ତି ନାହିଁ । ସ୍ୱାର୍ଥ ସାଧନ ପାଇଁ ଲକ୍ଷ୍ୟ ଥିଲେ ମଧ୍ୟ, ପରସ୍ୱାର୍ଥପ୍ରତି ସଜାଗ ଥାଆନ୍ତି ।

 

ସୁକାନ୍ତ ଭାବେ, ତାଳଚେର ସହରର ବାସିନ୍ଦା ପୁଙ୍ଗା, କାର୍ଯ୍ୟ ନିର୍ଘଣ୍ଟ, ଉତ୍ପାଦନ ପ୍ରଭୃତି କେତୋଟି ଯାନ୍ତ୍ରିକ ଜୀବନର ପରିସର ଭିତରେ ଶୃଙ୍ଖଳିତ । ଦି’ଓଳି ଦି’ ପେଟ ଆଧାର, ସ୍ତ୍ରୀ ପାଇଁ ମିଲ୍ ଶାଢ଼ୀ, ଦାମୀ କନା ଓ ପିଲାଙ୍କ ପାଇଁ ପାଉରୁଟି ବିସ୍କୁଟ ଓ ପାଉଡ଼ର, ରିବନ୍ କିଛି ଯୋଗାଡ଼ କରି ପାରିଲେ ସେ ସୁଖୀ ହୁଏ । ପ୍ରେକ୍ଷାଳୟର ଆଲୋକ ଚିତ୍ର ଦେଖି ସେ ଆମୋଦ ଲାଭ କରେ । ସାଧାରଣ ଜୀବନ ସଙ୍ଗେ ସତେ ଅବା ସମ୍ପର୍କ ନାହିଁ । ଚା’ ସିଗାରେଟ୍ ଖାଇ ସମୟ କଟାଇ ଦେବା, ଭାରାକ୍ରାନ୍ତ ମନ ନେଇ ବିଦେଶୀ ପାନଶାଳାରେ ପଶିବା, ଦିନ ଦିନ ଧରି ଗୁଇନ୍ଦା ଉପନ୍ୟାସ ଭିତରେ ବୁଡ଼ି ରହିବାକୁ ତାଳଚେର ବାସିନ୍ଦାର ଯେତିକି ଆଗ୍ରହ, ତାହା ହୁଏତ ଓଡ଼ିଶାର ଅନ୍ୟ କୌଣସି ସହରରେ ଖୋଜିଲେ ମିଳିବ ନାହିଁ ।

 

ସୋନପୁର ସହର !

 

ଅଦ୍ଭୁତ ସହରଟିଏ ନିଶ୍ଚୟ !!

 

ମର୍ତ୍ତ୍ୟଲୋକରେ ସ୍ୱର୍ଗଲୋକର ଶୋଭାସମ୍ପଦ ନେଇ ଯଦି ପ୍ରକୃତରେ କୌଣସି ସ୍ୱପ୍ନଭରା, କଳ୍ପନା-ରସାଣିତ ଦିବ୍ୟ ସୁନ୍ଦର ସ୍ଥାନ ଥାଏ, ତାହା ସୋନପୁର ବ୍ୟତୀତ ଆଉ କେହି ନୁହେଁ । ଚିରସ୍ରୋତା ମହାନଦୀ ସୋନପୁର ସହରକୁ ସବୁଦିନ ନୂଆ ଗୀତ ଶୁଣାଏ । ତେଲ ନଦୀର ଖଣ୍ଡାଧାର ପ୍ରତିଟି ମଣିଷକୁ ସତର୍କ ଓ ସଜାଗ ରହିବାକୁ ଶିକ୍ଷା ଦିଏ । ସହରର ନରନାରୀ ବର୍ଷର ଛଅଟି ଋତୁକୁ ବିଭିନ୍ନ ଭାବରେ ଉପଭୋଗ କରନ୍ତି । ଭରା ପୂନେଇଁର ମତାଣିଆ ଜ୍ୟୋତ୍ସ୍ନାରେ କେବେ କେବେ ସେମାନେ ପାଦ ମିଳାଇ ନାଚନ୍ତି । ପୁଣି, ରାତ୍ରିର ପ୍ରଥମ ପ୍ରହରରେ, ବେଳେବେଳେ ସହରର ଚକ୍ରବାଳ ସଙ୍ଗୀତର ସରସ ଛନ୍ଦରେ ଛାଇ ହୋଇଯାଏ । ସହର ତଳି ଅଞ୍ଚଳର ଛୋଟ ଛୋଟ ଗ୍ରାମର ବୟସୀ କନ୍ୟାମାନେ ସେ ସଙ୍ଗୀତର ଜବାବ ଦିଅନ୍ତି । ଚତୁର୍ଦ୍ଦିଗ ଘେରା ଏକର ଏକର ଜମିର ଫଳପ୍ରସୂ ବୃକ୍ଷଲତା ସେ ସଙ୍ଗୀତ ଶୁଣିବାକୁ ଲହରାଇ ଉଠେ । ମହାନଦୀ ଓ ତେଲନଦୀର ପ୍ରଗଲଭା ତରଙ୍ଗ ସବୁ ନିଜ ସୀମାରେଖା ଅତିକ୍ରମ କରି ବହୁଦୂରକୁ ଧାଇଁ ଆସନ୍ତି ।

 

ସୁକାନ୍ତ ସେ ପରିବେଶକୁ ଆପ୍ରାଣ ଉପଭୋଗ କରନ୍ତି । ପାଓ୍ୱାର ହାଉସ୍ ବାରଣ୍ଡାରେ ଚୌକିଟି ଉପରେ ବସି ସେ ଉଜ୍ଜ୍ୱଳ ଚନ୍ଦ୍ରକୁ ଦୃଷ୍ଟି ପକାନ୍ତି । ସୋନପୁର ଆକାଶର ଚନ୍ଦ୍ର ତାଳଚେର ଅପେକ୍ଷା ହସନ୍ତି ଓ ଦୀପ୍ତିବନ୍ତ ଦେଖାଯାଏ । ଦିନେ ଦିନେ ନିଜ ସହଯୋଗୀ ହାତକୁ ସମସ୍ତ ଦାୟିତ୍ୱ ବଢ଼ାଇ ଦେଇ ଧୂସର ରାଜପଥରେ ସୁକାନ୍ତ ଏକାକୀ ଚାଲିଯାନ୍ତି । ଖୋଲା ଆକାଶ ତଳେ, ନିର୍ଜନ ରାଜପଥ ଉପରେ ଏକା ଏକା ଚାଲିବାକୁ ଭଲ ଲାଗେ ।

 

ମଝି ପଡ଼ାର ନିଶ୍ଚିନ୍ତ ସ୍ତ୍ରୀ ପୁରୁଷ ଚଞ୍ଚଳ ଖିଆପିଆ ଶେଷ କରି ନିଷ୍ପ୍ରଭ ଲଣ୍ଠନ ଆଲୁଅରେ ହସ ଖୁସିର ଗପ ଯୋଡ଼ି ଦେଇଥାନ୍ତି । ସେମାନଙ୍କ କଣ୍ଠ ସ୍ୱରରେ ପ୍ରାଣର ପ୍ରାଚୁର୍ଯ୍ୟ ଥାଏ । ସେମାନଙ୍କ ହସରେ ଆଶାୟୀ ଗୃହସ୍ଥର ସ୍ୱାକ୍ଷର ଥାଏ ।

 

ଏ ସୋନପୁର ଜୀବନକୁ ନିଜର କରି ନେବାକୁ ସୁକାନ୍ତଙ୍କର ଅଦ୍ଭୁତ ଇଚ୍ଛାହୁଏ ।

 

ଚଲାବାଟରେ ରାଜବାଳାଙ୍କର ବସାଘର ପଡ଼େ । ବସା ଘରର ଖୋଲା ଝରକାରେ, ସୁକାନ୍ତ ବେଳେ ବେଳେ ଗୋଟିଏ ଅତି ସୁନ୍ଦର ମୁହଁ ଓ ପ୍ରଶ୍ନଭରା ନୀଳ ଆଖି ଯୋଡ଼ିଏ ଆବିଷ୍କାର କରନ୍ତି । ତାଙ୍କର ଇଚ୍ଛାହୁଏ, ସେ ସେଇଠି ଅଟକି ଯାଇଥାନ୍ତେ । ଏଇ ସୁନ୍ଦର ମୁହଁର ଅଧିକାରିଣୀ ସ୍ୱର୍ଣ୍ଣପ୍ରଭା ସଙ୍ଗରେ କିଛି ସମୟ କଥାବାର୍ତ୍ତା କରନ୍ତେ । ସ୍ୱର୍ଣ୍ଣପ୍ରଭା ରାଜି ହେଲେ, ଜ୍ୟୋତ୍ସ୍ନା ଚର୍ଚ୍ଚିତ, ସୁପ୍ରଶସ୍ତ ରାଜମାର୍ଗରେ କିଛି ସମୟ ବୁଲାବୁଲି କରନ୍ତେ ।

 

ପରକ୍ଷଣରେ ରାଜବାଳାଙ୍କର କଥା ମନେ ପଡ଼େ । ବୋଧହୁଏ ତାଙ୍କରି ଉପସ୍ଥିତିକୁ ରାଜବାଳା ପସନ୍ଦ କରନ୍ତି ନାହିଁ । ସେଇଥିପାଇଁ ତାଙ୍କୁ ଦେଖିଲେ ରାଜବାଳାର ଅନ୍ୟମନସ୍କତା ପ୍ରକାଶ ପାଏ । କଥାବାର୍ତ୍ତାରେ ଆନ୍ତରିକତା ନ ଥାଏ ।

 

କିନ୍ତୁ ରାଜେନ୍ଦ୍ର ସିଂହ ? ସୁକାନ୍ତ ତାଙ୍କରି ବ୍ୟବହାରରେ ଗୋଟାପଣେ କିଣି ହୋଇ ଯାଇଛନ୍ତି । ରାଜେନ୍ଦ୍ର ତାଙ୍କ ପାଇଁ କେବଳ ମଙ୍ଗଳାକାଂକ୍ଷୀ ନୁହନ୍ତି, ସହରର ବିଶେଷ ଆକର୍ଷଣ । ସମୟର ବ୍ୟବଧାନକୁ ପାସୋରି ଦେଇ ଘଣ୍ଟା ଘଣ୍ଟା ଧରି କଥାବାର୍ତ୍ତା କରନ୍ତି ।

 

ସୁକାନ୍ତ ବୁଝି ପାରନ୍ତି, ରାଜେନ୍ଦ୍ର ତାଙ୍କ ପ୍ରତି ଖୁବ୍ ସହାନୁଭୂତିଶୀଳ । କଥାବାର୍ତ୍ତାରେ ଆନ୍ତରିକତା ଥାଏ । ସେ ବେଳେ ବେଳେ ସଦୁପଦେଶ ଭରା ମନ୍ତବ୍ୟ ଦିଅନ୍ତି । କହନ୍ତି, ଦୀର୍ଘ ଦିନର ଅଭିଜ୍ଞତାରୁ କହୁଛି, ସୋନପୁର ସହରକୁ ମୁଁ ଏଇ ପ୍ରକାର ଚିହ୍ନିଛି । ତୁମେ ସତର୍କ ରହି ଚଳିବ ।

 

କୁଆଁର ପୂନେଇ କି ରଜ ଆସିଲେ ସୋନପୁର ସହରର ପୁଅ ଝିଅ ମାନେ ଅତି ମାତ୍ରାରେ ଉଶୃଙ୍ଖଳ ହୋଇ ଉଠନ୍ତି । ଚଳ ପ୍ରଚଳରେ ବାଡ଼ ବତା ଥାଏ ନା । ସମର୍ଥ ଝିଅ ଦୋମୁହାଁ ଶାଢ଼ୀଟାକୁ ବାଗେଇ ପିନ୍ଧି ଖୋସାରେ ବିସ୍ତର ଫୁଲ ମାରେ । ଆଖିରେ ସେ ଚାହେଁ ନାହିଁ ଯେ ଖାଲି ଫୁଲଶର ମାରେ । କଥା କହେ ନାହିଁ ଯେ ଗୀତ ଗାଏ ।

 

ସୁକାନ୍ତ ମନେ ମନେ ଭାବି ହୁଅନ୍ତି, ଏ ଝିଅଙ୍କୁ ଏତେ ଉଶୃଙ୍ଖଳ କଲା କିଏ ? ଏମାନଙ୍କ ଦେହରେ ଏତେ ରୂପ, ଏତେ ରଙ୍ଗ ଦେଲା କିଏ ସେ ?

 

ସେ ପ୍ରଶ୍ନର ଉତ୍ତର ମିଳେ ନା–

 

ତାଙ୍କର ଏ ଅସ୍ୱାଭାବିକ ମାନସିକ ଦ୍ୱନ୍ଦ ଦେଖି, ଗଭୀର ସୁନୀଳ ଆକାଶ ହସେ, ଆକାଶର ଅଗଣନ ନକ୍ଷତ୍ର ହସନ୍ତି । ପୁଣି ଉପହାସ ଭରା କଣ୍ଠରେ ସତେ ଅବା ହସି ଉଠନ୍ତି, ସାତ ବନ୍ଧର ପ୍ରସ୍ଫୁଟିତ ନୀଳ ଓ ରକ୍ତକଇଁ ମାନେ ।

 

ରାଜେନ୍ଦ୍ର ସିଂହଙ୍କ ମନ ଖରାପ ହେଲେ ସୁକାନ୍ତ ବସାରେ ପହୁଞ୍ଚନ୍ତି ।

 

ସୁକାନ୍ତ ଓ ରାଜେନ୍ଦ୍ର ସିଂହ କଥାବାର୍ତ୍ତା ଆରମ୍ଭ କଲେ ସମୟ ବି’ ହାର ମାନେ । କେତେବେଳେ ଆଣ୍ଠୁ ତଳର ସୂର୍ଯ୍ୟ ଯେ ମଥାନ ଛୁଏଁ, ତାର ହିସାବ କେହି ରଖନ୍ତି ନାହିଁ ।

 

ସୁକାନ୍ତ ଓ ରାଜେନ୍ଦ୍ର ସିଂହ ଭିତରେ ଦିନକୁ ଦିନ ଆତ୍ମୀୟତା ବୃଦ୍ଧି ପାଏ । ଏ ଆତ୍ମୀୟତା ଇଚ୍ଛାକୃତ ନୁହେ, ସ୍ୱାଭାବିକ । ମନର ମେଳ ଥିଲେ, ବୟସର ବିଭେଦତା ଗୌଣ ହୋଇ ରହିଥାଏ ।

ରାଜେନ୍ଦ୍ର ସିଂହ ସୁକାନ୍ତ ସଙ୍ଗେ କଥାବାର୍ତ୍ତା କଲେ ମନ ଭିତରେ ସନ୍ତୋଷ ଲାଭ କରନ୍ତି-। ସୁକାନ୍ତର ଧୀର, ସଂଯତ ଅଥଚ ବଳିଷ୍ଠ ଯୁକ୍ତି ଗୁଡ଼ିକ ତାଙ୍କୁ ଆନନ୍ଦ ଦିଏ । ସେମାନଙ୍କ ଆଲୋଚନା ଭିତରକୁ, ତେଲ ଲୁଣର ସଂସାର ସଙ୍ଗକୁ, ବିଶ୍ୱର ବହୁ ଜଟିଳ ସମସ୍ୟା ଅବତରଣ କରେ । ଅଧିକାଂଶ ବିଷୟରେ ସେ ଦୁହେଁ ଏକମତ ହୁଅନ୍ତି । ଯେଉଁଠି ଏକମତ ହୋଇ ପାରନ୍ତି ନାହିଁ, ନିଜ ନିଜର ଯୁକ୍ତି ନେଇ ଆଲୋଚନା କରନ୍ତି । ସେ ଆଲୋଚନାରେ ଜୟ ପରାଜୟର ହିସାବ ନ ଥାଏ । ଦୁହେଁ ଏକାବେଳକେ ସଂଯତ ଶ୍ରୋତା ଓ ନ୍ୟାୟବାନ୍ ବିଚାରକ ହୋଇ ଯାଆନ୍ତି-

ଗୁଣ ମୁଗଧ ରାଜେନ୍ଦ୍ର ଭାବନ୍ତି, ଏମିତି ଏକ ଗୁଣବାନ୍ ପାତ୍ରକୁ ଅବହେଳା ପ୍ରଦର୍ଶନ କରି ରାଜବାଳା ଉଚିତ କରୁ ନି’ । ସେ ଯଦି ଏକମାତ୍ର ସିଦ୍ଧାନ୍ତ ଗ୍ରହଣକାରୀ ହୋଇଥାନ୍ତେ, ତାହାହେଲେ ସ୍ୱର୍ଣ୍ଣପ୍ରଭାକୁ ସୁକାନ୍ତର ହାତ ଧରାଇ ଦେବାରେ କେବେ ହେଲେ ପଶ୍ଚାତପଦ ହୁଅନ୍ତେ ନାହିଁ ।

କିନ୍ତୁ ରାଜେନ୍ଦ୍ରଙ୍କ ମନ କହେ, ସ୍ୱର୍ଣ୍ଣପ୍ରଭା ଉପରେ ତାଙ୍କ ଅପେକ୍ଷା ରାଜବାଳାଙ୍କର ଅଧିକାରଟା ବେଶୀ ।

ରାଜବାଳାର ମନ କଣ ବଦଳିବ ନାହିଁ ? ଏ ସୁବର୍ଣ୍ଣ ସୁଯୋଗ ଛାଡ଼ିଦେଲେ, ଆଉ ଥରେ ହୁଏ ତ ମିଳିବ ନାହିଁ । ଶେଷକୁ ମନସ୍ତାପ କରିବା ସାର ହେବ ।

ଦିନେ ସେ ସୁଯୋଗ ଦେଖି ରାଜବାଳାଙ୍କୁ ସେହିକଥା ପଚାରିଲେ । ଚୁପ୍ ଚୁପ୍ କହିଲେ, ଯୁଯୋଗକୁ କରଛଡ଼ା କରିବା ଉଚିତ ହେବନି ରାଜବାଳା ! ଆଉଥରେ ସେ ହୁଏତ ମିଳି ନ ପାରେ-। ସ୍ୱର୍ଣ୍ଣପ୍ରଭାର ଭବିଷ୍ୟତ ପାଇଁ ମୁଁ କଣ ଦାୟୀ ନୁହେ ? ତା ଛଡ଼ା, ମୁଁ ଜାଣି ଶୁଣି ସ୍ୱର୍ଣ୍ଣର ଅନିଷ୍ଟ କରି ପାରିବି ନାହିଁ । ମୋ’ କଥା ଶୁଣ ରାଜ ! ସ୍ୱର୍ଣ୍ଣପ୍ରଭାକୁ ସୁକାନ୍ତ ହାତରେ ଦାନ କର ।

ଏ ପ୍ରସ୍ତାବ ଶୁଣି ରାଜବାଳା ଆଶ୍ଚର୍ଯ୍ୟ ଆଖିରେ ରାଜେନ୍ଦ୍ରଙ୍କ ମୁହଁକୁ ଚାହିଁଲେ । ସେ ଏକ ସୁଦୀର୍ଘ ଚାହାଣୀ । ସେ ଚାହାଣୀର ଜଟିଳ ପ୍ରଶ୍ନ ଗୁଡ଼ିକ ରାଜେନ୍ଦ୍ର ଖାଲି ଆଖିରେ ବି’ ସ୍ପଷ୍ଟ ପଢ଼ି ପାରୁଥିଲେ ।

ରାଜବାଳା ସେ ପ୍ରସ୍ତାବରେ ରାଜି ହେଲେ ନି’ । କଥା ଶୁଣି ଖାଲି ହସିବାକୁ ଲାଗିଲେ । କହିଲେ, ଏଇ ବୁଦ୍ଧି ନେଇ ଗୃହକର୍ତ୍ତା ହେବ ? ଏତେଦିନ ଧରି ଏକତ୍ର ମୋ ସଙ୍ଗରେ ଚଳ ପ୍ରଚଳ ହେବା ପରେ ଏଇଆ ବୁଝିଲ ? ସ୍ୱର୍ଣ୍ଣପ୍ରଭା ପରି ଝିଅ ପାଇଁ ସୁକାନ୍ତ ଉପଯୁକ୍ତ ପାତ୍ର ନୁହେ । ଏ କଥା ମୋର ଭାବଭଙ୍ଗୀ ଦ୍ୱାରା ତୁମକୁ ପୂର୍ବରୁ ସୂଚେଇ ଦେଇଛି । ଭାବିଥିଲି, ତୁମେ ବୁଝିଯାଇ ଏଇ ଅସମ୍ଭବ ପ୍ରସ୍ତାବରୁ କ୍ଷାନ୍ତ ହେବ । କିନ୍ତୁ ଶେଷ ପର୍ଯ୍ୟନ୍ତ ଦେଖୁଛି, ସେ କଥା ମୋତେ ସ୍ପଷ୍ଟ କରିଦେବାକୁ ପଡ଼ିଲା–

ରାଜେନ୍ଦ୍ର ନିଜ ପ୍ରସ୍ତାବର ପୁନରାବୃତ୍ତି କରିବାକୁ ଯାଇ କ୍ଷୀଣ କଣ୍ଠରେ ପ୍ରକାଶ କରିବାକୁ ଲାଗିଲେ କିନ୍ତୁ ରାଜବାଳା........

ସେ କଥା ପଦକ ଶେଷ ହୋଇ ପାରିଲା ନାହିଁ । ରାଜବାଳା ସେହି ଉପହାସ ଭରା ଶ୍ଳେଷ୍ମାତ୍ମକ ବାକ୍ୟରେ ପ୍ରତିରୋଧ କଲେ, ମୋ ଝିଅପାଇଁ ସୁକାନ୍ତ ଅପେକ୍ଷା ସୁଯୋଗ୍ୟ ପାତ୍ର ମିଳିବେ ନି’ କହୁଛ ତ ? ଯଦି ପାରିବି ତାକୁ ଏକ ସମ୍ଭ୍ରାନ୍ତ ପରିବାରର ବଧୂ କରିବି, ନ ହେଲେ ସେ ସେମିତି ଅବିହାଡ଼ି ରହିଯିବ ।

 

ରାଜେନ୍ଦ୍ର କହିବାକୁ ଚାହିଁଥିଲେ, ଝିଅ ଅବିହାଡ଼ି ରହିବ, ଏ କଥା ତୁଣ୍ଡରେ ଧରିବା ବି’ ବିପଦପୂର୍ଣ୍ଣ ରାଜବାଳା, ତୁମେ ସେ କଥା କେବେ ହେଲେ କହିବ ନାହିଁ । ଝିଅକୁ ବିବାହ ନ ଦେଇ ଘରେ ରଖିବାର କଥା ଶୁଣିଲେ, ନିହାତି ଅପରିଚିତ ମଣିଷ ବି’ ସନ୍ଦେହ କରେ, ରହସ୍ୟ କରେ । ଝିଅ ପକ୍ଷରେ ଏହା ଅପେକ୍ଷା ଦୁଃଖର ବିଷୟ କିଛି ନାହିଁ ।

 

କିନ୍ତୁ ତା’ ପରିବର୍ତ୍ତେ ପ୍ରକାଶ କଲେ, ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି, ସ୍ୱର୍ଣ୍ଣ ଝିଅ ମୋର ରାଜରାଣୀର ଐଶ୍ୱର୍ଯ୍ୟ ପାଉ । ତା’ ପାଇଁ ଭଲ ଘର ଭଲ ବର ଯୋଗାଡ଼ ହେଉ । ତଦ୍ଦ୍ୱାରା ସେ ନିଜେ ସୁଖୀ ହେବେ ।

 

ରାଜବାଳାଙ୍କର ସେ ଶୁଭକାମନା ତକ କାନରେ ପଡ଼ିଲା କି ନାହିଁ କେ ଜାଣି, ମୁହଁ ଫଣ ଫଣ କରି ରାଜେନ୍ଦ୍ର ପାଖରୁ ନିଷ୍ପ୍ରାନ୍ତ ହେଲେ ।

 

କିଛି ଦିନ ପରର କଥା–

 

ଦିନେ ସନ୍ଧ୍ୟାବେଳେ ରାଜେନ୍ଦ୍ର ସିଂହ ଦେଖିଲେ, ବୈଠକ ଘର ଖଣ୍ଡକ ରାଜବାଳା ଓ ଜଣେ ନୂତନ ଅତିଥିଙ୍କ ଖୁସି ଆଳାପ ଆଲୋଚନାରେ ସରଗରମ ହୋଇ ଉଠିଛି ।

 

ଅତିଥି ଜଣକ ଅତି ମାତ୍ରାରେ ପ୍ରଗଳଭ୍ । ତାଙ୍କର ବଳିଷ୍ଠ ବପୁରେ ଯୌବନ ସୁଲଭ କାନ୍ତି ଅଛି । ସୌମ୍ୟ, ସୁଦର୍ଶନ ପୁରୁଷ । ସେ ବେଳେ ବେଳେ ହସି ହସି ପୁଣି ବେଳେ ବେଳେ ଗମ୍ଭୀର ହୋଇ ସମ୍ମତି ସୂଚକ ଅଙ୍ଗ ଭଙ୍ଗୀ ପ୍ରଦର୍ଶନ କରୁଛନ୍ତି । ନିଜ ସ୍ୱୀକୃତି ସମ୍ବନ୍ଧରେ ସଚେଷ୍ଟ ଥିଲାପରି କେତେକ ଯୁକ୍ତି ମଧ୍ୟ ବାଢ଼ିବାକୁ ପଶ୍ଚାତପଦ ହେଉ ନାହାନ୍ତି ।

 

ଆଉ ରାଜବାଳା ? ନିଜ ଯୁକ୍ତିର ସମର୍ଥନ ପାଇ ସେ ଆନନ୍ଦିତା । ସତେ ଅବା ରାଜ୍ୟ ଜୟ କଲେ । ଗୋଟାକ ପରେ ଗୋଟିଏ ପ୍ରସଙ୍ଗ ବାଢ଼ି ଆଲୋଚନାକୁ ଜୀବିତ କରି ରଖିବାରେ ତାଙ୍କର ଅଶେଷ ଆଗ୍ରହ ।

 

ରାଜେନ୍ଦ୍ର ସିଂହ ଦରଜା ପାଖରେ ସାମାନ୍ୟ ଅପେକ୍ଷା କଲେ । ଦେଖି ଆଶ୍ଚର୍ଯ୍ୟ ହେଲେ, ରାଜେନ୍ଦ୍ର ଓ ନୂତନ ଅତିଥିଙ୍କ ମଧ୍ୟରୁ ଜଣେ ସୁଦ୍ଧା ତାଙ୍କ ପ୍ରତି ଆଗ୍ରହ ପ୍ରକାଶ କରୁ ନାହାନ୍ତି । ଘର ଭିତରେ ଯେ ସେ ଏକାନ୍ତ ଅଦରକାରୀ, ଆଜି ସେ ଉକ୍ତିର ସତ୍ୟତାକୁ ମର୍ମେ ମର୍ମେ ଅନୁଭବ କଲେ-। ମନ ଭିତରଟା ଧିକ୍ ହୋଇଗଲା ।

 

କାଳିନ୍ଦୀ ଓ ସ୍ୱର୍ଣ୍ଣପ୍ରଭା ବାହାରୁ କୁଆଡ଼ୁ ବୁଲି ଆସି ଘର ଭିତରେ ପଶୁଥାନ୍ତି । ସେମାନଙ୍କ ମନ ଖୁସି ଥାଏ । ଘର ଭିତରେ ନୂତନ ଅତିଥି ଦେଖି, ସେ ଦୁହେଁ ମଧ୍ୟ ସଙ୍କୁଚିତ ହୋଇ ଦରଜା ପାଖରେ ଛିଡ଼ା ହେଲେ ।

 

କାଳିନ୍ଦୀ କିଛିକ୍ଷଣ ରାଜାବାଳାଙ୍କ ହସିଲା ମୁହଁକୁ ଅନାଇ ରାଜେନ୍ଦ୍ରଙ୍କ ଆଡ଼କୁ ଆଖି ଫେରାଇଲା । ବାପାଙ୍କର ଏହି ଦ୍ୱନ୍ଦ ଓ ସଂଘର୍ଷ ଭରା ଚାହାଣୀକୁ ସେ ସହ୍ୟ କରି ପାରିଲା ନାହିଁ । କହିଲା, ବାହାରଟାରେ କାହିଁକି ଛିଡ଼ା ହୋଇଛ ଯେ ? ଭିତରକୁ ଆସୁ ନା ।

 

ରାଜେନ୍ଦ୍ର ସିଂହ କାଳିନ୍ଦୀର ମୁଣ୍ଡକୁ ଆଉଁସି ଦେଉ ଦେଉ ତାର ଟିକି ଟିକି ଆଙ୍ଗୁଳି ଗୁଡ଼ିକୁ ନିଜ ହାତରେ ମୁଠାଇ ଧରିଲେ ।

 

କାଳିନ୍ଦୀ ବଳ ପାଇଲା ପରି ରାଜେନ୍ଦ୍ର ଓ ସ୍ୱର୍ଣ୍ଣପ୍ରଭାକୁ ନିଜ ସଙ୍ଗରେ ନେଇ ଘର ଭିତରକୁ ପଶି ଆସିଲା ।

 

ରାଜବାଳା କିଛି ନ ଜାଣିଲା ପରି ହସି ହସି କହିଲେ, ଏଇତ ସମସ୍ତେ ଫେରି ଆସିଲେଣି । ଆଚ୍ଛା ବଟ ବାବୁ, ମୁଁ ଏମାନଙ୍କ ସଙ୍ଗରେ ତୁମର ପରିଚୟ କରିଦିଏଁ ।

 

ବଟକୃଷ୍ଣ ବାବୁ ଆସନରୁ ଉଠି ଭଦ୍ରତା ଖାତିରିରେ ଛିଡ଼ା ହେଲେ । ସମ୍ଭ୍ରମତା ସହକାରେ ବୟୋଜ୍ୟେଷ୍ଠ ରାଜେନ୍ଦ୍ରଙ୍କୁ ନମସ୍କାର ଜଣାଇ ଆଗ୍ରହ ଆଖିରେ ସ୍ୱର୍ଣ୍ଣପ୍ରଭାକୁ ଚାହିଁଲେ ।

 

ସେ ମୋ’ ଝିଅ ସ୍ୱର୍ଣ୍ଣପ୍ରଭା । ରାଜବାଳା ପରିଚୟ ଦେଲେ । ତା’ ପରେ କାଳିନ୍ଦୀ ଆଡ଼କୁ ହାତ ବଢ଼ାଇ କହିଲେ, ସେ ଟିକିପୁଅ କାଳିନ୍ଦୀ । ଆଉ କାଳିନ୍ଦୀର ବାପାଙ୍କୁ ତ’ ଆପଣ ଦେଖିଥିବେ ନିଶ୍ଚୟ ।

 

ରାଜେନ୍ଦ୍ର ସିଂହ ପୁନର୍ବାର ଆହତ ହେଲେ । ତାଙ୍କୁ ଏ ଗୃହର ଗୃହକର୍ତ୍ତା ହିସାବରେ ପରିଚୟ କରାଇ ଦେଇଥିଲେ କଣ ଅନୁଚିତ ହୋଇଥାନ୍ତା ? ତା’ ବ୍ୟତୀତ, ସେ କଣ କେବଳ ମାତ୍ର କାଳିନ୍ଦୀର ପିତା ? ରାଜବାଳା ବା ସ୍ୱର୍ଣ୍ଣପ୍ରଭାର କେହି ନୁହନ୍ତି ? ରାଜବାଳା ନିଜର ସମ୍ପର୍କକୁ ବାହାର ଲୋକଙ୍କ ସାମନାରେ ସ୍ପଷ୍ଟ କରୁ ନାହାନ୍ତି କାହିଁକି ?

 

ରାଜବାଳା ରାଜେନ୍ଦ୍ରଙ୍କ ମୁହଁର ସେହି ଅସ୍ୱାଭାବିକ ଭଙ୍ଗୀମାକୁ ଦେଖି, ଅନୁଶୀଳନ କରିବା ଅବସ୍ଥାରେ ନ ଥିଲେ । କହିଲେ, ବୁଝିଲ । ଏଇ ହେଉଛନ୍ତି ତରଭା ସହରର ସ୍ୱନାମଧନ୍ୟ ଯୁବକ ବଟକୃଷ୍ଣ ଷଡ଼ଙ୍ଗୀ । ହୃଦୟବାନ୍ ବ୍ୟନ୍ତି ହିସାବରେ ସୋନପୁର ରାଜ୍ୟରେ ସୁନାମ ଅଛି ।

 

ଏ ମନ୍ତବ୍ୟଟି ଯେ ରାଜେନ୍ଦ୍ରଙ୍କ ଉଦ୍ଦଶ୍ୟରେ ବ୍ୟକ୍ତ କରାଯାଇଥିଲା, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । କିନ୍ତୁ ତାହା ଶୁଣି ରାଜେନ୍ଦ୍ର ସିଂହ ଲେଶମାତ୍ରାରେ ଆଗ୍ରହ ପ୍ରକାଶ କଲେ ନାହିଁ ।

 

ବଟକୃଷ୍ଣ ବ୍ୟଥିତ ହେଲେ କି ନାହିଁ କେ ଜାଣି କହିଲେ, ଆଚ୍ଛା, ମୁଁ ଯାଏ । ପୁଣି କେବେ ଦେଖା ହେବ ଯେ ।

 

କେବେ କଣ, କାଲି ଆସୁ ନାହାନ୍ତି ? ରାଜବାଳା ଅନୁରୋଧଭରା କଣ୍ଠରେ ପ୍ରକାଶ କଲେ ।

 

ଆଚ୍ଛା ଦେଖିବା କହି, ବଟକୃଷ୍ଣ ପୁଣି ଥରେ ସଂଭ୍ରମ ସହକାରେ ନମସ୍କାର ଜ୍ଞାପନ କରି ବିଦାୟ ନେଲେ । ଫେରିଗଲାବେଳେ ସେ ଶେଷଥର ପାଇଁ ସ୍ୱର୍ଣ୍ଣପ୍ରଭାକୁ ଚାହିଁନେଲେ । ସ୍ୱର୍ଣ୍ଣପ୍ରଭାର ପୁରନ୍ତା ଦେହର ପ୍ରତିଲୋମକୂପକୁ ସେ ଚାହାଣି ସ୍ପର୍ଶ କରୁଥିଲା ।

 

ସ୍ୱର୍ଣ୍ଣପ୍ରଭା ଶିହରି ଉଠୁଥିଲା । ପୁରୁଷର କଟାକ୍ଷ ଏତେ ତୀବ୍ର ଏତେ ଶାଶିତ ହୋଇପାରେ ? ତା’ର ମନେ ହେଲା, ବଟକୃଷ୍ଣ ତାଙ୍କର ସେହି ନିର୍ବାକ ଅଥଚ ଅର୍ଥପୂର୍ଣ୍ଣ ଚାହାଣୀରେ ତା’ରି କୁମାରୀ ମନଟାକୁ ଖିନଭିନ୍ କରିନେଲେ । ସେଥିପାଇଁ ଏ ଶିହରଣା । ସେଥିପାଇଁ ଏ ଅନ୍ୟମନସ୍କତା । ତା ଛାତିତଳେ ଏକ ଅବ୍ୟକ୍ତ, ଅସ୍ୱାଭାବିକ ଉତ୍ତେଜନା ବୃଦ୍ଧି ପାଇବାକୁ ଲାଗିଲା । ନିଜର ମନୋଭାବକୁ ଉପସ୍ଥିତ ବାପ ମା’ଙ୍କ ପାଖରୁ ଲୁଚାଇ ରଖିବା ସକାଶେ ପାଖ ଘରକୁ ଚାଲିଗଲା ।

 

ସେଇଠି ବି ସେ ନିଶ୍ଚିନ୍ତ ହୋଇ ରହି ପାରିଲା ନାହିଁ । କାନ୍ଥ ଦେହରେ ମରା ହୋଇଥିବା ବଡ଼ ଦର୍ପଣଟି ଦାଉ ସାଧିଲା ।

 

ଇସ୍, ମୁହଁଟା କିମିତି ନାଲି ପଡ଼ି ଯାଇଛି । ଚଳ ଚଞ୍ଚଳ ଭ୍ରୁଭଙ୍ଗିମାରେ ଚମକ ଲାଗିଲା ଯେମିତି । ଚିତ୍ର-ମୃଗର ବିସ୍ତୃତ ଚକ୍ଷୁ ନେଇ ନିଜକୁ ନିଜେ ଚାହିଁ ରହିଲା । ନିଜ ଅଙ୍ଗସବୁ ଉତ୍ତେଜନାରେ ଭରି ଯାଇଥିଲା ।

 

ଠିକ୍ ଏହି ସମୟରେ ଅନଙ୍ଗମୋହନ ମନେ ପଡ଼ିଯିବାରୁ ଦର୍ପଣ ସାମନାରୁ ଉଠି ଆସି ବିଛଣା ଉପରେ ବସି ପଡ଼ିଲା ।

 

କିଏ ସେ ଏଇ ବଟକୃଷ୍ଣ ? କାହିଁକି ଆସିଥିଲେ ? କଣ ତାଙ୍କର କାମ ? ପୁଣି ଥରେ କଣ ଆସିବେ, ପୁଣି ସେହିଭଳି ଚାହିଁବେ ? କଣ କରିବ ସେ ?

 

ସ୍ୱର୍ଣ୍ଣପ୍ରଭା ମନେ ସ୍ଥିର କଲା, ଏଥର ସେ କୌଣସି ଅତିଥିଙ୍କୁ ସାକ୍ଷାତ ଦେବ ନାହିଁ । ନୂଆ ମୁହଁ, ନୂଆ ପରିବେଶ ଆଗରୁ ଦୂରେଇ ରହିବ । ବିଶେଷତଃ ଏଇ ପୁରୁଷମାନଙ୍କ ସଙ୍ଗେ ପରିଚିତା ହେବ ନାହିଁ । ଥରକ ପାଇଁ ଆସି, ଥରଟିଏ ଚାହିଁଦେଇ ଗୋଟିଏ ନୂତନ, ଅଜ୍ଞାତ ଝିଅର କଣ ଯେ କ୍ଷତି କରିଯାନ୍ତି, ସେମାନେ ତାହା ଜାଣନ୍ତି ନାହିଁ । ନିଜ ମନ, ନିଜ ଖିଆଲ ନେଇ ଚଳପ୍ରଚଳ ହୁଅନ୍ତି । କାହା କଥା ଭାବିବାକୁ ସେମାନଙ୍କ ସମୟ କାହିଁ ?

 

ସ୍ୱର୍ଣ୍ଣପ୍ରଭା ଭିଡ଼ିମୋଡ଼ି ହୋଇ ଅଳସ ଭାଙ୍ଗିଲା । ବଟକୃଷ୍ଣଙ୍କର ଭାବନାରେ କେତେ ଅଳସ ଭରିଛି, ସତରେ । ଆଖି ଦି’ଟାଯାକ ମାଡ଼ି ମାଡ଼ି ଆସୁଛି । ଅଙ୍ଗେ ଅଙ୍ଗେ ନାଚି ଉଠୁଛି ଅଦ୍ଭୁତ ଶିତ୍କାର । ଏମିତି ମନଦେଇ କୌଣସି କାମକରି ହୁଏ ନାହିଁ । ତାଠୁଁ ବରଂ ଶୋଇଯିବା ଭଲ । ଅବେଳ ହେଲେ ବି’ ଶୋଇଗଲେ ଭଲ ଲାଗିବ । ଅନ୍ତତଃ ଶୋଇବା ସମୟତକ ବଟକୃଷ୍ଣ ମନେ ପଡ଼ିବେ ନାହିଁ । ତାଙ୍କର ସେହି ବଙ୍କିମ ଭୂରୁଲତିକାର ତୃଷ୍ଣାସିକ୍ତଭଙ୍ଗୀ ଆଖି ଆଗକୁ ଆସିବ ନାହିଁ । ଆଃ, ସେଇ ଆଖି ଦି’ଟାର ଭାଷା..... ।

 

ସ୍ୱର୍ଣ୍ଣପ୍ରଭା ଇତିପୂର୍ବରୁ ଇଚ୍ଛା କରିଥିଲା, ଏଥର ସେ ସବୁ ପରିସ୍ଥିତିରୁ ଦୂରେଇ ରହିବ । ସଂସ୍ପର୍ଶରେ ଆସିଲେ ସିନା ଏତେ ଘଟଣା ଘଟୁଛି । କିନ୍ତୁ ବଟକୃଷ୍ଣଙ୍କ ଆଗମନ ପରେ ସବୁ ଯେମିତି ଓଲଟ ପାଲଟ ହୋଇଗଲା । ସ୍ୱର୍ଣ୍ଣପ୍ରଭା ପୁଣି ଥରେ ଚପଳ ହୋଇ ଉଠିଲା । ମନେ ହେଲା, ଗୋଟିଏ ପ୍ରଗଳଭା ନଦୀ ଅପ୍ରାକୃତିକ ଉପାୟରେ କିଛି ଦିନ, କିଛି ସମୟ ପାଇଁ ଅଟକି ଯାଇଥିଲା । ପୁଣି ଥରେ ସେ ବାଧା ଭାଙ୍ଗିଗଲା । ପ୍ରଗଳଭା ନଦୀ ନିଜର ଚଞ୍ଚଳ ପ୍ରମତ୍ତ ଶରୀର ନେଇ ଆଗେଇ ଚାଲିଲା । ଏଥର ତା’ର ଗତି ଆହୁରି ରୋମାଞ୍ଚକ ହେଲା । ତାରି ଛାତିର ଅବରୁଦ୍ଧ ଇଚ୍ଛାସବୁ ସ୍ୱଚ୍ଛ, ଶୁଭ୍ର ଫେଣ ହୋଇ ବିଞ୍ଚି ହୋଇ ପଡ଼ିଲା ।

 

ବଟକୃଷ୍ଣ କଣ ବିବାହିତ ? ଅନଙ୍ଗମୋହନଙ୍କ ପରି ସେ ତ ଆଉ ତାରି ସଙ୍ଗରେ କାମନା, ବାସନାର ଅବାଂଛିତ ଖେଳ ଖେଳୁ ନାହାନ୍ତି ? ତାରି ସ୍ପର୍ଶ, ତାରି ସାନ୍ନିଧ୍ୟ ପାଇବା ପାଇଁ ପରିକଳ୍ପିତ, ଇଚ୍ଛାକୃତ ପରିସ୍ଥିତି ସୃଷ୍ଟି କରୁ ନାହାନ୍ତି । କେ ଜାଣି । କିନ୍ତୁ ତାଙ୍କର ସେ ଚାହାଣୀ ଦେଖିଲେ, ଏତେ ଅଡ଼ୁଆ ଅଛି ବୋଲି ମନେ ହୁଏ ନା ।

 

ଯଦି ବଟକୃଷ୍ଣ ବିବାହ ପ୍ରସ୍ତାବ ଆଣନ୍ତି ?

 

ସ୍ୱର୍ଣ୍ଣପ୍ରଭାର ସୁନ୍ଦର ମୁହଁଟା ଦିବ୍ୟସୁନ୍ଦର ପାଲଟି ଗଲା । ଭବିଷ୍ୟତ ବିବାହର ମାଧୁର୍ଯ୍ୟଭରା ପରିବେଶକୁ ମର୍ମେ ମର୍ମେ ଅନୁଭବ କରି ସେ ସିତ୍କାରରେ ଫାଟି ପଡ଼ୁଥିଲା ଯେମିତି-। ଦିନେ ସେ ନିରୋଳାରେ ବସି ବସି ଅନିର୍ଦ୍ଦିଷ୍ଟ ଭାବରେ ଏ କଥାକୁ କଳ୍ପନା ମାତ୍ର କରୁଥିଲା । ଆଜି ସେ ଦିନ ଆସିଛି । ତା’ର ଲକ୍ଷ୍ୟହରା ଜୀବନକୁ ଜୟଶ୍ରୀ ମଣ୍ଡନ କରିବାରେ ଆଜିର ପରିସ୍ଥିତିଟା ଅନୁକୂଳ । ତା’ ପରେ ଜୀବନରେ ଅବଶୋଷ କଲା ପରି କିଛି ରହିବ ନାହିଁ । ନାରୀ ଜନ୍ମଟା ସାର୍ଥକ ହୋଇ ଉଠିବ । ସେ ଏଇ କଥା ଭାବୁ ଭାବୁ ଅବଶ ହୋଇ ଶୋଇ ପଡ଼ିଲା । ଆଖି ମୁଦି ସେ ଦେଖିବାକୁ ପାଇଲା, ବରବେଶୀ ବଟକୃଷ୍ଣର ସୌମ୍ୟ ଶ୍ରୀଯୁକ୍ତ ମୂର୍ତ୍ତି । କେତେ ସୁନ୍ଦର, କେତେ ରୁଚିର ସେ ମୁହଁ ଆଉ ଦେହ । ଭାଗ୍ୟରେ ଥିଲେ, ଏମିତି ପୁରୁଷ ସଙ୍ଗେ ସମ୍ପର୍କ ସ୍ଥାପିତ ହୁଏ ।

 

ସତେ କଣ ସେ ଭାଗ୍ୟବତୀ ?

 

ରାଜବାଳା ସିଂହ ଅନେକ ଦିନ ପରେ ନିଜର କନ୍ୟା ମୁହଁରେ ପୁଣି ଥରେ ଅତୀତର ସେହି ସ୍ନେହ ମଧୁର ହସଖୁସିକୁ ପୁନରାବିଷ୍କାର କଲେ । ବ୍ୟସ୍ତ, ବିବ୍ରତ ମନ ତାଙ୍କର ଆନନ୍ଦରେ ଉବୁଟୁବୁ ହେବାକୁ ଲାଗିଲା ।

 

ବଟକୃଷ୍ଣଙ୍କୁ ରାଜବାଳା ସ୍ନେହ କରୁଛନ୍ତି । ଯେତେହେଲେ ସେ ହେବେ ତାଙ୍କର ଭାବୀ ଜାମାତା । ସ୍ୱର୍ଣ୍ଣପ୍ରଭାର ଭାବୀ ସ୍ୱାମୀ । ବଟକୃଷ୍ଣଙ୍କ ପରି ପାତ୍ର ପାଇଲେ କେଉଁ ମାଆ ଖୁସି ହେବନି’ ଯେ ? ଏଇତ ସେଦିନ ସେ ନିଜ ମନକୁ ପ୍ରକାଶ କଲେ ଧର୍ମଗତ ବିଦ୍ୱେଷକୁ ସମର୍ଥନ କରନ୍ତି ନାହିଁ ବୋଲି ! ଧର୍ମଟା ବିଶ୍ୱାସଗତ । ଅସଲ କଥା ହେଲା ମାନବିକତା । ସ୍ନେହ, ସମ୍ବନ୍ଧ, ପ୍ରେମହିଁ ତ ମାନବିକତାର ଆଧାର । ବିବାହ କ୍ଷେତ୍ରରେ ଧର୍ମ ବିଶ୍ୱାସକୁ ଅଯଥା ଗୁରୁତ୍ୱ ଆରୋପ କରିବାର କିଛି ମାନେ ହୁଏନା । ଯାହା ଆଚରଣ କଲେ ଜୀବନଟା ସୁରୁଖୁରୁରେ କଟିଯାଇ ପାରିବ, ତାକୁହିଁ ନିଜସ୍ୱ କରିନେବା ବିଧେୟ ।

 

ରାଜବାଳା ସେ ଯୁକ୍ତି ଶୁଣି ଆନନ୍ଦ ପ୍ରକାଶ କଲେ । ଭବିଷ୍ୟତ ଜୀବନକୁ ଆନନ୍ଦମୟ କରିବାକୁ ସିନା ସେ ମତ ପରିବର୍ତ୍ତନ କରିଥିଲେ । ଉତ୍ତର ଜୀବନର ସୁଖ ସ୍ୱାଚ୍ଛନ୍ଦ୍ୟ କାମନା କରି ଧର୍ମାନ୍ତର ଗ୍ରହଣ କଲେ । ହିନ୍ଦୁ ଧର୍ମକୁ ଅଯଥାରେ ଜାବୁଡ଼ି ଧରିଥିଲେ କଣ ରାଜେନ୍ଦ୍ରଙ୍କ ସାଙ୍ଗରେ ବିବାହ ହୋଇ ପାରିଥାନ୍ତା ନାଁ ଆଜିକାର ଏ ପରିବାର ସମ୍ଭବ ହୋଇଥାନ୍ତା ?

 

ଧର୍ମକୁ ସେ ଆଖିବୁଜି ଦେବେ । ବଟକୃଷ୍ଣ ହିନ୍ଦୁ ହୋଇ ଯଦି ତାଙ୍କର ଝିଅ ସ୍ୱର୍ଣ୍ଣପ୍ରଭାକୁ ଗୃହଲକ୍ଷ୍ମୀ କରିବାକୁ ଇଚ୍ଛୁକ ସେ ତହିଁରେ ସହାୟତା କରିବେ । ଯାହା ବିରୋଧ ବା ସମାଲୋଚନା ଆସୁନା କାହିଁକି, ତାକୁ ମଥା ପୋତି ଗ୍ରହଣ କରିବେ । ଝିଅ ଅବିହାଡ଼ୀ ରହିବ ନାହିଁ । ଯେଉଁମାନେ ଅବିହାଡ଼ୀ ଝିଅ ସ୍ୱର୍ଣ୍ଣକୁ ଦେଖି ଟିପ୍‌ପଣୀ ବାଢ଼ୁଛନ୍ତି ସେମାନଙ୍କ ମୁହଁ ସବୁଦିନପାଇଁ ବନ୍ଦ ହୋଇଯିବ-

 

ସ୍ୱର୍ଣ୍ଣପ୍ରଭା ପାଇଁ ତାଙ୍କର ସଂସାର । ସେ ଖୁସିହେଲେ ଆଉ କିଛି ଭାବିବାର ନାହିଁ । ରାଜବାଳା ନିଜ ମନର କଳ୍ପନାକୁ କଳ୍ପିତ ତୁଳୀରେ ରଙ୍ଗ ଦେଉଥିଲେ ।

 

ଦିନେ ରାଜେନ୍ଦ୍ରଙ୍କୁ ସେହି କଥା କହି ଆଶ୍ଚର୍ଯ୍ୟ କରିବାକୁ ଚାହିଁଲେ ।

 

‘‘କାହା କଥା ? ତୁମେ ବଟକୃଷ୍ଣଙ୍କୁ ଆଖି ଆଗରେ ରଖି ଏ କଥା ଶୁଣାଉ ନାହିଁତ ?’’ ରାଜେନ୍ଦ୍ର ପ୍ରଶ୍ନ କଲେ ।

କାହିଁକି ଏତେ ଅବିଶ୍ୱାସ ? ରାଜବାଳା ବିସ୍ମୟ ଭରା ଆଖିରେ ରାଜେନ୍ଦ୍ରଙ୍କୁ ଅନାଇଲେ । କୌଣସି ଏକ କୁଶଳ କାର୍ଯ୍ୟ ଅନୁକୂଳ କଲାବେଳେ ରାଜେନ୍ଦ୍ର କଣ ପ୍ରତିରୋଧ କରିବାରେ ଆନନ୍ଦ ପାଆନ୍ତି ? କାହିଁକି ସେ ବାରମ୍ବାର ସନ୍ଦେହ କରନ୍ତି ? ରାଜବାଳା ଅସ୍ଥିର ହୋଇ ଊଠିଲେ । ତଥାପି ଗାମ୍ଭୀର୍ଯ୍ୟ ରକ୍ଷାକରି ଉତ୍ତର ଦେଲେ, ‘‘ଏତିକି କଣ ବୁଝିପାରୁ ନା ? ତୁମେତ’ ସ୍ୱର୍ଣ୍ଣପାଇଁ କିଛି ବ୍ୟବସ୍ଥା କଲ ନାହିଁ । ଯେମିତି ପାରିଲି କଲି । କଣ ମନକୁ ପାଉନାହିଁ ?’’

‘‘କିନ୍ତୁ ବଟକୃଷ୍ଣ ଯେ ହିନ୍ଦୁ ଯୁବକ ରାଜ ।’’ ରାଜେନ୍ଦ୍ର ସେହି ଗୋଟିଏ ପଦ କଥାରେ ନିଜର ମନୋଭାବକୁ ସୂଚିତ କଲେ ।

କଣ ହେଲା ସେଇଠୁଁ ?’’ ରାଜବାଳାଙ୍କର ଚିରାଚରିତ ସେହି କର୍କଶ କଣ୍ଠର ପ୍ରତିବାଦ ।

ମୋତେ କାହିଁକି ଭଲ ଦେଖାଯାଉନି । ରାଜେନ୍ଦ୍ର ଅନନ୍ୟୋପାୟ ହୋଇ ଉତ୍ତର ଦେଲେ-

ତୁମର ଭଲ ଅଭଲରେ ସ୍ୱର୍ଣ୍ଣପ୍ରଭାର ବାହାଘରକୁ ମୁଁ ଘୁଞ୍ଚାଇ ଦେଇ ପାରିବିନି । ପାରୁଛ ଯଦି ବଟକୃଷ୍ଣ ଅପେକ୍ଷା ଯୋଗ୍ୟତର ପାତ୍ର ଯୋଗାଡ଼ କର । ତାରି ଅପେକ୍ଷା ଯୋଗ୍ୟତାର ନ ହେଲେ ବି’ ତାର ସମକକ୍ଷ, ପ୍ରତିଷ୍ଠିତ, ପ୍ରଶଂସିତ ପାତ୍ରଟିଏ ଖୋଜିଦିଅ । କଣ ପାରିବ ? ରାଜବାଳା ରାଜେନ୍ଦ୍ରଙ୍କ ପୌରଷକୁ ନ୍ୟୂନ ମନେ କରି ଏ ମନ୍ତବ୍ୟ ଦେଲେ ।

ପାତ୍ର ତ’ ମୁଁ ଠିକଣା କରିଥିଲି । ରାଜେନ୍ଦ୍ର ଗମ୍ଭୀର ହୋଇ ରାଜବାଳାଙ୍କ ପ୍ରଶ୍ନର ଯଥାଯୋଗ୍ୟ ଉତ୍ତର ଦେଲେ ।

ସେଇ ସୁକାନ୍ତଟି ? ଯାର ଶିକ୍ଷାଦୀକ୍ଷା ନାହିଁକି ଆଭିଜାତ୍ୟ ନାହିଁ । ଯାହାକୁ ନିଜ ପରିବାର ଓ ଚଳପ୍ରଚଳ ହେଉଥିବା ଅତିବେଶି ହେଲେ ଦଶପନ୍ଦର ଜଣରୁ ଅଧିକ ଲୋକ ଜାଣନ୍ତି ନାହିଁ ? ଯିଏ ପାଓ୍ୱାରହାଉସ ଭିତରେ ବସି ମେସିନ୍‌ ସଫାକରେ ?

ତଥାପି ରାଜ, ସେ ବଟକୃଷ୍ଣ ଅପେକ୍ଷା ସୁଯୋଗ୍ୟ ପାତ୍ର ବୋଲି ମୋର ଧାରଣା । ପିଲାଟି ବେଳୁ ତାକୁ ଦେଖି ଆସିଛୁଁ । ବେଶ ଶାନ୍ତ, ଶିଷ୍ଟ ଓ ନମ୍ର । ଗରୀବ ହେଲେ ବି’ ବଡ଼ଲୋକର ମିଞ୍ଜାସ ପାଇଛି । ଏହି ଅଜ୍ଞାତ କୁଳଶୀଳ ବଟକୃଷ୍ଣ ଅପେକ୍ଷା ସେ କ’ଣ ଯୋଗ୍ୟତର ପାତ୍ର ନୁହେ ?

ରାଜବାଳା ରାଜେନ୍ଦ୍ରଙ୍କ ପ୍ରତି ବିରକ୍ତ ହେଲେ । ମନେ ମନେ ଭାବୁଥିଲେ, ରାଜେନ୍ଦ୍ର ଆଉ ପାଗଳ ହୋଇ ଯାଇ ନାହାନ୍ତି ତ ? ବଟକୃଷ୍ଣ ସଙ୍ଗରେ ସୁକାନ୍ତକୁ ଶେଷରେ ତୁଳନା କଲେ ? ତଥାପି ସେ ରାଜେନ୍ଦ୍ରଙ୍କ ବକ୍ତବ୍ୟକୁ ଧୀରସ୍ଥର ଭାବରେ ଶୁଣିବାକୁ ଲାଗିଲେ ।

ରାଜେନ୍ଦ୍ର ରାଜବାଳାଙ୍କର ମୌନତା ଦେଖି ଉତ୍ସାହ ସହକାରେ କହି ଚାଲିଲେ, ସୁକାନ୍ତ ଏଇନେ ଆମ ସମ୍ପ୍ରଦାୟର ଏକ ସୂଦକ୍ଷ କର୍ଣ୍ଣଧାର ରାଜବାଳା ! ସୋନପୁର ସହର ଓ ଆଖପାଖ ଅଞ୍ଚଳରେ ରୀତିମତ ପ୍ରଚାର କାର୍ଯ୍ୟ କରି ଅନେକ ଗୃହସ୍ଥଙ୍କୁ ଖ୍ରୀଷ୍ଟଧର୍ମ ପ୍ରତି ଆକୃଷ୍ଟ କଲାଣି । ସହରରେ ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ସଂଖ୍ୟା ବଢ଼ୁଛି । ଆଉ ସେଥିପାଇଁ ରାଜବାଳା, ସମ୍ବଲପୁରରେ ଥିବା ଆମ ସମ୍ପ୍ରଦାୟର ପ୍ରଧାନ ଧର୍ମ-ତତ୍ତ୍ୱାବଧାରକ ସୁକାନ୍ତକୁ ବ୍ୟକ୍ତିଗତ ଶୁଭେଚ୍ଛା ଜଣାଇଛନ୍ତି । ସୁକାନ୍ତକୁ ପାଓ୍ୱାରହାଉସର ଏକ ଅନାଖ୍ୟାତ ମେକାନିକ ଭାବରେ ଦେଖି ଭୁଲ କରନା ରାଜ, ତାର ଏଇନେ ଯଥେଷ୍ଟ ସମ୍ମାନ । ଏକାଧାରରେ ସେ ସୁବକ୍ତା ଓ ଧର୍ମପ୍ରାଣ ଯୁବକ ।

ରାଜବାଳା ଉତ୍ତର ନ ଦେଇ ଚାଲିଗଲେ ।

ରାଜେନ୍ଦ୍ର, ରାଜବାଳାଙ୍କ ସେହି ଅଦ୍ଭୁତ ପ୍ରସ୍ଥାନକୁ ଆଶ୍ଚର୍ଯ୍ୟ ଆଖିରେ ଅନାଇ ରହିଥାନ୍ତି । ଭାବୁଥାନ୍ତି, ଏ ରାଜବାଳାଟା କଣଟିଏ କି ? ଭଦ୍ରାମୀ ରକ୍ଷାକରି ବ୍ୟବହାର କଲେ ତାର ବା କଣ କ୍ଷତି ହୁଅନ୍ତା ଯେ !

କ୍ରମେ ବଟକୃଷ୍ଣ, ରାଜବାଳା ଓ ରାଜେନ୍ଦ୍ରଙ୍କ ବସାରେ ସମ୍ମାନସ୍ପଦ ଅତିଥିରୂପେ ପରିଗଣିତ ହେଲେ ।

ଏଇନେ କାଳିନ୍ଦୀ ବି’ ସେ କଥା ବୁଝିପାରିଛି । ବଟକୃଷ୍ଣ ବାବୁଙ୍କୁ ଘରଭିତରକୁ ପଶି ଆସୁଥିବାର ଦେଖିଲେ, ପରିଷ୍କାର କରି ଆସନ ସଜାଇ ଦିଏ । କହେ, ବସନ୍ତୁ ! ଅପାକୁ ଯାଇ ଡାକି ଆଣୁଛି । ଚା ଆଣିବାକୁ କହିବିତ ?

ସ୍ୱର୍ଣ୍ଣପ୍ରଭା କାନରେ ବଟକୃଷ୍ଣ ବାବୁଙ୍କ ନାଁ ପଡ଼ିଲେ ଚମକ ଲାଗେ । ତାର ମନେହୁଏ, କେଉଁଠି କେମିତି ଗୋଳମାଳିଆ ଧରିଛି । ସେ ବ୍ୟସ୍ତତା ପ୍ରକାଶ କରେ । ପାଦଦୁଇଟି ସମାନ ତାଳରେ ପଡ଼େ ନାହିଁ । ସେ ଯେତିକି ଚଞ୍ଚଳ ହୁଏ, ସେତିକି ବିବଶ ହୋଇଉଠେ ।

ସ୍ୱର୍ଣ୍ଣପ୍ରଭା ତରବରିଆ ହୋଇ ବେଣୀ ଉପରେ ପାନିଆ ଘୋଷାଡ଼ି ନିଏ । ପାଉଡ଼ର ପଫ୍‌ଟାକୁ ଦି’ଚାରିବେଢ଼ା ମୁହଁ ଉପରେ ଚଳାଇ ନେଇ ରହି ରହି ବଟକୃଷ୍ଣଙ୍କ ସାମନାକୁ ଆସେ ।

ସ୍ୱର୍ଣ୍ଣ ଆସେ ନାହିଁ ଯେ, ନବବସନ୍ତ ଆସେ । ଆଉ ନବବସନ୍ତ ସଙ୍ଗରେ ପୃଥିବୀର ସବୁ ସୁରଭି, ସମସ୍ତ ସୌନ୍ଦର୍ଯ୍ୟ ମାଡ଼ିଆସେ ।

ବଟକୃଷ୍ଣ ଲାସ୍ୟମୟୀ ସ୍ୱର୍ଣ୍ଣପ୍ରଭାକୁ ଦେଖି ବିସ୍ମୟ ବିମୁଗ୍‌ଧ ହୁଅନ୍ତି । ଜୀବନରେ ଅନେକ ତରୁଣୀଙ୍କ ସାନ୍ନିଧ୍ୟ ଲାଭ କରିଛନ୍ତି । କିନ୍ତୁ ସ୍ୱର୍ଣ୍ଣପ୍ରଭାର ସାନ୍ନିଧ୍ୟରେ ଯେଉଁ ପ୍ରାଣଅଛି, ତାହା ଅନ୍ୟ ସବୁଠି ବିରଳ । ସ୍ୱର୍ଣ୍ଣର ସାମାନ୍ୟ ଉପସ୍ଥିତ ତାଙ୍କୁ ଭାବାନ୍ତର ଆଣିଦିଏ ।

 

ସ୍ୱର୍ଣ୍ଣପ୍ରଭା ନମସ୍କାର ଜଣାଇ ବଟକୃଷ୍ଣଙ୍କୁ ସ୍ୱାଗତ କରେ । ସେହି ନମସ୍କାର ମାଧ୍ୟମରେ ତାର ତରୁଣୀମନର ସବୁ ସ୍ନେହ, ସବୁ ସୁହାଗକୁ ଅଜାଡ଼ିଦିଏ । କହିବାକୁ ଚାହେଁ, ମୁଁ ତୁମରି ପ୍ରେମପାଇଁ ପାଗଳିନୀ ସାଜିଛି । ତୁମରି ଆନ୍ତରିକତା ଉପରେ ନିର୍ଭର କରୁଛି । ହେ ପ୍ରିୟତମ, ତୁମେ ମୋତେ ନିରାଶ କରିଦେବ ନାହିଁ ତ ? ଏ ଜୀବନରେ ଅନେକ ଆଶା ରଖି ଆଗେଇ ଆସିଥିଲି । କାହାକୁ କେବେହେଲେ, କୌଣସି ପରିସ୍ଥିତିରେ ହତାଶ କରିନାହିଁ । କିନ୍ତୁ ପ୍ରିୟ, ସମସ୍ତଙ୍କ ନିକଟରୁ ପାଇଛି ଦୁର୍ବ୍ୟବହାର, ଲାଞ୍ଛନା । ତୁମେ ମୋତେ ମୋ’ ଜୀବନର ସାର୍ଥକତା ଦେବତ ?

 

ବଟକୃଷ୍ଣ ନବଯୁବତୀର ଆରକ୍ତ ଓଷ୍ଠରୁ କମନୀୟତା ଦେଖୁ ଦେଖୁ ଭାବବିହ୍ୱଳ ହୁଅନ୍ତି । ସ୍ୱର୍ଣ୍ଣର ସରୁ ସରୁ ସୁନାଅଙ୍ଗୁଳୀଗୁଡ଼ିକ ଉତ୍ତେଜନାରେ ଥରି ଉଠୁଥାଏ । ସେ ତାକୁ ନିଜ ହାତମୁଠାରେ ଧରି ତା’ ଦେହ, ତା’ ମନର ଉଷ୍ଣତା ଉପଲବ୍‌ଧି କରନ୍ତି ।

 

ବଟକୃଷ୍ଣ ମୁରୁକି ମୁରୁକି ହସନ୍ତି ।

 

ସ୍ୱର୍ଣ୍ଣପ୍ରଭା ଉପଲବ୍‌ଧି କରେ ସେ ହସ ନିର୍ମଳ, ସେ ହସ ନିଷ୍କଳଙ୍କ । ତାର ସରଳ, ସରସ ମନ ସେ ହସରୁ ଖାଲି ଅମୃତର ସ୍ପର୍ଶ ପାଏ । ମନକୁ ମନ କହି ହୁଏ, ବିଶ୍ୱାସ କର ପ୍ରିୟତମ-! ମୋ’ ମନ ଭିତରଟା ସ୍ୱଚ୍ଛ, ଶୁଭ୍ର ଦର୍ପଣ କାଚ ପରି । ତହିଁରେ ଆବିଳତା ନାହିଁ କି ଅସ୍ପଷ୍ଟତା ନାହିଁ । ମୁଁ କାହାକୁ ହେଲେ ଜୀବନରେ ଠିକ ନାହିଁ କି ପ୍ରତାରିତ କରି ନାହିଁ । ଯାହାକୁ ଦେଖିଛି, ତାକୁ ମୋ’ ନିଜର କରି ନେବାକୁ ଚେଷ୍ଟା କରିଛି । କୁହ ପ୍ରିୟତମ ! ମୁଁ କଣ ଭୁଲ୍‌ କରିଛି-?

ବଟକୃଷ୍ଣ ସ୍ୱର୍ଣ୍ଣପ୍ରଭାର ନୀରବ, ଚକିତ ମୁଖମଣ୍ଡଳ ଦେଖି ଉତ୍ସାହିତ ହୁଅନ୍ତି । ସେ ନିର୍ଜନରେ ସ୍ୱର୍ଣ୍ଣର ସାନ୍ନିଧ୍ୟ କାମନା କରନ୍ତି । ତାର ଫୁଲ ଦେହରୁ ସବୁ ସୁରଭିକୁ ମନ ଭରି ଆଘ୍ରାଣ କରି ନେବାକୁ ଇଚ୍ଛା କରନ୍ତି । ଭାବନ୍ତି, ଜୀବନରେ ତପସ୍ୟା ଥିଲେ ଏମିତି ଏକ ସୁନ୍ଦରୀ, ସୁରୁଚିସମ୍ପନ୍ନା ଯୁବତୀର ବନ୍ଧୁତା ମିଳେ । ପୃଥିବୀରେ କେତେଜଣ ଯୁବକ ନିଜ ଇଚ୍ଛା ମୁତାବକ ନାରୀର ସଂସ୍ପର୍ଶରେ ଆସି ପାରିଛନ୍ତି ?

ବଟକୃଷ୍ଣ, ପୁଷ୍ନିତା ସ୍ୱର୍ଣ୍ଣକୁ ଅତି ନିକଟରୁ ଦେଖନ୍ତି । ଭାବନ୍ତି, ନାରୀ ନୁହେ ଯେ ପରୀଟିଏ-। କୌଣସି ଅପଦେବତାର ଅଭିଶାପରୁ ରାଜବାଳାଙ୍କ ପରିବାରରେ ଜନ୍ମ ନେଇଛି । ତାକୁ ପାଇ ସୋନପୁର ସହର ଧନ୍ୟ ହୋଇଛି । ଏଇ ସ୍ୱର୍ଣ୍ଣ ଯଦି ଆପଣାର ହୋଇଯାଏ... । ସେ ଅର୍ଥଭରା ଆଖିରେ ସ୍ୱର୍ଣ୍ଣର ସୁରଭିତ ରୂପଶ୍ରୀକୁ ଅନାଇ ରହନ୍ତି ।

ସ୍ୱର୍ଣ୍ଣପ୍ରଭାକୁ ବଟକୃଷ୍ଣଙ୍କ ଏହି ଅର୍ଥଭରା, ଶାଣୁଆ କଟାକ୍ଷ ଖୁବ୍‌ ଭଲ ଲାଗେ । ସେ ବୁଝେ, ବଟକୃଷ୍ଣ କଣ ଚାହାନ୍ତି ? କାହିଁକି ଚାହାନ୍ତି ? ବଟକୃଷ୍ଣ ହୁଏ ତ ଚିର ବ୍ରହ୍ମାଚରୀ । ତରୁଣୀ ସ୍ତ୍ରୀକୁ ଦେଖି ଉତ୍ତଳା ହୋଇ ଉଠୁଛନ୍ତି । ସବୁ ପୁରୁଷ ସେମିତି । ପାଇବାର ଆଶା ଥିଲେ ଏମିତି ଚଞ୍ଚଳ ଓ ବିହ୍ୱଳ ହୋଇ ଉଠନ୍ତି । ମନର ଆଶା ଫଣା ଟେକେ । କାମନା - ନିଶା ଲାଞ୍ଜ ପିଟେ । ଦୁର୍ଗମ ପଥରେ ନୂତନ କଳ୍ପନା ନେଇ ଆଗେଇ ଚାଲେ । ବଟକୃଷ୍ଣ ତାକୁଳ ଚାହିର୍ଛନ୍ତି । ତାରି ଉଦ୍ଦେଶ୍ୟରେ ତାଙ୍କର ଏ ଅନ୍ୟମନସୁତା ।

ସ୍ୱର୍ଣ୍ଣପ୍ରଭାର ନାରୀ ହୃଦୟ ଅତିଶୟ । ଆନନ୍ଦରେ ପୁଲକିତ ହୋଇଯାଏ । ତାର ସମଗ୍ର ଶରୀରରେ ରୋମାଞ୍ଚ ଓ ବେପଥୁ ସୃଷ୍ଟି ହୁଏ, । ସେ ତୃଷିତ ଚାହାଣୀରେ ଅନେଇ ରହେ ବଟକୃଷ୍ଣଙ୍କୁ-

ଏଇ ବଟକୃଷ୍ଣ ! ସୁନ୍ଦର, ସୌମ୍ୟ ବଟକୃଷ୍ଣ !! ତାରି ନାରୀତ୍ୱକୁ ସମ୍ମାନ ଦେଇଛନ୍ତି । ତାକୁ ଗ୍ରହଣ କରି ନେବାର ଲୋଭ ଦେଖାଇଛନ୍ତି । ସେଇ କଣ ତା’ ପକ୍ଷରେ ଯଥେଷ୍ଟ ନୁହେ ? ନିଃସଙ୍ଗ ଯୌବନ ସାର୍ଥକ ହେବ । ସୁଦୀର୍ଘ ରାତ୍ରି ଅକାରଣ ମନେ ହେବ ନାହିଁ । ନୂତନ ଆଗ୍ରହ, ନୂତନ ଉତ୍ସାହରେ ଜୀବନ-ପାତ୍ର ପୂର୍ଣ୍ଣ ହେବ । ସେ ଦିନ କେବେ ?

ନିଜର ଆନନ୍ଦକୁ ସେ ପ୍ରକାଶ କରେ ହସର ମାଧ୍ୟମରେ ।

ସ୍ୱର୍ଣ୍ଣପ୍ରଭାର ନାଲିଆ ଓଠରେ ସେ ଚୁନି ଚୁନି ହସ ଖୁବ୍‌ ଭଲ ଲାଗେ ବଟକୃଷ୍ଣଙ୍କୁ ।

ବଟକୃଷ୍ଣ ହାତ ବଢ଼ାନ୍ତି ସ୍ୱର୍ଣ୍ଣପ୍ରଭା ଉଦ୍ଦେଶ୍ୟରେ ।

ସ୍ୱର୍ଣ୍ଣପ୍ରଭାର ସଂକୋଚ ଭାବ କଟିଯାଏ । ତାର ଥରିଲା, ଥରିଲା ହାତ ପାଦରେ ସ୍ୱାଭାବିକ ଶକ୍ତି ଫେରି ଆସେ । ସେ ପୁଣି ଥରେ ସରଳ ହୁଏ ।

ଷୋଡ଼ଶୀ କନ୍ୟାର ବିପୁଳ ଯୌବନ ତଥା ପୁଷ୍ପିତ ରୂପ ଗୋଟିଏ ରୂପ-ପିଆସୀ-ପୁରୁଷର ଶିକାର ହେବାକୁ କୁଣ୍ଠିତା ହୁଏ ନାହିଁ । ନିଜକୁ ଦାନ କରିବାରେ, ନିଜକୁ ସମର୍ପଣ କରିବାରେ ସେ ନାରୀ ଜୀବନର କୃତିତ୍ୱ ବୋଲି ମନେ କରେ । ବର୍ତ୍ତମାନ ଭିତରେ ବିଭୋଳ ହୋଇ ଅନାଗତ ଭବିଷ୍ୟତର ଅଜଣା ଦୁଃଖ ସୁଖକୁ ନଜର ରଖେ ନାହିଁ ।

ସ୍ୱର୍ଣ୍ଣପ୍ରଭାର ନିଜ ଇଚ୍ଛାରେ ନିଜ-କଳ୍ପିତ ମାୟାଫାଶରେ, ଧରାଦିଏ । ଭାବେ, ଏହାହିଁ ତ ତାରି ମା’ଆ ରାଜବାଳାଙ୍କର ଇଚ୍ଛା । ଅବିବାହିତା ରହି ବୃଥାରେ ସେ ଏ ଘରର ସମସ୍ତଙ୍କର ବୋଝ ହୋଇ ପଡ଼ି ରହିଛି । ସମସ୍ତେ ତାରି ଚିନ୍ତାରେ ବ୍ୟସ୍ତ ରହୁଛନ୍ତି । ବଟକୃଷ୍ଣଙ୍କ ପରି ଏକ ପ୍ରତିଷ୍ଠିତ ପୁରୁଷର ହାତ ଧରିଲେ ତାର ନାରୀ ଜୀବନ ସାର୍ଥକ ହେବ । ଆଜି ସେ ଘରର ବୋଝ ହୋଇ ରହିଛି । କାଲି ହେବ ପ୍ରଶଂସାର କାରଣ । ସତେ ସେ ବଟକୃଷ୍ଣଙ୍କର ବଧୁ ହେବ ? ସତେ ସେ ନିଜକୁ ଗୃହକର୍ତ୍ତ୍ରୀ ରୂପେ ପରିଚୟ ଦେଇ ପାରିବ ? ଆଖିରେ ତାର ବଟକୃଷ୍ଣଙ୍କ ପ୍ରତି ଦୁର୍ବଳତା ଜାଗି ଉଠେ ।

ସହର ଉପାନ୍ତରେ ଥିବା ସେହି କ୍ଷୁଦ୍ର ବସାଘରଟି ଗୋଟିଏ ତରୁଣୀ କନ୍ୟାର ଆଶ ଆକାଂକ୍ଷାରେ ଭରିଯାଏ । ତାର ରୂପ ସମ୍ଭାର ବଟକୃଷ୍ଣଙ୍କ ମନ-କାନନରେ ଅସଂଖ୍ୟ କାମନାର ଫୁଲ ଫୁଟାଏ । କେତୋଟି ଅଳସ ଅପରାହ୍ନ, ସେଇ ଦୁଇଟି ମିଳନମୁଖୀ ତରୁଣ ତରୁଣୀଙ୍କ ହସ ଖୁସିରେ ଥରି ଥରି ଉଠେ ।

ରାଜବାଳାଙ୍କର ଆନନ୍ଦର ସୀମା ନାହିଁ । ଏଥର ଝିଅ ତାଙ୍କର ତାରି ଜୀବନ ମାର୍ଗ ଖୋଜି ପାଇଛି । ଆଉ ଚିନ୍ତା କଣ ?

ସ୍ୱର୍ଣ୍ଣପ୍ରଭା ଅତୀତର ସମସ୍ତ ଗ୍ଳାନିକୁ ଭୁଲିଯାଇ ନିଜକୁ ବଟକୃଷ୍ଣର ଖିଆଲ ଓ ବିଚାର ଉପରେ ଛାଡ଼ି ଦେବାକୁ ଉଚିତ ମନେ କଲା । ତା’ ବ୍ୟତୀତ ବା ଉପାୟ ଆଉ କଣ ଥିଲା ? ସେ ଚାହିଁଥିଲା ଏକ ନିର୍ଭରଶୀଳ ଆଶ୍ରୟ, ଉତ୍ତର ଜୀବନର ଅଚିନ୍ତା ଅବଲମ୍ବନ । ସେତକ ସହଜରେ ପାଇ ଯିବା ପରେ ସେ ଆଉ ଚିନ୍ତିତା କାହିଁକି ?

ବଟକୃଷ୍ଣର କାମନା ଭରା ଚାହାଣୀ ଓ ପିପାସା ମିଶା ସଂଳାପକୁ ସେ ସନ୍ଦେହ କଲା ନାହିଁ । ଯୌବନାବସ୍ଥାରେ ତରୁଣ ଗୋଷ୍ଠୀ ତରୁଣୀମାନଙ୍କ ପ୍ରତି ଆକୃଷ୍ଟ ହୁଅନ୍ତି । ତରୁଣୀର କୁସୁମିତ ଯୌବନ ଓ ଲୋଭନୀୟ ସ୍ୱାସ୍ଥ୍ୟ ସମ୍ପଦ ସେମାନଙ୍କ ମନ - ଆକାଶରେ ସପ୍ତରଙ୍ଗୀ ଖିଅ ଯୋଡ଼ିଦିଏ । ନିଜ କାମନା, ନିଜ ବାସନାକୁ ସନ୍ଦେହରେ ଆବିଷ୍କାର କରିବାକୁ ସେମାନେ ତତ୍ପର ହୋଇ ଉଠନ୍ତି । ଏଇଆ ଦେଖି ସନ୍ଦେହ କରିବାର କଣ ଅଛି ? ବରଂ ତାରି ଭିତରେ ତ ନାରୀର ଉତ୍ତର ଜୀବନର ଆଶୀର୍ବାଦ ଭରିଥାଏ । ସେହି ଆକର୍ଷଣ ଓ ପ୍ରତି ଆକର୍ଷଣକୁ ନେଇ ଏ ସଂସାରର ମୂଳ ଭିତ୍ତି ନିହିତ ।

ବଟକୃଷ୍ଣ ବୁଡ଼ି ଯାଇଥିଲେ ସ୍ୱର୍ଣ୍ଣପ୍ରଭାର ରୂପ ବିଭବରେ ।

ସ୍ୱର୍ଣ୍ଣର ସୁପ୍ରସାଧିତ ଚମ୍ପାଫୁଲ ପରି ତୋରା ଦେହ, ଛନ ଛନିଆ ଚାହାଣୀ, କପୋଳର ସେହି ବର୍ଣ୍ଣଭରା ଚନ୍ଦନ ଚିତା, ଘନକୃଷ୍ଣ କବରୀର ସର୍ପିଳ ଛନ୍ଦ ଦେଖି କିଏ ମୋହିତ ହୁଅନ୍ତା ନାହିଁ ଯେ ?

 

ରାଜବାଳା ବଟକୃଷ୍ଣଙ୍କୁ ନିଜ ଝିଅ ସଙ୍ଗରେ ଅବାଧ ମିଳାମିଶାର ସୁଯୋଗ ଦେଲେ ।

 

ସୋନପୁର ସହରବାସୀ ଦେଖିଲେ, ସ୍ୱର୍ଣ୍ଣପ୍ରଭା ନୂତନ ବନ୍ଧୁଟିଏ ଯୋଗାଡ଼ କରି ପାରିଛି-। ସେ ପୂର୍ବଥରମାନଙ୍କ ପରି ପ୍ରତାରିତ ହେବ ନାହିଁ ତ ? ଆହା, ଏଡ଼େ ସୁନ୍ଦର ଝିଅଟା କେତେ ଅବସ୍ଥା ହେଲା ନାହିଁ ସତରେ । ହିନ୍ଦୁଘରେ ଜନ୍ମ ହୋଇଥିଲେ ତା’ କପାଳରେ ଏତେ ଦୁର୍ଯୋଗ ହୁଏତ ପଡ଼ି ନ ଥାନ୍ତା !

 

ସ୍ୱର୍ଣ୍ଣର ବହୁ ଇପ୍‌ସିତ ସାନ୍ନିଧ୍ୟ ପାଇ ବଟକୃଷ୍ଣ ଆନନ୍ଦ ପ୍ରକାଶ କରନ୍ତି । ତାଙ୍କର ପ୍ରତ୍ୟେକଟି ହାବ ଭାବରେ ମନର ସେହି ଆନନ୍ଦ ଓ ଉଚ୍ଚାଟ ଭାବ ପ୍ରକାଶ ପାଏ ।

 

ଏଇ ହାତ ପାହାନ୍ତାରେ ସ୍ୱର୍ଣ୍ଣ ! ଯିଏ ସହରର ଏକାଧିକ ଯୁବକଙ୍କ ଭାବନାକୁ ରସାଣିତ କରେ । ଯିଏ ଏକ ସଙ୍ଗରେ ଶତାଧିକ ପୁରୁଷର ସ୍ୱପ୍ନରେ ମାଦକ ଭରିଦିଏ । ଗୋଟି ଗୋଟି କରି ଅଠର, ଉଣେଇଶିଟି ବସନ୍ତର ମାଧୂର୍ଯ୍ୟ ଚାଖିଛି । ମଳୟର ମନ ପୁଲକା ମୂର୍ଚ୍ଛନାକୁ ମୁଠା ମୁଠା କରି ଅଙ୍ଗରେ ବୋଳି ହୋଇ, ଗୋଟିଏ ମତୁଆଲା ସଂଗୀତର ସଜୀବ ଅଧ୍ୟାୟ ପାଲଟି ଯାଇଛି । ପୁଷ୍ଟ, ପୁଷ୍ପିତ ଶରୀରରେ ପ୍ରତିଟି ଲୋମ କୂପରେ ସୁଖ ଓ ସନ୍ତୋଷର ପ୍ରଲୋପ । ସତେ ଅବା ଜୀବନରେ କୌଣସି ବିଷାଦ ନାହିଁ କି ତିକ୍ତତା ନାହିଁ । ହସି ଖେଳି ପରମ ତୃପ୍ତିରେ ରାଜବାଳା ପରି ସୁଶିକ୍ଷିତା ମହିଳାଙ୍କର ବାସ ଗୃହକୁ ସଜୀବ କରି ରଖିଛି ।

 

ସ୍ୱର୍ଣ୍ଣ ଉତ୍ସାହିତ ହୁଏ । ଦିନକୁ ଦିନ ଭଳିକି ଭଳି ବେଶ ହୁଏ । ରୂପେଲୀ ପରଦାର ଚିତ୍ର ତାରକା ଅପେକ୍ଷା ସେ ଆହୁରି ବେଶି ଲୋଭନୀୟ ଦେଖାଯାଏ । ମନ ଭିତରେ କେତେ ଉଚ୍ଚାଟ କେତେ ଉଦ୍ଦୀପନା । କାନ୍ତିମୟୀ ସ୍ୱର୍ଣ୍ଣ ସେ ଉଚ୍ଚାଟ ଉଦ୍ଦୀପନାରେ ଆହୁରି ସୁନ୍ଦର ଦେଖାଯାଏ ।

 

ଅନାୟତ୍ତ ସ୍ୱର୍ଣ୍ଣ ପ୍ରଗଲ୍‌ଭତାରେ ଫାଟି ପଡ଼େ ଯେମିତି ।

 

ପୁରୁଷ ଓ ସ୍ତ୍ରୀର ସମ୍ପର୍କ । ସେ ସମ୍ପର୍କ ପୃଥିବୀର ସବୁଠୁ ବଳି ଘନିଷ୍ଠ, ସବୁଠୁ ବଳି ସୁନ୍ଦର-। ସେ ସମ୍ପର୍କ ଦୈବୀକୃତ ଓ ପ୍ରାକୃତିକ । ପରସ୍ପର ଭିତରେ ଆକର୍ଷଣ ଯେତିକି ନିବିଡ଼ ହୁଏ, ସେତିକି ସେ ହୁଏ ହୃଦୟ ଗ୍ରାହୀ । ଅଦେଖା ଆଲୋଡ଼ନ, ଅନନୂଭୂତ ରୋମାଞ୍ଚରେ ଶରୀର ତାର ସ୍ୱାଭାବିକ ଭାରସାମ୍ୟ ହରାଇ ବସେ । ମନ ଲଗାମ ଛଡ଼ା ତଟୁ ପରି ଦଉଡ଼ି କାଟେ । ବିବେକର ବାଣୀ, ମନ ଉପବନରେ କାହିଁ କେଉଁଠି ହଜି ଯାଏ ।

 

ସ୍ୱର୍ଣ୍ଣ ଆଶାୟୀ ଆଖିରେ ବଟକୃଷ୍ଣ ମୁହଁକୁ ଅନାଏ ।

 

ସେ ଅନାଇବାରେ ବିରହୀ ଚକ୍ରବାକୀର ପ୍ରତୀକ୍ଷାର ଭାଷା ଥାଏ । ନୀରବର ସତେ ଅବା ଜଣାଏ, ଆଉ କେତେ ଦିନ ବନ୍ଧୁ ? ଆଉ କେତେ ଦିନ ଆମେ ଏମିତି ନିରୁଦ୍ଦିଷ୍ଟ ଭାବେ ଚାଲିବା ? ମନ ଅଥୟ ହେଲାଣି । ମିଳନ କାମୀ ଇଚ୍ଛା ଦିନୁ ଦିନ ପ୍ରବଳ ହୋଇ ଉଠୁଛି । ଚାଲ ହାତଧରା ଧରି ହୋଇ ଗୋଟିଏ ସ୍ଥାନରେ ବସିବା ।

 

ସେଇଠି ଆମ ଛୋଟିଆ ନୀଡ଼ଟିଏ ରଚନା କରି ସୁଖ ଦୁଃଖ ହେବା । ତମେ କହିବ ମୁଁ ଶୁଣିବି–ଆଉ ମୁଁ କହିଲେ ତୁମେ ଶୁଣିବ । ଦିନ ଦିନ ଧରି ବସି ରହି ଆମେ ଖାଲି ପରସ୍ପରର କଥା ଶୁଣା ଶୁଣି ହୋଇ କାଳ କାଟି ଦେବା ।

 

ବଟକୃଷ୍ଣ ହସେ । ସେ ହସ ଇଙ୍ଗିତପୂର୍ଣ୍ଣ ।

 

ତଥାପି ସେ ହସଟି ଖୁବ୍‌ ମିଠା ଲାଗେ ସ୍ୱର୍ଣ୍ଣପ୍ରଭାକୁ । ବଟକୃଷ୍ଣର କଥାବାର୍ତ୍ତା, ତାର ହସର ଛଟା, ତାର ଚାହାଣୀ, ଆଉ ତାର ଭାବଭଙ୍ଗୀ ସବୁତକ ତାକୁ ମିଠାଲାଗେ । ସେ ସବୁ କଥାରେ ମୋହିତ ହୁଏ ।

 

ତୁମେ ମୋତେ ଭଲ ପାଅ ସ୍ୱର୍ଣ୍ଣ ? ବଟକୃଷ୍ଣ ପଚାରନ୍ତି ।

 

ଏ ଗୋଟା ପୁଣି କଥା ନା ? ସ୍ୱର୍ଣ୍ଣ ମନେ ମନେ ଭାବେ, ଆଉ କୁରୁଳି କୁରୁଳି ହସେ । ତାର ଆଚାର ବ୍ୟବହାରରୁ ଏତକ କଣ ଜଣା ପଡ଼ୁ ନାହିଁ ? ମୁହଁ ଫିଟାଇ ନ କହିଲେ କଣ ସେ କଥା ବୁଝି ହେବ ନାହିଁ ? କାହିଁକି ପୁଣି ସେ ସବୁ ଜାଣି ଶୁଣି ପଚାରୁଛନ୍ତି ?

 

କହିଲ ନାହିଁ ଯେ ? ବଟକୃଷ୍ଣ ଛାଡ଼ିବାର ପାତ୍ର ନୁହନ୍ତି ।

 

କଣ କହିବି ଯେ ? ଦମ୍ଭବାନ୍ଧି ସ୍ୱର୍ଣ୍ଣ କଥା କହେ ।

 

ତୁମେ ମୋତେ ଭଲ ପାଅ ?

 

ସେ କଥା ପୁଣି ବୁଝାଇ କହିବାକୁ ହେବ ?

 

ନ କହିଲେ ମୁଁ ଜାଣିବି କେମିତି ?

 

ହଁ, ସ୍ୱର୍ଣ୍ଣ ଉତ୍ତର ଦିଏ ।

Unknown

 

କାହିଁକି ବଟକୃଷ୍ଣ ପଚାରନ୍ତି ।

 

ଅଜବ୍‌ ପ୍ରଶ୍ନଟିଏ ତ ! ସ୍ୱର୍ଣ୍ଣ କିଛି ନ କହି ବଟକୃଷ୍ଣଙ୍କର ମୁହଁକୁ ବଲବଲ କରି ଅନାଏ । କୌଣସି ପ୍ରେମିକ କେବେ ହେଲେ କଣ ତା’ର ପ୍ରେମିକାକୁ ଏମିତି ପ୍ରଶ୍ନଟିଏ କରିଛି ? ତଥାପି ସେ ଉତ୍ତର ଦିଏ, ତୁମର ସ୍ନେହ ଓ ସହାନୁଭୂତି ପାଇଁ ।

 

ସତେ ନା କଣ ? ବଟକୃଷ୍ଣର ଏ କଥାବାର୍ତ୍ତା ସ୍ୱର୍ଣ୍ଣପ୍ରଭାକୁ ଅସଙ୍ଗତ ଓ ଅସ୍ୱାଭାବିକ ମନେ ହେଉଥିଲେ ବି ସେ ଅଭିମାନ କରେ ନାହିଁ । ଏଇ ବଟକୃଷ୍ଣ ତ ତାରି ନିଃସଙ୍ଗ ଜୀବନକୁ ପ୍ରାଣପୂର୍ଣ୍ଣ କରିଛନ୍ତି ? ତାରି ଜୀବନର ନୂତନ ଅଧ୍ୟାୟର ସୂତ୍ରପାତ କରିଛନ୍ତି । ସେ ଯେମିତି ଇଚ୍ଛା କରନ୍ତି, ସେମିତି ତାକୁ ବ୍ୟବହାର କରନ୍ତୁ । ପ୍ରତିବାଦ କରିବ ନାହିଁ କି ଅଭିଯୋଗ କରିବ ନାହିଁ ।

 

ବଟକୃଷ୍ଣର ହାତମୁଠାରେ ସ୍ୱର୍ଣ୍ଣର ସେହି ମାଂସଳ ଓ ଆରକ୍ତ ହାତ ପାପୁଲିଟି ରହି ରହି ଥରି ଉଠେ ।

 

ସୁଯୋଗ ପାଇବା ମାତ୍ରେ ବଟକୃଷ୍ଣ ଏକାକିନୀ ସ୍ୱର୍ଣ୍ଣର ଦେହ ବଲ୍ଲରୀକୁ କୋଳାଗ୍ରତ କରି ତା’ର ଯୌବନ ରସାଣିତ ଗଣ୍ଡରେ ଉଷ୍ଣ ଚୁମ୍ବନରେ ମହୁଆ ସ୍ପର୍ଶ ବୁଣିଦିଏ ।

 

ସ୍ୱର୍ଣ୍ଣ ଭୁଲିଯାଏ ଯେ, ବଟକୃଷ୍ଣ ମାତ୍ର କେଇଟା ମୁହୂର୍ତ୍ତ ପୂର୍ବରୁ ତାକୁ ଏକ ଅଦ୍ଭୁତ ପ୍ରଶ୍ନ ପଚାରୁ ଥିଲା । ପ୍ରଶ୍ନ ପଚାରି ତାରି ଆଗ୍ରହକୁ ଟିକି ଟିକିକରି କାଟି ଦେବାକୁ ଚେଷ୍ଟା କରୁଥିଲା । ତାକୁ ବ୍ୟସ୍ତ ବିବ୍ରତ କରି ସନ୍ଦେହର ଦୋଳନରେ ଝୁଲାଇ ରଖିଥିଲା ।

 

ସ୍ୱର୍ଣ୍ଣପ୍ରଭା ଚକ୍ଷୁ ମୁଦି ବଟକୃଷ୍ଣର ସେହି ଉଷ୍ଣ ଚୁମ୍ବନକୁ ଅନୁଭବ କରେ ।

 

ବଟକୃଷ୍ଣ ସ୍ୱର୍ଣ୍ଣପ୍ରଭାର କଣ୍ଠଲଗ୍ନା ହୋଇ ଚୁପ୍‌ଚୁପ୍‌ କହେ, ତୁମେ ଅପୂର୍ବ, ତୁମେ ଅବର୍ଣ୍ଣନୀୟ । ତୁମର ଅନିନ୍ଦ୍ୟ ଶୋଭା ସମ୍ପଦରେ ମୋତେ ଆକୃଷ୍ଟ କରି ରଖିଛ । ବିଶ୍ୱାସ କର ସ୍ୱର୍ଣ୍ଣ, ତୁମପାଇଁ ମୁଁ ଦୁନିଆ ଭୁଲି ଯାଇଛି । ଆଃ, ଟିକିଏ ହସ ସ୍ୱର୍ଣ୍ଣ । ଆହୁରି ପାଖକୁ ଲାଗି ଆସ । ଥରେ ମନ ପୂରାଇ ତୁମକୁ ଦେଖିନିଏଁ । ତୁମର ରସାଣିତ ଦେହର ପରାଗ ବୋଳି ହୋଇ ନିଜକୁ କୃତାର୍ଥ କରି ଦିଏଁ ।

 

କେତୋଟି ସ୍ୱପ୍ନ ବିଭୋର ମୁହୂର୍ତ୍ତ ନୀରବରେ କଟିଯାଏ ।

 

ସ୍ୱର୍ଣ୍ଣପ୍ରଭା ନିଜ ଜୀବନର ଅନାଗତ ସ୍ୱପ୍ନକଥା ଭାବୁ ଭାବୁ ସମୟର ସୀମାରେଖାକୁ ଭୁଲିଯାଏ । ତାକୁ ଲାଗେ, ଏ ଦୁନିଆ ସବୁଠୁଁ ବଳି ସୁନ୍ଦର, ସବୁଠୁଁ ବଳି ଲୋଭନୀୟ । ଏଇଠି ସବୁଆଶା ପୂରଣ ହୁଏ । ଏଇଠି ସବୁକଥା ମିଳେ । ନୀରବରେ ସେ ନିଜର ଭବିଷ୍ୟତ ଜୀବନର ନିରାପତ୍ତା ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରେ । କହେ, ମୋରୀ ଆଶା, ଆକାଙ୍‌କ୍ଷାର ପ୍ରତୀକ ଏହି ବଟକୃଷ୍ଣଙ୍କୁ ଦୀର୍ଘାୟୁ କର, ଦେବତା । ତାଙ୍କୁ ସ୍ୱାସ୍ଥ୍ୟ ଦିଅ । ତାଙ୍କୁ ସମ୍ପଦ ଦିଅ । ନିଜ କଥା ତା’ର ଆଉ ମନେ ପଡ଼େ ନା ।

 

ଦିନେ........ ।

 

ବଟକୃଷ୍ଣ ନିଜ ସାଙ୍ଗରେ ସ୍ୱର୍ଣ୍ଣପ୍ରଭାକୁ ‘ତରଭା’ ସହରକୁ ନେଇ ଯିବାର ପ୍ରସ୍ତାବ ଦେଲେ-

 

ସ୍ୱର୍ଣ୍ଣପ୍ରଭା ସୋନପୁରରୁ ଚାଲିଯିବ ସତରେ ? ରାଜବାଳାଙ୍କର ଆଖିରେ ଲୁହ ଭରିଗଲା-। ସ୍ୱର୍ଣ୍ଣପ୍ରଭାର ପିଲାଦିନର ଟିକିନିଖି କଥାସବୁ ଗୋଟି ଗୋଟିକରି ମନେ ପଡ଼ିବାକୁ ଲାଗିଲା-

 

ଅନେକ ଦିନ ତଳର କଥା । ସ୍ୱର୍ଣ୍ଣପ୍ରଭାର ଏ ପୂରିଲା ଦେହ ନ ଥାଏ, କି ବିଚାରଶୀଳ ମନ ନ ଥାଏ । କାଖରେ ବସି ଖାଲି ଅଝଟ କରୁଥାଏ । ଅବୁଝା କଥାର ନାନାପ୍ରକାର ଅଭିଯୋଗ ବାଢ଼଼ୁଥାଏ । ସେ ପୁଣି ଠୁକୁଠୁକୁ ହୋଇ ଚାଲିଲା, ଟୁକୁଟୁକୁ ହୋଇ କଥା କହିଲା । ତା’ର ପିଲାପାଟିରେ ଛୋଟ ଛୋଟ ଦରଛିଣ୍ଡା କଥାସବୁ କାନକୁ ଖୁବ୍‌ ଭଲ ଲାଗୁଥାଏ । ସେ ବଡ଼ ହେଲା-। ସ୍କୁଲକୁ ଯାଇ ପାଠ ପଢ଼ିଲା । ଗୋରା ତକତକ ଦେହରେ ଅପୂର୍ବ ସ୍ୱାସ୍ଥ୍ୟ ଭରିଥାଏ-। ଚାଲିଲାବେଳେ ଦାଣ୍ଡର ଶତ୍ରୁସୁଦ୍ଧା ଦଣ୍ଡେ ଅଟକି ଚାହୁଁଥାଏ । ସଭିଏଁ କହିଲେ, ସେ ରାଜରାଣୀ ହେବ । ସେ କଥା ଶୁଣି ମାଆ ମନ ତାଙ୍କର ଆନନ୍ଦ ଓ ଗର୍ବରେ ଫାଟିଗଲା ।

 

ଆଜି ସେ ବଟକୃଷ୍ଣଙ୍କ ସଙ୍ଗରେ ଚାଲିଯିବ । ତରଭାରେ ତା’ର ବାହାଘର ହେବ । ବଟକୃଷ୍ଣ ଯେତେବେଳେ ଜବାବ ଦେଇଛନ୍ତି, ସେ ସେ କଥା ଲଘିଂଯିବେ ନାହିଁ । ବହୁତ ଜାକ୍‌ଜମକରେ ବାହାଘର କରିବେ । ଲୋକ ତ କମ୍‌ ନୁହନ୍ତି । ସୋନପୁର ସହର ବ୍ୟତୀତ ଚଉଦକୋଶ ରାଜ୍ୟରେ ସୁନାମ ଅଛି । ଏତେ ବଡ଼ଲୋକର ବାହାଘର ତ କିଛି ପିଲାଳିଆ ଖେଳ ନୁହେ । ମନ କଲେ ତିଆର ହେଲା; ମନ କଲେ, ଭଙ୍ଗା ହେଲା । ଆୟୋଜନ ପାଇଁ ଯେତିକି ଦିନ ଆବଶ୍ୟକ, ସେହି କେତୋଟି ଦିନ ସେ ଦୁହେଁ ଉଭୟର ସୌଖ୍ୟଲାଭ କରିବେ । ବିବାହ ପୂର୍ବରୁ ପରସ୍ପରକୁ ଉତ୍ତମରୂପେ ବୁଝି ନେବାର ଅବକାଶ ପାଇବେ । ଏହି ବୁଝାମଣା ଭିତରେ ଉତ୍ତର-ଜୀବନ ସାର୍ଥକ ହେବ ।

 

ରାଜେନ୍ଦ୍ର ଏ କଥା ଶୁଣି ପ୍ରତିବାଦ କଲେ । କହିଲେ, ଝିଅର ବାହାଘର ଏଇଟି ସାରିଦେବା, ରାଜବାଳା । ବିବାହ ପୂର୍ବରୁ ସେମାନଙ୍କର ଏକତ୍ର ଚଳପ୍ରଚଳକୁ ଦୁନିଆଁ ଲୋକେ ସମର୍ଥନ କରିବେ ନାହିଁ ।

 

ରାଜବାଳା ସେ କଥା ଶୁଣିବାକୁ ପ୍ରସ୍ତୁତ ହେଲେ ନାହିଁ ।

 

ସେ ଯୁଗ ଆଉ ନାହିଁ । ସେ ଦିନର ଆଚାର ବ୍ୟବହାର ବଦଳି ଯାଇଛି । ଲୋକେ ଅପେକ୍ଷାକୃତ ଅଧିକ ଶିକ୍ଷିତ ଓ ପରିମାର୍ଜିତ ହୋଇଛନ୍ତି । ଇଂଲଣ୍ଡ, ଆମେରିକା ପରି ଉନ୍ନତ ରାଜ୍ୟରେ ତ ପୁଣି ଏହିପରି ସମ୍ବନ୍ଧର ପ୍ରଚଳନ ଅଛି । ବଟକୃଷ୍ଣ ହିନ୍ଦୁ ପରିବାରର ସେ ତାଙ୍କର ଉନ୍ନତ ରୁଚିନେଇ ତାଙ୍କର ଖ୍ରୀଷ୍ଟିୟାନ୍‌ ଝିଅ ସ୍ୱର୍ଣ୍ଣପ୍ରଭାକୁ ପତ୍ନୀରୂପରେ ନିର୍ଦ୍ଦିଷ୍ଟ କରି ସାରିଛନ୍ତି । ଏହାହିଁ କଣ ଯଥେଷ୍ଟ ନୁହେ ?

 

ରାଜେନ୍ଦ୍ରଙ୍କ ସହସ୍ର ଅଭିଯୋଗ ପାଣି ଫାଟିଗଲା । ମନେ ମନେ ସେ ବ୍ୟଥିତ ହେଲେ । କିନ୍ତୁ କରିବେ କଣ ? ନିଜ ହାତରେ କଣ ବା ହେବ ?

 

ବଟକୃଷ୍ଣ ଓ ସ୍ୱର୍ଣ୍ଣପ୍ରଭା ଘରୁ ବିଦାୟ ନେବାଦିନ ସେ ଜାଣି ଶୁଣି ଅନୁପସ୍ଥିତ ରହିଲେ ।

 

ରାଜବାଳା ବୁଝିଲେ; ରାଜେନ୍ଦ୍ର ସିଂହ ପ୍ରତିବାଦ ଜଣାଇଛନ୍ତି । ତାଙ୍କର ମତାମତକୁ ଉପେକ୍ଷା ପ୍ରଦର୍ଶନ କରିଥିବା ହେତୁ ଝିଅର ବିଦାୟ ପର୍ବରେ ଉପସ୍ଥିତ ରହି ନାହାନ୍ତି । କିନ୍ତୁ ଦିନ ଆସିଲେ, ବଳେ ସେ ନିଜ ଭୁଲଟିକକ ବୁଝିନେବେ ।

 

‘ଅପା’ ତାର ଚାଲି ଯାଉଥିବାରୁ କାଳିନ୍ଦୀ ମନ ବ୍ୟସ୍ତ କଲା । କାଖର ପିଲାଟିଏ ପରି ଭୋ’ ଭୋ’ ହୋଇ କାନ୍ଦି ପକାଇଲା ।

 

ସ୍ୱର୍ଣ୍ଣ ତାର ହାତଧରି କହିଲା, ଏଡ଼ୁଟାଏ ହୋଇ କାନ୍ଦି ବସୁଛୁ ? ତରଭା ସହରଟା କେତେ ଦୂର କି ? ସୋନପୁରରୁ ମୋଟର ଲାଗିଛି । ମନ କଲେ ଯାଇ ବୁଲି ଆସିବୁ । ମୁଁ ତୋ’ ପାଇଁ କେତେ ଜିନିଷ ଯୋଗାଡ଼ କରି ରଖିଥିବି । ତୁ ପୁଅ ପିଲା, ଘରେ ରହିବୁ । ଯିଏ ଭଉଣୀ ହୁଏ, ସେ ଶାଶୁ ଘରକୁ ଯାଏ । ଏତିକି ବୁଝି ପାରୁନୁ ?

 

ସେ କଥା ଶୁଣି କାଳିନ୍ଦୀ କଣ ବୁଝିଲା କେଜାଣି ନୀରବ ରହିଲା ।

 

ରାଜବାଳା କେତୋଟି ଚିହ୍ନା ପରିଚିତ ମାଇପୀଙ୍କମେଳରେ ସ୍ୱର୍ଣ୍ଣପ୍ରଭାକୁ ବଟକୃଷ୍ଣ ବାବୁଙ୍କ ସଙ୍ଗରେ ମୋଟର ଷ୍ଟାଣ୍ଡରେ ଛାଡ଼ିଦେଇ ଆସିଲେ । ସେହି ମୋଟରଟି ଦୃଷ୍ଟିପଥରୁ ଆଢ଼ୁଆଳ ହୋଇଯିବା ପର୍ଯ୍ୟନ୍ତ, ସେ ଗୋଟିଏ ଲୟରେ ତାକୁ ଅନାଇ ରହିଲେ । ତା’ପରେ ମୁହଁ ଫେରାଇ ବସାକୁ ଫେରି ଆସିଲେ ।

 

ରାଜବାଳାଙ୍କୁ ସେ ଦିନ ତମାତ ଭଲ ଲାଗିଲା ନାହିଁ । ଆଖି ଦୁଇଟି ଲୁହରେ ଜକେଇ ଆସୁଥିଲା ।

 

ରାଜୁଡ଼ା ଅମଳର କଥା.....

 

ଦୀର୍ଘ ପ୍ରସ୍ଥ ଚଉଦକୋଶ ବ୍ୟାପୀ ସୋନପୁର ରାଜ୍ୟରେ ତରଭା ଥିଲା ସର୍ବପ୍ରଧାନ ବାଣିଜ୍ୟ ପୀଠ । ତାରି କୋଳର ଅଧିବାସୀ କେବେହେଲେ ଭିଖ ମାଗୁ ନ ଥିଲା କି ଅଧାପେଟ ଖାଇ ରାତି ବିତାଉ ନ ଥିଲା । ଆଦାୟର ମାର୍ଗଥିଲା ଅନେକ ଏରୁଣ୍ଡି ଡେଇଁଲେ ଲକ୍ଷେ କାମ, ହାଜର ଡାକରା । ଖଟି ଖାଇବାକୁ ବିସ୍ତୀର୍ଣ୍ଣ କ୍ଷେତ୍ର ।

 

ସ୍ୱର୍ଣ୍ଣପ୍ରଭା ସର୍ବ ପ୍ରଥମେ ସେ ସହରର କୋଳାହଳ ଚାକଚକ୍ୟ ଦେଖି ବିସ୍ମୟ ପ୍ରକାଶ କଲା । ତରଭା ସମ୍ବନ୍ଧରେ ଅନେକ କିଛି ଶୁଣିଥିଲା । ଶୁଣା କଥା ସବୁ ସତକୁ ସତ ଆଖି ଆଗରେ ଦେଖିବାର ସୁଯୋଗ ପାଇଲା ।

 

ବଟକୃଷ୍ଣବାବୁଙ୍କ ସଙ୍ଗେ ସେ ପ୍ରଥମ କରି ଆସି ଗୋଟାଏ ଦୋ’ତାଲା ବସାଘରେ ପହଞ୍ଚିଲା ।

 

ବେଶ୍‌ ସୁନ୍ଦର କୋଠାଟିଏ । ସର୍ବାଧୁନିକ ପ୍ରଣାଳୀରେ ନିର୍ମିତ । ଉତ୍ତର ଦକ୍ଷିଣକୁ ଝରକା ଅଛି । ଉପର କୋଠାର ସାମନା ଦୁଆରଟି ଖୋଲି ଦେଲେ, କାର୍ଯ୍ୟବ୍ୟସ୍ତ ତରଭାର ଜନଗହଳ ରାଜମାର୍ଗଟି ଆଖିରେ ପଡ଼େ । ସେଇଠି କଣକିଆ ହୋଇ ବସି, ସହରର ସ୍ପନ୍ଦନକୁ ସହଜରେ ଅନୁଭବ କରିହୁଏ । ପଶ୍ଚିମ ପଟେ ତରଭା କୃଷକର ମାଇଲ ମାଇଲ ବ୍ୟାପୀ ଚାଷ ଜମି । ସେଇଠି ସୁନାର ଫସଲ ହସୁଥାଏ । ସବୁଜ, ସରସ, ବଳୟବ୍ୟାପୀ ଜମି ମନଭିତରେ କାଉଁରୀ କାଠି ବୁଲାଇ ଦିଏ ।

 

ସ୍ୱର୍ଣ୍ଣପ୍ରଭା ଭାବେ, ତରଭାର ଅଧିବାସୀ କେତେ ଭାଗ୍ୟବାନ ନୁହନ୍ତି ସତରେ । ଲୋକାରଣ୍ୟ ଅନ୍ୟାନ୍ୟ ସହର ଭଳି ରହିବାର ବା’ ଖାଇବାର କୌଣସି ସମସ୍ୟା ନାହିଁ । ପାଦ ବଢ଼ାଇଲେ ହେଲା । ହାତ ଉଠାଇଲେ ଅର୍ଥ ଆସି ଆପେ ପହଞ୍ଚୁ ଯାଉଛି । ମଣିଷ ସେଇଠି ବଞ୍ଚିଲା ପରି ବଞ୍ଚିଛି ।

 

ସ୍ୱର୍ଣ୍ଣପ୍ରଭା ସେ କଥା ଭାବି ଖୁସି ହୁଏ ।

 

ତା’ ପରେ ଆଖି ଫେରାଏ ନିଜର ଛୋଟିଆ ନୀଡ଼ଟିକୁ । ସେଇଠି କାମଧାମ ବୋଲି ଟିକିଏ କିଛି ନାହିଁ । ସଫା ସୁତୁରା ରନ୍ଧାବଢ଼ା କଥା ବୁଝିବାକୁ ବାହାର ଲୋକ ନିଯୁକ୍ତ ହୋଇଛନ୍ତି । ସେ ଖାଲି ସେମାନଙ୍କର ତତ୍ତ୍ୱାବଧାନ ନିଏ ।

 

ଏତକ କାମ ଛାଡ଼ି ଦେଲେ, ଅନ୍ୟ ସମୟତକ ଅଳସରେ କଟେ । ପାଖରେ ବହିଥିଲେ ବିଛଣାଉପରେ ଶୋଇ ଶୋଇ ପଢ଼େ । ପଢ଼ୁ ପଢ଼ୁ ନିଦ ଲାଗିଯାଏ । ଉଠିଲାବେଳକୁ ଦେଖେ, ଚାକରାଣୀ ତାରି ଆଦେଶକୁ ଅପେକ୍ଷା କରି ବସିଛି ତାକୁ ଭଲ ଲାଗେ ନାହିଁ ।

 

ଦିନେ ଦିନେ ସ୍ୱର୍ଣ୍ଣର ମନେ ପଡ଼େ ସୋନପୁର ସହର କଥା । ସେଇଠି ଘର ଭିତରେ କେତେ କୋଳାହଳ, କେତେ କାମ । କାମରେ ବୁଡ଼ିଗଲେ ସମୟ ଜଣା ପଡ଼େ ନାହିଁ । କାଳିନ୍ଦୀ ମିଛଟାରେ ପାଖରେ ବସି ଏଣୁ ତେଣୁ ଗପ ଯୋଡ଼େ । କେବେ କେବେ ତେଲନଦୀ କି ମହାନଦୀ କୂଳକୁ ବୁଲି ଯିବାକୁ ଜିଗର କରେ । ତାର କଥା ଭାଙ୍ଗି ନ ପାରି ବୁଲି ବାହାରିଲେ ଫେରିଲାବେଳକୁ ରାତି ହୋଇଯାଏ । ସେଦିନ ସେ ବାପା ମାଙ୍କ ଉପାସନା କାର୍ଯ୍ୟକ୍ରମରେ ଯୋଗ ଦେଇ ପାରେ ନାହିଁ ।

 

କିନ୍ତୁ ତରଭା ସହରରେ କିଛି ନାହିଁ । ଦିନର କିରଣ ଓ ଗତିର ଅନ୍ଧାର ସବୁ ସମାନ । କାର୍ଯ୍ୟ ଉପଲକ୍ଷରେ ବଟକୃଷ୍ଣବାବୁ ବାହାରକୁ ଚାଲିଯାନ୍ତି । ଫେରିବାକୁ ତାକୁ ଦି’ ତିନିଦିନ ସମୟ ଲାଗେ । ସେ ଅନୁପସ୍ଥିତ ରହିଲେ, ଘର ଗୋଟାକ ଖାଇ ଗୋଡ଼ାଏ, କ’ଣ ସେ କରିବ ? କଣ କରି ସମୟ ବିତାଇବ ? ଇଚ୍ଛା କରି ଆସବାବ ପତ୍ର ପରିଷ୍କାର କରି ବସିଲେ ଚାକରାଣୀ ଆସି ଆକଟ କରେ । ହାତରୁ ପୋଛା କନା ଖଣ୍ଡକ ଛଡ଼ାଇ ନେଇ କହେ, ଆମେ ଥାଉଁ ଥାଉଁ ତମେ ଏ କାମ କରିବ ? ଆମେ ଆଉ କରିବୁ କଣ ଯେ ?

 

ସ୍ୱର୍ଣ୍ଣପ୍ରଭା ପିଞ୍ଜରାବଦ୍ଧ ପକ୍ଷିଣୀର ବ୍ୟାକୁଳତା ଅନୁଭବ କରେ ।

 

ଘର ବାହାରେ ପ୍ରଚୁର ଆଲୋକ ପ୍ରଚୁର ପବନ । ସମସ୍ତେ କେତେ ଖୁସିରେ ଯା’ ଆସ କରୁଛନ୍ତି ଅଥଚ ତା’ର ହାତ ଗୋଡ଼ ଥାଇ ବି ସେ ସତେ ଅବା ଏକ ଅଥର୍ବ ପ୍ରାଣୀ । ଏ ଆଲୋକ ଏ ପବନ ଉପଭୋଗ କରିବାର ସୌଭାଗ୍ୟ ତା’ର ନାହିଁ ।

 

ବଟକୃଷ୍ଣ ବାବୁ ପ୍ରବାସରୁ ଫେରିଲେ କଥା ଛଳରେ କହେ, ଘର ଭିତରଟାରେ ଏକୁଟିଆଟା ବସିଛି । ସାହୀ ପଡ଼ିଶାଙ୍କ ଘରକୁ ଯିବା ଆସିବା କଲେ ସମୟ ଜଣା ପଡ଼ନ୍ତା ନାହିଁ । ଯିବି ?

 

ବଟକୃଷ୍ଣବାବୁଙ୍କର ଉଦ୍‌ଗତ ପ୍ରାୟ ହସ ମଉଳି ଯାଏ । ସେ ଗମ୍ଭୀର ହୋଇ ଉଠନ୍ତି । କହନ୍ତି, ସେ କାମ କରିବନି ସ୍ୱର୍ଣ୍ଣ । ତମେ ଏ ତରଭା ବାସୀନ୍ଦାଙ୍କୁ ଚିହ୍ନିନା । ସଜ ମାଛରେ ପୋକ ପକାନ୍ତି ସେମାନେ, କଣ୍ଟା ବାଡ଼ରେ ଲୁଗା ପକାଇ କଳି କରନ୍ତି । ତମେ କାହାର ପତ୍ନୀ ଜାଣିଛ ତ ? ଏଇ ଛୋଟ ଲୋକଙ୍କ ସଙ୍ଗେ କେବେହେଲେ ମିଶିବ ନାହିଁ ।

 

ସେ କଥା ଶୁଣି ସ୍ୱର୍ଣ୍ଣ ମନେ ମନେ ଭାବେ, ହୋଇଥିବ ପରା । କିଏ ତାକୁ ଏତେ କଥା କହିଲା ? ନିର୍ଜନ ବୋଧ ହେଉ ପଛକେ, ନିଜ ଘର ଭିତରେ ରହିଲେ ହେଲା, ସବୁ ଲୋକ ସଂସାରରେ ସମାନ ନୁହନ୍ତି, କଥାବାର୍ତ୍ତା ଭିତରେ କିଏ ଯଦି ଖଙ୍ଗ ବୁଝି କିଛି ଅନର୍ଥ କଲା ? ତା’ ପରେ ବଟକୃଷ୍ଣବାବୁଙ୍କର ମାନସମ୍ମାନ ତ ରହିଛି ? ପଡ଼ୋଶୀ ସମକକ୍ଷ ନ ହେଲେ, ତାଙ୍କ ସଙ୍ଗରେ ଚଳି ହେବ କେମିତି ?

 

ସୁଖ ଦୁଃଖର ଦିନ ଗୁଡ଼ିକ ଗଡ଼ିଯାଏ ।

 

ସ୍ୱର୍ଣ୍ଣପ୍ରଭା ମା ପାଖକୁ ସୋନପୁର ସହରକୁ ଚିଠି ଲେଖେ, ତୁମେ ସବୁ ବ୍ୟସ୍ତ ହେବନି’ ମାଆ । ମୁଁ ଖୁବ୍‌ ଆନନ୍ଦରେ ଅଛି । ତରଭା ସହରଟା ଖୁବ୍‌ ଭଲ ଲାଗୁଛି । ରାଜ୍ୟର ବାଣିଜ୍ୟ - ପୀଠ ହୋଇଥିବାରୁ ଜନ ସମାଗମର ବିରାମ ନାହିଁ । ଆଉ ଏଠାକାର ସୁନା ରୂପାର ତାରକସି କାମ କଳ୍ପନା କରି ପାରିବୁ ନାହିଁ ମା । ମୁଁ ତ ଭାବୁଛି’ କେବଳ ଓଡ଼ିଶା କାହିଁକି, ସମୁଦାୟ ଭାରତବର୍ଷରେ ସେ ପ୍ରଥମେ ହେବ । ତାରକସିକାମ ସଙ୍ଗକୁ ମେହେର ସମ୍ପ୍ରଦାୟର ଶାଢ଼ୀ ବୁଣା ରହିଛି । ସ୍ୱନାମ ଧନ୍ୟ, ସୁପ୍ରସିଦ୍ଧ ‘ବିନିକା’ର ବୁଣାଳୀ ମାନଙ୍କ ସଙ୍ଗେ ସେମାନେ ପ୍ରତିଯୋଗିତା ଆରମ୍ଭ କରି ଦେଇଛନ୍ତି । ମେହେର ଝିଅର ବାମାବର୍ତ୍ତ ଖୋଷା ସଙ୍ଗକୁ ଦୋ’ମୁହାଁ ବଉଳଶାଢ଼ୀ ଦେଖିଲେ, ସେମାନଙ୍କ ପ୍ରତି ଈର୍ଷା ଲାଗେ । କେତେ ସରଳ, କେତେ ସରସ ସେମାନଙ୍କର ଜୀବନ ଯାତ୍ରା । କେତେ କମନୀୟ ସେମାନଙ୍କ ବେଶଭୂଷଣ । ସେମାନଙ୍କ ହସ ଖୁସି, ସେମାନଙ୍କ ସ୍ୱାସ୍ଥ୍ୟ, ସେମାନଙ୍କହାବ ଭାବ ଦେଖି ମନ ଭିତରଟା ପୁଲକି ଉଠେ ।

 

ପ୍ରକୃତରେ ମାଆ, ମୋତେ ଲାଗେ, ଏ ତରଭା ସହର ଓଡ଼ିଶାର ଅନ୍ୟ ସବୁ ସହରଠୁ ସୁନ୍ଦର । ଏହାର ଲୋକବାକ ସାକ୍ଷାତ ଭଗବାନଙ୍କର ଆଶୀର୍ବାଦ ନେଇ ଜନ୍ମ ହୋଇଛନ୍ତି ଆଉ ଯୁବକ ଯୁବତୀ ? ସେମାନେ ଏ ସହରର ଅନ୍ୟତମ ଆକର୍ଷଣ । ବିଦେଶୀ ଆଖିରେ ସେମାନେ ସ୍ୱପ୍ନର ମୋହ ବୋଳି ଦିଅନ୍ତି । ପର୍ଯ୍ୟଟକର ଚିରଦିନର ସ୍ମୃତି ହୋଇ ରହି ଯାଆନ୍ତି ।

 

ମୁଁ ଏ ସହରକୁ ଜୀବନ ଭରି ଉପଭୋଗ କରୁଛି । ଏ ସହରର ଆଚାର ବ୍ୟବହାର, ଚାଲିଚଳନକୁ ଭଲ ପାଇ ବସିଲିଣି । ଆଉ ଚାକର ଚାକରାଣୀ କଥା କହିବି ? ଏତେ ପରିଶ୍ରମୀ, ଏତେ ବିଶ୍ୱାସୀ ଲୋକ ମୁଁ କେବେ ହେଲେ ଦେଖି ନାହିଁ ।

 

ତୁ ଯଦି କେବେ ଆସୁ, ମୋ’ ଲେଖିଲା କଥା ସବୁ ଆଖିରେ ଦେଖିଯିବୁ । କାଳିନ୍ଦୀକୁ ମୋର ଆର୍ଶୀବାଦ ଜଣାଇବୁ ମା ! ବାପାଙ୍କୁ ମୋର କୋଟି ନମସ୍କାର । କାର୍ଯ୍ୟ ଉପଲକ୍ଷରେ ବଟକୃଷ୍ଣବାବୁ ଦି’ ତିନଦିନ ଧରି ଅନୁପସ୍ଥିତି ରହନ୍ତି । କାମିକା ଲୋକ କିନା ? ସେ ନ ରହିବା ଦିନତକ ମୋତେ ଏକୁଟିଆ ଲାଗେ । କାଳିନ୍ଦୀ ବାରମ୍ୱାର ମନେ ପଡ଼େ ।

 

ସ୍ୱର୍ଣ୍ଣପ୍ରଭା ଶେଷ ପର୍ଯ୍ୟାୟରେ ଲେଖେ, କିନ୍ତୁ ମୁଁ ଭଲରେ ଅଛି ମା । ମୋ’ ସ୍ୱାସ୍ଥ୍ୟ ଖୁବ୍‌ ଭଲ ଅଛି, ରହିଲି ।

 

ଦିନ ଦି’ଟା ଭିତରେ ସ୍ୱର୍ଣ୍ଣପ୍ରଭାର ଚିଠି ପାଆନ୍ତି ରାଜବାଳା । ମନର ଉତ୍କଣ୍ଠା ବଢ଼ିଯାଏ । କଣ ଲେଖିଛି ସ୍ୱର୍ଣ୍ଣ ? ଦେହ ପା ଭଲ ଅଛି ତ ? ବିବାହ କଥା କଣ ହେଲା ?

 

ଚିଠିଟିଏ ପାଇଲେ ରାଜବାଳାଙ୍କୁ ଭାରି ଖୁସି ଲାଗେ । ମନେହୁଏ, ଏଇ ପାଖରେ ବସି ବସି ସ୍ୱର୍ଣ୍ଣ କଥାବାର୍ତ୍ତା କରୁଛି ।

 

ରାଜବାଳା ମନ ଦେଇ ଚିଠି ପଢ଼ନ୍ତି । ତାର କୁଶଳବାର୍ତ୍ତା ଶୁଣି ଖୁସି ହୁଅନ୍ତି । ତା’ପରେ ଚିଠି ଖଣ୍ଡକ ବାର ବାର ଦି’ ତିନି ବାର ପଢ଼ି ଯାଆନ୍ତି । ତାରି ଭିତରୁ ତାଙ୍କର ଆଗ୍ରହୀ ଆଖି ଦି’ଟା ସତେ ଯେମିତି କଣ ଖୋଜୁଥାଏ । କାହିଁ ତାର ବିବାହ କଥା ? ଦିନ କଣ ଆହୁରି ଠିକ୍‌ ହୋଇ ନାହିଁ-? ପ୍ରସ୍ତୁତି କଣ ଆହୁରି ସରି ନାହିଁ ? ବାହାରେ ସେ କଣ ଜବାବ ଦେବେ ? ରାଜେନ୍ଦ୍ର ପଚାରିଲେ କଣ ବୋଲି କହିବେ ? ସେଇ କଥା ତ ସେ ଆଜିକାଲି ବାରମ୍ୱାର ପଚାରୁଛନ୍ତି । ଯଦି ତାଙ୍କ ଭାବନା ଭୁଲ୍‌ ପ୍ରତିବାଦିତ ହୁଏ ? ଯଦି ବଟକୃଷ୍ଣଙ୍କର ବିବାହ ପ୍ରସ୍ତୁତି କେବେ ହେଲେ ଠିକଣା ନ ହୋଇ ରହିଯାଏ ?

 

ନା, ନା, ଭଗବାନ ଏତେ ନିଷ୍ଠୁର ହୋଇ ପାରିବେ ନାହିଁ । ସେ ସାଧାରଣ ନିୟମରେ ବ୍ୟତିକ୍ରମ ହେବା ବରଦାସ୍ତ କରି ପାରିବେ ନାହିଁ । ଅନ୍ତତଃ ତାଙ୍କରି ଏତେ ସୁନ୍ଦର ଝିଅ ସ୍ୱର୍ଣ୍ଣପ୍ରଭାର ଭବିଷ୍ୟତକୁ ସେ ରକ୍ଷା କରିବେ ।

 

ରାଜବାଳା ଆହୁରି ଥରେ ପଢ଼ା ଚିଠିଟାକୁ ଓଲଟ ପାଲଟ କରନ୍ତି । ଭାବନ୍ତି, ଆଉ କଣ ଲେଖିଥିବ ପରା ।

 

ଚିଠି ଦେହରୁ ସ୍ୱର୍ଣ୍ଣର ସୁନ୍ଦର ମୁହଁଟି ପରିଷ୍କାର ଦେଖାଯାଏ । ତାର ସେହି ଚିରାଚରିତ ଓସାରିଆ ଆଖି ଦି’ଟା ତ ସତେ ଅବା ଅନାଇ ରହିଛି । ତା’ଆଖିରେ ପଚାରିଲା, ପଚାରିଲା ଚାହାଣୀ ପଚାରୁଛି, ମୁଁ କଣ ଭୁଲ କଲି ମାଆ ? ଏଇ ବଟକୃଷ୍ଣବାବୁଙ୍କୁ ଆପଣାର କରିନେଇ କଣ ଭୁଲ୍‌ କଲି ?

 

ଏ ପ୍ରଶ୍ନର ଉତ୍ତର ରାଜବାଳାଙ୍କ ପାଖରେ ନାହିଁ । ଭୁଲ୍‌ କଲେ ବା ଭଲ କଲେ, ସେ କଥା ସେ ନିଜେ ବି ଜାଣି ନାହାନ୍ତି । ସେ ନିଜେହିଁ ତ ଏଇ ଯୋଗାଯୋଗ ପାଇଁ ଦାୟୀ । ନ ହେଲେ ସ୍ୱର୍ଣ୍ଣପ୍ରଭା ନିଜ ଇଚ୍ଛାରେ କେବେହେଲେ ଏଡ଼େବଡ଼ କାର୍ଯ୍ୟରେ ହାତ ଦେଇ ପାରି ନ ଥାନ୍ତା ।

 

ବଟକୃଷ୍ଣ ବିବାହ କରିବାର ପ୍ରତିଶୃତି ଦେଇ ତାଙ୍କର ବଢ଼ିଲା ଝିଅଙ୍କୁ ପାଖରୁ ନେଇଗଲେ ।

 

ବଢ଼ିଲା ଝିଅ ପାଖ ଛଡ଼ା ହୋଇଛି । ମାଆର ସମ୍ମତି ପାଇ ସଂପର୍କ ହୀନ ଯୁବକର ହାତ ଧରିଛି । କଣ ହେବ ତାର ପରିଣାମ ? ସେ ହୁଏତ ସଂସାରର ସବୁଦିନିଆ ଆବିଳତାରେ ଆପେ ଯାଇ ପାଦ ଧୋଇଥିବ । ନିଜକୁ ସେ ଜାଣିଶୁଣି ହଜାଇ ଦେଇ ପୁଣି ଥରେ ଖୋଜି ହେଉଥିବ । ସତରେ କଣ ସେ ଆଉ ଥରେ ନିଜକୁ ଖୋଜି ପାଇବ ? ପୁଣି ଥରେ ନିଷ୍କଳଙ୍କ ମନ ଦେହ ନେଇ ଦୁନିଆ ଆଗରେ ଛିଡ଼ା ହୋଇ ପାରିବ ? ଜୋର୍‌ କରି କହି ପାରିବ, ମୁଁ ସେହି ସ୍ୱର୍ଣ୍ଣ ? ସେହି ଅନାଘାତ, ଅଚୁମ୍ୱିତ, ଅକ୍ଷତ ସ୍ୱର୍ଣ୍ଣ !!

 

ସ୍ୱର୍ଣ୍ଣପ୍ରଭାର ପ୍ରତ୍ୟେକଟି ପତ୍ରରେ ତରଭା ସହର ତାର ସରଳ ଅଧିବାସୀ ସରସ ଜୀବନଯାତ୍ରା ସମ୍ୱନ୍ଧରେ ସୁନ୍ଦର ବର୍ଣ୍ଣନା । ନିଜ ସକାଶେ କିଛି ନାହିଁ । ବ୍ୟକ୍ତିଗତ ଦୁଃଖ ସୁଖ ସମ୍ୱନ୍ଧରେ ସମ୍ପୂର୍ଣ୍ଣ ନୀରବ । ଲେଖିଛି, ବଟକୃଷ୍ଣ ବରାବର ଅନୁପସ୍ଥିତି ରହୁଛନ୍ତି । ଲଗାଏତ ଦୁଇ ତିନିଦିନ ଧରି ଅନୁପସ୍ଥିତି ରହୁଛନ୍ତି । ଏ ଅନୁପସ୍ଥିତି କଣ ଇଚ୍ଛାକୃତ ? ବଟକୃଷ୍ଣ କଣ ଆଉ କେଉଁଠି... ? ରାଜବାଳା ଆଗକୁ କିଛି ଭାବି ପାରନ୍ତି ନି’ । ଭାବିପାରନ୍ତି ନି’ କହିଲେ ଭୁଲ ହେବ । ବରଂ ଭାବିବାକୁ ସେ ଉଚିତ ମନେକରନ୍ତି ନି’ । ନା, ନା, ଏମିତି ଅଶୁଭ କଥା ସେ ଭାବି ପାରିବେ ନି’ । ମାଆ ହୋଇ ଏତେବଡ଼ ବିଭ୍ରାନ୍ତକର କଳ୍ପନା କରି ପାରିବେ ନାହିଁ । ରାଜବାଳାଙ୍କର ମସ୍ତିଷ୍କ ଭାରାକ୍ରାନ୍ତ ହୋଇଉଠେ । ସ୍ୱର୍ଣ୍ଣ ସୁଖରେ ରହୁ । ବଟକୃଷ୍ଣ ସଙ୍ଗେ ଶୁଭବିବାହ ଯଥାଶୀଘ୍ର ସମ୍ପାଦିତ ହେଉ ।

 

ରାଜବାଳା ଚିଠି ଲେଖନ୍ତି । ମନଧ୍ୟାନ ଲଗାଇ ସେ ଚିଠିର ଭାବଭାଷାକୁ ପ୍ରସ୍ତୁତ କରନ୍ତି-। ଲେଖନ୍ତି, ତୁ ବ୍ୟସ୍ତ ହେବୁନି ଝିଅ । ମାଇପୀ ଜନ୍ମ ପାଇ ସବୁଝିଅ ଦିନେ ନା’ ଦିନେ ପରଘରା ହୁଅନ୍ତି । ବାପ ମା’, ଭାଇ ଭଇଣୀ ଓ ଆତ୍ମୀୟସ୍ୱଜନଙ୍କୁ ପରିତ୍ୟାଗ କରିବାକୁ ପଡ଼େ । ବିବାହ ପରେ ପରଘରୀ ହୋଇଥାନ୍ତୁ । ଆଜିଠୁ ସେତକ ଶିକ୍ଷା କରି ନେଉଛୁ । ବିବାହ-ପର-ଜୀବନ ସୁଖପ୍ରଦ ହେବ । ଆସ୍ତେ ଆସ୍ତେ ସବୁକିଛି ପରିବର୍ତ୍ତନ ହେବ । ନିଜ ଘର, ନିଜ ସଂସାରରେ ବ୍ୟସ୍ତ ରହିଲେ, ଆଉ କିଛି ହେଲେ ମନେ ପଡ଼ିବ ନାହିଁ । ତାପରେ ଦିନ ଆସିବ, ତୁ ପୁଣି ମାଆ ହେବୁ-। ବୁଝି ପାରୁଛୁ ତ ସ୍ୱର୍ଣ୍ଣ ? ତୁ ଦିନେ ମୋରିପରି ମାଆ ହେବୁ । ତୁମମାନଙ୍କ ପାଖରେ ରହି ମୁଁ କଣ କେବେହେଲେ ମୋ‘ ବାପ ମାଙ୍କ କଥା ମନେ ପକାଇବାର ଦେଖିଛୁ ? ସ୍ନେହର ସ୍ୱର୍ଣ୍ଣ ! ତୋତେ ମୋର ଆଉ ବିଶେଷ କିଛି କହିବାର ନାହିଁ । ଏଥିରୁ ସବୁ ବୁଝିପାରୁଥିବୁ । ବଟକୃଷ୍ଣବାବୁଙ୍କ ସଙ୍ଗେ ପରାମର୍ଶ କରି ବିବାହ ଦିନ ଜଣାଇବୁ । ମୁଁ, କାଳିନ୍ଦୀ ଓ ତୋ’ ବାପା ସମସ୍ତେ ଯିବୁ । ତରଭାରେ କିଛିଦିନ କଟାଇବାର ବାସନା ରହିଛି ।

 

ହଁ ସ୍ୱର୍ଣ୍ଣ, ଆଉ ଗୋଟିଏ କଥା କହି ରଖୁଛି । ତୁ ବଡ଼ ହୋଇଛୁ । ତୋର ଦାୟିତ୍ୱଜ୍ଞାନ ଆସିଯାଇଛି ନିଜ ପ୍ରତି ନିଜେ ସତର୍କ ହୋଇ ରହିବୁ ।

 

ସ୍ୱର୍ଣ୍ଣ ସେ ଚିଠି ପାଇଲା ପରେ ଗୁମ୍‌ ହୋଇଯାଏ, ମାଆଙ୍କର ଉପଦେଶତକ ମନକୁ ମନ ଭାବିହୁଏ । ମାଆ ହିସାବରେ ସେ ତାଙ୍କର ଦାୟିତ୍ୱ ତୁଲାଇଛନ୍ତି ? ତାଙ୍କୁ ଏଥିପାଇଁ ବିଶେଷ କିଛି କହିବାର ନାହିଁ । କିନ୍ତୁ ନିଜପ୍ରତି ସେ ସତର୍କ ହୋଇ ଚଳିବ କାହା ପାଖରେ ? ମାଆ ନିଶ୍ଚୟ ଏହି ବଟକୃଷ୍ଣବାବୁଙ୍କ କଥା କହି ନାହାନ୍ତି । ବଟକୃଷ୍ଣବାବୁଙ୍କ ପାଖରେ ସେ ବା’ କେଉଁ ଦିଗରୁ ସତର୍କ ହେବ ? ସେ ତ ତାକୁ ବିବାହ ହେବାର ପ୍ରତିଶ୍ରୁତି ଦେଇ ସଙ୍ଗରେ ଆଣିଛନ୍ତି । ତାରି ପାଇଁ ଏ ଘର, ଏ ଦାସଦାସୀର ବ୍ୟବସ୍ଥା କରିଛନ୍ତି । ତାଙ୍କ ପାଖରେ ତାର ଆଦେୟ କିଛି ନାହିଁ । ସେ ଗୋଟାପଣେ ନିଜକୁ ସମର୍ପଣ କରି ଦେଇଛି । ସ୍ୱାମୀ ଦୃଷ୍ଟିରେ ଚାହିଁ, ଦେହ ମନ ସବୁତକ ସମର୍ପଣ କରି ଦେଇଛି-। ସ୍ୱାମୀ ଦୃଷ୍ଟିରେ ଚାହିଁ, ଦେହ ମନ ସବୁତକ ସମର୍ପଣ କରି ଦେଇଛି । ନିଜର ବୋଲି କିଛି ଅଲଗା ରଖିନାହିଁ ।

 

ବଟକୃଷ୍ଣବାବୁ ଅବେଳରେ ବସାକୁ ଫେରନ୍ତି । ମୁହଁ ସଞ୍ଜରେ ତାଙ୍କ ସହିତ ଦେଖା ସାକ୍ଷାତ ହୁଏ । ସେତିକିବେଳେ ସ୍ୱର୍ଣ୍ଣ ତାଙ୍କୁ ବିବାହ କଥା ପଚାରେ ।

 

ସେ ପ୍ରଶ୍ନ ଶୁଣି ବଟକୃଷ୍ଣବାବୁ ହସି ଦିଅନ୍ତି, କହନ୍ତି, ଏତେ ବ୍ୟସ୍ତ କାହିଁକି ଯେ ? ସମୟ ତ ଆଉ ପଳେଇ ଯାଉନାହିଁ । ତା’ ବ୍ୟତୀତ ତୁମ୍ଭର ମୋର ସମ୍ପର୍କ ଓ ସମ୍ୱନ୍ଧ ବିଷୟରେ ସମଗ୍ର ତରଭା ସହର ଅବାହିତ ହୋଇ ସାରିଛନ୍ତି । ବିବାହ କଲେ ଯାହା, ନ କଲେ ବି ସେଇଆ । ଦୁନିଆ ଆଖିରେ ମୁଁ ତମର ସ୍ୱାମୀ, ତୁମେ ମୋର ପତ୍ନୀ । ଏହାଛଡ଼ା ତ’ ତୁମର ଆଉ କିଛି ଇଚ୍ଛା ନାହିଁ ।

 

ସ୍ୱର୍ଣ୍ଣ ତାର ଛୋଟ ମନ ଭିତରେ ସେ କଥାର ବିଶ୍ଳେଷଣ କରେ । ଭାବେ, ବଟକୃଷ୍ଣବାବୁ ଭୁଲ କହୁ ନାହାନ୍ତି । ସମଗ୍ର ଦୁନିଆଁ ଜାଣିଲାଣି, ବଟକୃଷ୍ଣହିଁ ତାର ପତି । ଖାଲି ଲୋକାଚାରକୁ ବାହାଘର ହେବା କଥା । ସେତକ ଯଦି ଶୀଘ୍ର ହୋଇ ନ ପାରୁଛି, କ୍ଷତି କଣ ? ବଟକୃଷ୍ଣବାବୁ ତ ଆଉ ତାକୁ ପତ୍ନୀ ବୋଲି ଅସ୍ୱୀକାର କରୁ ନାହାନ୍ତି ।

 

ସ୍ୱର୍ଣ୍ଣପ୍ରଭା ନିଜର ନାରୀତ୍ୱକୁ ବଟକୃଷ୍ଣବାବୁଙ୍କର ପାଦତଳେ ନୈବଦ୍ୟରୂପେ ବାଢ଼ିଦିଏ । ବଟକୃଷ୍ଣବାବୁହିଁତ ତାର ସ୍ୱାମୀ, ତାର ଦେବତା ! ସ୍ୱାମୀର ସନ୍ତୋଷ ବିଧାନ କରିବା ଭାରତୀୟ ନାରୀର ସର୍ବପ୍ରଧାନ କର୍ତ୍ତବ୍ୟ । ସ୍ୱାମୀ ସନ୍ତୋଷ ଥିଲେ, ସ୍ତ୍ରୀ ଜୀବନରେ ସାର୍ଥକଥା ଆସେ । ତାଙ୍କରି ଆଶୀର୍ବାଦର ଇହକାଳ ତଥା ପରକାଳ ବିଜୟ ମଣ୍ଡିତ ହୁଏ । ବଟକୃଷ୍ଣବାବୁ ପରମ ଉଲ୍ଲାସରେ ସ୍ୱର୍ଣ୍ଣପ୍ରଭାର ନବଯୌବନକୁ ତିଳେ ତିଳେ ଉପଭୋଗ କରନ୍ତି । ସେ ଉପଭୋଗର ଅନ୍ତ ନାହିଁ । ସେ ତୃଷ୍ଣାର ସମାପ୍ତି ନାହିଁ । ପ୍ରାପ୍ତିପରେ ମନର କ୍ଷୁଧା ନୂତନରୂପ ନେଇ ଆତ୍ମପ୍ରକାଶ କରେ । ନିତ୍ୟନୂତନ ଭାବରେ ସଂଭୋଗ ଲାଳସା ଶିଖା ଟେକେ ।

 

ସ୍ୱର୍ଣ୍ଣପ୍ରଭା, ବଟକୃଷ୍ଣଙ୍କ ଆଲିଙ୍ଗନ ଭିତରେ ବନ୍ଦିନୀ ହୋଇ ଭାବେ, ଏହାହିଁ ସ୍ୱର୍ଗ, ଏହାହିଁ ସାର୍ଥକତା । ଏଇଆକୁ ପାଇବ ବୋଲି ଯୁଗବ୍ୟାପୀ ତପସ୍ୟାରେ ନିମଗ୍ନା ଥିଲା । କେବଳ ଏଇଥି ପାଇଁ ସେ ଅନଙ୍ଗମୋହନଙ୍କୁ ଦିନେ ଦୟା ମାଗି ପ୍ରତ୍ୟାଖ୍ୟାତ ହୋଇ ଥିଲା । ଆଃ, ସୁଖର ଦିନ ଗୁଡ଼ାକ ସୁଦୀର୍ଘ ଓ ଚିରସ୍ଥାୟୀ ହୁଅନ୍ତା କି ? ଏ ମିଳନର ମଧୁପରିବେଶକୁ ଅକାଳ ବାତ୍ୟା ଆସି ସ୍ପର୍ଶ ସୁଦ୍ଧା କରି ପାରନ୍ତାନିକି ?

 

ବଟକୃଷ୍ଣ ଓ ସ୍ୱର୍ଣ୍ଣପ୍ରଭା ପ୍ରତିଦିନ ମଧୁଶଯ୍ୟାରେ ରାତ୍ରି ଯାପନ କରନ୍ତି । ସ୍ୱର୍ଣ୍ଣର ବିପୁଳ ଯୌବନ, ସେ ଯୌବନର ମଧୁମୟ ସୁଗନ୍ଧ ତାର ପ୍ରାଣ, ତାର ପରିପ୍ରକାଶ ପ୍ରତ୍ୟେକଟି ବଟକୃଷ୍ଣଙ୍କୁ ବିହ୍ୱଳ କରି ଦିଏ । ଆଉ ବଟକୃଷ୍ଣ ପୁରୁଷୋଚିତ ବ୍ୟବହାରରେ ସ୍ୱର୍ଣ୍ଣ କିଣି ହୋଇଯାଏ । ସ୍ୱର୍ଣ୍ଣପ୍ରଭାର ପୁଷ୍ପ କୋମଳହସ୍ତ ଯୁଗଳ, ପୁଷ୍ପିତ ବକ୍ଷ, ସୁରଭିତ ଗ୍ରୀବାର ଲାମଣ୍ୟମୟ ଭଙ୍ଗୀମା, ଆକର୍ଣ୍ଣ ପ୍ରସାରି ଚକ୍ଷୁଯୁଗଳର ସଙ୍କୁଚନ ପ୍ରସାରଣ ପ୍ରଣାଳୀ ମେଘବର୍ଣ୍ଣର ନିଘଞ୍ଚ କେଶବିଥି ମସୃଣ ଉନ୍ନତ ନିତମ୍ୱର ଶୋଭା ସମ୍ପଦ, ବର୍ଦ୍ଧିଷ୍ଣୁ ଅଙ୍ଗରେ କମାନାର ଝଲକ ବଟକୃଷ୍ଣଙ୍କୁ ଉଦ୍ଦୀପ୍ତ ଉତ୍ତେଜନାରେ ଅଧୀର କରେ । ସେ ତାକୁ ନିବିଡ଼ ଆଲିଙ୍ଗନରେ ବନ୍ଦିନୀ କରି ପଚାରନ୍ତି, ଏତେ ରୂପ, ଏତେ ଲାବଣ୍ୟ କେଉଁଠୁ ପାଇଲ ସ୍ୱର୍ଣ୍ଣ । ତୁମେ ଅତୁଳନୀୟା, ତୁମେ ରୂପ କନ୍ୟା ! !

 

ସେହି ଆତ୍ମବିସ୍ତୃତ ଅବସ୍ଥାରେ ସ୍ୱର୍ଣ୍ଣ ଉତ୍ତର ଦେଇ ପାରେ ନାହିଁ । ଆନତ ଡୋଳା ଟେକି ବଟକୃଷ୍ଣଙ୍କୁ ଥରେ ମାତ୍ର ଅବଲୋକନ କରେ । ଆଃ, କେମିତି ଲାଲ୍‌ ପଡ଼ିଯାଇଛନ୍ତି ବଟକୃଷ୍ଣ । ନାସାରେ ଘନ ଘନ ନିଃଶ୍ୱାସ ପ୍ରଶମିତ ହେଉଛି । ସେ ବାସନାର ଏକ ଜୀବନ୍ତ ପ୍ରତିମୂର୍ତ୍ତି ପାଲଟି ଯାଇଛନ୍ତି ।

 

ବଟକୃଷ୍ଣ ଉତ୍ତର ପାଇ ପାରନ୍ତି ନାହିଁ । ମନେ ମନେ ଭାବନ୍ତି, ପୃଥିବୀରେ ସେହି ଏକମାତ୍ର ବିଜୟୀ, ନ ହେଲେ ଏତେ ସୁନ୍ଦର ନବଯୁବତୀର ସାନ୍ନିଧ୍ୟ ଲାଭ କରନ୍ତେ କେମିତି ?

 

ସୁଖ ସମ୍ଭୋଗ ଭରା କଳା - ରାତି ପାହିଯାଏ । ସେ ରାତି କେତେ ଶୀଘ୍ର ପାହିଯାଏ ସତରେ ! କ୍ଳାନ୍ତ, ଶ୍ରାନ୍ତ ସ୍ୱର୍ଣ୍ଣପ୍ରଭାକୁ ଶାୟିତାବସ୍ଥାରେ ଛାଡ଼ିଦେଇ ଚାଲି ଆସନ୍ତି ।

 

ବିଚାରି ସ୍ୱର୍ଣ୍ଣର ସକାଳ ପହରକୁ ନିଦ ଆସେ । ସେ ଶୋଇ ଶୋଇ ସ୍ୱପ୍ନ ଦେଖେ । ସ୍ୱପ୍ନର ସରୁ ସରୁ ଖିଅରେ ସେ ବାନ୍ଧି ହୋଇଯାଏ । ଯାହା ଜୀବନରେ କେବେହେଲେ ସମ୍ଭବ ହୋଇ ନାହିଁ, ସେହି ଅସମ୍ଭବ ଅନାଗତ ବିବାହର ସ୍ୱପ୍ନ ଦେଖେ ସେ !

 

ସେ ସ୍ୱପ୍ନ କେତେ ଆନନ୍ଦଦାୟକ ନୁହେ ସତରେ ।

 

ଦିନେ ଏକ ଆଶ୍ଚର୍ଯ୍ୟ ସକାଳେ ସ୍ୱର୍ଣ୍ଣ ଆବିଷ୍କାର କଲା, ସେ ମାଆ ହେବାକୁ ଯାଉଛି !!!

 

ଅବିବାହିତା କନ୍ୟା ସ୍ୱର୍ଣ୍ଣ ସତକୁ ସତ ମା ହେବାକୁ ଯାଉଥିଲା । ନାରୀର ମୌଳିକ ପ୍ରେମ ଭିତରେ ମାତୃତ୍ୱର ଗୌରବ ଅଛି ନିଶ୍ଚୟ ! କିନ୍ତୁ ଅବିବାହିତା କନ୍ୟାର ସନ୍ତାନ ଲାଭ ଶୁଭ ସୂଚନା ନୁହେ । ସାଧାରଣ ସମାଜ ସେ ଶୁଭ ସମ୍ୱାଦକୁ ଆନନ୍ଦ ଚିତ୍ତରେ ଗ୍ରହଣ କରେ ନାହିଁ, ସାମଜିକ ଚାଲିଚଳନ ତାକୁ ଅନୁମୋଦନ କରେ ନାହିଁ । ସଂସାର ଆଲୋକିତ ପଥରେ ଅଗ୍ରସର ହେବାକୁ ଯାଉଥିବା କୋମଳମତି ବାଳକ ବାଳିକାମାନଙ୍କ ପକ୍ଷରେ ସେ ହୁଏ ନିଷିଦ୍ଧ କାହାଣୀ ।

 

ସ୍ୱର୍ଣ୍ଣପ୍ରଭାର ସୁସ୍ଥ ଦେହରେ ମାତା ହେବାର ଅସ୍ତିତ୍ୱକୁ ସର୍ବପ୍ରଥମେ ସୂଚେଇ ଦେଲା, ଘରର ନୂତନ ଚାକରାଣୀ ଲଳିତା ।

 

ସକାଳୁ ଉଠି ସ୍ୱର୍ଣ୍ଣର କଣ ହେଲା କେଜାଣି,ସୁସ୍ଥ ଦେହରେ ଅବଶ ଅନୁଭବ କଲା । ତାର ମନେ ହେଲା, ସର୍ବାଙ୍ଗରେ ନୂତନ ଏକ କମ୍ପନ ସୃଷ୍ଟି ହୋଇଛି । ଅବୟବ କ୍ଳାନ୍ତ, ଶିଥିଳ ହୋଇ ଉଠିଛି । ଅବସନ୍ନ ଚକ୍ଷୁ ଡୋଳାରେ ସେ କେବଳ ତନ୍ଦ୍ରା ଅନୁଭବ କରୁଛି । ଚାହୁଁ ଚାହୁଁ ମୁଣ୍ଡ ଘୂରାଇ ହେବାକୁ ଲାଗିଲା । ସତେ ଅବା ସମଗ୍ର ପ୍ରାସାଦ ଆଖି ଆଗରେ ଚକର କାଟୁଛି । ଗଛକାଟିଲା ପରି ଦୁମ୍‌ ହୋଇ ସେ ତଳେ ପଡ଼ିଗଲା ।

 

ଲଳିତା ମାତ୍ର କେଇଦିନ ଆଗରୁ ନିଯୁକ୍ତି ପାଇଥାଏ । ଘର କାମକୁ ସତେ ଅବା ବିଜୁଳୀ ଖଣ୍ଡେ । ଧାଇଁଆସି ସ୍ୱର୍ଣ୍ଣକୁ ନିଜ କୋଳରେ ଶୁଆଇ ଆସ୍ତେ କରି ମୁଣ୍ଡରେ ପାଣି ଢାଳିଲା । ସ୍ୱର୍ଣ୍ଣ ଯେତେବେଳେ ଆଖିଫିଟାଇ ଦେଖେ, ସେ ଆସି ବିଛଣାରେ ଶୋଇଛି ।

 

ଲଳିତା ସମସ୍ତ ଘଟଣା ବର୍ଣ୍ଣନା କରିସାରି ଚୁପ୍‌ ଚୁପ୍‌ ପଚାରିଲା, ଗୋଟିଏ କଥା ପଚାରିବି କହିବ ?

 

ସ୍ୱର୍ଣ୍ଣ ନିଜର ସମ୍ମତି ପ୍ରଦାନ କଲା ।

 

ତୁମେ ବୋଧହୁଏ ମା’ ହେବାକୁ ଯାଉଛ । କ’ଣ ମିଛ କହୁଛି ? ଲଳିତା ଉତ୍ତର ଆଶାରେ ଅନାଇ ରହିଲା ।

 

କିନ୍ତୁ ଉତ୍ତର ଦେବା ଅବସ୍ଥାରେ ସ୍ୱର୍ଣ୍ଣ ଆଉ ନଥିଲା । ସେ ଲଳିତା କଥାର ସତ୍ୟତାକୁ ମନେ ମନେ ଉପଲବ୍‌ଧି କରି ପାରୁଥିଲେ ବି ନିଜ ପାଟିରେ ସେତକ ସ୍ୱୀକାର କରିବାକୁ କୁଣ୍ଠାବୋଧ କରୁଥିଲା । ବିବାହିତା ସ୍ତ୍ରୀ, ପୁରୁଷର ସାନ୍ନିଧ୍ୟ ଲାଭପରେ ଯେ ମା’ ହୁଏ; ଏ କଥା ତା’ ଆଗରେ ଅଜଣା ନାହିଁ । କିନ୍ତୁ ଯେଉଁ କଥାକୁ ଆଜି ପର୍ଯ୍ୟନ୍ତ ଭୟକରି ଆସୁଥିଲା, ସେହି କଥାରେ ଆଜି ନିଜେ ପହଞ୍ଚି ଯାଇଛି । ଲଳିତାର ସରଳ ପ୍ରଶ୍ନ ଗୋଟାକ ତା’ ସାମନାରେ ବିରାଟ ରୂପ ଧରି ବାରମ୍ୱାର ଘୂର୍ଣ୍ଣନ କଲା । ସେହି ପ୍ରଶ୍ନ ଭିତରେ ସମଗ୍ର ସଂସାରର ଉପହାସ ଓ ବ୍ୟଙ୍ଗଭରା ମନ୍ତବ୍ୟକୁ ସ୍ପଷ୍ଟ ରୂପେ ଦେଖିବାକୁ ପାଇଲା । ଲଳିତା ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ନିଜେ ମୂର୍ଚ୍ଛା ଗଲା ।

 

ଆଜି ଯଦି ସ୍ୱର୍ଣ୍ଣ ବିବାହିତା ହୋଇଥାନ୍ତା; ତାହା ହେଲେ କେତେ ଆନନ୍ଦରେ ଏ ଶୁଭ ଦିନଟାକୁ ପାଳନ କରି ନ ଥାନ୍ତା ! ପ୍ରଜାପତି ପରି ପଣତ ଉଡ଼ାଇ, ସାହୀ, ପଡ଼ିଶା, ଆତ୍ମୀୟ ସ୍ୱଜନ ସମସ୍ତଙ୍କ ଆଗରେ ଉଦ୍ଦେଶ୍ୟ ମୂଳକ ଭାବରେ ନିଜର ମାଆ ହେବା କଥାଟାକୁ ପ୍ରଚାର କରି ବୁଲିଥାନ୍ତି । ଅଚିହ୍ନା ଭବିଷ୍ୟତର ସୁନେଲୀ ସ୍ୱପ୍ନରେ ନିଜ ମନ, ନିଜ ଶରୀରକୁ ବୁଡ଼ାଉ ଦେଇଥାନ୍ତା-। କିନ୍ତୁ ଏଶୁଭ ସମ୍ୱାଦ ଅବେଳରେ ତା’ କାନରେ ପଡ଼ି ବଜ୍ରପାତର ବ୍ୟଥା ଦେଲା-

 

ପୁଣି ଥରେ ଆଖି ଫିଟାଇ ଦେଖିଲାବେଳକୁ ଲଳିତା ପିଠି ପାଖରେ ବସି ବିଞ୍ଚିବାରେ ବ୍ୟସ୍ତ ଅଛି । ସାମନାରେ ବଟକୃଷ୍ଣବାବୁ ଛିଡ଼ା ହୋଇ ଡାକ୍ତର ସଙ୍ଗେ କଥାବାର୍ତ୍ତା କରୁଛନ୍ତି ।

 

ସ୍ୱର୍ଣ୍ଣର ସଂବିତ ଫେରି ଆସିବା ଦେଖି ଡାକ୍ତର ଫେରିଗଲେ ।

 

ବଟକୃଷ୍ଣବାବୁଙ୍କଠାରୁ ନିର୍ଦ୍ଦେଶ ପାଇ ଲଳିତା ବି ପ୍ରସ୍ଥାନ କଲା ।

 

ସ୍ୱର୍ଣ୍ଣ ଶୁଣିଥିବା କଥାକୁ ଅପୂର୍ବ ଉତ୍ସାହ ନେଇ ବଟକୃଷ୍ଣ ବାବୁଙ୍କ ଆଗରେ ବ୍ୟକ୍ତ କଲା । କହିଲାବେଳେ ସେ ହସିବାକୁ ଚେଷ୍ଟା କରୁଥିଲା । ଭାବିଲା, ଏ କଥା ଶୁଣିବା ମାତ୍ରେ ବଟକୃଷ୍ଣ ବାବୁ ଆନନ୍ଦାତିଶଯ୍ୟାରେ ତାକୁ ଆଲିଙ୍ଗନ କରିବେ ପରା । ଆଶ୍ୱାସନା ଦେଇ କହିବେ, ଏ ତ ଶୁଭ ଖବର ଦେଇଛ, ସ୍ୱର୍ଣ୍ଣ । ସନ୍ତାନ ଭୂମିଷ୍ଠ ହେବା ପୂର୍ବରୁ ଆମେ ବିବାହ କରିନେବା । ଅନାଗତ ଅତିଥିକୁ ସମାଜର କ୍ରୁର ଅବିଚାରରୁ ମୁକ୍ତ କରିବା । ତା’ ପରେ ଆଉ କିଛି ହେଲେ ବାଧା ବନ୍ଧନ ନ ଥିବ ।

 

କିନ୍ତୁ ଏ କଣ ? ସ୍ୱର୍ଣ୍ଣର କଥା ଶୁଣି ବଟକୃଷ୍ଣବାବୁଙ୍କ ମୁହଁରେ ହସ ଫୁଟିବା ପରିବର୍ତ୍ତେ ବିଷାଦର କାଳିମା ବୋଳି ହୋଇଗଲା । ସତେ ଅବା ଏ ସମ୍ୱାଦ ଶୁଣିବାକୁ ସେ ମୋଟେ ହେଲେ ପ୍ରସ୍ତୁତ ନ ଥିଲେ । କହିଲେ, ଏ କଥା ଡାକ୍ତର ବି କହିଗଲେ ସ୍ୱର୍ଣ୍ଣ ।

 

ତାହା ହେଲେ ତାରି ମୁହଁରୁ ଶୁଣିବା ପୂର୍ବରୁ ବଟକୃଷ୍ଣବାବୁ ଏ କଥା ଜାଣି ନେଇଛନ୍ତି ? କିନ୍ତୁ ସେ ଗମ୍ଭୀର ହୋଇ ଉଠିଛନ୍ତି କାହିଁକି ? ମୁଖମଣ୍ଡଳରେ ସେହି ସ୍ୱଭାବ ସୁଲଭ ହସ କାହିଁ ? ଚାହାଣିରେ ସେହି ପରିଚିତ ଚାଞ୍ଚଲ୍ୟ କାହିଁ ? ତେବେ କଣ ସେ ପିତୃତ୍ୱର ଆସନରେ ଆସୀନ ହେବାକୁ ଚାହାନ୍ତି ନାହିଁ ? ଭାବୀ ସନ୍ତାନ ଲାଭପାଇଁ ପ୍ରସ୍ତୁତ ନୁହନ୍ତି ?

 

ସ୍ୱର୍ଣ୍ଣପ୍ରଭାର ସେହି ମୁହୂର୍ତ୍ତଟି ଥିଲା ଜୀବନରେ ଏକ ମସ୍ତବଡ଼ ସଂକଟମୟ ମୁହୂର୍ତ୍ତ ! କଣ କହିବେ ବଟକୃଷ୍ଣ ? ଏ ଦାୟିତ୍ୱକୁ କଣ ମୁହେଁ ମୁହେଁ ପ୍ରତ୍ୟାଖ୍ୟାନ କରି ଦେବେ ?

 

ବଟକୃଷ୍ଣ ତାହାହିଁ କଲେ । କହିଲେ, ଏ ବୟସରେ ତୁମେ ମାତା ହେବାର ଉଚିତ ହେବନି ସ୍ୱର୍ଣ୍ଣ । ଏ ରୂପ, ଏ ସ୍ୱାସ୍ଥ୍ୟ ମଳିନ ପଡ଼ିଯିବ । ରକ୍ତରେ ଆଉ ଚାଞ୍ଚଲ୍ୟ ଖେଳିବ ନାହିଁ କି କଟାକ୍ଷରେ ବିଜୁଳି ନାଚିବ ନାହିଁ । ତା’ଅପେକ୍ଷା ତୁମେ ଯଦି........

 

କଣ କରିବାକୁ କହୁଛନ୍ତି, ବଟକୃଷ୍ଣ ? ତାଙ୍କ ଆଗରେ ରୂପ ଲାବଣ୍ୟ କେବଳ ବଡ଼, ଆଉ ସନ୍ତାନ ବଡ଼ ନୁହେ । ଜୀବନ ପଣକରି ସ୍ତ୍ରୀ ସନ୍ତାନ କାମନା କରେ । ଅଥଚ ସୁଲଭରେ ପ୍ରାପ୍ତ ହୋଇଥିବା ତା’ର ମାତୃତ୍ୱକୁ ସେ ସମ୍ମାନ ଦେବାକୁ ଚାହାନ୍ତି ନାହିଁ କାହିଁକି ? ବିବାହ କରିବାର ପ୍ରତିଶ୍ରୁତି ଦେଇ ତାରି ରକ୍ତରେ ସେ ହିତ କାମନାର ଅନଳକୁ ପ୍ରଜ୍ୱଳିତ କରିଥିଲେ । ତାରି ଦେହରୁ ସବୁ ସୁରଭି ନିଃଶେଷ କରି ସେ ତ ଦିନେ ଅଭୟ ଶୁଣାଇ ଥିଲେ । ଆଜି ଏ ବିମୁଖତା କାହିଁକି ?

 

ତୁମେ ଚିନ୍ତା କର ସ୍ୱର୍ଣ୍ଣ । ଭବିଷ୍ୟତକୁ ଯଦି ରସାଳ ଓ ପୁଷ୍ପିଳ କରିବାକୁ ଚାହଁ, ତୁମକୁ ଏ ସନ୍ତାନ-ଅଭିଳାଷ ତ୍ୟାଗ କରିବାକୁ ହେବ । ସମ୍ମତି ପ୍ରଦାନ କଲେ; ମୁଁ ତା’ର ସୁବ୍ୟବସ୍ଥା କରିଦେବି-। ତୁମ, ମୋ ବ୍ୟତୀତ ଆଉ କେହି ହେଲେ ସେ କଥା ଶୁଣିବା ବା ଜାଣିବାର ଅବକାଶ ଆଉ ନ ଥିବ । ଏଇଆ କହି ବଟକୃଷ୍ଣ ଚାଲିଗଲେ ।

 

ସ୍ୱର୍ଣ୍ଣପ୍ରଭାକୁ ଚଉଦିଗ ଅନ୍ଧାର ଦେଖାଗଲା, ତା’ର ନାରୀତ୍ୱ ଏତେ ବଡ଼ ଅବମାନନା ପାଇବ ବୋଲି ଜୀବନରେ କେବେହେଲେ ଦିନେ ଭାବି ନ ଥିଲା । ସୁଖ ପଛକୁ ପୁଣି ଏତେ ବଡ଼ ଦୁଃଖ ଥିଲା ? ଯଦି ସେ ଜାଣିଥାନ୍ତା, ବଟକୃଷ୍ଣବାବୁ ଜୀବନରେ ଏତେ ବଡ଼ ଧକ୍‌କା ଦେବେ ବୋଲି; ତାହା ହେଲେ କଦାପି ସେ ସୋନପୁର ଛାଡ଼ି ଆସି ନ ଥାନ୍ତା । ସେହି ନିଃସଙ୍ଗ, ନିରୋଳା ଜୀବନ ନେଇ କାଳଯାପନ କରିଥାନ୍ତା ।

 

କିନ୍ତୁ ଯାହା ହେବାର ସେ ସରି ଯାଇଛି । ତାକୁ ନେଇ ଭାବନା କରିବା ବୃଥା । ଜୀବନରେ ଯେଉଁ ଭୁଲ କଲା, ତା’ର ପ୍ରାୟଶ୍ଚିତ କରିବାକୁ ପଡ଼ିବ ।

 

ରାଜବାଳା ପୁଣି ଥରେ ଚିଠି ଦେଇଛନ୍ତି କହିଛନ୍ତି, ତୁ ଉତ୍ତର ଦେବାରେ କେବେହେଲେ ତ ଏତେ ବିଳମ୍ୱ କରୁ ନ ଥିଲୁ । ତୋର କ’ଣ ହୋଇଛି ସ୍ୱର୍ଣ୍ଣ ? ଚିଠି ଦେବୁ । ସପ୍ତାହକ ଭିତରେ ଉତ୍ତର ନ ପାଇଲେ ମୁଁ ନିଜେ ଯାଇ ତରଭାରେ ପହଞ୍ଚିବି ।

 

ସ୍ୱର୍ଣ୍ଣ ଭାବୁଥିଲେ, କି ଉତ୍ତର ଦେବ ତା’ରି ମା’କୁ ? ସେ ଯଦି ତା’ର ସନ୍ତାନ-ସମ୍ଭବ କଥା ଲେଖେ ତେବେ ତା’ ମା’ କଣ ଏତେ ବଡ଼ ଅଘଟଣକୁ ସହ୍ୟ କରି ପାରିବେ ? ସେ ହୁଏତ ଦୁଃଖରେ ଭାଙ୍ଗି ପଡ଼ିବେ । ସୋନପୁରର ସେହି ଛୋଟ ନୀଡ଼ଟିରେ ହା’ହୋଳ ପଡ଼ିଯିବ । ସତେ କି ନିଜ ଭିତରୁ କାହାର ଦେହାନ୍ତ ହୋଇଗଲା । ବାପା ଏ ଖବରରେ ଖୁସି ନ ଥିଲେ । ପ୍ରଥମ ସାକ୍ଷାତରୁହିଁ ବଟକୃଷ୍ଣ ଉପରେ ତାଙ୍କର ଅବିଶ୍ୱାସ ଜାତ ହୋଇଥିଲା । ସେଇଥିପାଇଁ ବିବାହ ସମ୍ୱନ୍ଧୀୟ ଆଲୋଚନା ବେଳେ ମାଆଙ୍କ ସଙ୍ଗରେ ତାଙ୍କର ମତାନ୍ତର ହେଉଥିଲା ।

 

ତାର ଏହି ମର୍ମନ୍ତୁଦ ଘଟଣା ଶୁଣି କଣ ଭାବିବେ ସୋନପୁର ସହରର ବାସିନ୍ଦା ? ନା ନା...ସେ ଏତେ ବଡ଼ କଥାଟି ଏତେ ସହଜରେ ଲେଖି ପାରିବ ନାହିଁ । ଅନ୍ୟାନ୍ୟ ଘଟଣା ଲେଖି ମାଆଙ୍କୁ ସେ ଚିଠି ଦେବ । ସେ ଚାହେଁ, ତା ମା ବାପ ସବୁଦିନ ପାଇଁ ସୁଖୀ ହୁଅନ୍ତୁ । ତା’ପାଇଁ ଅଯଥାରେ ଭାବି ହୁଅନ୍ତୁ ନାହିଁ ।

 

ସ୍ୱର୍ଣ୍ଣପ୍ରଭା କାଗଜ କଲମ ନେଇ ଚିଠି ଲେଖି ବସିଲା ।

 

କାନ ପାଖରେ ବଟକୃଷ୍ଣବାବୁଙ୍କ ଶେଷ ଉପଦେଶ ଶୁଭି ଯାଉଛି ! କହୁଛନ୍ତି ଏ ବୟସରେ ତୁମେ ମାତୃତ୍ୱ କାମନା କରନାହିଁ ସ୍ୱର୍ଣ୍ଣ ! ତୁମର ରୂପ ବିଭବ ଝାଉଁଳି ପଡ଼ିବ । ଅନାଗତ ଅତିଥିକୁ ଏଇ ଅବସ୍ଥାରୁ ବିଦାୟ ଦିଅ । ଦୁନିଆର ଆଲୋକ ଦେଖିବା ପୂର୍ବରୁ ତୁମ ମନରେ ମମତାର ଚମକ ଲଗାଇବା ପୂର୍ବରୁ ସେ ବିଦାୟ ନେଉ ।

 

ସ୍ୱର୍ଣ୍ଣପ୍ରଭା ଆଉ ଲେଖି ପାରିଲା ନାହିଁ । ସତରେ ସେ କଣ ମାଆ ହେବାପାଇଁ ଅନୁପଯୁକ୍ତା ? ସତରେ କଣ ତାର ମାଆ ହେବାର ବୟସ ଆସିନାହିଁ ? ନିଜର ଦେହ ମୁହଁକୁ ଅଶେଷ ଆଗ୍ରହ ନେଇ ଅନାଇଲା । ମାତୃତ୍ୱର କାମନା କରି ଦେହର ପ୍ରତିଟି ଲୋମକୂପ ପୁଲକିତ ହୋଇ ଉଠୁଛି । ଅବୟବରେ, ନିଜ ଅଜାଣତରେ, ସରସ ସୁନେଲି ରଙ୍ଗ ଛାଇ ହୋଇ ରହିଛି । ବକ୍ଷରେ ସେ ନୂତନ ସ୍ପନ୍ଦନ ଅନୁଭବ କରୁଛି । ପୀନ ବକ୍ଷୋଜ ଅନାଗତ ସନ୍ତାନର ଆଧାର ପରିବେଷଣ ପାଇଁ ପ୍ରସ୍ତୁତ ହୋଇ ଉଠୁଛି । ଏ ସବୁ ସତ୍ତ୍ୱେ ବଟକୃଷ୍ଣ କହିଗଲେ, ତା’ର ମାଆ ହେବାର ବୟସ ଆସିନାହିଁ ପେଟର ଭୃଣକୁ ନିପାତ କରିବାକୁ ହେବ । ବୀଜାବସ୍ଥାର ବିଲୋପ ସାଧନ କଲେ ସେ ଆଉ ଅଙ୍କୁରାବସ୍ଥାରେ ପହୁଞ୍ଚି ପାରିବ ନାହିଁ । ମହାଦ୍ରୁମ ପାଲଟି ସଂସାର ଆଗରେ ସାବ୍ୟସ୍ତ କରିବ ନାହିଁ, ହେଇ ମୁଁ ଅଛି... ମୋର ଦାବୀ ଅଛି...ମୋର ଅସ୍ତିତ୍ୱ ଅଛି ! !’’

 

ସତରେ ସେ କ’ଣ ଭୃଣ ହତ୍ୟା କରିବ ? ସଂସାରର ଆଉ କେତୋଟି ପୀଡ଼ିତା, ପତିତା ରମଣୀପରି ନିଜ ହାତରେ ଭୃଣକୁ ବିଷପାନ କରାଇବ ? ତା’ପରେ କିଛି ନ ଜାଣିଲାପରି ଗୋଡ଼ହାତ ଧୋଇ, ମୁହଁକୁ ବାଗେଇ ନେଇ ଦୁଆର ପାଖରେ ଛିଡ଼ା ହେବ, ଆଉ କେହି ନ ପଚାରିଲେ ବି ହସି ହସି ପ୍ରଚାର କରିବ, ମୁଁ କୁମାରୀ କନ୍ୟାଟିଏ । ଅକ୍ଷତ ଅଚୁମ୍ୱିତ ଅନାଘ୍ରାତ । ମୋ’ ଦେହରେ ପୁରୁଷ ପୁଅର ହାତ ବାଜି ନାହିଁ । ସୃଷ୍ଟିର ସଜ କୁସୁମ ମୁଁ । ଆସ, ପାଖକୁ ଆସି ପରୀକ୍ଷା କରି ନିଅ ।

 

ନା, ନା, ସେ ପତିତା ହେବାକୁ ଚାହେଁନା । କୁମାରୀ ଅବସ୍ଥାରେ ଏ ଅଯୋଚିତ ମାତୃତ୍ୱକୁ ସ୍ୱୀକାର କରିବାକୁ ଚାହେ ନା । ଦୁନିଆକୁ ସନ୍ଦେହର ଦୋଳାରେ ଝୁଲାଇବାକୁ ଚାହେ ନା-। ତା’ର ଏ ମାତୃତ୍ୱ କାମନାର ବିଲୟ ହେଉ । ତାର ସନ୍ତାନ କଳଙ୍କ ଦୂରିଭୂତ ହେଉ ।

 

କିନ୍ତୁ...ତାହାହେଲେ....ତାର ସେହି ଅନାଗତ ଗର୍ଭର ସନ୍ତାନ । ସେ କଣ କେବେହେଲେ ପୃଥିବୀର ଆଲୋକ ଦେଖି ପାରିବ ନାହିଁ । ସେ କ’ଣ ଥରକପାଇଁ ହେଲେ ତାକୁ ମାଆ ବୋଲି ଡାକି ପାରିବ ନାହିଁ ? ଏ ପୃଥିବୀ ସଙ୍ଗେ ପରିଚିତ ହେବା ପୂର୍ବରୁ ମାଆର ବିଷୟରେ ମୃତ୍ୟୁ ବରଣ କରିବ ? କଣ ତାର ଦୋଷ ?

 

ହେ ଭଗବାନ୍‌ ମୋତେ ଉପାୟ ଦିଅ । ଜୀବନର ଏ ଦୋ, ସନ୍ଧି ଛକରେ ଉପାୟଦାନକରି ଉଚିତ ମାର୍ଗରେ ପରିଚାଳିତ କର । ଅନଭିଜ୍ଞା କୁମାରୀ କନ୍ୟା ମୁଁ ସୃଷ୍ଟିର ଜଟିଳତା ଭିତରେ ପଶିନାହିଁ । ସୃଷ୍ଟିର କୁଟୀଳତା ନେଇ ମୋର ଏତିକି ଟିକିଏ ଧାରଣା ନାହିଁ । ବଟକୃଷ୍ଣବାବୁଙ୍କୁ ମୋ’ ହୃଦୟର ସ୍ୱଚ୍ଛଳ ପ୍ରେମ ବାଢ଼ି ପ୍ରଣତି ଜଣାଇଥିଲି । ପୁରୁଷକୁ ପ୍ରେମ ଦେଇ, ଅନ୍ତର ଦେଇ ଭଲ ପାଇବା ତ ସ୍ତ୍ରୀର କର୍ତ୍ତବ୍ୟ । କିନ୍ତୁ ମୁଁ ଆଜି ଉପେକ୍ଷିତା ହୋଇଛି ପ୍ରଭୁ । ବଟକୃଷ୍ଣ ବାବୁ ମୋ ଦେହର ମାଂସ ଚାହାନ୍ତି, ଲାବଣ୍ୟ ଚାହାନ୍ତି । ମୋ’ ରୂପରେ ହୁରି ଖେଳିବା ତାଙ୍କର ପ୍ରୟାସ । କିନ୍ତୁ ସେହି ମାଂସ, ଲାବଣ୍ୟ ଓ ରୂପର ଫୁଲକୁ ସେ ଅନାଇବାକୁ ସୁଦ୍ଧା ଚାହାନ୍ତି ନାହିଁ । ମୋତେ ସୁନ୍ଦରୀ କରି ଜନ୍ମ ଦେଇଛ ସେଥିପାଇଁ ତୁମକୁ ଅଶେଷ ଧନ୍ୟବାଦ ଦେବତା । ମୋତେ ସନ୍ତାନସମ୍ଭବା କରିଛ, ସେ ବି ତମର ମହତ ଉଦ୍ଦେଶ୍ୟର ସୂଚନା । କିନ୍ତୁ ମୋରି ରକ୍ତ ମାଂସର ଅନାଗତ ଶିଶୁ, ଏହି ଧୂଳି ମାଟିର ଧରଣୀରେ ସୁସ୍ଥ ନାଗରିକ ଭାବରେ ବଞ୍ଚିବାର ଅଧିକାର ଦିଅ । ମୁଁ ଯେମିତି ନିର୍ବିଘ୍ନରେ ମୋ ସନ୍ତାନର ମୁଖାବଲୋକନ କରେ, ତାର ଲାଳନପାଳନରେ ମନୋନିବେଶ କରେ ଓ ତାକୁ ଏ ଭରା ବନ୍ଧରୁ ସ୍ତନ୍ୟ ଦାନ କରି କୃତାର୍ଥ ହୁଏ । ସେହି ମାର୍ଗ ମୋତେ ଦେଖାଇ ଦିଅ ।

 

ସ୍ୱର୍ଣ୍ଣପ୍ରଭା ଯୋଡ଼ହସ୍ତ ହୋଇ ଅଦୃଶ୍ୟ ଦେବତାକୁ ପ୍ରଣତି ଜଣାଉ ଥିଲା । ବେଶବାସ ପ୍ରତି ଖିଆଲ ନ ଥାଏ । ସତେ ଅବା ସାତ ବର୍ଷର ଅବୋଧ ଶିଶୁ ମାଆ ପାଖରେ ଅଳି କରୁଛି । ଆଖି ଦୁଇଟିରୁ ଶ୍ରାବଣର ଧାରଧାର ହୋଇ ଲୁହ ଝରୁଥାଏ । ବକ୍ଷାଞ୍ଚଳ ସେ ଲୁହରେ ଓଦା ହୋଇ ସାରିଥାଏ ।

 

ଲଳିତା କ୍ରନ୍ଦନରତା ସ୍ୱର୍ଣ୍ଣପ୍ରଭାକୁ ନିର୍ମିମେଷ ନୟନରେ ଅନାଇ ରହିଥିଲା । ଅଳ୍ପକ୍ଷଣ ପାଇଁ ଅପେକ୍ଷା କରି, ପାଖକୁ ଲାଗିଆସି କହିଲା, ଶୁଣୁଛ ସାଆନ୍ତାଣି, ମୋ କଥା ମାନି ତୁନି ହୋଇ ଯାଅ । ମୁଁ ଉପାୟ କହିଦେବି ।

 

ତଥାପି ସ୍ୱର୍ଣ୍ଣପ୍ରଭାର ଧ୍ୟାନଭଗ୍ନ ହେଉ ନ ଥାଏ । ଅଦୃଶ୍ୟ ଦେବତାର ପାଦପଦ୍ମରେ ନିଜକୁ ଗୋଟାପଣେ ମିଶାଇ ଦେଇଥାଏ ଯେମିତି । ଦୁର୍ବଳର ବଳ ତ ସେହି ଏକମାତ୍ର ଭଗବାନ । ସାହା, ଭରସା ନ ପାଇଲେ ଲୋକ ସେଇଥିପାଇଁ ଈଶ୍ୱରଙ୍କ ଶରଣ ପଶେ ।

 

କୌଣସି ଧର୍ମରେ ଏହାର ବ୍ୟତିକ୍ରମ ନାହିଁ ।

 

ଖ୍ରୀଷ୍ଟିଆନ୍‌ ଝିଅ ସ୍ୱର୍ଣ୍ଣପ୍ରଭା ପରମଦୁର୍ଯୋଗ ମୁହୂର୍ତ୍ତରେ ଏକମାତ୍ର ଆଶ୍ରୟଦାତା ଭଗବାନଙ୍କୁ ସ୍ମରଣ କରୁଥିଲା ।

 

ଲଳିତା ପୁଣି ଥରେ ସ୍ୱର୍ଣ୍ଣପ୍ରଭାର ଧ୍ୟାନ ଭାଙ୍ଗିବାକୁ ଚେଷ୍ଟା କଲା ।

ସ୍ୱର୍ଣ୍ଣପ୍ରଭା ଲୁହବୋଳା ଆଖିରେ ଦେଖିଲା, ଲଳିତା ତା’ପାଇଁ ଅପେକ୍ଷା କରିଛି । ଲଳିତାର ଚାହିଁବା ଭଙ୍ଗୀରୁ ସହାନୁଭୂତିର ସୂଚନା ମିଳୁଥିଲା । ବୁଡ଼ିଗଲା ଲୋକ କୁଟାଖିଅକୁ ଆଶ୍ରା କଲାପରି କହିଲା, କଅଣ ଭଉଣୀ ?

ଲଳିତା ସେ ସମ୍ୱୋଧନ ଶୁଣି ଆଶ୍ଚର୍ଯ୍ୟ ହେଲା ନାହିଁ । କିନ୍ତୁ ତାର କରୁଣ କଣ୍ଠ ଶୁଣି ମର୍ମାହାତ ହେଲା । ଭାବିବାକୁ ଲାଗିଲା, ଏଡ଼େ ସୁନ୍ଦର ଝିଅଟା ବଟକୃଷ୍ଣ ପରି ଜଘନ୍ୟ ଲୋକର ହାତଧରି ଏତେ ଅବସ୍ଥା ହେଲା । ଆଉ କାହାକୁ ବିଭା ହୋଇଥିଲେ ରାଜରାଣୀର ସୌଭାଗ୍ୟ ପାଇଥାନ୍ତା । ସେ ମନେ ମନେ ବଟକୃଷ୍ଣକୁ ଗାଳିଦେଲା । ପ୍ରକାଶ୍ୟରେ କହିଲା, ତମେ ମାଆ ହେବାକୁ ଯାଉଛ ଦେଈ, ଯଦି ଏ ଅବସ୍ଥାରେ ତୁମେ ସନ୍ତାନ କାମନା ନ କର ତାହାହେଲେ ଔଷଧ ଆଣି ତୁମକୁ ଏ ବିପଦରୁ ଖଲାସ କରିବାର ଦାୟିତ୍ୱ ମୋରି ଉପରେ ଛାଡ଼ିଦିଅ ।

କଣ କହୁଛୁ ଲଳିତା ? ସ୍ୱର୍ଣ୍ଣ ପ୍ରଶ୍ନକଲା ।

ବିଶ୍ୱାସ କର ସାଆନ୍ତାଣି, କିଛି କଷ୍ଟକର ବ୍ୟାପାର ନୁହେ । ତରଭା ପାଖରେ ‘କମସରା’ ବୋଲି ଗାଁଟିଏ ଅଛି । ସେଠିକାର ସ୍ଥାୟୀ ବାସିନ୍ଦା କମାବୁଢ଼ୀ ଏସବୁ ବିଦ୍ୟାରେ ଧୁରନ୍ଧର । ମନ୍ତ୍ରପାଣି ଦେଲେ ବିପଦ କଟିଯିବ । ଲଳିତା ଆଶ୍ୱାସନା ଦେଲା ।

ତୁ ସ୍ତ୍ରୀଲୋକ ହୋଇ ଏତେ ବଡ଼ କଥା କହି ପାରିଲୁ ଲଳିତା ? ତୋ ହୃଦୟରେ କଣ ସନ୍ତାନ ଆଶା ମୋଟେ ନାହିଁ ? ତୁ ମାଆ ହେବାକୁ ଚାହୁଁନା ? ତୋତେ ଯିଏ ନାରୀ କରି ଜନ୍ମଦେଲା ତାକୁ ଶତାଧିକ ଲଳିତା । ଶୁଣି ରଖ, ମୋ’ ଗର୍ଭର ସନ୍ତାନ ଅବୈଧ ହେଉ ପଛକେ, ମୁଁ ନିଶ୍ଚୟ ତାରି ଜୀବନର ନିରାପତ୍ତା ବଜାୟ ରଖିବି । ସେଥିପାଇଁ ଯେତେ କଷ୍ଟ, ଯେତେ ବାଧା ପଡ଼ୁନା କାହିଁକି, ମୁଁ ତାକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ଅଛି । ସ୍ୱର୍ଣ୍ଣପ୍ରଭା ଉତ୍ତର ଦେଲାବେଳେ ଅତିଶୟ ସବଳ ଦେଖାଯାଉଥିଲା । ତାର ଲୁହଝରା ଆଖିରୁ ସ୍ୱର୍ଗୀୟ ଦୀପ୍ତି ଝଲସି ଉଠୁଥିଲା ।

ଲଳିତାର ମୋହ ଭାଙ୍ଗିଗଲା । ସେ ସ୍ୱର୍ଣ୍ଣର ପଦଯୁଗଳକୁ ସ୍ପର୍ଶ କରୁ କରୁ ଉତ୍ତର ଦେଲା, ତୁମେ ମାନବୀ ନୁହ ଦେବୀଟିଏ ! ତୁମ ପାଖରେ ରହି ନିଜକୁ ନିଜେ ମୁଁ ଧନ୍ୟା ମନେ କରୁଛି ।

ରାତି ପାହି ସକାଳ ହେଲା ।

କିନ୍ତୁ ସେ ସକାଳଟି ଥିଲା ସ୍ୱର୍ଣ୍ଣପ୍ରଭା ପକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ସକାଳ ।

ବଟକୃଷ୍ଣବାବୁଙ୍କ ସଙ୍ଗରେ ଯେଉଁ ସୌମ୍ୟ, ପ୍ରଶାନ୍ତ ପୁରୁଷଟି ତରଭାର ସେହି ସମସ୍ୟା-ବହୁଳ-ବସାଘର ଭିତରେ ପାଦ ପକାଇଲେ, ସେ ଅନଙ୍ଗମୋହନ ବ୍ୟତୀତ ଆଉ କେହି ନୁହନ୍ତି ।

ଅନଙ୍ଗମୋହନ ଇତିମଧ୍ୟରେ ସର୍ବାଧିକ ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହୋଇ ପାରିଛନ୍ତି । ଓଡ଼ିଶା ସରକାରଙ୍କର ଏକ ଉଲ୍ଲେଖଯୋଗ୍ୟ ପଦବୀ ଗ୍ରହଣ କରିଛନ୍ତି । ତାଙ୍କ ସ୍ୱାସ୍ଥ୍ୟରେ ବି ଅଦ୍ଭୁତ ପରିବର୍ତ୍ତନ ହୋଇଛି ।

ସରକାରୀ କାର୍ଯ୍ୟରେ ସେ ତରଭା ଆସିଥିଲେ । ତରଭାର ତଥାକଥିତ ଜନ-ନେତା ବଟକୃଷ୍ଣଙ୍କର କଥା ଭାଙ୍ଗି ନ ପାରି ସେ ତାଙ୍କର ବସାକୁ ଆସିବାକୁ ବାଧ୍ୟ ହେଲେ ।

 

ରାଜମାର୍ଗରେ ମୋଟର ଅପେକ୍ଷା କରିଥାଏ ।

 

ଅନଙ୍ଗମୋହନ ବଟକୃଷ୍ଣଙ୍କ ସଙ୍ଗରେ ଅତି ସଙ୍କୋଚରେ ବସା ଭିତରକୁ ପଶି ଆସୁଥିଲେ ।

 

ସମସ୍ତେ କଣ ଏଇଠି ଥାଆନ୍ତି ? ଅନଙ୍ଗମୋହନ ପ୍ରଶ୍ନକଲେ ।

 

ବଟକୃଷ୍ଣ ହସିଲେ । ଉତ୍ତର ଦେଲେ, ସମସ୍ତେ ମାନେ ଆଉ କିଏ ନୁହେ ଯେ, ମୁଁ ଆଉ ମୋର ଏ ଅନୁଚର ଅବୟବ । ଆଉ ଏ ବସାଟି ଭିତରେ ମୋର ଜଣେ ବାନ୍ଧବୀ ଥାନ୍ତି । କିନ୍ତୁ ତାଙ୍କୁ ମୋର ପତ୍ନୀ ଭାବି ଭୁଲ କରିବେ ନାହିଁ ।

 

ସ୍ୱର୍ଣ୍ଣପ୍ରଭା କାନରେ ଅଲକ୍ଷ୍ୟରେ ଏଇ କଥା କେଇପଦ ପଡ଼ିଲା । କଥା ନୁହେ ତ ଚଡ଼କ-। ସେ ତଟସ୍ଥ ହେଲା । ଭାବିଲା, ବଟକୃଷ୍ଣ ବାବୁ ତାକୁ ବାନ୍ଧବୀ ବୋଲି ପର ଆଗରେ ପରିଚୟ ଦେଲେ କେମିତି ? ସେ କଣ ବଟକୃଷ୍ଣ ବାବୁଙ୍କର ବାନ୍ଧବୀ ? କେବଳ ମାତ୍ର ବାନ୍ଧବୀ-? ତା ବ୍ୟତୀତ ଆଉ କିଛି ନୁହେ ? ଆଜି ସେ ପତ୍ନୀରୁ ବାନ୍ଧବୀ ସ୍ତରକୁ ଚାଲି ଆସିଲେଣି । କାଲିକି ସେ ହୁଏତ ପରିଚିତା ଓ ପରେ ଅପରିଚିତା ହୋଇ ରହିଯିବ । ଆଃ, ଜୀବନରେ କି ଦୁର୍ଯୋଗରେ ଏ ବଟକୃଷ୍ଣ ବାବୁଙ୍କ ସଙ୍ଗରେ ଦେଖା ହୋଇଥିଲା ଯେ...

 

ସ୍ୱର୍ଣ୍ଣ ! ଏ ସ୍ୱର୍ଣ୍ଣ !! ଟିକିଏ ଆସିବ କି ? ବଟକୃଷ୍ଣ ବାବୁ ଅଦିନିଆ ଡାକ ପକାଉଛନ୍ତି । ଏହା ପୂର୍ବରୁ କେବେହେଲେ ତ ସେ ତାଙ୍କୁ ପାଖକୁ ଡାକି ବନ୍ଧୁମାନଙ୍କୁ ସଙ୍ଗରେ ପରିଚୟ କରାଇ ନ ଥିଲେ ? ତେବେ ଆଜି କାହିଁକି ? କଣ ତାଙ୍କର ଅଭିପ୍ରାୟ ।

 

ବଟକୃଷ୍ଣ ବାବୁ ମୁହୁର୍ମୁହୁ ଡାକ ଛାଡ଼ୁଛନ୍ତି ।

 

ସ୍ୱର୍ଣ୍ଣପ୍ରଭା ମୁଣ୍ଡରେ ଓଢ଼ଣା ଦେଇ ସମ୍ଭ୍ରାନ୍ତ ଘରର ଗୃହଲକ୍ଷ୍କୀ ପରି ଅଗ୍ରସର ହେଲା ।

 

ଆପଣ କିଛି ମନେ କରିବେ ନି’ । ଏ ଘରକୁ ନିଜର ମନେ କରିବେ । ଯେତେବେଳେ ଇଚ୍ଛା ଆସି ଆତିଥ୍ୟ ଗ୍ରହଣ କରୁଥିବେ । ବାନ୍ଧବୀ ମୋର ଚମତ୍କାର ମଣିଷ । ବ୍ୟବହାରରେ କୌଣସି ବ୍ୟତିକ୍ରମ ଦେଖିବାକୁ ପାଇବେ ନାହିଁ । ବଟକୃଷ୍ଣ ହସି ହସି ମନ୍ତବ୍ୟ ଦେଉଥିଲେ ।

 

ସ୍ୱର୍ଣ୍ଣପ୍ରଭା ଆତଙ୍କରେ ଶିହରି ଉଠୁଥିଲା । ଭାବୁଥିଲା, ବଟକୃଷ୍ଣ ବାବୁ ତାର ସନ୍ତାନ-ସମ୍ଭବା କଥା ଶୁଣି ଏକବାରେ ବଦଳି ଯାଇଛନ୍ତି । ବର୍ତ୍ତମାନ ସେ ଗୋଟିଏ ଅଜଣା, ଅଶୁଣା ବନ୍ଧୁକୁ ଆଣି ପରିଚୟ କରାଇ ଦେଉଛନ୍ତି । କାଲି ଆଉ ପାଞ୍ଚଜଣକୁ ଆଣିବେ । କହିବେ, ସ୍ୱର୍ଣ୍ଣପ୍ରଭା ମୋର କେବଳ ବାନ୍ଧବୀ ନୁହେଁ । ତୁମର ସମସ୍ତଙ୍କର । ସେ ଆତିଥ୍ୟରେ ବ୍ୟତିକ୍ରମ କରେ ନା । ତାକୁ ଇଚ୍ଛା ମୁତାବକ ବ୍ୟବହାର କର ।

 

ସ୍ୱର୍ଣ୍ଣପ୍ରଭା ସେହି ଅନାଗତ ଭବିଷ୍ୟତ ପ୍ରତି ସତର୍କ ରହିବାକୁ ଇଚ୍ଛା କଲା । ଭୟ, ଗ୍ଲାନି ଓ ଆଶଙ୍କାର ମିଶାମିଶି ଭାବନା ତା’ ମନ ଉପବନରେ ଝଡ଼ ସୃଷ୍ଟି କରୁଥାଏ । ତଥାପି ସେ ରହି ରହି, ଥରି ଥରି ଆସିଲା ମୁହଁ ଗୋଟାକ ତାର ବିଷର୍ଣ୍ଣ ହୋଇ ପଡ଼ିଥାଏ । ଆଖିକୋଣରେ ଅଶ୍ରୁ ଥାଏ ।

 

ଆରେ, ଆଜି ତମର ଏକି ନବତମ ବେଶ ? ଏ ଯେ ମୋର ଅତି ଆପଣାର ବନ୍ଦୁ ଅନଙ୍ଗମୋହନ । ଓଡ଼ିଶା ସରକାରଙ୍କ ପଦସ୍ଥ ଅଫିସର । ତାଙ୍କ ଆଗରେ ଏତେ ଲଜ୍ଜା କାହିଁକି ? ଆସ,ପରିଚୟ କରାଇ ଦିଏଁ । ଆରେ ଓଢ଼ଣା ଖୋଲ ନା ।

 

ଅନଙ୍ଗମୋହନ ! ସେ ନା ଶୁଣି ସ୍ୱର୍ଣ୍ଣପ୍ରଭା ପାଷାଣୀ ଅହଲ୍ୟା ପାଲଟି ଗଲା । ତାରି ଅଜାଣତରେ ମୁଣ୍ଡ ଓଢ଼ଣା ଖୋଲିଗଲା । ସେ ଚକିତ ଦୃଷ୍ଟିରେ ପୂର୍ବପରିଚିତ, ତା’ ଜୀବନର ପ୍ରଥମ ପୁରୁଷକୁ ଚାହିଁବାକୁ ଲାଗିଲା ।

 

ଅନଙ୍ଗମୋହନ ଏଇପରି ବେଶରେ ସ୍ୱର୍ଣ୍ଣପ୍ରଭାର ଦର୍ଶନ ଲାଭ କରିବେ ବୋଲି ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ । ସେ ଭାବୁଥିଲେ, ଏଇ ସେହି ସ୍ୱର୍ଣ୍ଣ ! ସହଜ, ସରଳ ,ସୁନ୍ଦର । ଦିନେ ତାଙ୍କୁ ଆପଣାର ଭାବି ଅଗାଧ ସ୍ନେହରେ ବୁଡ଼ାଇ ରଖିଥିଲା । ସେ ଆଜିଠୁ ଅନେକ ଦିନ ତଳର କଥା । କିନ୍ତୁ ଭାବି ବସିଲେ କାଲି ପରି ଲାଗେ । ଛାତି ଭିତରଟା, ସର୍ବୋଚ୍ଚ ଓ ଦ୍ୱିଧାରେ ଦୋହଲି ଉଠେ । ସେ ତାକୁ ଦେଖିବାତ’ ଦୂରର କଥା, ମନେ ପକାଇବାକୁ ବି ଭୟଭୀତ ହୋଇ ଉଠନ୍ତି । କିନ୍ତୁ ଆଜି ଅସମୟରେ ଆସି ତାରି ସାମନାରେ ଉପସ୍ଥିତ ହୋଇ ଯାଇଛନ୍ତି । ଅଲକ୍ଷ୍ୟରେ ତାଙ୍କର ତୁଣ୍ଡରୁ ବାହାରି ପଡ଼ିଲା ତୁମେ ସ୍ୱର୍ଣ୍ଣ ?

 

ଆରେ, ଆପଣ ଯେ ବାନ୍ଧବୀ ସ୍ୱର୍ଣ୍ଣପ୍ରଭାକୁ ଆଗରୁ ଚିହ୍ନିଛନ୍ତି । ଦୁହେଁ ବସି କଥାବାର୍ତ୍ତା କରନ୍ତୁ । ମୁଁ ଏଇ ପାଞ୍ଚମିନିଟ୍‌ ଭିତରେ ଫେରୁଛି । ବଟକୃଷ୍ଣ ବିଦାୟ ନେଲେ ।

 

ସ୍ୱର୍ଣ୍ଣପ୍ରଭା ତାର ସମସ୍ତ ଦୁର୍ବଳତାକୁ ଦୂରୀଭୂତ କରି ସାମନାରେ ଆସି ଛିଡ଼ା ହେଉ ହେଉ ଉତ୍ତର ଦେଲା, ହଁ ଅନଙ୍ଗମୋହନ । ମୁଁ ସ୍ୱର୍ଣ୍ଣପ୍ରଭା । କଳଙ୍କିନୀ ସ୍ୱର୍ଣ୍ଣପ୍ରଭା ।

 

ଛି ସ୍ୱର୍ଣ୍ଣ ! ସେମିତି କଥା କହନ୍ତି ? କିଏ କହେ ତୁମେ କଳଙ୍କିନୀ ? ବରଂ ମୁଁ ନିଜେ ଦୋଷୀ । ତୁମର ରୂପ ଲାବଣ୍ୟରେ ବିଭୋଳ ହୋଇ ମୋ’ ନିଜର ପତ୍ନୀ, ପରିବାର ସବୁ କିଛି ଭୁଲି ଯାଇଥିଲି । ଗୋଟିଏ ନିଷ୍ପାପ, ସରଳ ତରୁଣୀକୁ ମୋହାବେଶକୁ ଟାଣି ଆଣି ତାରି ଜୀବନରେ କଳଙ୍କର-ଅଗ୍ନି ଲଗାଇବାକୁ ଅଗ୍ରସର ହେଉଥିଲି । ମୋ’ ବିବେକ ଶେଷକୁ ମୋତେ ବାଧା ଦେଲା । ଅତୀତ ପାଇଁ ମୁଁ ଅନୁତପ୍ତ ସ୍ୱର୍ଣ୍ଣ ! ଯଦି ପାର, କ୍ଷମା ଦିଅ । ସେହି ଅନୁତାପ, ସେହି ଲଜ୍ଜା ହେତୁ ତୁମ ସଙ୍ଗରେ ସାକ୍ଷାତ ବି କରି ପାରି ନ ଥିଲି । କିନ୍ତୁ ଅବଲୀଳା କ୍ରମେ ଏଇଠି ଦେଖା ହେଲା । ତୁମେ ଏଇଠି, ଏଇ ଅବସ୍ତାରେ କେମିତି ସ୍ୱର୍ଣ୍ଣ ?

 

ସ୍ୱର୍ଣ୍ଣପ୍ରଭାର ଚକ୍ଷୁରୁ ଲୋତକ ବର୍ଷଣ ହେଲା । ଥରି ଥରି କହିଲା, ସେ ମୋ ଭାଗ୍ୟର ଦୋଷ ଅନଙ୍ଗବାବୁ ! ଯାହାକୁ ନିଜର ବୋଲି ହାତ ବଢ଼ାଉଛି, ସେ ପର ହୋଇ ଯାଉଛି । ଭାଗ୍ୟ ଦୋଷରୁ ମୁଁ ବଟକୃଷ୍ଣର ପତ୍ନୀ ସ୍ତରରୁ ବାନ୍ଧବୀ ସ୍ତରକୁ ଓହ୍ଲାଇ ଆସିଲିଣି । କିନ୍ତୁ ତୁମ ଆଗରେ କହିବାକୁ ଲଜ୍ଜା ନାହିଁ ଅନଙ୍ଗମୋହନ, ମୋ’ ଗର୍ଭରେ ଆଜି ବଟକୃଷ୍ଣଙ୍କ ସନ୍ତାନ ଶୋଇଛି । ମୁଁ ମାଆ ହେବାକୁ ଯାଉଛି । ଯଦି ମୋ’ ଠାରୁ ଅତୀତରେ କିଛି ସ୍ନେହ କିଛି ସୌଖ୍ୟ ପାଇ ଖୁସି ହୋଇ ଥାଅ, ଆଉ ତାକୁ ପରିଶୋଧ କରିବାର ସୁଯୋଗକୁ ଅପେକ୍ଷା ରଖିଥାଅ, ତେବେ ଆଜି ସେ ସୁଯୋଗ ଆସିଛି । ବଟକୃଷ୍ଣଙ୍କୁ ବିବାହ ପାଇଁ ରାଜି କରାଇ ଦେଇ ପାରିଲେ ନିଜକୁ କୃତାର୍ଥ ମନେ କରିବି । ଭାବିବି, ଅତୀତରେ ଦିନେ ଆପଣାର ମନେ କରି ଯାହାକୁ ମୋ’ ଜୀବନର କିଛି ସୌଖ୍ୟ, କିଛି ସନ୍ତୋଷ ଦାନ କରିଥିଲି, ତାହା ଅପାତ୍ରରେ ପଡ଼ି ନାହିଁ । ଭାବିବି, ମୋ ଦୁର୍ଯୋଗରେ ସାହା ହେବାକୁ ଏବେ ବି’ କେତେକ ଆପଣାର ବନ୍ଧୁ ଅଛନ୍ତି ।

 

ଚାହୁଁ ଚାହୁଁ ସ୍ୱର୍ଣ୍ଣ ଫେରିଗଲା । ଅନଙ୍ଗମୋହନଙ୍କର ଉତ୍ତର ପାଇବାକୁ ଟିକିଏ ହେଲେ ଅପେକ୍ଷା କଲା ନାହିଁ ।

 

ଅନଙ୍ଗମୋହନ, ସ୍ୱର୍ଣ୍ଣପ୍ରଭାର ଦୁଃଖକୁ ନିଜ ଭିତରେ ଅନୁଭବ କରୁଥିଲେ । ଏତେ ସୁନ୍ଦର ଝିଅର ପୁଣି ଏତେ ଅସୁନ୍ଦର ଭାଗ୍ୟ ହୋଇପାରେ । ସହାନୁଭୂତି, ସମବେଦନାର ଛୋଟ ବଡ଼ ଅଗଣନ ତରଙ୍ଗ ଉଠି ତାଙ୍କର ମନ ସମୁଦ୍ରକୁ ମନ୍ଥନ କରି ପକାଉଥିଲା ।

ବଟକୃଷ୍ଣ ଚାକର ହାତରେ ଜଲଖିଆ ନେଇ ପହୁଞ୍ଚିଲେ । ଓଠ ଉପରେ ହସର ସରୁ ରେଖାଟିଏ ଲାଖି ରହିଥାଏ ।

ଉଭୟ ବନ୍ଧୁ ଟେବୁଲ ଉପରେ ବସିଲେ ।

ପ୍ରଥମ କରି କଥା ଆରମ୍ଭ କଲେ ଅନଙ୍ଗମୋହନ । କହିଲେ, ଆଉ କେତେଦିନ ଏକୁଟିଆ ରହିବ ବଟକୃଷ୍ଣ ? ବିବାହ କରୁନା ?

ବଟକୃଷ୍ଣ ହସରେ ଫାଟି ପଡ଼ିଲେ ଯେମିତି । ଉତ୍ତର ଦେଲେ, ବିବାହିତ ଜୀବନ କଣ ଅବିବାହିତ ଜୀବନ ଠାରୁ ଆହୁରି ମନୋରମ ? ଅବିବାହିତ ଜୀବନରେ ଅନେକ ରୋମାଞ୍ଚ, ଅନେକ ଆକର୍ଷକ । ଏ ଜୀବନ ସଙ୍ଗେ ବନ୍ଧୁତା ଆସି ଯାଇଛି । ତାକୁ ତ୍ୟାଗ କରି ପାରିବି ନାହିଁ ।

କିନ୍ତୁ ଆଉ କେତେ ଦିନ ବଟବାବୁ ?

କାହିଁକି ? ସବୁ ଦିନ ପାଇଁ !

ପାରିବ ତ ?

ନ ପାରିବା ଦିନ ସରିଯାଇଛି । ନାରୀର ଦେହ ନେଇ ଆଉ ଆଶ୍ଚର୍ଯ୍ୟ ହେବାକୁ ପଡ଼ୁନି । ପାରିବି ନାହିଁ କାହିଁକି କହିଲେ ?

ୟା’ ଉପରେ ଆଉ କି ପ୍ରଶ୍ନ ଥାଇପାରେ ? ତଥାପି ଅନଙ୍ଗମୋହନ ଛାଡ଼ିବାର ପାତ୍ର ନୁହନ୍ତି । କହିଲେ, ଯାହାକୁ ବାନ୍ଧବୀ ବୋଲି ଆହ୍ୱାନ କଲେ, ସେ ତ ଖୁବ୍‌ ସୁନ୍ଦରୀ । ତାକୁ ବାହା କରି ନେଉ ନା ?

ବଟକୃଷ୍ଣ ନିଜ ଯୁକ୍ତିରେ ଅଟଳ ରହି କହିଲେ, ଏଇ ସ୍ୱର୍ଣ୍ଣପ୍ରଭା କଥାତ କହୁଛନ୍ତି ? ଦେଖନ୍ତୁ, ମୁଁ ବିବାହର ପକ୍ଷପାତୀ ନୁହେ । ପୁଣି ସ୍ୱର୍ଣ୍ଣର ଦେହରେ ଏହି ଅବିବାହିତ ଅବସ୍ଥାରେ ଯେଉଁ ରୂପ ଲାବଣ୍ୟ ଦେଖି ପାରୁଛି, ତାହା ତାକୁ ବିବାହ କରିବା ଦ୍ୱାରା ବ୍ୟାହତ ହେବ । ସେ ଆଉ ସୁନ୍ଦର ହୋଇ ଦେଖା ଯିବ ନାହିଁ । ସେ କୁତ୍ସିତା ଓ ଆକର୍ଷକ-ରହିତା ହୋଇଯିବ ।

ନାଁ, ନାଁ, ଏ କି କଥା କହୁଛନ୍ତି ? ସୁନ୍ଦର ଜିନିଷ ସବୁବେଳେ ସବୁ ଅବସ୍ଥାରେ ସୁନ୍ଦର । ଅନଙ୍ଗମୋହନ ବିବାହ ସପକ୍ଷରେ ଯୁକ୍ତି ବାଢ଼ୁଥିଲେ ।

ଆଚ୍ଛା ଆପଣ କହିଲେ ଅନଙ୍ଗବାବୁ, ପୁରୁଷ ନିଜର ବିବାହିତା ପରମା ସୁନ୍ଦରୀକୁ ଛାଡ଼ି ପରସ୍ତ୍ରୀ ପ୍ରତି କଣ ଆକୃଷ୍ଟ ହୁଏ ନାହିଁ । ମୋ’ ଜାଣିବାରେ, ବିବାହିତା ସ୍ତ୍ରୀ ଯେତେ ସୁନ୍ଦର ହୋଇଥିଲେ ବି’ ଆକର୍ଷଣର ପାତ୍ରୀ ହୋଇ ପାରେ ନା ! କୋର୍ଟ କଚେରୀର ଅସଂଖ୍ୟ ମୋକଦ୍ଦମାରୁ ତା’ର ପ୍ରକୃତ ପ୍ରମାଣ ପାଇବାରେ ଅସୁବିଧା ହେବ ନାହିଁ । ଆଉ ଆପଣ କହୁଛନ୍ତି, ମୁଁ ସ୍ୱର୍ଣ୍ଣପ୍ରଭାକୁ ବିବାହ କରେ....ତଥାପି....

ଅନଙ୍ଗମୋହନଙ୍କ କଥାରେ ବାଧା ଦେଇ ବଟକୃଷ୍ଣ କହିବାକୁ ଲାଗିଲେ, ତଥାପି କଥା ଛାଡ଼ନ୍ତୁ ଅନଙ୍ଗବାବୁ ! ଅସଲ କଥା ହେଲା, ସ୍ୱର୍ଣ୍ଣପ୍ରଭା ସଙ୍ଗେ ମୋର ବିବାହ ହୋଇ ପାରେ ନାଁ ।

କାହିଁକି ?

ଏତକ ବୁଝି ପାରୁ ନାହାନ୍ତି ? ସ୍ୱର୍ଣ୍ଣପ୍ରଭା ହେଲା ଖ୍ରୀଷ୍ଟିଆନ୍‌ ଘରର ଝିଅ - ଆଉ ମୁଁ ନୈଷ୍ଠିକ ହିନ୍ଦୁ ସମ୍ପ୍ରଦାୟର । ଖ୍ରୀଷ୍ଟିଆନ୍‌ ଘରର ସୁନ୍ଦରୀ ଝିଅମାନଙ୍କ ସଙ୍ଗେ ବନ୍ଧୁତା ଚଳେ, କିନ୍ତୁ ବିବାହ ନୁହେ ।

ବଟକୃଷ୍ଣର ଏ ହୀନ, ବର୍ବର ବାକ୍ୟ ଶୁଣି ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟର ପୃଷ୍ଠପୋଷକ ଅନଙ୍ଗମୋହନ କ୍ରୋଧ ଜର୍ଜର ହୋଇ ଉଠିଲେ । ସେ ଉକ୍ତସ୍ତାନ ପରିତ୍ୟାଗ ପୂର୍ବକ ଏକମୁହାଁ ହୋଇ ଚାଲିଗଲେ । ଗଲାବେଳେ ଭଦ୍ରତା ଖାତିରିରେ ସୁଦ୍ଧା ବଟକୃଷ୍ଣଙ୍କ ପାଖରୁ ବିଦାୟ ନେବାକୁ ଉଚିତ ମନେ କଲେ ନାହିଁ ।

କିନ୍ତୁ ବଟକୃଷ୍ଣ ପରି ଅମଣିଷକୁ ସାମାନ୍ୟ ଆଘାତ ସୁଦ୍ଧା ଲାଗିଲା ନାହିଁ । ସେ କର ମର୍ଦ୍ଦନ କରିବାକୁ ଅନଙ୍ଗମୋହନଙ୍କର ଅନୁଗମନ କଲା । ସ୍ୱର୍ଣ୍ଣପ୍ରଭାର ଶେଷ ଆଶା ଟିକକ ମଉଳି ଗଲା ।

ସେ ଶୋଇବା ଶେଯରେ ପଡ଼ି ରହି କଇଁ କଇଁ ହୋଇ କାନ୍ଦୁଥିଲା ।

ବଟକୃଷ୍ଣଙ୍କର ଶତ ବିରୋଧ ସତ୍ତ୍ୱେ ସ୍ୱର୍ଣ୍ଣପ୍ରଭା ନିଜ ସଂକଳ୍ପରେ ଅଟଳ ରହିଲା ।

ବଟକୃଷ୍ଣ ପ୍ରଥମେ ଅନୁରୋଧ କଲେ । ତା ପରେ ଧମକ ଦେଲେ । ଧମକ ଓ ଅନୁରୋଧରୁ କିଛି ଫଳ ନ ମିଳିବାରୁ ତା’ ପାଖରୁ ନିଜକୁ ଦୂରେଇ ରଖିବାକୁ ଇଚ୍ଛାପୋଷଣ କଲେ । ଦିନ ଦିନ ଧରି ସେ ବସାଘରୁ ଅନୁପସ୍ଥିତି ରହିଲେ । ଏତଦ୍ଦ୍ୱାରା ପ୍ରକାରାନ୍ତରେ ଜଣାଇ ଦେବାକୁ ଚାହୁଁଥିଲେ ଯେ, ସ୍ୱର୍ଣ୍ଣପ୍ରଭା ତାଙ୍କ ପାଇଁ ଏକ ଅବାଞ୍ଛିତା ଯୁବତୀ ।

ଦିନକର କଥା ! ତରଭା ଆକାଶରେ ଅଦିନିଆ ମେଘ ଉଠାଇଥାଏ । ଦୀପ ଲାଗିବା ମାତ୍ରେ ସେ ସ୍ୱର୍ଣ୍ଣପ୍ରଭା ସାମନାରେ ଉପସ୍ଥିତ ହୋଇ ଡାକ୍ତରୀ ଔଷଧ ପୁଡ଼ାଟାକୁ ତାକୁ ଧରାଇ ଦେଉ ଦେଉ କହିଲେ, ତୁମ ଜୀବନର ଯଦି ମଙ୍ଗଳ ଚାହଁ, ତାହେଲେ ଏ ଔଷଧତକ ଖାଇ ନିଅ !

କିନ୍ତୁ ମୋର ତ’ କିଛି ହୋଇନି । ସ୍ୱର୍ଣ୍ଣ ପ୍ରତିବାଦ କଲା ।

କିଛି ହେଇନି ? ଆଉ ହୁଅନ୍ତା କଣ ଯେ ? ଅବିବାହିତା ତରୁଣୀ କନ୍ୟା ହୋଇ ସନ୍ତାନ ସମ୍ଭବା ହେବାରେ କିଛି ନାହିଁ ? କହିଲ ଦେଖି, ଏ ଦୁନିଆ ତୁମକୁ କଣ କହିବ ? ସମାଜ କଣ କହିବ ?

ମୁଁ ସେ ସବୁ କିଛି ଶୁଣିବି ନାହିଁ । ଯିଏ ଯାହା କହିଲା କାନ ମୁଦି ଦେବି । ସ୍ୱର୍ଣ୍ଣ ଉତ୍ତର ଦେଲା ।

କିନ୍ତୁ କିଛି ଦିନ ପାଇଁ ?

ସବୁଦିନ ପାଇଁ !

ମୁଁ ପିତୃତ୍ୱ କାମନା କରେ ନାଁ ।

ମୁଁ କିନ୍ତୁ ମାତୃତ୍ୱ କାମନା କରେଁ ।

ସନ୍ତାନଟି ମୋର ବୋଲି କହିଲେ, ରାଜି ହେବିନି’ ।

ନ ହୁଅ !

ଯଦି ସେହି ଅନାଗତ ସନ୍ତାନ ବଡ଼ ହୋଇ ତୁମକୁ ପଚାରେ, ମୋର ପିତା କିଏ ?

କହିବି, ତୋର ପିତା କେହି ନ ଥିଲେ କି ନାହାନ୍ତି । ମୁଁ ତୋତେ ଜନ୍ମ ଦେଇଛି । ମୁଁ ତୋର ମାତା ଓ ପିତା !

ସେ କଣ ମାନିବ ?

ନ ମାନିଲେ, ମୁଁ ତାକୁ ବୁଝାଇ ମନାଇ ଦେବି ।

ସେ ତାର ବଂଶ ପରିଚୟ ଜାଣିବାକୁ ଚାହିଁଲେ ?

କହିବି, ତୋର ପରିଚୟ ତୁ ନିଜେ । ତୋ’ ଠାରୁ ହିଁ ତୋରି ବଂଶ ଆରମ୍ଭ ହୋଇଛି । ଆଗରୁ କିଛି ନ ଥିଲା ।

କ୍ଷୋଭ ଓ ଗ୍ଲାନିରେ ବଟକୃଷ୍ଣ ସେହି ମେଘମଦୁର ଆକାଶରେ ବିଦାୟ ନେଲେ ।

ସ୍ୱର୍ଣ୍ଣପ୍ରଭା ତାଙ୍କୁ ଆଉ ଅଟକାଇ ରଖିଲା ନାହିଁ । ଯିଏ ନିଜ ଇଚ୍ଛାରେ ନିଜର ସମ୍ପର୍କ, ନିଜର ମମତାକୁ କାଟି ପକାଉଛନ୍ତି, ତାଙ୍କୁ ଆଉ ଫେରାଇ ଆଣି ଲାଭ କଣ ? ସେ ବରଂ ଫେରିଯିବା ଉଚିତ ହେବ । କାରଣ ତାଙ୍କର ଉପସ୍ଥିତିରେ ନିଜ ଜୀବନର ଦୁର୍ବଳତାହିଁ ମନେ ପଡ଼ିବ-

ବଟକୃଷ୍ଣ ଚାଲିଯିବାର ଅଧଘଣ୍ଟା ହୋଇଛି କି ନାହିଁ; ବସା ଘରକୁ ପ୍ରବେଶ କଲେ ରାଜବାଳା ।

ମା’ ଆସିଛନ୍ତି । ଅନେକ ଦିନ ପରେ ସେ ଝିଅ ପାଖକୁ ଆସିଛନ୍ତି । ତାଙ୍କ ମୁହଁର ଡାକ କେତେ ମଧୁରିଆ । କିନ୍ତୁ ସ୍ୱର୍ଣ୍ଣପ୍ରଭା ପାଦରେ ଶକ୍ତି ନ ଥିଲା । ଆନନ୍ଦାତିଶଯ୍ୟାରେ ପାଖକୁ ଧାଇଁଯାଇ ପ୍ରଣତି ଜଣାଇ ପାରିଲା ନାହିଁ ।

ରାଜାବାଳା ସେ ଘରକୁ ପ୍ରବେଶ କରୁ କରୁ ପାଟି କଲେ, ଏ ମୁହଁସଞ୍ଜରେ ପିଲାଟା ଓଦାରେ ଜଡ଼ବୁଡ଼ ହୋଇ ଧାଇଁଛନ୍ତି । ତାଙ୍କୁ ଏଇ ଆସିବା ବାଟରେ ଦେଖି ଆସିଲି । ମନା କଲୁ ନାହିଁ ?

ସ୍ୱର୍ଣ୍ଣ ନିରୁତ୍ତର ରହିଲା ।

 

ଓହୋ, ବୁଝିଲି । ତୁମ ଭିତରେ ମନୋମାଳିନ୍ୟ ହୋଇଛି ପରା ! କେମିତି ଘର କରିବ କେଜାଣି ? ଏ କାଳର ପୁଅ ଝିଅଙ୍କୁ ଆଉ ପାରି ହେଲା ନାହିଁ । ପ୍ରକାଶ୍ୟରେ ଏତକ ବ୍ୟକ୍ତକରି ସେ ସ୍ୱର୍ଣ୍ଣପ୍ରଭା ମୁହଁକୁ ଚାହିଁଲେ । କିନ୍ତୁ ଏ କଣ ? ସ୍ୱର୍ଣ୍ଣର ଆଖିରେ ଧାରା ଶ୍ରାବଣ । ରାଜବାଳା ତା’ ପାଖକୁ ଲାଗିଯାଇ ସ୍ନେହାର୍ଦ୍ର କଣ୍ଠରେ ଡାକିଲେ, ଝିଅ ।

 

ସ୍ୱର୍ଣ୍ଣପ୍ରଭା ସେହି ସ୍ନେହୀ ଡାକ ଶୁଣି ଗୋଟାପଣେ ତରଳି ଗଲା । ମାଆର ବେକରେ ଝୁଲିପଡ଼ି ସେ କାନ୍ଦୁ କାନ୍ଦୁ କହିବାକୁ ଲାଗିଲା, ଏତେ ବଡ଼ ହତଭାଗିନୀ କାହିଁକି ଜନ୍ମ ଦେଲୁ ମାଆ ? ଅନ୍ତୁଡ଼ିଶାଳରେ ତୋଟି ଚିପି ମାରିଦେଲୁନି କାହିଁକି ? ଆଜି ସ୍ୱର୍ଣ୍ଣ ବୋଲି ଏ ଦୁନିଆରେ କେହି ନ ଥାନ୍ତେ । ତୁ କେତେ ନିଶ୍ଚିନ୍ତ ହୋଇ ନ ଥାନ୍ତୁ ।

 

ରାଜବାଳା ସାନ୍ତ୍ୱନା ଦେଇ ଝିଅକୁ ନିଜ ପାଖରେ ବସାଇଲେ ।

 

ସେ ଦିନର ରାତି ଅବେଳରେ ପାହିଗଲା । କିନ୍ତୁ ମା ଝିଅର କଥା ସରିଲା ନାହିଁ ।

 

ରାଜବାଳା ଏତେ ବଡ଼ ବିପଦ ଆସି ପହଞ୍ଚି ଯିବ ବୋଲି ଜୀବନରେ ସୁଦ୍ଧା ଭାବି ପାରି ନ ଥିଲେ । ତାଙ୍କ ହୃଦୟ ଭିତରଟା ଦଳିଚକଟି ହେବାକୁ ଲାଗିଲା । ତଥାପି ଝିଅକୁ ଅଭୟ ଦେଇ କହିଲେ, ତୁ ମନରେ କିଛି କ୍ଷୋଭ କରିବୁ ନାହିଁ, ଝିଅ ! କିଛିଦିନ ହେଲା ପାଖଛଡ଼ା ହୋଇଥିଲୁ । ଭାବି ନେବି, ଝିଅ ଘରୁ ବାହାରି ବୁଲିବାକୁ ଯାଇଥିଲା । ବାଟ ଚିହ୍ନି ନ ପାରି ଝୁଣ୍ଟି ପଡ଼ିଲା । ମୁଁ ସେ କ୍ଷତକୁ ଭଲକରି ଦେବି,ଝିଅ । ତୋରି ସନ୍ତାନକୁ କାଖରେ କୋଳରେ ଧରି ମଣିଷ କରିବି । ତୁ ମୋର ସେହି ଅବିବାହିତା ଅଜ୍ଞାନ ଝିଅ ହୋଇ ରହିବୁ । ପୁଣି ଥରେ ଘରବରର ଯୋଗାଡ଼ କରିଦେବି । ଛି, ଝିଅ । ମୋ ରାଣ, ମନ ଊଣା କରିବୁ ନାହଁ । ତୋର ଆନନ୍ଦରେ ହିଁ ତ ମୋର ଆନନ୍ଦ । କହିଲୁ ଝିଅ, ତୋ ମାଆ ଆଖିର ଅଶ୍ରୁକୁ ତୁ କଣ ସହ୍ୟକରି ପାରିବୁ ?

 

ସ୍ୱର୍ଣ୍ଣପ୍ରଭା ଆଖିରୁ ଲୁହ ପୋଛି ଛିଡ଼ା ହେଲା । ତା’ ମୁହଁର ଭଙ୍ଗୀରେ ଜଣାଇ ଦେବାକୁ ଚାହୁଁଥିଲା, ତା’ର କିଛି ହେଇନି ।

 

ରାଜବାଳା ଖୁସି ହେବାକୁ ଚେଷ୍ଟା କଲେ ।

 

ଏଇ ତା’ର ମାଆ । ପୃଥିବୀରେ ସବୁଠୁଁ ସୁନ୍ଦର ତା’ର ମାଆ ! ସନ୍ତାନର ଦୁଃଖରେ ସେ ଭାଙ୍ଗି ପଡ଼େ । ସନ୍ତାନର ଆନନ୍ଦରେ ସୁଖୀ ହୁଏ । ସନ୍ତାନ ପାଇଁ ଜୀବନ ମୂର୍ଚ୍ଛା ସଂଗ୍ରାମ କରେ । କେତେ ନିର୍ଭରଶୀଳ, କେତେ ସହନଶୀଳ ତା’ର ଆତ୍ମା !

 

ମାଆ ଝିଅ ଯେଉଁ କେଇଟି ଦିନ ତରଭାରେ ରହିଲେ; ପ୍ରତି ମୁହୂର୍ତ୍ତରେ ସେମାନେ ବଟକୃଷ୍ଣର ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା ରଖିଥିଲେ । ରାଜବାଳାଙ୍କର ଇଚ୍ଛା ଥିଲା, ଶେଷଥର ପାଇଁ ସେ ବଟକୃଷ୍ଣକୁ ପଚାରି ଯିବେ । କହିବେ; କଅଣ ଏଇଆ ଭାବି ମୋ ଦୁର୍ବଳ ଝିଅକୁ ସଙ୍ଗରେ ଆଣିଥିଲ ? ଏଇଆ ବୋଲି କଣ ପ୍ରତିଜ୍ଞା କରିଥିଲ ? କିନ୍ତୁ ବଟକୃଷ୍ଣ ଫେରିଲା ନାହିଁ । ତା’ର ଫେରିବା କଥା ମଧ୍ୟ ନିର୍ଦ୍ଦିଷ୍ଟ ରୂପରେ ଜଣା ପଡ଼ିଲା ନାହିଁ ।

 

ରାଜବାଳା ପ୍ରାୟ ପ୍ରତିଦିନ ବଟକୃଷ୍ଣ ସମ୍ୱନ୍ଧରେ ନୂତନ କିଛି ଶୁଣିବାକୁ ପାଉଥିଲେ । ସାହୀ ପଡ଼ିଶା ଘରର ମାଇପିମାନେ ତାଙ୍କୁ ବଟକୃଷ୍ଣର ଅଜ୍ଞାତ, ଅପରିଚିତ ଇତିହାସର ପ୍ରତିଟି ବିଭ୍ରାନ୍ତ ପୃଷ୍ଠା ସଙ୍ଗେ ପରିଚିତ କରାଇ ଦେଉଥିଲେ ।

 

ବଟକୃଷ୍ଣ ବ୍ୟକ୍ତିଗତ ଜୀବନ କଳଙ୍କ ପୂର୍ଣ୍ଣ । ବହୁନାରୀଙ୍କ ସଙ୍ଗେ ତାର ସମ୍ପର୍କ । କେତେ ଯେ ତାର ରକ୍ଷିତା ପତ୍ନୀ, ନିଷିଦ୍ଧାବାନ୍ଧବୀ ଅଛନ୍ତି, ତାର ସଠିକ ସଂଖ୍ୟା ନାହିଁ । ସେ କେତେ ସୁନ୍ଦରୀ ସ୍ତ୍ରୀଙ୍କ ମନ ଭୁଲାଇ ସର୍ବସ୍ୱ ଅପହରଣ କରିଛି, ପୁଣି ସେମାନଙ୍କୁ ଅବହେଳିତା କରି ରାସ୍ତା ଧାରରେ ଛାଡ଼ି ଦେଇଛି, ତାର ବିବରଣୀ ସେହି ନିଷ୍ପେସିତା ତରୁଣୀ ମାନେହିଁ ବୟାନ କରିବାରେ ସମର୍ଥା ହେବେ । ତାରିପାଇଁ ଆଜି କେତେ ସରଳା ନାରୀ ପତିତା, ବାର ବନିତା ହୋଇ କାଳ କାଟୁଛନ୍ତି । କିନ୍ତୁ ସୃଷ୍ଟିର ବୈଚତ୍ର୍ୟ ଏହି ଯେ, ବଟକୃଷ୍ଣର ଦିନକୁ ଦିନ ମାନ ସମ୍ମାନ ବଢ଼ୁଛି । ନିତ୍ୟ ନୂତନ ଅଭିସାର ସକାଶେ ପ୍ରଚୁର ଅର୍ଥର ଆୟୋଜନ ହେଉଛି ।

 

ବୟୋଜ୍ୟେଷ୍ଠମାନେ ମନ୍ତବ୍ୟ କଲେ, ବଟକୃଷ୍ଣର ଏ କରାମତି ବହୁଦିନ ପର୍ଯ୍ୟନ୍ତ ଚାଲି ପାରିବ ନାହିଁ । ପୃଥିବୀର ସହିବାର ସୀମା ଅଛି । ସେ ସୀମା ଲଘଂନ କଲେ କେହି ପରିତ୍ରାଣ ପାଇ ପାରିବେ ନାହିଁ । ତାରି କର୍ମଫଳ ସେ ଅବଶ୍ୟ ଭୋଗ କରିବ ।

 

ରାଜବାଳା ଏ ସବୁ କଥା ଶୁଣି ମନେ ମନେ ଅଭିଶାପ ଦେଲେ ସେଦିନ ଅତି ଚଞ୍ଚଳ ପହୁଞ୍ଚି ଯାଆନ୍ତା କି ? ନିଜ ଆଖିରେ ବଟକୃଷ୍ଣର ଅଧୋପତନ ଦେଖି ସର୍ବାପେକ୍ଷା ସେ ଅଧିକ ଆନନ୍ଦ ପାଆନ୍ତେ ।

 

ଦିନେ ସକାଳୁ ଉଠି ରାଜବାଳା ଝିଅ ସ୍ୱର୍ଣ୍ଣପ୍ରଭାକୁ ନେଇ ବସାଘର ଛାଡ଼ିଲେ ।

 

ଲଳିତା ସାଙ୍ଗରେ ଆସି ମା ଝିଅଙ୍କୁ ମୋଟରରେ ବସାଇ ଦେଇଗଲା । ବିଦାୟ ନେଲାବେଳେ ରାଜବାଳାଙ୍କୁ କହିଲା, ଦେଖିବ ନାହିଁ ମା, ବାବୁଙ୍କର କେବେହେଲେ ଭଲ ଗତି ନାହିଁ-। ଲକ୍ଷ୍ମୀପରି ଝିଅକୁ ଏତେ ଦଶା ଦେଲେ କଣ ଭଲଗତି ହୁଏ ?

 

ରାଜବାଳାଙ୍କ ସଙ୍ଗରେ ସ୍ୱର୍ଣ୍ଣପ୍ରଭାକୁ ଦେଖି ରାଜେନ୍ଦ୍ର ସ୍ତବ୍‌ଧ, ଚକିତ ହେଲେ ।

 

ସ୍ୱର୍ଣ୍ଣପ୍ରଭା ଅନେକ ଦିନ ପରେ ଘରକୁ ଫେରୁଛି । ଭାବୀ ସ୍ୱାମୀର ହାତଧରି ସେ ସୋନପୁର ଛାଡ଼ିଥିଲା । କିନ୍ତୁ ଶାଶୁଘରୁ ମନ ଖୁସିରେ ଘରକୁ ଫେରୁଥିବା ଝିଅର ସେ ଆନନ୍ଦ କାହିଁ ସ୍ୱର୍ଣ୍ଣ ମୁହଁରେ । ସେ କଣ ବଟକୃଷ୍ଣ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଛି ? ଯଦି ସେ ସନ୍ଦେହ ସତ ହୋଇଥାଏ ? ରାଜେନ୍ଦ୍ର ସିଂହ ପ୍ରମାଦ ଗଣିଲେ । ନା ନା, ଏମିତି ଦୁର୍ଭାବନା କରିବା ତାଙ୍କ ପକ୍ଷରେ ଉଚିତ ହେବନି । ସ୍ୱର୍ଣ୍ଣର ସଂସାର ସୁସ୍ଥ ସୁନ୍ଦର ହେଉ । ଚଲାବାଟ ତାର ପୁଷ୍ପିତ ହେଉ । ଦୁନିଆର ସେ ଜୟମାଲ୍ୟ ପିନ୍ଧୁ ।

 

ଚକ୍ଷୁରେ କାରୁଣ୍ୟ ଭରି ସ୍ୱର୍ଣ୍ଣ ଛିଡ଼ା ହୋଇଥିଲା ।

 

ରାଜବାଳା ବିଶେଷ କ୍ଳାନ୍ତ ଓ ବିବ୍ରତ ଦେଖାଯାଉ ଥାନ୍ତି । ମନେ ହେଲା, ଏଇ କିଛି ଦିନ ଭିତରେ ସେ ବୁଢ଼ୀ ହୋଇ ଯାଇଛନ୍ତି । ତାଙ୍କ ମୁହଁରେ ସେ ଦିନର ଚଞ୍ଚଳତା ନାହିଁ କି ପ୍ରଗ୍‌ଳଭତା ନାହିଁ ।

 

ସେମିତି ଛିଡ଼ାଟା ହୋଇ କଣ ଦେଖୁଛ ଯେ ? ଝିଅର ହାତଧରି ଭିତରକୁ ଡାକି ନେଉନା । ରାଜବାଳାଙ୍କ କଣ୍ଠରେ ଆଦେଶସୂଚକ କୋତୋଟି ଶବ୍ଦ ଥିଲା । କିନ୍ତୁ ସେ ଆଦେଶରେ କେତେ ଅନୁନୟ, କେତେ ବିନୟ ।

 

ରାଜେନ୍ଦ୍ରସିଂହ ରାଜବାଳାଙ୍କର ଅନୁନୟ ମିଶା ଆଦେଶକୁ ଅତି ମାତ୍ରାରେ ଉପଭୋଗ କଲେ । ଅନେକ ଦିନ ପରେ ରାଜବାଳା ତାଙ୍କପ୍ରତି ସଦୟ ହୋଇଛି । ତା’କଣ୍ଠରେ, ତା ଚକ୍ଷୁରେ, ପତ୍ନୀ ସୁଲଭ ସୁହାଗ ପ୍ରକାଶ ପାଇଛି, ରାଜବାଳା କଣ ବଦଳି ଯାଇଛି ? ସେ କଣ ଆଉ କେବେହେଲେ ରୁକ୍ଷ, କର୍କଶ ହେବନି ? ତାଙ୍କରି କର୍ତ୍ତୁତ୍ୱକୁ ସ୍ୱୀକାର କରିବ ? ତାଙ୍କରି ସ୍ୱାମୀତ୍ୱକୁ ସମ୍ମାନ ଦେବ ? ସେ ନୀରବରେ ସ୍ୱର୍ଣ୍ଣର ହାତଧରି ପାଖକୁ ନେଲେ ।

 

ସ୍ୱର୍ଣ୍ଣପ୍ରଭା ନୀରବ, ନିଥର ପାଷାଣ ପାଲଟି ଯାଇଛି । ତା’ ଚକ୍ଷୁରେ ଅନାସକ୍ତ ଭାବ ପ୍ରକଟିତ । ଉଚ୍ଛ୍ୱସିତ କଣ୍ଠରେ କୁଶଳ ଜିଜ୍ଞାସା କରୁନାହିଁ କି ହସ ଛଟାରେ ମନ ଆନନ୍ଦକୁ ବ୍ୟକ୍ତ କରୁନାହିଁ । ତାର ହସିଲା ମନଟାକୁ ବିକ୍ଷତ କଲା କିଏ ? କିଏ ସେହି ଅନୁଦାର ଅମଣିଷ ?

 

ରାଜବାଳା ଗୋଟି ଗୋଟି କରି ସବୁ କଥା ବ୍ୟକ୍ତ କଲେ ସେଦିନ । କଣ୍ଠରେ ତାଙ୍କର କାରୁଣ୍ୟ ଭରିଥାଏ । ଅନୁତାପରେ ଫାଟି ପଡ଼ୁଥାନ୍ତି । କହିଲେ ମୋତେ କ୍ଷମା କରିବ ନାହିଁ ? ତୁମ କଥା ନ ମାନି, ତୁମରି ଇଙ୍ଗିତରେ ପରିଚାଳିତ ନ ହୋଇ ମୋର ଏତେ ବଡ଼ ଭୁଲ ହେଲା । ମୋରି ଭୁଲର ପ୍ରାୟଶ୍ଚିତ କରୁଛି ସ୍ୱର୍ଣ୍ଣପ୍ରଭା । ଆମ ଦୁନିଆଁ ପୋଡ଼ିଜଳି ଅଙ୍ଗାର ହୋଇ ଯାଇଛି । କଣ କରିବା ?

 

ରାଜେନ୍ଦ୍ର ରାଜବାଳାର ହାତଧରି ଆଶ୍ୱାସନା ଶୁଣାଇଲେ । କହିଲେ, ସ୍ୱର୍ଣ୍ଣପରି ସୁନ୍ଦର, ଗୁଣର ଝିଅପାଇଁ ଆଉ ଗୋଟିଏ ପାତ୍ର ଖୋଜି ବାହାର କରିବା କଷ୍ଟକର ହେବ ନାହିଁ । ସ୍ୱର୍ଣ୍ଣପ୍ରଭାର ଅନାଗତ ସନ୍ତାନର ଦାୟିତ୍ୱ ତୁଲାଇବା ଆମେ । ତାକୁ ମଣିଷ ପରି ମଣିଷ କରି ଗଢ଼ିବା । ଏଇ ସୁକାନ୍ତତ ଆମର ରହିଛି । ସେ କେବେହେଲେ ମୋରି ଅନୁରୋଧ ଭାଙ୍ଗିବ ନାହିଁ । ତାପରେ ମୋର ବିଶ୍ୱାସ ସ୍ୱର୍ଣ୍ଣର ଦୁଃଖ ପୂର୍ଣ୍ଣ ଅତୀତକୁ ସେହି କ୍ଷମା ଦେବ ।

 

ଜଣାଗଲା,ରାଜେନ୍ଦ୍ରଙ୍କ ପ୍ରସ୍ତାବ ରାଜବାଳାଙ୍କ ଦ୍ୱାରା ଗୃହୀତ ହୋଇଛି ।

 

କିନ୍ତୁ ମନାକଲା ସ୍ୱର୍ଣ୍ଣପ୍ରଭା । ସେ ପୁନର୍ବିବାହ କରିବାକୁ ରାଜି ହେଲା ନାହିଁ । ଦେଶଦେଶର ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିବାର ଦୃଢ଼ ପ୍ରତିଜ୍ଞା କଲା ।

 

କାଳିନ୍ଦୀ ସ୍ୱର୍ଣ୍ଣପ୍ରଭାର ସଙ୍ଗ ଛାଡ଼ିଲା ନାହିଁ । ସତେ ଅବା, ଅନେକ ଦିନ ପରେ ହଜାଇଲା ଧନ ଫେରି ପାଇଛି । ସବୁଠୁ ସେ ଅଧିକ ଖୁସି ହେଲା ।

 

ସୁଖ ଦୁଃଖର ସଂସାର ଗଢ଼ି ଚାଲିଲା ।

 

ଦୁଃଖ ଏକୁଟିଆ ଆସେ ନାହିଁ । ତା’ ସଙ୍ଗରେ ବନ୍ଧୁ ବାନ୍ଧବ, ଆତ୍ମୀୟ ସ୍ୱଜନ ସମସ୍ତଙ୍କୁ ନେଇ ଆସେ । ବିପଦଗ୍ରସ୍ତ ମଣିଷ ଉପରେ ଦାଉସାଧି ସେମାନେ ନିଜ କରାମତିକୁ ଆନନ୍ଦରେ ଉପଭୋଗ କରନ୍ତି । ମଣିଷ ବ୍ୟତିବ୍ୟସ୍ତ ହୁଏ । କିନ୍ତୁ ସେଥିରେ ସେମାନଙ୍କର ଯାଏ ଆସେ କେତେ-?

 

ରାଜେନ୍ଦ୍ର ଓ ରାଜବାଳାଙ୍କ ମିଳିତ ସଂସାରରେ ସେହିପରି ଦୁଃଖ ଦୁର୍ଦ୍ଦଶା ଦେଖାଗଲା । ସେ ଦୁହେଁ ନୀରବରେ ତାକୁ ସହିବାକୁ ଲାଗିଲେ । ଆଜି କାଳିନ୍ଦୀର ଦେହ ଅସୁଖ ତ’ କାଲି ସ୍ୱର୍ଣ୍ଣପ୍ରଭାର ମୁଣ୍ଡ ବିନ୍ଧା ଆରମ୍ଭ ହେଲାଣି । ରାଜେନ୍ଦ୍ର ଓ ରାଜବାଳା ଉଭୟ ଶାରୀରିକ ଓ ମାନସିକ ପୀଡ଼ାରେ ଦହଗଞ୍ଜ ହେବାକୁ ଲାଗିଲେ । ଆର୍ଥିକ ଅବସ୍ଥା ଅସ୍ୱଚ୍ଛଳ ଓ ଭୀତିପ୍ରଦ ହେଲା ।

 

ରାଜେନ୍ଦ୍ର ଓ ରାଜବାଳାଙ୍କ ପକ୍ଷରେ ସେ ପରିସ୍ଥିତି କ୍ରମେ ଜଟିଳ ଓ ଅସହ୍ୟ ହୋଇ ପଡ଼ିଲା । ତଥାପି ପରସ୍ପର ଭିତରେ ସେ ଦୁଃଖ ଦୁର୍ବିପାକର ଆଲୋଚନା କରି, ଦୁଃଖରଭାରାକୁ ଲାଘବ କରିବାକୁ ଚାହିଁଲେ । ସମସ୍ତ ଦୁର୍ବିପାକକୁ ଦୁଇଟି ଛାତିରେ, ଚାରୋଟି ହାତରେ ବାଣ୍ଟି ବୁଣ୍ଟି ଗ୍ରହଣ କଲେ । ସେମାନଙ୍କ ସହନ ଶୀଳତାର ପଟାନ୍ତର ନାହିଁ । ସେମାନଙ୍କ ପାରସ୍ପାରିକ ବୁଝାମଣାର ତୁଳନା ନାହିଁ ।

କିନ୍ତୁ ତଥାପି......

ରାଜବାଳାଙ୍କର ମାନସିକଅବସ୍ଥା କ୍ରମେ ଜଟିଳ ପରିସ୍ଥିତି ଧାରଣ କଲା । ସ୍ୱର୍ଣ୍ଣପ୍ରଭାର ନିର୍ଜନ, ନିରୋଳା ଜୀବନକୁ ଚାହିଁ ସେ ଅଶ୍ରୁମୋଚନ କଲେ । ତାର ବର୍ଦ୍ଧିଷ୍ଣୁ ଅବୟବକୁ ଦେଖି ଦୀର୍ଘ ନିଃଶ୍ୱାସ ନିକ୍ଷେପ କଲେ । କାହାର ହେବ ସ୍ୱର୍ଣ୍ଣ ? ସ୍ୱର୍ଣ୍ଣର ସନ୍ତାନ କଣ ବୋଲି ନିଜକୁ ପରିଚୟ ଦେବ ? ଏ ଦୁନିଆ କଣ ଏ ଭଳି ଏକ ଅସାମାଜିକ ବ୍ୟବସ୍ତାକୁ ଉଦାର ମନରେ ଗ୍ରହଣ କରିବ ? ସେ କଥା ନେଇ ରାଜବାଳା ଦିନ ରାତି ଭାବି ହୁଅନ୍ତି । କୌଣସି କାର୍ଯ୍ୟରେ ମନ ଲାଗେ ନା ।

ରାଜବାଳା ରାଜଯକ୍ଷ୍ମା ରୋଗରେ ପୀଡ଼ିତା ହେଲେ ।

ରାଜଯକ୍ଷ୍ମା ରୋଗ ! ରୋଗ ମଧ୍ୟରେ ରାଜା । ପ୍ରଥମ ଅବସ୍ଥାରୁ ସୁଚିକିତ୍ସା ନ କଲେ, ରୋଗୀର ଜୀବନ ମୃତ୍ୟୁ ମୁଖରେ ପଡ଼େ ।

ରାଜେନ୍ଦ୍ରଙ୍କ ମୁଣ୍ଡ ଘୁରାଇ ହେଲା । କେଉଁଠୁ ପାଇବେ ଏତେ ସମ୍ୱଳ ? ମାଷ୍ଟରୀ ବୃତ୍ତି ଧାରଣ କରି କିଏ ତାରି ପରିବାରର ଯକ୍ଷ୍ମା ପୀଡ଼ିତ ରୋଗୀକୁ ବଞ୍ଚାଇ ପାରିଛି । କିନ୍ତୁ ସ୍ୱର୍ଣ୍ଣପ୍ରଭା ଆଗେଇ ଆସିଲା । ନିଜ ଜୀବନକୁ ପଣ କରି ରାଜବାଳାଙ୍କ ସ୍ୱାସ୍ଥ୍ୟ କାମନା କଲା । ସେ ଆପେ ଯାଇଁ ‘ଚାନ୍ଦପୁର’ ସ୍ୱାସ୍ଥ୍ୟ ନିବାସର ସୁପରିନ୍‌ଟେଣ୍ଡେଣ୍ଟଙ୍କୁ ଦେଖାକଲା ।

ସୁପରିନ୍‌ଟେଣ୍ଡେଣ୍ଟ ମହାଶୟ ବେଶ୍‌ ବିଚରାବନ୍ତ ପୁରୁଷ । ସ୍ୱର୍ଣ୍ଣପ୍ରଭାର ଅଶ୍ରୁଭରା କାହାଣୀ ଶୁଣି ସେ ସହାନୁଭୂତି ପ୍ରକାଶ କଲେ । ରାଜ୍ୟପକ୍ଷରୁ ଅର୍ଦ୍ଧେକ ବ୍ୟୟ ବହନ ବ୍ୟବସ୍ଥା କରିଦେଲେ । ରାଜବାଳା ଜଣେ ଶିକ୍ଷୟିତ୍ରୀ ହୋଇଥିବାରୁ ସେ ବ୍ୟବସ୍ଥା କରିବାପରେ ଅସୁବିଧା ହେଲା ନାହିଁ ।

ସ୍ୱର୍ଣ୍ଣପ୍ରଭା ସୁପରିନ୍‌ଟେଣ୍ଡେଣ୍ଟଙ୍କ ପାଖରେ କୃତଜ୍ଞତା ଜ୍ଞାପନ କଲା । କହିଲା, ମାଆହିଁ ମୋର ଜୀବନ । ମାଆ ବ୍ୟତୀତ ଏ ଦୁନିଆରେ ମୁଁ ବଞ୍ଚି ପାରିବି ନାହିଁ । ଆପଣ ତାର ହୃତ ସ୍ୱାସ୍ଥ୍ୟ ଫେରାଇ ଦେବାର ପ୍ରତିଶ୍ରୁତି ଦେଇଛନ୍ତି । ସେଇ ମୋ’ ପକ୍ଷରେ ଯଥେଷ୍ଟ ।

 

କିନ୍ତୁ ଖର୍ଚ୍ଚର ଆଉ ଅଧେ । ସ୍ୱର୍ଣ୍ଣପ୍ରଭାର ସାମୟିକ ଆନନ୍ଦ ମଉଳି ଗଲା । କେଉଁଠୁ ସେ ଆଉ ବ୍ୟବସ୍ଥା କରିପାରିବ ? ରାଜେନ୍ଦ୍ରଙ୍କ ସ୍ୱତନ୍ତ୍ର ସଞ୍ଚୟ କିଛି ନାହିଁ । ତାଙ୍କରି ଉପାର୍ଜନ ଅବଶିଷ୍ଟ ପରିବାରର ଭରଣପୋଷଣ ପାଇଁ ଯଥେଷ୍ଟ ନୁହେ । ତାହା ହେଲେ କଣ କରିବ ସେ ? ସୁପରିନ୍‌ଟେଣ୍ଡେଣ୍ଟଙ୍କ ସମ୍ମୁଖରେ ସେ ସତକୁ ସତ କାନ୍ଦି ପକାଇଲା । ଦୁନିଆ ତା’ ଆଖିରେ ଅନ୍ଧାର ଦେଖାଗଲା ।

 

ସୁପରିନ୍‌ଟେଣ୍ଡେଣ୍ଟ୍‌ ପୁଣି ଥରେ ସାହାଯ୍ୟ କରିବାକୁ ଆଗେଇ ଆସିଲେ । ସ୍ୱର୍ଣ୍ଣପ୍ରଭାକୁ ଚାନ୍ଦପୁର ସ୍ୱାସ୍ଥ୍ୟ ନିବାସରେ ଖାଲି ପଡ଼ିଥିବା ଏକ ତତ୍ତ୍ୱାବଧାରିକାର ଚାକିରୀ ଠିକ୍‌ କରିଦେଲେ । ସେ ନିଜେ ହେଲେ ସ୍ୱର୍ଣ୍ଣପ୍ରଭାର ଅଭିଭାବକ ।

 

ସ୍ୱର୍ଣ୍ଣପ୍ରଭା, ମାଆ ରାଜବାଳାଙ୍କୁ ଆଣି ଚାନ୍ଦପୁର ସ୍ୱାସ୍ଥ୍ୟ ନିବାସରେ ଚିକିତ୍ସା କଲା । ଦରମା ପଇସାକୁ ଅତି ଯତ୍ନରେ ସଞ୍ଚୟ କରି ତାରି ମାଆର ସ୍ୱାସ୍ଥ୍ୟ ସକାଶେ ସମର୍ପଣ କଲା ।

 

ସ୍ୱର୍ଣ୍ଣପ୍ରଭାର ଏ ଅଲୌକିକ ଧୀଶକ୍ତି ଦେଖି ରାଜେନ୍ଦ୍ର ସିଂହ ବିସ୍ମୟ ପ୍ରକାଶ କଲେ । ତାଙ୍କର ମୃତ ଆଶା ପୁଣି ଥରେ ସଂଜୀବିତ ହୋଇ ଉଠିଲା । ଧାରଣା ହେଲା, ବିପର୍ଯ୍ୟସ୍ତ ସଂସାର ପୁଣି ଥରେ ଜୟଶ୍ରୀ ମଣ୍ଡିତ ହେବ । ସବୁତକ ସଜାଡ଼ି ହୋଇଯିବ ।

 

କିନ୍ତୁ ସେ ଆଶା, ଦୂରାଶାର ଝଲକ ଥିଲା ।

 

ଚାନ୍ଦପୁର ଯକ୍ଷ୍ମା-ନିବାସରୁ ଦୁଃସାଧ୍ୟ, କଠିନ ରୋଗୀମାନେ ସ୍ୱାସ୍ଥ୍ୟ ସମ୍ପଦ ନେଇ ଫେରି ଆସୁଛନ୍ତି । ମୁମୂର୍ଷ ସୁଦ୍ଧା ଜୀବନ ପାଉଛି । କିନ୍ତୁ ସମସ୍ତ ତତ୍ତ୍ୱାବଧାନ ସତ୍ତ୍ୱେ ରାଜବାଳାଙ୍କର ଦେହାନ୍ତ ହୋଇଗଲା । ଗୋଟିଏ ପରିବାରର ସୁଖ ଦୁଃଖ, ଭଲ ମନ୍ଦର ଶାରୀରିକ ସମ୍ପର୍କରୁ ସେ ବିଚ୍ଛିନ୍ନ ହୋଇଗଲେ ।

 

ସ୍ୱର୍ଣ୍ଣପ୍ରଭା କଣ ଭାବିଥିଲା ଆଉ କଣ ହୋଇଗଲା ସତରେ । ମାଆକୁ ସେ ଚିକିତ୍ସା କରାଇବାକୁ ଚାନ୍ଦପୁର ଆସିଲାବେଳେ ଅପାର ଆନନ୍ଦ ଅନୁଭବ କରୁଥିଲା । ଭାବିଥିଲା, ମାଆ ତାର ଖୁବ୍‌ ଶୀଘ୍ର ଭଲ ହୋଇଯିବେ । ଆନନ୍ଦରେ ସେମାନେ ପ୍ରତ୍ୟାବର୍ତ୍ତନ କରିବେ ସୋନପୁର ସହରକୁ ।

 

ଆଜି ସେ ଆଶାର ଖିଅ ଛିଣ୍ଡିଗଲା । ତା’ ଜୀବନର ଆଲୋକ ଲିଭିଗଲା । ନିଜର ବଞ୍ଚିରହିବା ଅସାର୍ଥକ ଓ ଅପ୍ରାସଙ୍ଗିକ ମନେ ହେଲା । ସେ ନିଜ ଅଲକ୍ଷ୍ୟରେ ଜୀବନ ପ୍ରତି ବିତସ୍ପୃହ ହୋଇ ଉଠିଲା ।

 

ସ୍ୱର୍ଣ୍ଣପ୍ରଭାର ମାନସିକ ଅସ୍ଥିରତା ଓ ନିସ୍ତେଜତାକୁ ସ୍ୱାସ୍ଥ୍ୟ ନିବାସର ସୁପରିନ୍‌ଟେଣ୍ଡେଣ୍ଟ୍‌ ଉଦ୍‌ବିଘ୍ନତା ସହକାରେ ଲକ୍ଷ୍ୟକଲେ । କଣଥିଲା ସେ, ଆଉ କଣ ହୋଇଯାଇଛି । ପାଖକୁ ଡାକି ଅନେକେ ସାନ୍ତ୍ୱନା ଦେଲେ । ତା’ଠୁ ବଳି ବିପଦଗ୍ରସ୍ତ କେତୋଟି ଚିହ୍ନା ଜୀବନର ଅଶ୍ରୁତପୂର୍ବ କାହାଣୀ ଶୁଣାଇଲେ । କିନ୍ତୁ ସ୍ୱର୍ଣ୍ଣପ୍ରଭାର ମନ ଭିତରେ ତାର କୌଣସି ପ୍ରଭାବ ପଡ଼ିଲା ନାହିଁ ।

 

ସମୟ କବିରାଜୀ ତା’ ଅସୁସ୍ଥ ମନକୁ ସତେଜ କରି ପାରିଲା ନାହିଁ । ସେ କ୍ରମେ ଦୁର୍ବଳ ଓ ନିରାଶ ହୋଇପଡ଼ିଲା ।

 

ସୁପରିନ୍‌ଟେଣ୍ଡେଣ୍ଟ୍‌ ସୁଦୀର୍ଘ ଛୁଟି ମଞ୍ଜୁର କରି ସ୍ୱର୍ଣ୍ଣପ୍ରଭାକୁ ଆଣି ନିଜ ଘରେ ରଖିଲେ । ଜନ୍ମିତ ସନ୍ତାନ ପରି ତାର ଶୁଶ୍ରୁଷା କଲେ । କିନ୍ତୁ ସ୍ୱର୍ଣ୍ଣର ଅବସ୍ଥାରେ ଉନ୍ନତିର ସୂଚନା ଦେଖିବାକୁ ନ ପାଇ ବ୍ୟସ୍ତ ହୋଇ ରାଜେନ୍ଦ୍ରଙ୍କ ପାଖକୁ ଟେଲିଗ୍ରାମ କଲେ ।

 

ଅସ୍ଥିର ରାଜେନ୍ଦ୍ର ଓ କ୍ରନ୍ଦନରତ କାଳିନ୍ଦୀକୁ ସଙ୍ଗରେ ନେଇ ସୁକାନ୍ତ ଚାନ୍ଦପୁରରେ ପହଞ୍ଚିଲା । ସେଇଠି ସ୍ୱର୍ଣ୍ଣପ୍ରଭାର ଠିକଣା ବୁଝିବାକୁ ବିଳମ୍ୱ ହେଲାନାହିଁ ।

 

କିନ୍ତୁ.......

 

ସବୁ ସରିଯାଇଥିଲା । ସେମାନଙ୍କ ପହୁଞ୍ଚିବାରେ ସାମାନ୍ୟ ବିଳମ୍ୱ ହୋଇଥିଲା । ନିଜ ଗର୍ଭରେ ଅପ୍ରାପ୍ତ ସନ୍ତାନକୁ ନେଇ ସ୍ୱର୍ଣ୍ଣପ୍ରଭା ମହାନିଦ୍ରା ଯାଇଥିଲା ।

 

ଖ୍ରୀଷ୍ଟିଆନ୍‌ ପଦ୍ଧତିମତେ ସ୍ୱର୍ଣ୍ଣପ୍ରଭାର ଶେଷ କାର୍ଯ୍ୟ ସମାପିତ ହେଲା । ରାଜବାଳାଙ୍କ କବର ପାଖରେ ସ୍ୱର୍ଣ୍ଣର ମୃତ ଦେହର ସଂରକ୍ଷଣପାଇଁ ବଡ଼ କବରଟିଏ ନିର୍ମାଣ କରାଗଲା । ତା ଭିତରେ ସ୍ୱର୍ଣ୍ଣର ନଶ୍ୱର ଶରୀର ସମାଧି ନେଲା ।

 

ରାଜେନ୍ଦ୍ରଙ୍କ ଆଖିରେ ଟୋପେ ହେଲେ ଲୁହନାହିଁ । ସେ ରାଜବାଳା ଓ ସ୍ୱର୍ଣପ୍ରଭାର କବର ମଝିରେ ଛିଡ଼ାହୋଇ ସେମାନଙ୍କ ଆତ୍ମାର ସଦ୍‌ଗତି ସକାଶେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କଲେ ।

 

କାଳିନ୍ଦୀ ଓ ସୁକାନ୍ତ ରାଜେନ୍ଦ୍ରଙ୍କ ଉଭୟ ପାର୍ଶ୍ୱରେ ନୀରବରେ ଛିଡ଼ା ହୋଇଥାନ୍ତି ।

 

ରାଜେନ୍ଦ୍ରଙ୍କ ହୃଦୟ କରୁଣ ଉଚ୍ଛ୍ୱାସରେ ଭରି ଉଠିଥାଏ । ଭାବୁଥାନ୍ତି, ଜୀବନ ଉପରେ ବିଶ୍ୱାସ ନାହିଁ । ଏଇନେ ଅଛି ତ ଆର ଘଡ଼ିକି ନାହିଁ । ସ୍ୱଳ୍ପାୟୁ ଜୀବନକୁ ନେଇ ମଣିଷର ପୁଣି କେତେ ଦମ୍ଭ, କେତେ ଅହଙ୍କାର ! ଚାହୁଁ ଜାହୁଁ ଜୀବନ-ହଂସ ଉଡ଼ିଯାଏ । ହୃଦୟପଦ୍ମ ଝରିପଡ଼େ । ତା’ପରେ ଦୁନିଆ ହୁଏ ମିଥ୍ୟା । ତଥାପି ଗତିଶୀଳ ମିଷର କେତେ ମାୟା, କେତେ ମମତା !!!

 

କାଳିନ୍ଦୀର ଟିକିମନରେ ଖୁବ୍‌ ଆଘାତ ଲାଗିଥାଏ । ଜୀବନରେ ମୃତ୍ୟୁକୁ ଅନୁଭବ କରିବା ଏଇ ପ୍ରଥମ । ଅଜ୍ଞାତ, ଅପରିପକ୍ୱ କାଳିନ୍ଦୀ ଭାବୁଥାଏ, ତାର ନୂଆ ମା’ ଓ ସ୍ୱର୍ଣ୍ଣଅପା ଆଉ କେବେହେଲେ ଦେଖାଦେବେ ନାହିଁ । ସେମାନଙ୍କ ସ୍ମୃତି ସମ୍ୱଳିତ ଛୋଟ ବଡ଼ ଘଟଣା ସ୍ମରଣ କରି ସେ କାନ୍ଦିପକାଉ ଥାଏ ।

 

ଆଉ ସୁକାନ୍ତ ? ସେ ଅତୀତ ବର୍ତ୍ତମାନକୁ ଏକାଠି ମିଶାଇ ପୁଣି ଥରେ ଭାଗ ଭାଗ କରୁଥାନ୍ତି । ସ୍ୱର୍ଣ୍ଣପ୍ରଭା ଏଇ ତାଙ୍କରି ସାମନାରେ ଚିରଦିନ ପାଇଁ ଶୋଇଗଲା । ସୋନପୁର ବସା ଘରର ସେହି ଖୋଲା ଝରକା ପାଖରେ ଛିଡ଼ା ହୋଇ ସେ ଆଉ ପ୍ରଶସ୍ତ ରାଜମାର୍ଗକୁ ଚାହିଁବ ନାହିଁ । ତାର ସେହି ସୁନ୍ଦର ମୁହଁ ଓ ପ୍ରଶ୍ନଭରା, ସଜଳ, ନୀଳ ଆଖି ଯୋଡ଼ିକ ଆଉ କେବେହେଲେ ଦେଖିବାକୁ ମିଳିବ ନାହିଁ । ତା’ସଙ୍ଗରେ ଜ୍ୟୋସ୍ନା ଚର୍ଚ୍ଚିତ ରାତ୍ରି-ବିହାର-ପରିକଳ୍ପନା ଅସାର୍ଥକ ହେବ-

 

ସୋନପୁର ସହର ଭିତରେ ଯେଉଁ ସୁନ୍ଦରୀ, ଷୋଡ଼ଶୀ ସ୍ୱର୍ଣ୍ଣପ୍ରଭା ଜୀବନ ଓ ଜୀବନର ଚାଞ୍ଚଲ୍ୟ ସୃଷ୍ଟି କରିଥିଲା, ତାର ମୃତ୍ୟୁ ହୋଇ ଯାଇଛି ।

 

ସୋନପୁର ସହର ଭିତରେ ଯେଉଁ ରୂପ ଗର୍ବିଣୀ, ସ୍ୱାସ୍ଥ୍ୟବତୀ ରାଜବାଳା ଦିନେ ମୋହିନୀ ଆଖିରେ ଘୂରି ବୁଲୁଥିଲା, ତାର ଜଡ଼ ଶୀତଳ ଦେହଟା ସାମ୍‍ନା କବର ଭିତରେ ନିଶ୍ଚେଷ୍ଟ ହୋଇ ଯାଇଛି ।

 

ଏହାହିଁ ସଚରାଚର ଜୀବ ଜଗତର ଇତିହାସ । ଏହାହିଁ ନଶ୍ୱର-ବିଶ୍ୱର କାହାଣୀ । କେତେ ଦୁଃଖ, କେତେ ଶୋକାକୁଳ ନୁହେ ସତରେ । ମଣିଷ ଏ ନିରାଟ ସତ୍ୟକୁ ବୁଝି ବି’ ବୁଝି ପାରେ ନାଁ । ଶୁଣି ବି’ଶୁଣି ପାରେ ନାଁ । ଆଖି ଆଗରେ ଘଟି ଯାଉଥିବା ନିତ୍ୟ ନୈମିତ୍ତିକ ଘଟଣାବଳୀକୁ ଦେଖି, ପରକ୍ଷଣରେ ଭୁଲି ଯାଏ ।

 

ଚାନ୍ଦପୁର ସ୍ୱାସ୍ଥ୍ୟ-ନିବାସର ସୁପରିନ୍‌ଟେଣ୍ଡେଣ୍ଟ ସବାଶେଷକୁ ମାର୍ବଲ-ପଥରର ସ୍ମୃତି ଫଳକଟିଏ ନେଇ ପ୍ରବେଶ କଲେ । ସେଥିରେ ଲେଖାଥିଲା, ‘‘କୁମାରୀ ସ୍ୱର୍ଣ୍ଣପ୍ରଭା ସିଂହ ଶୋଇ ଯାଇଛି । ତା’ ରୂପ ଯୌବନର ଆଲୋକ, ହୃଦୟର ମହାନ୍‌ ଆଦର୍ଶକୁ ନେଇ ଶୋଇ ଯାଇଛି । ଜୀବଦଶାରେ ସେ ଥିଲା ଆଦର୍ଶର ବିରାଟ କାବ୍ୟ । ଦୁନିଆକୁ ଯାହା ଦେଖାଇ ଗଲା, ଅନ୍ୟ କେହି ହେଲେ ସେମିତି କରି ପାରିବେ ନାହିଁ ।’’

 

‘‘ତାରି ସୁଖ ନିଦ୍ରାରେ ବ୍ୟାଘାତ କରନାଁ’ । ତାର ମହାନ୍‌ ଆତ୍ମାର ସଦ୍‌ଗତି ସକାଶେ, ଆସ ସମସ୍ତେ ମିଶି ପ୍ରାର୍ଥନା କରିବା ।’’

 

Image